ପାକିସ୍ତାନର ଗୁପ୍ତଚର ସିଆରପିଏଫ ଯବାନ, ବାନ୍ଧିଲା ଏନଆଇଏ

୨୦୨୩ରୁ ସେ ଜାତୀୟ ସୁରକ୍ଷା ସହ ଜଡ଼ିତ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ପିଆଇଓମାନଙ୍କୁ ଦେଇ ଚାଲିଥିଲେ।

ପାକିସ୍ତାନର ଗୁପ୍ତଚର ସିଆରପିଏଫ ଯବାନ, ବାନ୍ଧିଲା ଏନଆଇଏ

ଭାରତରେ ରହି ପାକିସ୍ତାନ ପାଇଁ ଗୁଇନ୍ଦାଗିରି କରୁଥିବା ଜଣେ ସିଆରପିଏଫ ଯବାନଙ୍କୁ ବାନ୍ଧିଛି ଜାତୀୟ ତଦନ୍ତକାରୀ ସଂସ୍ଥା ବା ଏନଆଇଏ। ତାଙ୍କୁ ଆଜି ଦିଲ୍ଲୀରୁ ଗିରଫ କରାଯାଇଛି। ସେ ଭାରତର ସୁରକ୍ଷା ବ୍ୟବସ୍ଥା ସହ ଜଡ଼ିତ ଥିଲେ ହେଁ ଅନେକ ସମ୍ବେଦଶୀଳ ତଥ୍ୟ ପାକିସ୍ତାନ ଗୁଇନ୍ଦା ଅଫିସର୍ସ ବା ପିଆଇଓମାନଙ୍କୁ ଦେଇଛନ୍ତି। ଏକଥା ଜଣାପଡ଼ିବା ପରେ ଏନଆଇଏ ତାଙ୍କୁ ଆଜି ଦିଲ୍ଲୀରୁ ଗିରଫ କରିଛି।

ଗିରଫ ଅଭିଯୁକ୍ତ ଜଣଙ୍କ ହେଲେ ସିଆରପିଏଫ ଯବାନ ମୋତି ରାମ ଜାଟ୍‌। ସେ ବେଶ ସକ୍ରିୟ ଭାବେ ଭାରତରେ ରହି ପାକିସ୍ତାନର ଗୁପ୍ତଚର ସାଜିଥିଲେ। ୨୦୨୩ରୁ ସେ ଜାତୀୟ ସୁରକ୍ଷା ସହ ଜଡ଼ିତ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ପିଆଇଓମାନଙ୍କୁ ଦେଇ ଚାଲିଥିଲେ। ଏଥିପାଇଁ ମୋତି ରାମଙ୍କୁ ମୋଟ ଅଙ୍କର ଅର୍ଥ ମିଳୁଥିଲା। ପାକିସ୍ତାନୀ ଅଧିକାରୀମାନେ ବିଭିନ୍ନ ଉପାୟରେ ତାଙ୍କୁ ପାଣ୍ଠି ଯୋଗାଇ ଆସୁଥିଲେ।

ପ୍ରଥମେ ମୋତି ରାମଙ୍କୁ ଦିଲ୍ଲୀରୁ ଏନଆଇଏ ଉଠାଇବା ନେବା ସହ ଜେରା ଆରମ୍ଭ କରିଥିଲା। ଏହାପରେ ତାଙ୍କୁ ଗିରଫ କରିଥିଲା। ଏବେ ତାଙ୍କୁ ପୁଣି ରିମାଣ୍ଡରେ ଆଣି ଜେରା ଆରମ୍ଭ କରାଯାଇଛି। ଗିରଫ ପରେ ମୋତି ରାମଙ୍କୁ ଦିଲ୍ଲୀର ସ୍ୱତନ୍ତ୍ର ପଟିଆଲା ହାଉସ କୋର୍ଟରେ ହାଜର କରାଯାଇଥିଲା। କୋର୍ଟ ତାଙ୍କୁ ଜୁନ ୬ ଯାଏ ଏନଆଇଏ ହେପାଜତକୁ ପଠାଇ ଦେଇଛନ୍ତି।

ଏହାପୂର୍ବରୁ ଭାରତ ପାଇଁ ଗୁଇନ୍ଦାଗିରି କରୁଥିବା ଅଭିଯୋଗରେ ୟୁଟ୍ୟୁବର ଜ୍ୟୋତି ମାଲହୋତ୍ରାଙ୍କ ସମେତ ଏକାଧିକ ସ୍ୱାସ୍ଥ୍ୟକର୍ମୀ, ବ୍ୟବସାୟୀ, ଶିକ୍ଷାର୍ଥୀ ଓ ଅନ୍ୟାନ୍ୟ ଲୋକଙ୍କୁ ଗିରଫ କରାଯାଇ ସାରିଛି। ତେବେ ପ୍ରଥମଥର ପାଇଁ ଭାରତର ଆଭ୍ୟନ୍ତରୀଣ ସୁରକ୍ଷାରେ ନିୟୋଜିତ ଜଣେ ଯବାନ ପାକିସ୍ତାନ ପାଇଁ ଗୁଇନ୍ଦାଗିରି କରିବା ଅଭିଯୋଗରେ ଗିରଫ ହେବା ସମସ୍ତଙ୍କୁ ଚକିତ କରିଛି।