ପିପିଲିରେ ବାର୍ଡ-ଫ୍ଲୁ ରୋଗରେ ମରୁଛନ୍ତି କୁକୁଡା

ପିପିଲି:ପିପିଲିରେ କୁକୁଡା ମଡକର ପ୍ରକୃତ କାରଣ ବାର୍ଡ-ଫ୍ଲୁ ରୋଗ ବୋଲି ଜଣାପଡିଛି। ଫୁଲନଖରା ସ୍ଥିତ ପ୍ରାଣୀସଂପଦ ରୋଗ ଅନୁସନ୍ଧାନ କେନ୍ଦ୍ରର (ଏଡିଆରଆଇ) ବିଶେଷଜ୍ଞମାନେ ଗତ ୧୭ ତାରିଖରେ ପିପିଲି ବ୍ଲକ ଅନ୍ତର୍ଗତ ତେଇସିପୁର ପଞ୍ଚାୟତର ଆବଲପୁର ଅଞ୍ଚଳରେ ଥିବା କେତେକ ସଂକ୍ରମିତ କୁକୁଡା ଫାର୍ମରୁ ମଲା କୁକୁଡାଙ୍କ ମଳ, ଗଳାର ଲାଳ ଓ ଜିଅନ୍ତା କୁକୁଡାଙ୍କ ରକ୍ତ ନମୁନାକୁ ସଂଗ୍ରହ କରି ପରୀକ୍ଷା ପାଇଁ ଭେଲୋର ସ୍ଥିତ ଲ୍ୟାବ୍‌‌କୁ ପଠାଇଥିଲେ। ତେବେ ପରୀକ୍ଷା ରିପୋର୍ଟରୁ ଏହା ବାର୍ଡ-ଫ୍ଲୁ […]

ପିପିଲିରେ ବାର୍ଡ-ଫ୍ଲୁ ରୋଗରେ ମରୁଛନ୍ତି କୁକୁଡା

ପିପିଲି:ପିପିଲିରେ କୁକୁଡା ମଡକର ପ୍ରକୃତ କାରଣ ବାର୍ଡ-ଫ୍ଲୁ ରୋଗ ବୋଲି ଜଣାପଡିଛି। ଫୁଲନଖରା ସ୍ଥିତ ପ୍ରାଣୀସଂପଦ ରୋଗ ଅନୁସନ୍ଧାନ କେନ୍ଦ୍ରର (ଏଡିଆରଆଇ) ବିଶେଷଜ୍ଞମାନେ ଗତ ୧୭ ତାରିଖରେ ପିପିଲି ବ୍ଲକ ଅନ୍ତର୍ଗତ ତେଇସିପୁର ପଞ୍ଚାୟତର ଆବଲପୁର ଅଞ୍ଚଳରେ ଥିବା କେତେକ ସଂକ୍ରମିତ କୁକୁଡା ଫାର୍ମରୁ ମଲା କୁକୁଡାଙ୍କ ମଳ, ଗଳାର ଲାଳ ଓ ଜିଅନ୍ତା କୁକୁଡାଙ୍କ ରକ୍ତ ନମୁନାକୁ ସଂଗ୍ରହ କରି ପରୀକ୍ଷା ପାଇଁ ଭେଲୋର ସ୍ଥିତ ଲ୍ୟାବ୍‌‌କୁ ପଠାଇଥିଲେ।

ତେବେ ପରୀକ୍ଷା ରିପୋର୍ଟରୁ ଏହା ବାର୍ଡ-ଫ୍ଲୁ ପଜେଟିଭ୍‌‌ ଜଣାପଡିବା ପରେ ଶନିବାର ଠାରୁ ପିପିଲି ଅଞ୍ଚଳରେ କୁକୁଡା ମରା ଅଭିଯାନ ଆରମ୍ଭ ହୋଇଛି। ତେବେ ପ୍ରଥମ ଦିନରେ ଗୋଟିଏ ଫାର୍ମରୁ ଏକ ହଜାର ବ୍ରଏଲର କୁକୁଡାଙ୍କୁ ମାରି ମାଟିରେ ପୋତାଯାଇଛି। ଏହି କୁକୁଡା ମରା ଅଭିଯାନ ଆରମ୍ଭରୁ କ୍ଷତିପୂରଣ ପ୍ରଦାନ ଦାବିରେ ଚାଷୀମାନେ ପ୍ରବଳ ବିରୋଧ କରିଥିଲେ। ଅଞ୍ଚଳର ବହୁ କୁକୁଡା ଫାର୍ମରେ ଶହ ଶହ ସଂଖ୍ୟାରେ କୁକୁଡା ଦୈନିକ ମରୁଥିବା ବେଳେ ବ୍ୟବସାୟୀଙ୍କ ସହଯୋଗରେ କେତେକ ଚାଷୀ ତରବରିଆ ଭାବେ ବଜାର ଘାଟରେ ଗୋଟା କୁକୁଡା ପ୍ରତି ୫୦ ଟଙ୍କାରେ ବିକ୍ରି କରୁଥିବା ଖବର ହସ୍ତଗତ ହୋଇଛି। ସଂକ୍ରମିତ ଅଞ୍ଚଳକୁ ସଂଲଗ୍ନ କରୁଥିବା ୧୧ଟି ପ୍ରବେଶ ପଥ ଦେଇ କୁକୁଡା ଓ କୁକୁଡା ଜାତ ଦ୍ରବ୍ୟର ରପ୍ତାନି ଓ ଆମଦାନି ଉପରେ କଟକଣା ଲଗାଯିବା ସହ ସମସ୍ତ ପ୍ରବେଶ ପଥ ଉପରେ କଡା ନଜର ରଖାଯାଇଥିବା ସୂଚନା ମିଳିଛି।

ମିଳିଥିବା ସୂଚନା ଅନୁଯାଇ, ତେଇସିପୁର ପଞ୍ଚାୟତର ଆବଲପୁର ଅଞ୍ଚଳରେ ଥିବା କେତେକ କୁକୁଡା ଫାର୍ମରେ ଗତ କିଛିଦିନ ତଳେ ଲଗାତର ଭାବେ ଶହ ଶହ ସଂଖ୍ୟାରେ କୁକୁଡା ମଡକ ହୋଇଥିଲା। ଏ ସଂପର୍କରେ ପିପିଲି ବ୍ଲକ ପଶୁସଂପଦ ବିଭାଗ ଠାରୁ ସୂଚନା ପାଇ ଫୁଲନଖରା ସ୍ଥିତ ପ୍ରାଣୀସଂପଦ ରୋଗ ଅନୁସନ୍ଧାନ କେନ୍ଦ୍ରର (ଏଡିଆରଆଇ) ବିଶେଷଜ୍ଞ ମାନେ ଆବଲପୁର ଗ୍ରାମର ଏକ କୁକୁଡା ଫାର୍ମରୁ ନମୁନା ସଂଗ୍ରହ କରି ପରୀକ୍ଷା ପାଇଁ ଭେଲୋର ସ୍ଥିତ ଲ୍ୟାବ୍‌‌କୁ ପଠାଇଥିଲେ।

ପରୀକ୍ଷା ରିପୋର୍ଟ ବାର୍ଡ-ଫ୍ଲୁ ପଜେଟିଭ୍‌‌ ଆସିବା ପରେ ପ୍ରାଣୀସଂପଦ ବିଭାଗ ପକ୍ଷରୁ ତତ୍ପରତା ପ୍ରକାଶ ପାଇଥିଲା। ପ୍ରାଥମିକ ପର୍ଯ୍ୟାୟରେ ସଂକ୍ରମିତ ଅଞ୍ଚଳର ୧କିଲୋମିଟର ପରିସୀମା ମଧ୍ୟରେ ରହିଥିବା ୫୪ଟି କୁକୁଡା ଫାର୍ମର ୨୦ହଜାର ଶହେ କୁକୁଡାଙ୍କୁ ମରାଯିବା ସହ ସମସ୍ତ କୁକୁଡା ଫାର୍ମକୁ ବିଶୋଧନ କରାଯିବା ପାଇଁ ବିଭାଗ ପକ୍ଷରୁ ନିଷ୍ପତ୍ତି ହୋଇଥିଲା। ତଦନୁଯାଇ ଶନିବାର ଦିନ ରାଜ୍ୟର ବିଭିନ୍ନ ଜିଲାରୁ ୧୩ଟି ରାପିଡ୍‌‌ ରେସ୍‌‌ପନ୍ସ ଟିମ୍‌‌ (ଆର୍‌‌ଆର୍‌‌ଟି)ର ୬୫ଜଣ ସଦସ୍ୟ ପିପିଲିରେ ପହଞ୍ଚିଥିଲେ।

ଅପରାହ୍ନରେ ବିଭାଗୀୟ ଉଚ୍ଚ ଅଧିକାରୀ, ପୁଲିସ ଓ ତହସିଲ କର୍ମଚାରୀଙ୍କ ଉପସ୍ଥିତିରେ ଆର୍‌‌ଆର୍‌‌ଟିର ସଦସ୍ୟମାନେ ଆବଲପୁର ଅଞ୍ଚଳକୁ ପ୍ରଥମେ ଗସ୍ତ କରିଥିଲେ। ସେଠାରେ ଥିବା କେତେକ ଫାର୍ମରେ କୁକୁଡା ନଥିବା ବେଳେ ବିଭାଗ ପକ୍ଷରୁ ଉକ୍ତ ଫାର୍ମକୁ ବିଶୋଧନ କରାଯାଇଥିଲା। ତେବେ ଅନ୍ୟ ଗୋଟିଏ ଫାର୍ମରୁ କୁକୁଡାଙ୍କୁ ମାରିବା ପାଇଁ ପ୍ରୟାସ ଆରମ୍ଭ କରାଯିବା ବେଳେ ପୋଲଟ୍ରି ଫାର୍ମର୍ସ ଡେଭଲପମେଣ୍ଟ ଫୋରମ, ଓଡିଶା ର ରାଜ୍ୟ ସଂପାଦକ ପ୍ରଦ୍ୟୁମ୍ନ ପରିଡାଙ୍କ ସହ କେତେକ କୁକୁଡା ଚାଷୀ ସେଠାରେ ପହଞ୍ôଚ ଚାଷୀଙ୍କୁ ଆବଶ୍ୟକ କ୍ଷତିପୂରଣ ପ୍ରଦାନ ପାଇଁ ଦାବି କରିଥିଲେ। ଅଞ୍ଚଳର କୁକୁଡା ଚାଷୀମାନଙ୍କୁ ଘଟଣା ସଂପର୍କରେ ସଠିକ୍‌‌ ଭାବେ ଅବଗତ କରାଯାଇ କୁକୁଡା ମାରିବାକୁ ସେମାନେ ଦାବି ରଖିଥିଲେ।

ଏହାପରେ ସୁରକ୍ଷା କିଟ୍‌‌ ପରିଧାନ କରିଥିବା ରାପିଡ୍‌‌ ରେସ୍‌‌ପନ୍ସ ଟିମର ସଦସ୍ୟମାନେ ନିକଟବର୍ତ୍ତି ବାଲିଗାଁ ଗ୍ରାମର ଗୋଟିଏ ଫାର୍ମରୁ ହଜାରେ କୁକୁଡାଙ୍କୁ ମାରି ସେଗୁଡିକୁ ସଂନ୍ଧ୍ୟାରେ ମାଟିରେ ସୁରକ୍ଷିତ ଭାବେ ପୋତି ଦେଇଥିଲେ। ଆସନ୍ତା କାଲି ଠାରୁ ଏହି ଅଭିଯାନକୁ ଅଧିକ ଜୋରଦାର କରାଯିବାକୁ ଥିବା ବେଳେ ଏଥିରେ ଚାଷୀମାନେ ସହଯୋଗ କରିବାକୁ ବିଭାଗ ପକ୍ଷରୁ ଅନୁରୋଧ କରାଯାଇଛି। ତେବେ ଏନେଇ ଅଞ୍ଚଳର କେତେକ ଚାଷୀଙ୍କ ସହ ବିଭାଗୀୟ ଅଧିକାରୀଙ୍କର ଆଲୋଚନା ରବିବାର ହେବାକୁ ଥିବା ସଂପର୍କରେ ଚାଷୀନେତା ପ୍ରଦ୍ୟୁମ୍ନ ପରିଡା ସୂଚନା ଦେଇଛନ୍ତି।

ତେବେ ଏହି ସଂକ୍ରମଣ ଯେପରି ଅନ୍ୟ ଅଞ୍ଚଳକୁ ନବ୍ୟାପେ ସେଦିଗରେ ପ୍ରାଣୀ ସଂପଦ ବିଭାଗ ପକ୍ଷରୁ ପ୍ରାଥମିକତା ଦିଆଯାଇଥିବା ବେଳେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଉଥିବା ସଂପର୍କରେ ଜଣେ ଅଧିକାରୀ ସୂଚନା ଦେଇଛନ୍ତି। ଏହି କୁକୁଡା ମଡକ ଘଟଣା ଯୋଗୁଁ ଅଞ୍ଚଳର କୁକୁଡା ଚାଷ ଉପରେ ପ୍ରତିକୂଳ ପ୍ରଭାବ ପଡିଛି। ଏଥିଯୋଗୁଁ ଅଞ୍ଚଳର କେତେକ କୁକୁଡା ଫାର୍ମରେ ସାମୟିକ ଭାବେ ବ୍ରଏଲର କୁକୁଡା ଚାଷକୁ ବନ୍ଦ ରଖାଯାଇଥିବା ସୂଚନା ମିଳିଛି। ଭୁବନେଶ୍ୱର-ପୁରୀ ଜାତୀୟ ରାଜପଥର ବିଭିନ୍ନ ସ୍ଥାନରେ ମଲା କୁକୁଡାଙ୍କୁ ଫୋପାଡି ଦିଆଯାଇଥିବା ଯୋଗୁଁ ପ୍ରବଳ ଦୁର୍ଗନ୍ଧ ଫଳରେ ଏକ ଅସ୍ୱାସ୍ଥ୍ୟକର ପରିବେଶ ସୃଷ୍ଟି ହୋଇଥିବା ସୂଚନା ମିଳିଛି। ପିପିଲି ଅଞ୍ଚଳର ବିଭିନ୍ନ ଫାର୍ମରେ କୁକୁଡା ମଡକ ଯୋଗୁଁ କେତେକ ବ୍ୟବସାୟୀଙ୍କ ସହଯୋଗରେ ଚାଷୀମାନେ ବଜାରଘାଟରେ ଗୋଟା କୁକୁଡା ପିଛା ୫୦ଟଙ୍କା ଦରରେ ବିକ୍ରି କରୁଥିବା ସୂଚନା ମିଳିଛି।