ପ୍ରଥମ ୩ଡି-ପ୍ରିଣ୍ଟେଡ୍‌ ରେଳଷ୍ଟେଶନ

ଟୋକିଓ: ବିଶ୍ୱରେ ପ୍ରଥମ ଥର ପାଇଁ ୩ଡି-ପ୍ରିଣ୍ଟେଡ୍‌ ଉପାଦାନର ବ୍ୟବହାର କରାଯାଇ ୬ ଘଣ୍ଟାରୁ କମ୍‌ ସମୟ ମଧ୍ୟରେ ଏକ ରେଳଷ୍ଟେଶନର ନିର୍ମାଣ କରାଯାଇଛି। ନ୍ୟୁୟର୍କ ଟାଇମ୍ସ ରିପୋର୍ଟ ଅନୁଯାୟୀ, ଜାପାନର ନିର୍ମାଣକାରୀ ସଂସ୍ଥା ସେରେଣ୍ଡିକ୍ସ ଦ୍ୱାରା ରାତିର ଶେଷ ଟ୍ରେନ୍‌ ଛାଡିବା ଏବଂ ସକାଳର ପ୍ରଥମ ଟ୍ରେନ୍‌ର ଆଗମନ ମଧ୍ୟରେ ସ୍ଥାନୀୟ ହତ୍ସୁସୀମା ରେଳ ଷ୍ଟେଶନକୁ ବିଶ୍ୱର ପ୍ରଥମ ୩ଡି-ପ୍ରିଣ୍ଟେଡ୍‌ ରେଳଷ୍ଟେଶନ ଭାବେ ପ୍ରସ୍ତୁତ କରାଯାଇଛି। ୱାକାୟାମା ରାଜ୍ୟ ଅରିଦା ସହରସ୍ଥିତ ହତ୍ସୁସୀମା ହେଉଛି ଏକ […] The post ପ୍ରଥମ ୩ଡି-ପ୍ରିଣ୍ଟେଡ୍‌ ରେଳଷ୍ଟେଶନ appeared first on Dharitri Odia News.

ପ୍ରଥମ ୩ଡି-ପ୍ରିଣ୍ଟେଡ୍‌ ରେଳଷ୍ଟେଶନ

ଟୋକିଓ: ବିଶ୍ୱରେ ପ୍ରଥମ ଥର ପାଇଁ ୩ଡି-ପ୍ରିଣ୍ଟେଡ୍‌ ଉପାଦାନର ବ୍ୟବହାର କରାଯାଇ ୬ ଘଣ୍ଟାରୁ କମ୍‌ ସମୟ ମଧ୍ୟରେ ଏକ ରେଳଷ୍ଟେଶନର ନିର୍ମାଣ କରାଯାଇଛି। ନ୍ୟୁୟର୍କ ଟାଇମ୍ସ ରିପୋର୍ଟ ଅନୁଯାୟୀ, ଜାପାନର ନିର୍ମାଣକାରୀ ସଂସ୍ଥା ସେରେଣ୍ଡିକ୍ସ ଦ୍ୱାରା ରାତିର ଶେଷ ଟ୍ରେନ୍‌ ଛାଡିବା ଏବଂ ସକାଳର ପ୍ରଥମ ଟ୍ରେନ୍‌ର ଆଗମନ ମଧ୍ୟରେ ସ୍ଥାନୀୟ ହତ୍ସୁସୀମା ରେଳ ଷ୍ଟେଶନକୁ ବିଶ୍ୱର ପ୍ରଥମ ୩ଡି-ପ୍ରିଣ୍ଟେଡ୍‌ ରେଳଷ୍ଟେଶନ ଭାବେ ପ୍ରସ୍ତୁତ କରାଯାଇଛି।
ୱାକାୟାମା ରାଜ୍ୟ ଅରିଦା ସହରସ୍ଥିତ ହତ୍ସୁସୀମା ହେଉଛି ଏକ ସମୁଦ୍ର କୂଳିଆ ଶାନ୍ତ ଅଞ୍ଚଳ। ଏଠାରେ ୨୫ ହଜାର ଲୋକ ବସବାସ କରନ୍ତି। ଏହି ନୂତନ ରେଳଷ୍ଟେଶନ ୧୦୦ ବର୍ଗଫୁଟରୁ ଅଧିକ ଭୂମିରେ ପରିବ୍ୟାପ୍ତ ରହିଛି। ପଶ୍ଚିମ ଜାପାନ ରେଳ କମ୍ପାନୀ (ଜେଆର ୱେଷ୍ଟ) ଅନୁଯାୟୀ, ପାରମ୍ପରିକ ପଦ୍ଧତିର ବ୍ୟବହାର କରି ଉକ୍ତ ରେଳଷ୍ଟେଶନକୁ ନିର୍ମାଣ କରାଯାଇଥିଲେ, ୨ ମାସରୁ ଅଧିକ ସମୟ ଲାଗିବା ସହ ୨ ଗୁଣ ଅଧିକ ଖର୍ଚ୍ଚ ହୋଇଥାନ୍ତା।
ଏହି ପ୍ରକଳ୍ପକୁ ତ୍ୱରାନ୍ବିତ କରିବା ପାଇଁ ଜେଆର୍‌ ୱେଷ୍ଟ ପକ୍ଷରୁ ନିର୍ମାଣକାରୀ ସଂସ୍ଥା ସେରେଣ୍ଡିକ୍ସକୁ ନିୟୋଜିତ କରାଯାଇଥିଲା। ହତ୍ସୁସୀମାଠାରୁ ପ୍ରାୟ ୫୦୦ ମାଇଲ ଦୂରରେ ଅବସ୍ଥିତ କୁମାମୋଟୋ ରାଜ୍ୟର ଏକ କାରଖାନାରେ ଏହି ରେଳ ଷ୍ଟେଶନର ବ୍ୟବହୃତ ଅଂଶଗୁଡ଼ିକୁ ମୁଦ୍ରିତ କରାଯାଇଥିଲା। ମୁଦ୍ରଣ ଏବଂ କଂକ୍ରିଟ୍‌ ସୁଦୃଢ଼ୀକରଣ ପାଇଁ ୭ ଦିନ ସମୟ ଲାଗିଥିଲା। ପରେ ଉପାଦାନଗୁଡ଼ିକୁ ସଡ଼କ ମାଧ୍ୟମରେ ପରିବହନ କରାଯାଇ ଷ୍ଟେଶନ ନିର୍ମାଣ ସ୍ଥାନକୁ ନିଆଯାଇଥିଲା।
ସ୍ଥାନୀୟ ସମୟ ରବିବାର ରାତି ୧୧.୫୭ରେ ହତ୍ସୁସୀମା ରେଳଷ୍ଟେଶନରୁ ଶେଷ ଟ୍ରେନ୍‌ ଛାଡ଼ିଥିଲା। ପରେ ସଙ୍ଗେସଙ୍ଗେ ଶ୍ରମିକମାନେ ୩ଡି-ମୁଦ୍ରିତ ଖଣ୍ଡଗୁଡ଼ିକୁ ଏକାଠି କରିବା ଆରମ୍ଭ କରିଥିଲେ। ପ୍ରତ୍ୟେକ ୩ଡି ବ୍ଲକ୍‌କୁ ଉଠାଇ ପୁରୁଣା ଷ୍ଟେଶନ ନିକଟରେ ରଖିବା ପାଇଁ କ୍ରେନ୍‌ର ବ୍ୟବହାର କରାଯାଇଥିଲା। ସୋମବାର ପ୍ରଥମ ଟ୍ରେନ୍‌ ସ୍ଥାନୀୟ ସମୟ ଭୋର୍‌ ୫ଟା ୪୫ରେ ପହଞ୍ଚିବା ପୂର୍ବରୁ ଏହି ନୂତନ ୩ଡି-ପ୍ରିଣ୍ଟେଡ୍‌ ରେଳଷ୍ଟେଶନର ଢାଞ୍ଚା ପ୍ରସ୍ତୁତ ହୋଇସାରିଥିଲା।
ବିଶ୍ୱର ପ୍ରଥମ ୩ଡି-ପ୍ରିଣ୍ଟେଡ୍‌ ରେଳଷ୍ଟେଶନ ବିଲ୍ଡିଂର ନିର୍ମାଣ ଶେଷ ହୋଇଥିବା ବେଳେ ଏବେ ମଧ୍ୟ ଏହି ଷ୍ଟେଶନରେ ଟିକେଟ ମେଶିନ ଏବଂ ଟ୍ରାନ୍ସପୋର୍ଟେଶନ କାର୍ଡ ରିଡର୍‌ ପରି ମେଶିନର ଆବଶ୍ୟକତା ରହିଛି। ଖୁବ୍‌ଶୀଘ୍ର ହତ୍ସୁସୀମା ରେଲଷ୍ଟେଶନରେ ଏହି ମେଶିନଗୁଡ଼ିକୁ ଉପଲବ୍ଧ କରାଯିବ ବୋଲି ସେରେଣ୍ଡିକ୍ସ କହିଛି। ସେହିପରି ଆସନ୍ତା ଜୁଲାଇରେ ଏହି ନୂତନ ରେଳଷ୍ଟେଶନ ବିଲ୍ଡିଂକୁ ଜନସାଧାରଣଙ୍କ ପାଇଁ ଖୋଲାଯିବ ବୋଲି ରିପୋର୍ଟ ପ୍ରକାଶ ପାଇଛି।

The post ପ୍ରଥମ ୩ଡି-ପ୍ରିଣ୍ଟେଡ୍‌ ରେଳଷ୍ଟେଶନ appeared first on Dharitri Odia News.