ପ୍ରଧାନମନ୍ତ୍ରୀ-ପୋପ ସାକ୍ଷାତକୁ ଉପହାସ ପାଇଁ ଖ୍ରୀଷ୍ଟିଆନଙ୍କୁ କ୍ଷମା ମାଗିଲା କଂଗ୍ରେସ
ନୂଆଦିଲ୍ଲୀ : ଇଟାଲିରେ ଜି-୭ ଶିଖର ସମ୍ମିଳନୀ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ପୋପ୍ ଫ୍ରାନ୍ସିସ୍ଙ୍କ ମଧ୍ୟରେ ହୋଇଥିବା ସାକ୍ଷାତକୁ ଉପହାସ କରି କେରଳ କଂଗ୍ରେସ ପକ୍ଷରୁ ସୋସିଆଲ ମିଡିଆରେ ଏକ ପୋଷ୍ଟ୍ କରାଯାଇଥିଲା। ତେବେ ଏହାକୁ ତୀବ୍ର ବିରୋଧ କରାଯିବାପରେ କେରଳ କଂଗ୍ରେସ ପକ୍ଷରୁ ଏହି ପୋଷ୍ଟ୍ଟିକୁ ଡିଲିଟ୍ କରାଯିବା ସହ ଖ୍ରୀଷ୍ଟିଆନ ସମ୍ପ୍ରଦାୟକୁ କ୍ଷମା ପ୍ରାର୍ଥନା କରାଯାଇଛି । ଏହି ପୋଷ୍ଟ୍ରେ ପୋପ୍ଙ୍କ ସହ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଫଟୋ ସହ ଏକ କମେଣ୍ଟ […]

ନୂଆଦିଲ୍ଲୀ : ଇଟାଲିରେ ଜି-୭ ଶିଖର ସମ୍ମିଳନୀ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ପୋପ୍ ଫ୍ରାନ୍ସିସ୍ଙ୍କ ମଧ୍ୟରେ ହୋଇଥିବା ସାକ୍ଷାତକୁ ଉପହାସ କରି କେରଳ କଂଗ୍ରେସ ପକ୍ଷରୁ ସୋସିଆଲ ମିଡିଆରେ ଏକ ପୋଷ୍ଟ୍ କରାଯାଇଥିଲା। ତେବେ ଏହାକୁ ତୀବ୍ର ବିରୋଧ କରାଯିବାପରେ କେରଳ କଂଗ୍ରେସ ପକ୍ଷରୁ ଏହି ପୋଷ୍ଟ୍ଟିକୁ ଡିଲିଟ୍ କରାଯିବା ସହ ଖ୍ରୀଷ୍ଟିଆନ ସମ୍ପ୍ରଦାୟକୁ କ୍ଷମା ପ୍ରାର୍ଥନା କରାଯାଇଛି । ଏହି ପୋଷ୍ଟ୍ରେ ପୋପ୍ଙ୍କ ସହ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଫଟୋ ସହ ଏକ କମେଣ୍ଟ ଥିଲା, ‘ଶେଷରେ ପୋପ୍ ଭଗବାନଙ୍କୁ ଭେଟିବାର ସୁଯୋଗ ପାଇଲେ!’ ଏହା ପ୍ରଧାନମନ୍ତ୍ରୀ ମୋଦୀଙ୍କ ପୂର୍ବ ବୟାନକୁ ସ୍ମରଣ କରାଇ ଦେଇଥିଲା ଯେଉଁଥିରେ ମୋଦୀ କହିଥିଲେ, ସେ ନିଶ୍ଚିତ ଯେ ତାଙ୍କୁ ଏକ ଉଦ୍ଦେଶ୍ୟ ପାଇଁ ଭଗବାନଙ୍କ ଦ୍ୱାରା ପଠାଯାଇଛି। କଂଗ୍ରେସର ଉକ୍ତ ପୋଷ୍ଟ୍ ଉଭୟ ପ୍ରଧାନମନ୍ତ୍ରୀ ମୋଦୀ ଓ ପୋପଙ୍କୁ ଅପମାନିତ କରିଥିବା ବିଜେପି ଅଭିଯୋଗ କରିଥିଲା।
କେରଳ ବିଜେପି ସଭାପତି କେ ସୁରେନ୍ଦ୍ରନ ଟ୍ୱିଟ୍ କରି କହିଛନ୍ତି, ଉଗ୍ରବାଦୀ ଇସଲାମପନ୍ଥୀ କିମ୍ବା ଅର୍ବାନ ନକ୍ସଲଙ୍କ ଦ୍ୱାରା ପରିଚାଳିତ କେରଳ କଂଗ୍ରେସର ‘ଏକ୍ସ’ ହ୍ୟାଣ୍ଡେଲରେ ଜାତୀୟତାବାଦୀ ନେତାଙ୍କ ବିରୋଧରେ ଅପମାନଜନକ ବିଷୟବସ୍ତୁ ପୋଷ୍ଟ୍ କରାଯାଉଛି। ଏବେ ଏହା ସମ୍ମାନଜନକ ପୋପ୍ ଏବଂ ଖ୍ରୀଷ୍ଟିଆନ ସମ୍ପ୍ରଦାୟକୁ ବି ଉପହାସ କରିବାକୁ ପଛାଉ ନାହିଁ। କେରଳ ବିଜେପିର ସାଧାରଣ ସମ୍ପାଦକ ଜର୍ଜ କୁରିଆନ୍ କହିଛନ୍ତି ଯେ ଏହି ପୋଷ୍ଟ କେରଳରେ ଖ୍ରୀଷ୍ଟିଆନଙ୍କ ଧାର୍ମିକ ଭାବନାକୁ ଆଘାତ ଦେଇଛି। ବିଜେପି ଆଇଟି ସେଲ୍ ପ୍ରଭାରୀ ଅମିତ ମାଲବ୍ୟ କହିଛନ୍ତି ଯେ କଂଗ୍ରେସର ଅନ୍ୟ ଧର୍ମାବଲମ୍ବୀଙ୍କୁ ଅପମାନିତ କରିବାର ଇତିହାସ ରହିଛି। ପୂର୍ବତନ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ନିଜେ ଜଣେ କ୍ୟାଥଲିକ୍ ଖ୍ରୀଷ୍ଟିଆନ। ସେ କ୍ଷମା ପ୍ରାର୍ଥନା କରିବା ଉଚିତ। ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇବା ପରେ କଂଗ୍ରେସର କେରଳ ୟୁନିଟ୍ ଏହି ପୋଷ୍ଟକୁ ଡିଲିଟ୍ କରିବା ସହ ଖ୍ରୀଷ୍ଟିଆନମାନଙ୍କୁ କୌଣସି ଭାବନାତ୍ମକ କିମ୍ବା ମାନସିକ ଆଘାତ ପହଞ୍ଚାଇ ଥିବାରୁ କ୍ଷମା ପ୍ରାର୍ଥନା କରିଛି।