ପ୍ରଭୁଙ୍କୁ ସମର୍ପି ଦେଇଥିଲି ପ୍ରଥମ ଦରମା

ମୋ ଭଳି ଆର୍ଥତ୍କ ଅସ୍ବଚ୍ଛଳ ସଂଘର୍ଷରତ ନିମ୍ନ ମଧ୍ୟବିତ୍ତ ବର୍ଗର ସ୍ବପ୍ନୀଳ ଛାତ୍ରମାନେ ସବୁବେଳେ ଏକ ପ୍ରାପ୍ତି-ଅପ୍ରାପ୍ତିର ଆତଙ୍କିତ ସମୟ ଭିତରେ ଗତି କରନ୍ତି ଜଣେ ଜଣେ ଉଚ୍ଚ ସରକାରୀ ଚାକିରୀର ଆଶାୟୀ ପ୍ରାର୍ଥୀ ଭାବେ। ପର୍ବତ ପ୍ରମାଣେ ଚିନ୍ତା ଥାଏ କେମିତି ଆଇ.ଏ.ଏସ୍‌. ବା ଓ.ଏ.ଏସ୍‌. ଟିଏ ହେବାକୁ। ୨୦୦୦ ବ୍ୟାଚ୍‌ର ଓଡ଼ିଶା ପ୍ରଶାସନିକ ସେବାର ବିଜ୍ଞପ୍ତି, ତା’ପରେ ସମୟାନ୍ତରରେ ପ୍ରିଲିମ୍‌ନାରୀ ପରୀକ୍ଷା, ମେନ୍‌ ପରୀକ୍ଷା ଓ ଇଣ୍ଟରଭ୍ୟୁର କ୍ରମାନ୍ବୟତା ପରେ ଦିନେ ଓ.ପି.ଏସ୍‌.ସି. ଅଫିସ୍‌ […] The post ପ୍ରଭୁଙ୍କୁ ସମର୍ପି ଦେଇଥିଲି ପ୍ରଥମ ଦରମା appeared first on Dharitri Odia News.

ପ୍ରଭୁଙ୍କୁ ସମର୍ପି ଦେଇଥିଲି ପ୍ରଥମ ଦରମା

ମୋ ଭଳି ଆର୍ଥତ୍କ ଅସ୍ବଚ୍ଛଳ ସଂଘର୍ଷରତ ନିମ୍ନ ମଧ୍ୟବିତ୍ତ ବର୍ଗର ସ୍ବପ୍ନୀଳ ଛାତ୍ରମାନେ ସବୁବେଳେ ଏକ ପ୍ରାପ୍ତି-ଅପ୍ରାପ୍ତିର ଆତଙ୍କିତ ସମୟ ଭିତରେ ଗତି କରନ୍ତି ଜଣେ ଜଣେ ଉଚ୍ଚ ସରକାରୀ ଚାକିରୀର ଆଶାୟୀ ପ୍ରାର୍ଥୀ ଭାବେ। ପର୍ବତ ପ୍ରମାଣେ ଚିନ୍ତା ଥାଏ କେମିତି ଆଇ.ଏ.ଏସ୍‌. ବା ଓ.ଏ.ଏସ୍‌. ଟିଏ ହେବାକୁ। ୨୦୦୦ ବ୍ୟାଚ୍‌ର ଓଡ଼ିଶା ପ୍ରଶାସନିକ ସେବାର ବିଜ୍ଞପ୍ତି, ତା’ପରେ ସମୟାନ୍ତରରେ ପ୍ରିଲିମ୍‌ନାରୀ ପରୀକ୍ଷା, ମେନ୍‌ ପରୀକ୍ଷା ଓ ଇଣ୍ଟରଭ୍ୟୁର କ୍ରମାନ୍ବୟତା ପରେ ଦିନେ ଓ.ପି.ଏସ୍‌.ସି. ଅଫିସ୍‌ ନୋଟିସ୍‌ ବୋର୍ଡ଼ରେ ଆବିଷ୍କାର କଲି ନିଜ ନାମ-ଆଶ୍ୱସ୍ତ ହେଲି। ଲାଗିଲା ଘାଟ ମୁହଁା ଡ଼ଙ୍ଗା ଏବେ ଘାଟରେ ଲାଗିଯିବ। ବହୁ ପ୍ରତିକ୍ଷୀତ ବେଳା ଉପନୀତ ହେଲା ଜାନୁୟାରୀ ୧ରେ; ଯେବେ ମୁଁ ରାଜ୍ୟ ସରକାରଙ୍କ ସର୍ଭେ ସେଟଲମେଣ୍ଟ କାର୍ଯ୍ୟାଳୟ, କଟକରେ ପ୍ରୋବେସନ୍‌ର ହିସାବରେ ଜଏନ୍‌ କଲି। ଏବେ ଖାଲି ଅପେକ୍ଷା ଥିଲା ଜୀବନର ଆନୁଷ୍ଠାନିକ ପ୍ରଥମ ସ୍ବରୋଜଗାରକୁ। ନିର୍ଦ୍ଧାରିତ ଦିନ ହାତକୁ ଆସିଲା ନୂଆ ଶହେ ଟଙ୍କିଆ ଶହେ ଖଣ୍ଡର ଗୋଟେ ବିଡ଼ା। ପ୍ରଥମ ମାସର ପ୍ରଥମ ଦରମାକୁ ନେଇ ଅନେକ ସ୍ବପ୍ନ ଥିଲା। ଭାବିଥିଲି ବିପଦ ଓ ବିପର୍ଯ୍ୟୟର ସବୁ ମୁହୁର୍ତ୍ତଗୁଡ଼ିକରେ ମୋ ପାଖେ ପାଖେ ଠିଆ ହୋଇଥିବା ମୋ ବାପାଙ୍କୁ ଧରେଇ ଦେବାକୁ ସେତକ ଟଙ୍କା; କିନ୍ତୁ ସେଭଳି କରିବାକୁ ସେ ମୋତେ ଦେଲେ ନାହିଁ। ସସ୍ନେହେ ଆଦେଶ ଦେଲେ, ତୁରନ୍ତ ଭୁବନେଶ୍ୱର ଯାଇ ସତ୍‌ସଙ୍ଗ ବିହାରରେ ପ୍ରଭୁଙ୍କ ଉଦ୍ଦେଶ୍ୟରେ ସମସ୍ତ ଟଙ୍କାକୁ ସମର୍ପି ଦେଇ ଆସିବାକୁ। ତାହା ହିଁ କଲି। ମୋତେ ମିଳିଲା ଆମତ୍ତୃପ୍ତି, ଆଶ୍ୱସ୍ତି ଆଉ ଆମତ୍ସନ୍ତୋଷ। ବାପାଙ୍କୁ ମିଳିଲା ନିଜକୁ ଆଉ ଥରେ ନୂଆକରି ଆବିଷ୍କାର କରିବାର ସୁଯୋଗଟେ। ଜଣେ ଶିକ୍ଷକ ହିସାବରେ ସେ ନିଜ ପରିଚିତଙ୍କ ମହଲରେ ଏକ ଉତ୍ସ ଓ ଆଧାର ପାଲଟିଗଲେ। ଅର୍ଥାତ୍‌, ମୋ ଭଳି ଜଣେ ସାଧାରଣ ଓ ମଧ୍ୟମ ଧରଣର ଜ୍ଞାନଥିବା ପୁଅକୁ ଓଏଏସ୍‌ କରାଇବାରେ ସକ୍ଷମ ହୋଇପାରିଥିବା ମୋ ବାପାଙ୍କ ଉପରେ ଅନ୍ୟ ଅଭିଭାବକଙ୍କର ଭରସା ଆହୁରି ବଢିଗଲା ଆଉ ସେହି ଅନୁଯାୟୀ ବାପାଙ୍କର ଦାୟିତ୍ୱ ବି। ତେବେ ସେ ଯାହା ହେଉ, ପ୍ରଥମ ମାସ ସିନା କିଛି କରିପାରିଲିନି, ହେଲେ ତା’ପର ମାସ ଦରମାରେ ମା’ବାପାଙ୍କ ପାଇଁ ନୂଆ ଲୁଗାପଟା ଓ ଆଉ କିଛି ଜରୁରୀ ଜିନିଷ କିଣି ମୋ ଗାଁ ଯାଜପୁର ଜିଲାର କରଡ଼ାପାଳ ଅଭିମୁଖେ ଯାଇ ଅନେକ ଖୁସି ସାଉଁଟିଥିଲି। ଅବଶ୍ୟ ଏହି ଚାକିରି ପୂର୍ବରୁ ମୁଁ ଜୱାହାରଲାଲ୍‌ ନେହେରୁ ବିଶ୍ୱବିଦ୍ୟାଳୟରେ ପି.ଏଚ୍‌.ଡ଼ି. କଲାବେଳେ ଜୁନିୟର ରିସର୍ଚ୍ଚ ଫେଲୋସିପ୍‌ ପାଉଥିଲି। ସେ ବାବଦରେ ମୋତେ ପ୍ରତି ମାସରେ ପ୍ରାୟ ୮ ହଜାର ଟଙ୍କା ମିଳୁଥିଲା; ଯାହା ବି ଥିଲା ଏକ ପ୍ରକାର ଦରମା ସଦୃଶ। ସେ ସମୟରେ ଜେ.ଏନ୍‌.ୟୁ.ରେ ମାସିକ ହଷ୍ଟେଲ ଫିସ୍‌ ଥିଲା ମାତ୍ର ଆଠଶହ ଟଙ୍କା। ତେଣୁ ହଷ୍ଟେଲ ଫିସ୍‌ ଦେଇସାରିବା ପରେ ମୋ ହାତରେ ବେଶ୍‌ କିଛି ଟଙ୍କା ବଳି ପଡୁଥିଲା। ସେତେବେଳେ ସିନେମା ଦେଖିବାକୁ ଖୁବ୍‌ ଭଲ ପାଉଥିଲି। ତେଣୁ ଏହି ଟଙ୍କାରେ ପ୍ରାୟତଃ ସିନେମା ହଲ୍‌କୁ ଯାଇ ସିନେମା ଦେଖୁଥିଲି। ଏହାବାଦ୍‌ ସେ ସମୟରେ ଭିନ୍ନ ଭିନ୍ନ ପତ୍ରିକାରେ ଲେଖା ଦେଇ ସେଥିରୁ ବି କିଛିଟା ଅର୍ଥ ରୋଜଗାର କରୁଥିଲି। ଏତେ ସବୁ ସତ୍ୱେ ବି ସ୍ଥାୟୀ ସରକାରୀ ଚାକିରୀର ପ୍ରଥମ ଦରମା ଥିଲା ଏକ ଅଭୁଲା ସ୍ମୃତି, ସାମାଜିକ ଦାୟିତ୍ୱବୋଧ ଓ ଶୃଙ୍ଖଳାର ଏକ ସକାରାତ୍ମକ ସଂକେତ; ଯାହାକି ମୋ ଭିତରେ ଆଣିଥିଲା ପୂର୍ଣ୍ଣତାର ଗୋଟେ ପରିଭାଷା ଓ ସଂପୂର୍ଣ୍ଣ ଆତ୍ମତୃପ୍ତି। ୟା’ ଭିତରେ ଅନେକ ବର୍ଷ ବିତିଗଲାଣି। ଚାକିରି କ୍ଷେତ୍ରରେ ପ୍ରମୋଶନ ଯେତିକି ବଢିଛି ସେହି ଅନୁଯାୟୀ ଦାୟିତ୍ୱ ବଢିଚାଲିଛି। ଆଉ ତା’ ସଙ୍ଗେସଙ୍ଗେ ଲେଖାଲେଖିର ଧାରା ବି ଆଉ କେଇ ପାଦ ଆଗେଇ ଯାଇଛି। ୟା’ଭିତରେ ମୋ ଲିଖିତ କେତୋଟି ଗଳ୍ପ ସଂକଳନ ଓ ଉପନ୍ୟାସ ପ୍ରକାଶ ପାଇସାରିଛି। ଯେମିତିକି: ଏକ ଅପହୃତ କଲିଂ ବେଲ୍‌ର ସମାଧି, ଅଣଚାଶ ପବନ, ଲଲାଟେନ୍ଦୁଙ୍କ ଗଳ୍ପ ଶତକ, ଘାଟ ମୁହଁା ଡଙ୍ଗା ଇତ୍ୟାଦି ଅନ୍ୟତମ। ସେହିପରି ଫ୍ରୋଜେନ୍‌ ଫାୟାର୍‌ ଶୀର୍ଷକ ଏକ ଇଂରାଜୀ ଉପନ୍ୟାସ ବି ଲେଖି ପାଠକଙ୍କଠାରୁ ଢେର୍‌ ପ୍ରଶଂସା ସାଉଁଟିପାରିଛି। ଏହାବାଦ୍‌ ନିୟମିତ ବ୍ୟବଧାନରେ ବିଭିନ୍ନ ଖବରକାଗଜରେ ମୋ ଲିଖିତ ସ୍ତମ୍ଭ ଓ ଗପମାନ ମଧ୍ୟ ପ୍ରକାଶିତ ହୋଇଆସୁଛି।

The post ପ୍ରଭୁଙ୍କୁ ସମର୍ପି ଦେଇଥିଲି ପ୍ରଥମ ଦରମା appeared first on Dharitri Odia News.