ପ୍ରାକୃତିକ ବନ୍ଧନକୁ ଗୁରୁତ୍ୱ
ଜନସଂଖ୍ୟା ଅନୁଯାୟୀ ଆମ ଦେଶରେ ପ୍ରାକୃତିକ ସମ୍ପଦର ଅଭାବ ରହିଛି। ବିଶ୍ବ ଜନସଂଖ୍ୟାର ୧୮ ପ୍ରତିଶତ ଲୋକ ଆମ ଦେଶରେ ରୁହନ୍ତି। କିନ୍ତୁ ଆମ ପାଖରେ ବୈଶ୍ବିକ ଭୂମିର ମାତ୍ର ୨.୪ ପ୍ରତିଶତ ଭୂମି ସହ ୨ ପ୍ରତିଶତ ଜଙ୍ଗଲ ଏବଂ କେବଳ ଚାରି ପ୍ରତିଶତ ବିଶୁଦ୍ଧ ଜଳ ଉପଲବ୍ଧ ଅଛି। ଭବିଷ୍ୟତରେ ଜନସଂଖ୍ୟାର ଚାପ ବଢ଼ିବା ସହ ଏହି ଉତ୍ସଗୁଡ଼ିକ ଆହୁରି ହ୍ରାସ ପାଇବ। ବର୍ତ୍ତମାନ ଯେଉଁ ହାରରେ ଆମେ ପ୍ରାକୃତିକ ସମ୍ପଦ ବ୍ୟବହାର କରୁଛୁ, […] The post ପ୍ରାକୃତିକ ବନ୍ଧନକୁ ଗୁରୁତ୍ୱ appeared first on Dharitri Odia News.
ଜନସଂଖ୍ୟା ଅନୁଯାୟୀ ଆମ ଦେଶରେ ପ୍ରାକୃତିକ ସମ୍ପଦର ଅଭାବ ରହିଛି। ବିଶ୍ବ ଜନସଂଖ୍ୟାର ୧୮ ପ୍ରତିଶତ ଲୋକ ଆମ ଦେଶରେ ରୁହନ୍ତି। କିନ୍ତୁ ଆମ ପାଖରେ ବୈଶ୍ବିକ ଭୂମିର ମାତ୍ର ୨.୪ ପ୍ରତିଶତ ଭୂମି ସହ ୨ ପ୍ରତିଶତ ଜଙ୍ଗଲ ଏବଂ କେବଳ ଚାରି ପ୍ରତିଶତ ବିଶୁଦ୍ଧ ଜଳ ଉପଲବ୍ଧ ଅଛି। ଭବିଷ୍ୟତରେ ଜନସଂଖ୍ୟାର ଚାପ ବଢ଼ିବା ସହ ଏହି ଉତ୍ସଗୁଡ଼ିକ ଆହୁରି ହ୍ରାସ ପାଇବ। ବର୍ତ୍ତମାନ ଯେଉଁ ହାରରେ ଆମେ ପ୍ରାକୃତିକ ସମ୍ପଦ ବ୍ୟବହାର କରୁଛୁ, ୨୦୩୦ ସୁଦ୍ଧା ଆମକୁ ୨୫ ଗୁଣରୁ ଅଧିକ ପ୍ରାକୃତିକ ସମ୍ପଦ ଆବଶ୍ୟକ ପଡ଼ିବ।
ସମ୍ପ୍ରତି ପରିବେଶ ଉପରେ ବିପଦ ମାଡ଼ି ଚାଲିଛି। ଅର୍ଥଶାସ୍ତ୍ର ଏବଂ ଶାନ୍ତି ସଂସ୍ଥାନ (ଇନ୍ଷ୍ଟିଚ୍ୟୁଟ୍ ଫର୍ ଇକୋନୋମିକ୍ସ ଆଣ୍ଡ ପିସ୍)ର ସୂଚନା ଅନୁଯାୟୀ, ଯଦି ଖାଦ୍ୟ ସୁରକ୍ଷା ପ୍ରତି ୨୫ ପ୍ରତିଶତ ବିପଦ ରହିବ, ତେବେ ଦେଶରେ ବିବାଦ ତଥା ସଂଘର୍ଷର ଆଶଙ୍କା ୩୬ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧିପାଇବ। ଯଦି ସମ ପରିମାଣରେ ଜଳର ଅଭାବ ଦେଖାଦେବ, ତେବେ ବିବାଦୀୟ ପରିସ୍ଥିତି ୧୮ ପ୍ରତିଶତକୁ ବୃଦ୍ଧି ପାଇବ। ଜୈବ ବିବିଧତା ଦୃଷ୍ଟିରୁ ଆମ ଦେଶରେ ଥିବା ଚାରୋଟି ହଟ୍ସ୍ପଟ୍ର ୯୦ ପ୍ରତିଶତ କ୍ଷେତ୍ର ହ୍ରାସ ପାଇଛି। ମିଳିତ ଜାତିସଂଘର ତଥ୍ୟ ଅନୁଯାୟୀ ପ୍ରାକୃତିକ ବିପର୍ଯ୍ୟୟ ଯୋଗୁ ଭାରତକୁ ପ୍ରତିବର୍ଷ ହାରାହାରି ୭ ବିଲିୟନ ଆମେରିକୀୟ ଡଲାରର ଆର୍ଥିକ କ୍ଷତି ସହିବାକୁ ପଡୁଛି; ଯେଉଁଥିପାଇଁ ବିଗତ ୫ ବର୍ଷରେ ମିଳିତ ଜାତିସଂଘର ସ୍ଥାୟୀ ବିକାଶ ଲକ୍ଷ୍ୟ ପୂରଣରେ ଭାରତର ମାନ୍ୟତା ହ୍ରାସ ପାଇଛି। ୨୦୨୨ରେ ଭାରତ ୧୨୧ତମ ସ୍ଥାନରେ ଥିଲା। ୨୦୨୪ରେ ଅବଶ୍ୟ ଏଥିରେ ସାମାନ୍ୟତମ ଉନ୍ନତି ଘଟିଛି। ଭାରତ ରହିଛି ୧୧୨ତମ ସ୍ଥାନରେ, ଯାହା ଅନ୍ୟ ବିକାଶଶୀଳ ରାଷ୍ଟ୍ରଙ୍କ ତୁଳନାରେ ନଗନ୍ୟ।
ଏଭଳି ସ୍ଥିତିରେ ପ୍ରାକୃତିକ ବନ୍ଧନ ପାଇଁ ପ୍ରତିବଦ୍ଧତାର ଆବଶ୍ୟକତା ରହିଛି। ବାସ୍ତବରେ ଏହି ପ୍ରାକୃତିକ ବନ୍ଧନ କ’ଣ ? ଆମେ ବର୍ତ୍ତମାନ ପର୍ଯ୍ୟନ୍ତ ପ୍ରକୃତିରୁ ଯାହା ନେଇଛୁ କିମ୍ବା ନେଉଛୁ, ତାହାକୁ ସେହି ଅନୁପାତରେ ଆମେ ପ୍ରକୃତିକୁ ଫେରାଇଦେବା ଉଚିତ, ଏହି ପ୍ରତିବଦ୍ଧତା ହିଁ ହେଉଛି ପ୍ରାକୃତିକ ବନ୍ଧନ। ଯଦି ଆମେ ପ୍ରକୃତିକୁ ଏସବୁ ଫେରାଇବା ନାହିଁ ଅବା ପରିଶୋଧ କରିବା ନାହିଁ, ତେବେ ପ୍ରକୃତି ନିକଟରେ ଋଣୀ ହୋଇଯିବା। ପ୍ରକୃତି ଆମ ଜୀବନର ଆଧାର, କିନ୍ତୁ ଏହାର ଋଣ ପରିଶୋଧ କରିବାକୁ ଭୁଲି ଯାଉଛୁ। ଆକଳନ କହୁଛି, ଭାରତରେ ଜଳବାୟୁ ବିପର୍ଯ୍ୟୟ ହେତୁ ୨୦୫୦ ସୁଦ୍ଧା ୪.୫କୋଟି ଭାରତୀୟ ଅନ୍ୟତ୍ର ସ୍ଥାନାନ୍ତର ହେବାକୁ ବାଧ୍ୟହେବେ। ଜଳବାୟୁ ପରିବର୍ତ୍ତନ ଯୋଗୁ ଚରମ ପାଣିପାଗଜନିତ ଘଟଣାର ପରିଣାମ ସ୍ବରୂପ ସ୍ଥାନାନ୍ତର ହେଉଥିବା ଲୋକଙ୍କ ସଂଖ୍ୟା ବର୍ତ୍ତମାନ ସଂଖ୍ୟାର ୩ ଗୁଣ ବଢ଼ିଯିବ। ବିଶ୍ୱ ଜଳବାୟୁ ବିପଦ ସୂଚକାଙ୍କ ୨୦୨୧, ଅନୁସନ୍ଧାନ ଗୋଷ୍ଠୀ ଜର୍ମାନୱାଚ୍ର ବାର୍ଷିକ ସୂଚକାଙ୍କ ଜଳବାୟୁ ପରିବର୍ତ୍ତନ ଦ୍ୱାରା ସର୍ବାଧିକ ପ୍ରଭାବିତ ଶୀର୍ଷ ୧୦ଟି ଦେଶଙ୍କ ମଧ୍ୟରେ ଭାରତକୁ ସ୍ଥାନିତ କରିଛି। ବୈଜ୍ଞାନିକଙ୍କ କହିବା ଅନୁଯାୟୀ, ବିଶ୍ବର ତାପମାତ୍ରା କ୍ରମାଗତ ବୃଦ୍ଧି ଘଟୁଛି। ଅଦିନିଆ ବୃଷ୍ଟି ତଥା ଅପବୃଷ୍ଚିର ହାର ବଢ଼ି ଚାଲିଛି। ଏହି କାରଣରୁ ୨୦୩୫ ପର୍ଯ୍ୟନ୍ତ ଖାଦ୍ୟର ମୂଲ୍ୟ ବାର୍ଷିକ ୩.୨ ପ୍ରତିଶତ ହାରରେ ବୃଦ୍ଧି ପାଇବ।
ବଢ଼ିଚାଲିଥିବା ବୈଶ୍ବିକ ତାପମାତ୍ରା ଏବଂ ଜଳବାୟୁ ପରିବର୍ତ୍ତନ ପ୍ରଭାବରୁ ମୁକୁଳିବା ପାଇଁ ରାଜନୈତିକ ଦଳଗୁଡ଼ିକ ପାଖରେ କି କି ଯୋଜନା ରହିଛି? ଏହି ସ୍ପର୍ଶକାତର ବିଷୟ କୌଣସି ନିର୍ବାଚନରେ ଆଲୋଚନାର ପ୍ରସଙ୍ଗ ମଧ୍ୟ ପାଲଟି ନାହିଁ। ଯଦି ଠିକ୍ ଭାବରେ ଦେଖାଯିବ ନିର୍ବାଚନ ମଧ୍ୟ ପରିବେଶୀୟ ଦୃଷ୍ଟିକୋଣରୁ କ୍ଷତିକାରକ। ସେଥିପାଇଁ ଦେଶର ଗଣତାନ୍ତ୍ରିକ ସଂରଚନାକୁ ସବୁଜ ଗଣତନ୍ତ୍ର ଅଧୀନରେ ଅନ୍ତର୍ଭୁକ୍ତ କରିପାରିନାହୁଁ। ଜଳବାୟୁ ପରିବର୍ତ୍ତନର ଏହି ଘଡ଼ିସନ୍ଧି ମୁହୂର୍ତ୍ତରେ ଦେଶରେ ଏକ ସବୁଜିମାସମ୍ପନ୍ନ ଗଣତାନ୍ତ୍ରିକ ବ୍ୟବସ୍ଥା ପ୍ରତିଷ୍ଠା ପାଇଁ ଉଚିତ ପଦକ୍ଷେପ ଗ୍ରହଣ କରାଯିବା ଆବଶ୍ୟକ ମନେହୁଏ। ଏଥିସହ ବଢ଼ିଚାଲିଥିବା ପ୍ରାକୃତିକ ସମ୍ପଦର ଶୋଷଣ ବନ୍ଦହେବା ଉଚିତ। ନଚେତ୍ ପରିବେଶର ବିନାଶ ମୂଲ୍ୟରେ ଚାଲିଥିବା ବିକାଶ ଶେଷରେ ଆମକୁ ଧ୍ୱଂସ ଆଡ଼କୁ ନେଇଯିବ। ତେଣୁ ବେଳହୁଁ ସତର୍କ ରହିବା ସହ ପ୍ରାକୃତିକ ସମ୍ପଦର ସଂରକ୍ଷଣ ପାଇଁ ପ୍ରତିବଦ୍ଧତା ଆବଶ୍ୟକ।
ଈପ୍ସିତା ମହାନ୍ତି
ବୈପାରିଗୁଡ଼ା, କୋରାପୁଟ
ମୋ: ୬୩୭୦୬୭୯୪୦୫
The post ପ୍ରାକୃତିକ ବନ୍ଧନକୁ ଗୁରୁତ୍ୱ appeared first on Dharitri Odia News.