ବଡ଼ଠାକୁର ପଡ଼ିଯିବା ଘଟଣା : ଅସମ୍ପୂର୍ଣ୍ଣ ରିପୋର୍ଟକୁ ମାସେ, ପୂର୍ଣ୍ଣାଙ୍ଗ କେବେ?

ପୁରୀ : ଆଡ଼ପ ମଣ୍ଡପକୁ ପହଣ୍ଡି ବେଳେ ଚାରମାଳ ଉପରେ ହାମୁଡେଇ ପଡ଼ିଥିଲେ ବଡ଼ଠାକୁର ଶ୍ରୀବଳଭଦ୍ର। ଚାରମାଳ ଉପରୁ ଖସି ଆସି ତଳ ଭାଗରେ ପଡ଼ି ଯାଇଥିଲେ। ସେଦିନର ଦୃଶ୍ୟ ଯିଏ ଦେଖିଛନ୍ତି ଏବଂ ଯିଏ ବି ଶୁଣିଛନ୍ତି, କେହି ଏହାକୁ ସହଜରେ ଗ୍ରହଣ କରିନାହାନ୍ତି। କୋଟିକୋଟି ଜଗନ୍ନାଥପ୍ରେମୀଙ୍କୁ ଆଘାତ ଦେଇଥିବା ଏହି ସମ୍ବେଦନଶୀଳ ଘଟଣାକୁ କିନ୍ତୁ ହାଲ୍‌‌କା ଭାବେ ନେଇଛି ଶ୍ରୀମନ୍ଦିର ପରିଚାଳନା କମିଟି। ତଦନ୍ତ ଆଳରେ ସମୟ ଗଡ଼ା ଯାଉଛି। ପରିଚାଳନା କମିଟି ବୈଠକରେ […]

ବଡ଼ଠାକୁର ପଡ଼ିଯିବା ଘଟଣା : ଅସମ୍ପୂର୍ଣ୍ଣ ରିପୋର୍ଟକୁ ମାସେ, ପୂର୍ଣ୍ଣାଙ୍ଗ କେବେ?
Lord Balabhadra's Idol Fall incident

ପୁରୀ : ଆଡ଼ପ ମଣ୍ଡପକୁ ପହଣ୍ଡି ବେଳେ ଚାରମାଳ ଉପରେ ହାମୁଡେଇ ପଡ଼ିଥିଲେ ବଡ଼ଠାକୁର ଶ୍ରୀବଳଭଦ୍ର। ଚାରମାଳ ଉପରୁ ଖସି ଆସି ତଳ ଭାଗରେ ପଡ଼ି ଯାଇଥିଲେ। ସେଦିନର ଦୃଶ୍ୟ ଯିଏ ଦେଖିଛନ୍ତି ଏବଂ ଯିଏ ବି ଶୁଣିଛନ୍ତି, କେହି ଏହାକୁ ସହଜରେ ଗ୍ରହଣ କରିନାହାନ୍ତି। କୋଟିକୋଟି ଜଗନ୍ନାଥପ୍ରେମୀଙ୍କୁ ଆଘାତ ଦେଇଥିବା ଏହି ସମ୍ବେଦନଶୀଳ ଘଟଣାକୁ କିନ୍ତୁ ହାଲ୍‌‌କା ଭାବେ ନେଇଛି ଶ୍ରୀମନ୍ଦିର ପରିଚାଳନା କମିଟି। ତଦନ୍ତ ଆଳରେ ସମୟ ଗଡ଼ା ଯାଉଛି। ପରିଚାଳନା କମିଟି ବୈଠକରେ ତିନିଜଣିଆ କମିଟି ଦାଖଲ କରିଥିବା ରିପୋର୍ଟ ଅସମ୍ପୂର୍ଣ୍ଣ ବୋଲି କୁହାଗଲା। ପୁଣିଥରେ ସେହି କମିଟି ତଦନ୍ତ କରି ରିପୋର୍ଟ ଦେବାକୁ ସ୍ଥିର ହୋଇଥିଲା।

ଇତିମଧ୍ୟରେ ମାସେରୁ ଊର୍ଦ୍ଧ୍ବ ସମୟ ବିତିଗଲାଣି; ହେଲେ କମିଟି ପୂର୍ଣ୍ଣାଙ୍ଗ ରିପୋର୍ଟ କେବେ ଦେବ ଏବଂ କ’ଣ କାର୍ଯ୍ୟାନୁଷ୍ଠାନ ନିଆଯିବ, ତାହା ଏବେ ପ୍ରଶ୍ନ ଘେରରେ। ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଏବେ ପରିଚାଳନା କମିଟି ବି ନାହିଁ। କେବେ ନୂଆ କମିଟି ଗଢ଼ାଯିବ ଏବଂ ବଡ଼ଠାକୁର ପଡ଼ିଯିବା ଘଟଣାର ତଦନ୍ତ ରିପୋର୍ଟ କମିଟି ବୈଠକରେ ଉପସ୍ଥାପନ ହେବ, ତାହା ଏବେ ନିଶ୍ଚିତତା ଭିତରକୁ ଠେଲି ହୋଇଯାଇଛି।

ବଡ଼ଠାକୁର ପଡ଼ିଯିବା ଘଟଣାର ତଦନ୍ତ ୩ ଜଣିଆ କମିଟିକୁ ଦିଆଯାଇଥିଲା। ଅତିରିକ୍ତ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଗଠିତ କମିଟି ଆରମ୍ଭରୁ ଢିଲା ମାରିଥିଲା। ନୀଳାଦ୍ରିବିଜେର ୧୦ ଦିନ ମଧ୍ୟରେ ତିନିଜଣିଆ କମିଟି ତଦନ୍ତ କରି ଏହାର ରିପୋର୍ଟ ଦେବେ ବୋଲି ତତ୍କାଳୀନ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କହିଥିଲେ। କିନ୍ତୁ ଅବଧି ସରିଥିଲା ସିନା ତଦନ୍ତ ଆରମ୍ଭ ହୋଇ ନ ଥିଲା। ପରବର୍ତ୍ତୀ ସମୟରେ ଏହାକୁ ନେଇ ଗଣମାଧ୍ୟମରେ ଖବର ପ୍ରକାଶ ପରେ ତତ୍ପରତା ଦେଖାଇଥିଲା କମିଟି। ତରବରିଆ ଭାବେ ତଦନ୍ତ କରି ରିପୋର୍ଟ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କୁ ପ୍ରଦାନ କରିଥିଲା। ଗତ ଅଗଷ୍ଟ ୩୦ ତାରିଖରେ ଏହି ରିପୋର୍ଟ ପରିଚାଳନା କମିଟି ବୈଠକରେ ଉପସ୍ଥାପନ କରାଯାଇଥିଲା। କିନ୍ତୁ ରିପୋର୍ଟକୁ ନେଇ ସନ୍ତୁଷ୍ଟ ନ ଥିଲା କମିଟି।

ଏ ସମ୍ପର୍କରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ ପାଢ଼ୀ କହିଥିଲେ, ପହଣ୍ଡି ଅଘଟଣ ସଂକ୍ରାନ୍ତରେ ବୈଠକରେ ବିସ୍ତୃତ ଭାବେ ଆଲୋଚନା ହୋଇଥିଲା। ଏହାର ଯେପରି ପୁନରାବୃତ୍ତି ନ ହୁଏ, କମିଟି ବିଶେଷ ଭାବେ ଗୁରୁତ୍ୱାରୋପ କରିଛି। ୩ ଜଣିଆ କମିଟି ତାଙ୍କ ରିପୋର୍ଟରେ ନିର୍ଦ୍ଦିଷ୍ଟ ଭାବେ କେତେକ କାରଣ ଉଲ୍ଲେଖ କରିଛନ୍ତି। ହେଲେ ପରିଚାଳନା କମିଟି ଏହି ରିପୋର୍ଟ ଅସମ୍ପୂର୍ଣ୍ଣ ବୋଲି କହିବା ସହ କୌଣସି ସିଦ୍ଧାନ୍ତରେ ପହଞ୍ଚି ପାରିଲା ନାହିଁ। ନିର୍ଦ୍ଦିଷ୍ଟ ଭାବେ କାହାର ଏଥିରେ ଭୁଲ୍‌‌ ରହିଛି ଏବଂ କେଉଁମାନେ ଦାୟୀ; ଆଉ ଥରେ ଏହାର ତର୍ଜମା କରି ପଏଣ୍ଟ ୱାଇଜ୍‌‌ ଦେବା ପାଇଁ ପରାମର୍ଶ ଦିଆଯାଇଛି। ଏହି ପରାମର୍ଶକୁ ଇତିମଧ୍ୟରେ ମାସେରୁ ଅଧିକ ସମୟ ବିତିଲାଣି। କିନ୍ତୁ ତିନି କମିଟି ପ୍ରସ୍ତୁତ କରିଥିବା ଅସମ୍ପୂର୍ଣ୍ଣ ରିପୋର୍ଟ ଏବେ ସମ୍ପୂର୍ଣ୍ଣ ହେଲାଣି ନା ନାହିଁ, ସେ ସମ୍ପର୍କରେ କୌଣସି ସ୍ପଷ୍ଟତା ନାହିଁ। ପୁଣିଥରେ କ’ଣ ତଦନ୍ତ ହେଲା, ରିପୋର୍ଟ କାହାକୁ ଦିଆଗଲା, କେବେ ପରିଚାଳନା କମିଟି ଗଠନ ହୋଇ ଏଥିରେ ରିପୋର୍ଟ ଉପସ୍ଥାପନ କରାଯିବ; ଏସବୁକୁ ନେଇ ଏବେ ଦ୍ୱନ୍ଦ୍ୱରେ ଭକ୍ତ।