ବନ ବିଭାଗରେ ହାଜର ହେଲେ ଖଳନାୟକ

ଚଣ୍ଡିଖୋଲ,୨୪।୭(ପ୍ରଦୀପ୍ତ କୁମାର ପୃଷ୍ଟି):ମଞ୍ଚରେ ଅଜଗର ସାପ ଧରି ଯାତ୍ରା ପରିବେଷଣ କରିବା ତୁଳସୀ ଗଣନାଟ୍ୟର ଖଳନାୟକ ସାଜିଥିବା ଅଭିନେତା ସାଇ ସତ୍ୟଜିତ୍‌ ପଣ୍ଡାଙ୍କ ପାଇଁ ମହଙ୍ଗା ପଡ଼ିଛି। ବନ ବିଭାଗ ନୋଟିସ ଅନୁସାରେ ଖଳନାୟକ ସାଇ ସତ୍ୟଜିତ୍‌ ବୁଧବାର ଯାଜପୁର ଜିଲା ବୈରୀ ସ୍ଥିତ ବନ ବିଭାଗ କାର୍ଯ୍ୟାଳୟରେ ହାଜର ହୋଇଛନ୍ତି। ସେ ସେଠାରେ କହିଛନ୍ତି, ଯେଉଁ ସାପଟି ଧରି ମଞ୍ଚରେ ପ୍ରଦର୍ଶନ କରିଥିଲେ, ତାହା ଅଜଗର ନ ଥିଲା, ତାହା ସାଉଥ୍‌ ଆଫ୍ରିକାର ବଲ-ପାଇଥନ୍‌ ନାମକ […] The post ବନ ବିଭାଗରେ ହାଜର ହେଲେ ଖଳନାୟକ appeared first on Dharitri Odia News.

ବନ ବିଭାଗରେ ହାଜର ହେଲେ ଖଳନାୟକ

ଚଣ୍ଡିଖୋଲ,୨୪।୭(ପ୍ରଦୀପ୍ତ କୁମାର ପୃଷ୍ଟି):ମଞ୍ଚରେ ଅଜଗର ସାପ ଧରି ଯାତ୍ରା ପରିବେଷଣ କରିବା ତୁଳସୀ ଗଣନାଟ୍ୟର ଖଳନାୟକ ସାଜିଥିବା ଅଭିନେତା ସାଇ ସତ୍ୟଜିତ୍‌ ପଣ୍ଡାଙ୍କ ପାଇଁ ମହଙ୍ଗା ପଡ଼ିଛି। ବନ ବିଭାଗ ନୋଟିସ ଅନୁସାରେ ଖଳନାୟକ ସାଇ ସତ୍ୟଜିତ୍‌ ବୁଧବାର ଯାଜପୁର ଜିଲା ବୈରୀ ସ୍ଥିତ ବନ ବିଭାଗ କାର୍ଯ୍ୟାଳୟରେ ହାଜର ହୋଇଛନ୍ତି। ସେ ସେଠାରେ କହିଛନ୍ତି, ଯେଉଁ ସାପଟି ଧରି ମଞ୍ଚରେ ପ୍ରଦର୍ଶନ କରିଥିଲେ, ତାହା ଅଜଗର ନ ଥିଲା, ତାହା ସାଉଥ୍‌ ଆଫ୍ରିକାର ବଲ-ପାଇଥନ୍‌ ନାମକ ସାପ। ଏହା ବିଷଧର ନୁହେଁ। ଏହି ସାପ ଭାରତରେ ବିକ୍ରି କରାଯାଉଛି। ସାଇ ସତ୍ୟଜିତ୍‌ ଜିଏସ୍‌ଟି ସହିତ ସମ୍ପୂର୍ଣ୍ଣ ପଇସା ଦେଇ ସାପଟିକୁ କିଣିଛନ୍ତି। ଏହାକୁ ଘରେ ରଖିଲେ କୌଣସି ଅସୁବିଧା ନାହିଁ। ଏପରିକି ଓଡ଼ିଶାରେ ବିଭିନ୍ନ ଲୋକ ଏହି ସାପକୁ କିଣି ଘରେ ରଖିଛନ୍ତି। କିନ୍ତୁ ଏହାକୁ ମଞ୍ଚରେ ପ୍ରଦର୍ଶନ କରାଯାଇପାରିବ କି ନାହିଁ ସେ ସମ୍ପର୍କରେ ସାଇ ସତ୍ୟଜିତ୍‌ ଜାଣିନାହାନ୍ତି ବୋଲି ବନ ବିଭାଗ ଅଧିକାରୀଙ୍କୁ କହିଛନ୍ତି। ଯଦି ବନ ବିଭାଗ ତରଫରୁ ମନା କରାଯାଏ ତେବେ ସେ ଆଉ ସାପ ଧରି ଅଭିନୟ କରିବେ ନାହିଁ ବୋଲି ପ୍ରକାଶ କରିଛନ୍ତି।
ଏ ସମ୍ପର୍କରେ ବୈରୀ ରେଞ୍ଜର ଆଦିତ୍ୟ ପ୍ରଧାନଙ୍କୁ ପଚାରିବାରେ ସେ କହିଛନ୍ତି, ଆମେ ନୋଟିସ ଦେବାପରେ ସେ କାଗଜପତ୍ର ଧରି ଏଠାରେ ପହଞ୍ଚତ୍ଥିଲେ। ଏହାର ଯାଞ୍ଚ କରାଯିବ। ଏହାପରେ ଆଇନ ଅନୁଯାୟୀ ଯାହା କାର୍ଯ୍ୟାନୁଷ୍ଠାନ ନିଆଯିବ। ଏସିଏଫ୍‌ ରବିନାରାୟଣ ମହାନ୍ତି କହିଛନ୍ତି, ସେ ସାପ କିଣିଥିବା ନେଇ ଯେଉଁ କାଗଜପତ୍ର ଦେଖାଉଛନ୍ତି ତାହାକୁ ଯାଞ୍ଚ କରାଯିବ। ଏଥିସହ ଯେଉଁଠାରୁ ସାପ କିଣିଛନ୍ତି ତାଙ୍କର ବିକ୍ରିକରିବାର ଅନୁମତି ଅଛି କି ନାହିଁ ଏବଂ ସେ କେଉଁଠାରୁ ଆଣିଲେ ତାହାକୁ ମଧ୍ୟ ଯାଞ୍ଚ କରାଯିବ। ବନ୍ୟପ୍ରାଣୀ ନିୟମ ଅନୁଯାୟୀ ଯେଉଁମାନେ କାଗଜପତ୍ର ଠିକ୍‌ କରି କିଣିଥିବେ ତାହା ଠିକ୍‌ ଥାଇପାରେ। କିନ୍ତୁ ବନ୍ୟପ୍ରାଣୀଙ୍କୁ ଧରି ସର୍ବସାଧାରଣ ସ୍ଥାନରେ ପ୍ରଦର୍ଶନ କରିବା ଦ୍ୱାରା ଆଇନର ଉଲ୍ଲଂଘନ ହେଉଛି। ତେଣୁ ସମସ୍ତ ଯାଞ୍ଚ ପ୍ରକ୍ରିୟା ସରିଲାପରେ ଯାହା ଆଇନଗତ ଦୃଷ୍ଟିକୁ ଆସିବ ସେହି ଅନୁସାରେ ପଦକ୍ଷେପ ନିଆଯିବ। ଆବଶ୍ୟକ ପଡ଼ିଲେ କଳାକାର ଓ ଯାତ୍ରା ମାଲିକଙ୍କ ବିରୋଧରେ ମଧ୍ୟ ପଦକ୍ଷେପ ନିଆଯାଇପାରେ ବୋଲି ଏସିଏଫ୍‌ ମହାନ୍ତି ପ୍ରକାଶ କରିଛନ୍ତି। ଏ ସମ୍ପର୍କରେ ତୁଳସୀ ଗଣନାଟ୍ୟର ମାଲିକ ଅନନ୍ତ ନାରାୟଣ ଧଳ ଓରଫ୍‌ ନାଣ୍ଡୁ କହିଛନ୍ତି, କଳାକାର ନିଜେ ସାପ କିଣି ତାହାକୁ ସେ ଆଖଡ଼ାଶାଳରେ ପ୍ରଦର୍ଶନ କରିଛନ୍ତି। ଏହା ତାଙ୍କର ବ୍ୟକ୍ତିଗତ ବ୍ୟାପାର। ଏଥିରେ ଯାତ୍ରା ପାର୍ଟିର କୌଣସି ସମ୍ପର୍କ ନାହିଁ।
ଖଳନାୟକ ସାଇ ସତ୍ୟଜିତ୍‌ ମଞ୍ଚରେ ସାପ ଧରି ଅଭିନୟ କରୁଥିବା ନେଇ ସୋସିଆଲ ମିଡିଆରେ ପ୍ରଚାର କରାଯାଇଥିଲା। ଏହାପରେ ବୈରୀ-ଡାଳିଯୋଡ଼ା ରେଞ୍ଜ ତରଫରୁ ଯାଜପୁର ଜିଲା ବାଲିଚନ୍ଦ୍ରପୁର ଥାନା ଅନ୍ତର୍ଗତ ବିକ୍ରମ ତିରଣସ୍ଥିତ ଯାତ୍ରା ଆଖଡ଼ାଶାଳରେ ମଙ୍ଗଳବାର ଚଢ଼ାଉ ହୋଇଥିଲା। ଚଢ଼ାଉ ସମୟରେ ଖଳନାୟକ କିମ୍ବା ଯାତ୍ରା ପାର୍ଟି ମାଲିକ ଅନୁପସ୍ଥିତ ଥିଲେ। ତେଣୁ ବନ ବିଭାଗ କାର୍ଯ୍ୟାଳୟରେ ହାଜରହେବାକୁ ଖଳନାୟକଙ୍କୁ ବନବିଭାଗ ପକ୍ଷରୁ ନୋଟିସ କରାଯାଇଥିଲା।

The post ବନ ବିଭାଗରେ ହାଜର ହେଲେ ଖଳନାୟକ appeared first on Dharitri Odia News.