ବରପଦା ଇଞ୍ଜିନିୟରିଂ କଲେଜ ଆଗରେ କର୍ମଚାରୀଙ୍କ ହଙ୍ଗାମା
କଲେଜ କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳିପାରିନାହିଁ। ସେପଟେ ସ୍ଥିତିକୁ ଦେଖି ଘଟଣାସ୍ଥଳରେ ଗ୍ରାମାଞ୍ଚଳ ଥାନା ପୋଲିସ ମୁତୟନ କରାଯାଇଛି।
ଭଦ୍ରକ ବରପଦା ଇଂଜିନିୟରିଂ କଲେଜ ଆଗରେ ଉତ୍ତେଜନା। ଆନ୍ଦୋଳନରତ କର୍ମଚାରୀ ଓ କାର୍ଯ୍ୟରତ କର୍ମଚାରୀଙ୍କ ମଧ୍ୟରେ ପାଟିତୁଣ୍ଡ ଓ ଠେଲାପେଲା ଯୋଗୁ ଉତେଜନାମୂଳକ ସ୍ଥିତି ଦେଖାଦେଇଛି। ବକେୟା ଦରମା ପ୍ରଦାନ ଦାବିରେ ଆନ୍ଦୋଳନ ଚଳାଇଛନ୍ତି କର୍ମଚାରୀ। ତେବେ ଆନ୍ଦୋଳନରତ କର୍ମଚାରୀଙ୍କୁ ଅନ୍ୟ କର୍ମଚାରୀ ବିରୋଧ କରିଛନ୍ତି।
ଆନ୍ଦୋଳନକାରୀମାନେ କଲେଜରେ ଅନିୟମିତତା ପାଇଁ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ ଏବଂ ତାଙ୍କ ପୁଅ ପ୍ରୟାସକାନ୍ତି ସାମଲଙ୍କୁ ଦାୟୀ କରିଛନ୍ତି । ବିଭିନ୍ନ ଦାବି ନେଇ ବରପଦା ବିକାଶ ମଞ୍ଚ ଓ ଆନ୍ଦୋଳନରତ କର୍ମଚାରୀ ମାନେ ଦୀର୍ଘ ଦିନ ଧରି ଏଠାରେ ଆନ୍ଦୋଳନ କରୁଥିଲେ। କାର୍ଯ୍ୟରୁ ବଞ୍ଚିତ ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କ ପୁନ୍ଃନିଯୁକ୍ତି, ନିଲମ୍ବିତ କର୍ମଚାରୀଙ୍କ ଉପରୁ ଆଦେଶ ପ୍ରତ୍ୟାହାର, ଅବସରପ୍ରାପ୍ତ କର୍ମଚାରୀଙ୍କୁ ବକେୟା ପ୍ରାପ୍ୟ ପ୍ରଦାନ ଆଦି ଦାବି ନେଇ କର୍ମଚାରୀମାନେ ଆନ୍ଦୋଳନ କରୁଛନ୍ତି।
ସେହିପରି BSET ପରିଚାଳନା କମିଟି ବରଖାସ୍ତ କରି ନୂଆ କମିଟି ଗଠନ କରିବାକୁ ମଧ୍ୟ ଦାବି କରୁଛନ୍ତି ଆନ୍ଦୋଳନରତ କର୍ମଚାରୀ। ତେବେ ଏନେଇ କଲେଜ କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳିପାରିନାହିଁ। ସେପଟେ ସ୍ଥିତିକୁ ଦେଖି ଘଟଣାସ୍ଥଳରେ ଗ୍ରାମାଞ୍ଚଳ ଥାନା ପୋଲିସ ମୁତୟନ କରାଯାଇଛି।