ବସ୍ତିବାସିନ୍ଦାଙ୍କୁ ଠକିଛନ୍ତି ବିଜେଡି ସରକାର: ବାବୁ ସିଂ

ଭୁବନେଶ୍ୱର, ୭।୯(ସୁନିତ୍‌ ମିଶ୍ର): ବିଧାନସଭାରେ ଶୁକ୍ରବାର ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ଖର୍ଚ୍ଚଦାବି ଆଲୋଚନା ସମୟରେ ବିରୋଧୀ ଦଳ ଉପରେ ଶାସକ ଦଳ ସଦସ୍ୟମାନେ ପ୍ରବଳ ବର୍ଷିଛନ୍ତି। ଏହି ବିଭାଗ ଅଧୀନରେ ଗତ ୨୪ ବର୍ଷ ମଧ୍ୟରେ ବ୍ୟାପକ ଦୁର୍ନୀତି କରାଯାଇଥିବା ଶାସକ ଦଳ ସଦସ୍ୟମାନେ ଅଭିଯୋଗ ଆଣିଛନ୍ତି। ଶାସକ ଦଳ ସଦସ୍ୟ ବାବୁ ସିଂ କହିଛନ୍ତି, ପୂର୍ବର ବିଜେଡି ସରକାର ବସ୍ତିବାସିନ୍ଦାଙ୍କୁ ଠକିଛନ୍ତି। ୨୪ ବର୍ଷ ପରେ ସହରାଞ୍ଚଳରେ ନୂଆ ସୂର୍ଯ୍ୟୋଦୟ ହୋଇଛି। […] The post ବସ୍ତିବାସିନ୍ଦାଙ୍କୁ ଠକିଛନ୍ତି ବିଜେଡି ସରକାର: ବାବୁ ସିଂ appeared first on Dharitri Odia News.

ବସ୍ତିବାସିନ୍ଦାଙ୍କୁ ଠକିଛନ୍ତି ବିଜେଡି ସରକାର: ବାବୁ ସିଂ

ଭୁବନେଶ୍ୱର, ୭।୯(ସୁନିତ୍‌ ମିଶ୍ର): ବିଧାନସଭାରେ ଶୁକ୍ରବାର ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ଖର୍ଚ୍ଚଦାବି ଆଲୋଚନା ସମୟରେ ବିରୋଧୀ ଦଳ ଉପରେ ଶାସକ ଦଳ ସଦସ୍ୟମାନେ ପ୍ରବଳ ବର୍ଷିଛନ୍ତି। ଏହି ବିଭାଗ ଅଧୀନରେ ଗତ ୨୪ ବର୍ଷ ମଧ୍ୟରେ ବ୍ୟାପକ ଦୁର୍ନୀତି କରାଯାଇଥିବା ଶାସକ ଦଳ ସଦସ୍ୟମାନେ ଅଭିଯୋଗ ଆଣିଛନ୍ତି। ଶାସକ ଦଳ ସଦସ୍ୟ ବାବୁ ସିଂ କହିଛନ୍ତି, ପୂର୍ବର ବିଜେଡି ସରକାର ବସ୍ତିବାସିନ୍ଦାଙ୍କୁ ଠକିଛନ୍ତି। ୨୪ ବର୍ଷ ପରେ ସହରାଞ୍ଚଳରେ ନୂଆ ସୂର୍ଯ୍ୟୋଦୟ ହୋଇଛି। ସାଧାରଣ ଲୋକ ଏହାକୁ ଗ୍ରହଣ କରିଛନ୍ତି ବୋଲି ବିଜେଡିକୁ ନେଇ ବିରୋଧୀ ଦଳରେ ବସାଇ ଦେଇଛନ୍ତି। ନିକଟରେ ରାଜ୍ୟ ସରକାରଙ୍କ ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କୁ ଗିରଫ କରିବାକୁ ଦାବି କରିଥିଲେ। ବିଜେଡି ସଦସ୍ୟ ଅରୁଣ କୁମାର ସାହୁ ଏବଂ ପ୍ରମିଳା ମଲ୍ଲିକ ଏହାକୁ ବିରୋଧ କରିଥିଲେ। ମୁଁ ପ୍ରମାଣ କରିଦେବି ଯେ ବିରୋଧୀ ଦଳ ନେତା ଗିରଫ ହେବା ଆବଶ୍ୟକ। ଯଦି ପ୍ରମାଣ ନ କରିପାରିବି ତେବେ ଏଇଠୁ ଚପଲ ମୁଣ୍ଡେଇ ଯିବି ବୋଲି ବାବୁ କହିଥିଲେ।
ଚାଲିଥିବା ଖର୍ଚ୍ଚଦାବି ଆଲୋଚନାରେ ଭାଗନେଇ ବାବୁ କହିଥିଲେ, ସହରାଞ୍ଚଳରେ ରହିବା ଲାଗି ବହୁ ଗରିବ ଲୋକ ଏଠାକୁ ଆସୁଛନ୍ତି। ଯଦି ସେମାନେ କେବେ ଜମି କିଣିବାରେ ଠକାମିର ଶିକାର ହେଉଛନ୍ତି, ସେମାନଙ୍କୁ ଠକିଥିବା ସଂସ୍ଥାର କର୍ତ୍ତୃପକ୍ଷଙ୍କୁ ପୋଲିସ ଗିରଫ କରୁଛି କିମ୍ବା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି। ହେଲେ ଗତ ୧୬ ବର୍ଷ ହେଲା ବସ୍ତି ବାସିନ୍ଦାଙ୍କୁ ଜମିବାଡ଼ି, ଘର ଦେବେ ବୋଲି କହି ତତ୍କାଳୀନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ଠକି ଚାଲିଥିଲେ। ବାରମ୍ବାର ସର୍ଭେ କରି ମିଛ ଜମି କାଗଜ ଦେଇ ବସ୍ତିବାସିନ୍ଦାଙ୍କୁ ଠକିଛନ୍ତି। ଏହାର ପ୍ରମାଣ ମଧ୍ୟ ଗୃହରେ ଦେଖାଉଛି। ଏହି ପ୍ରମାଣ ଦେଖିବା ପରେ କାହିଁକି ବିରୋଧୀ ଦଳ ନେତାଙ୍କୁ ଗିରଫ କରା ନ ଯିବ। ସେମିତି ୨୪ ବର୍ଷରେ ଭୁବନେଶ୍ୱରରେ ଯେତିକି ଖାଲ ଖୋଳିଛନ୍ତି ତାକୁ ପୂରଣ କରିବା ଲାଗି ଯଦି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସି ଏଠାରେ ମୁଖ୍ୟମନ୍ତ୍ରୀ ଦାୟିତ୍ୱ ନିଅନ୍ତି ତେବେ ତାଙ୍କୁ ମଧ୍ୟ ୫୦ ବର୍ଷ ଲାଗିଯିବ। ବିଜେଡି ସଦସ୍ୟମାନଙ୍କ ମୁହଁରେ ଓଡ଼ିଆ ଅସ୍ମିତା କଥା ଶୋଭାପାଉନାହିଁ। ୨୦୧୪ରେ ଯେତେବେଳେ ଭୁବନେଶ୍ୱରକୁ ସ୍ମାର୍ଟ ସିଟି ଘୋଷଣା କରାଗଲା ତତ୍କାଳୀନ ମେୟର ତଥା ବର୍ତ୍ତମାନର ବିଧାୟକ ଅନନ୍ତ ନାରାୟଣ ଜେନା ତାଙ୍କ କର୍ପୋରେଟରମାନଙ୍କୁ ଧରି ଏମିତି ନାଚି ଧୂଳି ଉଡ଼ାଇଲେ ଯେ ସେକଥା ମନେ ପଡ଼ିଯାଉଛି। ଏହାପରେ ସେ ଗଣମାଧ୍ୟମରେ ଆସି ଭୁବନେଶ୍ୱରକୁ ତାଙ୍କ ସରକାର ଅଳ୍ପଦିନରେ ପ୍ୟାରିସ୍‌, ଲଣ୍ଡନ କରିଦେବେ ବୋଲି କହିଲେ। କିଛିଦିନ ପରେ ସାଲିଆସାହି ପାଖରେ ଏକ ଡ୍ରେନ୍‌ରେ ଜଣେ ବ୍ୟକ୍ତି ଭାସିଯାଇ ମରିଗଲେ। ଏହାର କିଛିଦିନ ପରେ ଜଣେ ଛୋଟ ଛୁଆ ମୁକୁଳା ଡ୍ରେନ୍‌ରେ ଭାସି ମୃତ୍ୟୁବରଣ କଲେ। ଏହା ହେଉଛି ପ୍ୟାରିସ୍‌, ଲଣ୍ଡନର ଆତ୍ମକାହାଣୀ। ସେମିତି ସାଇକେଲ ଯୋଜନା ନାଁରେ, ହକି ବିଶ୍ୱକପ୍‌ ପ୍ରଚାର ନାଁରେ ଲକ୍ଷ ଲକ୍ଷ ଲୁଟ୍‌ ହେଲା। ମୁକ୍ତା ଯୋଜନାରେ ମଧ୍ୟ ବ୍ୟାପକ ଲୁଟ୍‌ ହୋଇଥିବା ବାବୁ କହିଛନ୍ତି।
ସଦସ୍ୟ ନଳିନୀକାନ୍ତ ପ୍ରଧାନ କହିଛନ୍ତି, ନଗର ଉନ୍ନୟନ ବିଭାଗ ଯେତିକି ଟଙ୍କାର ବଜେଟ ଆଣିଛନ୍ତି ତାହା ସ୍ବାଗତଯୋଗ୍ୟ। କିନ୍ତୁ ସହରାଞ୍ଚଳର ଅନେକ ରାସ୍ତା ଏବେ ବି କଚ୍ଚା ରହିଛି, ତାକୁ ପକ୍କା କରାଯିବା ଜରୁରୀ। ଇସ୍କନ ଛକଠାରୁ ବାଣୀବିହାର ପର୍ଯ୍ୟନ୍ତ ଆଡିକ୍ୱେଟ୍‌ ଡ୍ରେନ୍‌ର ବ୍ୟବସ୍ଥା କରାଯିବା ଦରକାର। ସରକାର ଏହିସବୁ ପ୍ରତି ଧ୍ୟାନଦେଲେ ଭଲ ବୋଲି ସେ କହିଛନ୍ତି।
ସଦସ୍ୟ ସୋଫିଆ ଫିର୍ଦ୍ଦୋସ କହିଛନ୍ତି, ମନ୍ତ୍ରୀ ଏଠାରେ କୁହନ୍ତୁ ଗତ ୨୪ ବର୍ଷରେ ପୂର୍ବତନ ସରକାର ଯାହା ନ କରିପାରିଲେ ତାହା ୫ ବର୍ଷରେ ଭାଜପା ସରକାର କରିବେ। ହେଲେ ଦୁଃଖର ବିଷୟ ତାଙ୍କ ଦଳର ସଦସ୍ୟ କହିସାରିଲେଣି ପ୍ରଧାନମନ୍ତ୍ରୀ ଆସି ଦାୟିତ୍ୱ ନେଲେ ବି ୫୦ ବର୍ଷରେ ଭୁବନେଶ୍ୱରରେ ଯେତିକି ଖାଲ ହୋଇଛି ତାକୁ ପୂରଣ କରିପାରିବେନାହିଁ। କଟକ ସହରରେ ଯେତିକି ସବୁ ଉନ୍ନୟନମୂଳକ କାର୍ଯ୍ୟ ହୋଇଛି ତାହା କଂଗ୍ରେସ ସରକାର ସମୟରେ କରାଯାଇଛି। ଜାଇକା ପ୍ରୋଜେକ୍ଟ ସମ୍ପୂର୍ଣ୍ଣ ହୋଇଥିବାର ଯେଉଁ ରିପୋର୍ଟ ଆସିଛି ବାସ୍ତବରେ ତାହା ଭୁଲ୍‌ ତଥ୍ୟ। ଏ ପର୍ଯ୍ୟନ୍ତ ଜାଇକା କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇନାହିଁ ବୋଲି ସୋଫିଆ କହିଛନ୍ତି। ଏହି ଆଲୋଚନାରେ ଅନ୍ୟ ସଦସ୍ୟମାନେ ମଧ୍ୟ ଭାଗ ନେଇଥିଲେ।

The post ବସ୍ତିବାସିନ୍ଦାଙ୍କୁ ଠକିଛନ୍ତି ବିଜେଡି ସରକାର: ବାବୁ ସିଂ appeared first on Dharitri Odia News.