ବାତ୍ୟା ‘ଦାନା’ ନେଇ ଏସ୍‌ପିଙ୍କ ସହ କଥା ହେଲେ ଡିଜିପି

ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଗତ ୩ ଘଣ୍ଟା ମଧ୍ୟରେ ଘଣ୍ଟାପ୍ରତି ୬ କିଲୋମିଟର ବେଗରେ ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗକୁ ଗତି କରୁଛି।

ବାତ୍ୟା ‘ଦାନା’ ନେଇ ଏସ୍‌ପିଙ୍କ ସହ କଥା ହେଲେ ଡିଜିପି

ସମ୍ଭାବ୍ୟ ବାତ୍ୟା ‘ଦାନା’ର ମୁକାବିଲା ଓ ପୁନଃରୁଦ୍ଧାର ପାଇଁ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା ବୈଠକ ହୋଇଯାଇଛି। ବୈଠକରେ ବାତ୍ୟା ଆଶ୍ରୟ ସ୍ଥଳରେ ପୁଲିସ ଫୋର୍ସ ମୁତୟନ, ସମୁଦ୍ର କୂଳ ଅଞ୍ଚଳରେ ମେରାଇନ ପୁଲିସ୍‌ ପକ୍ଷରୁ ସଚେତନତା, ଉପକୂଳ ଅଞ୍ଚଳରୁ ଜନ ସାଧାରଣଙ୍କୁ ଉଦ୍ଧାର, ଓଡ୍ରାଫ୍‌ ବାହିନୀକୁ ଉପଯୁକ୍ତ ସ୍ଥାନରେ ମୁତୟନ ଉପରେ ଆଲୋଚନା ହୋଇଥିଲା। ବାତ୍ୟା ପ୍ରଭାବିତ ଅଞ୍ଚଳରେ ସମସ୍ତ ଥାନା ଅଧିକାରୀଙ୍କୁ ସଚେତନ କରିବାକୁ ଡିଜିପି ଶ୍ରୀ ଖୁରାନିଆ ସମସ୍ତ ଏସ୍‌ପିଙ୍କୁ ନିର୍ଦ୍ଦେଶ ଦେଇଥିଲେ।

ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଗତ ୩ ଘଣ୍ଟା ମଧ୍ୟରେ ଘଣ୍ଟାପ୍ରତି ୬ କିଲୋମିଟର ବେଗରେ ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗକୁ ଗତି କରୁଛି। ଆଜି ସକାଳ ସାଢ଼େ ୮ଟା ସୁଦ୍ଧା ପାରାଦୀପଠାରୁ ପ୍ରାୟ ୭୦୦ କିଲୋମିଟର ଦକ୍ଷିଣ-ଦକ୍ଷିଣପୂର୍ବ, ସାଗର ଦୀପ(ପଶ୍ଚିମବଙ୍ଗ)ଠାରୁ ୭୫୦ କିଲୋମିଟର ଦକ୍ଷିଣ-ଦକ୍ଷିଣପୂର୍ବ ଓ ଖେପୁପଡ଼ା (ବାଂଲାଦେଶ)ଠାରୁ ୭୩୦ କିଲୋମିଟର ଦକ୍ଷିଣ-ଦକ୍ଷିଣପୂର୍ବ ଦିଗରେ କେନ୍ଦ୍ରୀଭୂତ ହୋଇଛି।

ଏହା ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗକୁ ଗତି କରି ୨୩ ଅକ୍ଟୋବର ୨୦୨୪ ସୁଦ୍ଧା ପୂର୍ବକେନ୍ଦ୍ରୀୟ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟରେ ପରିଣତ ହେବାର ସମ୍ଭାବନା ରହିଛି। ଏହାପରେ ଉତ୍ତର-ପଶ୍ଚିମ ଦିଗକୁ ଗତି କରି ୨୪ ତାରିଖ ସକାଳ ସୁଦ୍ଧା ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଭୟଙ୍କର ସାମୁଦ୍ରିକ ଝଡ଼ରେ ପରିଣତ ହୋଇ ୨୪ ତାରିଖ ରାତି ଓ ୨୫ ତାରିଖ ସକାଳେ ପୁରୀ ଓ ସାଗର ଦୀପ ମଧ୍ୟରେ ଉତ୍ତର ଓଡ଼ିଶା ଓ ପଶ୍ଚିମବଙ୍ଗ ଉପକୂଳ ଅତିକ୍ରମ କରିବ। ସେହି ସମୟରେ ଘଣ୍ଟା ପ୍ରତି ୧୦୦ରୁ ୧୧୦ କିଲୋମିଟର ବେଗରେ ପବନ ବହିବାର ସମ୍ଭାବନା ରହିଛି।

ଅନୁଗୋଳ, ପୁରୀ, ନୟାଗଡ଼, ଖୋର୍ଦ୍ଧା, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର, ଭଦ୍ରକ, ବାଲେଶ୍ୱର, କେନ୍ଦୁଝର, ଢେଙ୍କାନାଳ, ଗଞ୍ଜାମ ଓ ମୟୂରଭଞ୍ଜ ଭଳି ୧୪ଟି ଜିଲ୍ଲାକୁ ସତର୍କ କରାଯିବା ସହ ବାତ୍ୟା ମୁକାବିଲା ପାଇଁ ଆବଶ୍ୟକ ପ୍ରସ୍ତୁତି ଓ ପଦକ୍ଷେପ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।