ବାର୍ଥ ଡେ ୱିଶ୍‌: ଜେଲ ଗଲେ ୧୦୪ ବର୍ଷୀୟା

ନ୍ୟୁୟର୍କ: ଆମେରିକାର ନ୍ୟୁୟର୍କସ୍ଥିତ ଜେନେସିଓ ଠାରେ ଥିବା ଆଭୋନ୍‌ ନର୍ସିଂ ହୋମ୍‌ରେ ରହୁଥିବା ଜଣେ ୧୦୪ ବର୍ଷୀୟା ମହିଳା ଲୋରେଟା ଚାମ୍‌ୱରଲେନଙ୍କୁ ୨ ଦିନ ପାଇଁ ନିକଟସ୍ଥ ଲିଭିଙ୍ଗଷ୍ଟୋନ୍‌ କାଉଣ୍ଟି ଜେଲରେ ଜଣେ ବନ୍ଦୀ ଭାବେ ରଖା ଯାଇଥିଲା। ତେବେ ସେ କୌଣସି ଅପରାଧ କରି ନ ଥିଲେ। ଗତ ୧୦ ତାରିଖରେ ଲୋରେଟା ନିଜ ୧୦୪ତମ ଜନ୍ମ ଦିବସ ପାଳନ କରିଥିଲେ। ଜନ୍ମଦିନ ପାଳନ ବେଳେ ଲୋରେଟାଙ୍କୁ ତାଙ୍କ ବାର୍ଥ ଡେ ୱିଶ୍‌ ସମ୍ପର୍କରେ ପଚରାଯାଇଥିଲା। ଜବାବରେ […] The post ବାର୍ଥ ଡେ ୱିଶ୍‌: ଜେଲ ଗଲେ ୧୦୪ ବର୍ଷୀୟା appeared first on Dharitri Odia News.

ବାର୍ଥ ଡେ ୱିଶ୍‌: ଜେଲ ଗଲେ ୧୦୪ ବର୍ଷୀୟା

ନ୍ୟୁୟର୍କ: ଆମେରିକାର ନ୍ୟୁୟର୍କସ୍ଥିତ ଜେନେସିଓ ଠାରେ ଥିବା ଆଭୋନ୍‌ ନର୍ସିଂ ହୋମ୍‌ରେ ରହୁଥିବା ଜଣେ ୧୦୪ ବର୍ଷୀୟା ମହିଳା ଲୋରେଟା ଚାମ୍‌ୱରଲେନଙ୍କୁ ୨ ଦିନ ପାଇଁ ନିକଟସ୍ଥ ଲିଭିଙ୍ଗଷ୍ଟୋନ୍‌ କାଉଣ୍ଟି ଜେଲରେ ଜଣେ ବନ୍ଦୀ ଭାବେ ରଖା ଯାଇଥିଲା। ତେବେ ସେ କୌଣସି ଅପରାଧ କରି ନ ଥିଲେ। ଗତ ୧୦ ତାରିଖରେ ଲୋରେଟା ନିଜ ୧୦୪ତମ ଜନ୍ମ ଦିବସ ପାଳନ କରିଥିଲେ। ଜନ୍ମଦିନ ପାଳନ ବେଳେ ଲୋରେଟାଙ୍କୁ ତାଙ୍କ ବାର୍ଥ ଡେ ୱିଶ୍‌ ସମ୍ପର୍କରେ ପଚରାଯାଇଥିଲା। ଜବାବରେ ସେ ନିକଟସ୍ଥ ଲିଭିଙ୍ଗଷ୍ଟୋନ୍‌ କାଉଣ୍ଟି ଜେଲରେ ବନ୍ଦୀ ଭାବେ ରହିବା ପାଇଁ ନିଜ ଇଚ୍ଛା ଜାହିର କରିଥିଲେ। ଲୋରେଟାଙ୍କର ଏପରି ବାର୍ଥ ଡେ ୱିଶ୍‌ ଆଭୋନ ନର୍ସିଂହୋମରେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା। ଲୋରେଟା କହିଥିଲେ, ସେ ତାଙ୍କ ଲମ୍ବା ଜୀବନରେ କେବେ ମଧ୍ୟ ଜେଲକୁ ଭିତରୁ ଦେଖିନାହାନ୍ତି। ତେଣୁ ସେ କିଛି ଦିନ ପାଇଁ କଏଦୀ ଭାବେ ରହି ଜେଲକୁ ଭିତରୁ ଦେଖିବାକୁ ଚାହାନ୍ତି। ବାର୍ଥ ଡେ ୱିଶ୍‌ ମୁତାବକ ଲୋରେଟାଙ୍କୁ ତାଙ୍କ ଜନ୍ମଦିନର ୨ ଦିନ ପରେ ଲିଭିଙ୍ଗଷ୍ଟୋନ୍‌ କାଉଣ୍ଟି ଜେଲକୁ ନିଆଯାଇଥିଲା। ସେଠାରେ ସେ ପ୍ରଥମେ ଫିଙ୍ଗର ପ୍ରିଣ୍ଟ ଦେଇଥିଲେ। ପରେ ସେଠାରେ ଉପସ୍ଥିତ ଅଧିକାରୀ ତାଙ୍କ ହାତରେ ହାତକଡ଼ି ପକାଇ ଏକ ସେଲ୍‌ ମଧ୍ୟକୁ ନେଇଯାଇଥିଲେ। ୨ ଦିନ ପର୍ଯ୍ୟନ୍ତ ଲୋରେଟାଙ୍କୁ ସେଠାରେ ଜଣେ କଏଦୀ ଭାବେ ରଖାଯାଇଥିଲା। ଠିକ୍‌ ୨ ଦିନ ପରେ ତାଙ୍କୁ ଜେଲରୁ ମୁକୁଳାଯାଇଥିଲା। ଏହି ଅବସରରେ ଲୋରେଟା ସେଠାରେ ଅବସ୍ଥାପିତ ଅନେକ ଅଧିକାରୀଙ୍କୁ ଜେଲର ସୁରକ୍ଷା ବ୍ୟବସ୍ଥା ଏବଂ ବିଭିନ୍ନ ପ୍ରକ୍ରିୟା ସମ୍ପର୍କରେ ପଚାରି ବୁଝିଥିଲେ। ଏ ସମ୍ପର୍କରେ ରବିବାର ଲିଭିଙ୍ଗଷ୍ଟୋନ୍‌ କାଉଣ୍ଟି ଜେଲ ପକ୍ଷରୁ ଏକ୍ସ’ରେ ଏକ ପୋଷ୍ଟ କରାଯାଇ ସୂଚନା ଦିଆଯାଇଛି। ଜେଲରେ ୨ ଦିନର ରହଣିକୁ ଲୋରେଟା ନିଜର ଏକ ସୁନ୍ଦର ଅନୁଭବ ଭାବେ ବର୍ଣ୍ଣନା କରିଛନ୍ତି। ତାଙ୍କ ଜନ୍ମଦିନର ଇଚ୍ଛାକୁ ପୂରଣ କରିବାରେ ସକ୍ଷମ ହୋଇଥିବାରୁ ଜେଲ’ର ସମସ୍ତ ଅଧିକାରୀ ଖୁବ୍‌ ଖୁସି ଥିବା ଲିଭିଙ୍ଗଷ୍ଟୋନ୍‌ କାଉଣ୍ଟି ଜେଲ ପକ୍ଷରୁ କୁହାଯାଇଛି। ଲୋରେଟାଙ୍କୁ ଜେଲରୁ ବିଦାୟ ଦେବା ସମୟରେ ଜେଲର ଅଧିକାରୀମାନେ ଲୋରେଟାଙ୍କ ସହ ମିଶି ତାଙ୍କ ୧୦୪ତମ ଜନ୍ମଦିନକୁ ପାଳନ କରିଥିଲେ।

The post ବାର୍ଥ ଡେ ୱିଶ୍‌: ଜେଲ ଗଲେ ୧୦୪ ବର୍ଷୀୟା appeared first on Dharitri Odia News.