ବାର୍ଦ୍ଧକ୍ୟର ଅନୁଚିନ୍ତା
ମଣିଷର ବୟସ ବଢିଲେ ପରମାୟୁ କମି କମି ଚାଲେ। ଏଣୁ ବୟସକୁ ସମ୍ମାନ ଦେଇ ସର୍ବାଗ୍ରେ ନିଜ ସ୍ବାସ୍ଥ୍ୟ ପ୍ରତି ଯତ୍ନବାନ ହେବା ବିଧେୟ। ଶରୀର ସୁସ୍ଥ ଥିଲେ ମନ ସୁଖୀ ରହେ। ନିଜର ବିଚାର ଶକ୍ତି ବଢ଼େ। ଚିଡାପଣ କମେ। ଏପରିକ୍ଷେତ୍ରେ ସୁସ୍ଥ ରହିବାର ଏକମାତ୍ର ଅର୍ଥ ବ୍ୟତିରେକେ ସ୍ବାଗତଯୋଗ୍ୟ ବ୍ୟାୟାମ ହେଉଛି ପ୍ରାତଃଭ୍ରମଣ। ପ୍ରାଣାୟାମ, ଯୋଗ, ସ୍ବଳ୍ପ ବ୍ୟାୟାମ ମଧ୍ୟ ଘରେ ବା ପାଖରେ ସୁବିଧା ଥିଲେ କରିବା ବିଧେୟ। ସମବୟସ୍କ ଲୋକଙ୍କ ମେଳରେ […] The post ବାର୍ଦ୍ଧକ୍ୟର ଅନୁଚିନ୍ତା appeared first on Dharitri Odia News.
ମଣିଷର ବୟସ ବଢିଲେ ପରମାୟୁ କମି କମି ଚାଲେ। ଏଣୁ ବୟସକୁ ସମ୍ମାନ ଦେଇ ସର୍ବାଗ୍ରେ ନିଜ ସ୍ବାସ୍ଥ୍ୟ ପ୍ରତି ଯତ୍ନବାନ ହେବା ବିଧେୟ। ଶରୀର ସୁସ୍ଥ ଥିଲେ ମନ ସୁଖୀ ରହେ। ନିଜର ବିଚାର ଶକ୍ତି ବଢ଼େ। ଚିଡାପଣ କମେ। ଏପରିକ୍ଷେତ୍ରେ ସୁସ୍ଥ ରହିବାର ଏକମାତ୍ର ଅର୍ଥ ବ୍ୟତିରେକେ ସ୍ବାଗତଯୋଗ୍ୟ ବ୍ୟାୟାମ ହେଉଛି ପ୍ରାତଃଭ୍ରମଣ। ପ୍ରାଣାୟାମ, ଯୋଗ, ସ୍ବଳ୍ପ ବ୍ୟାୟାମ ମଧ୍ୟ ଘରେ ବା ପାଖରେ ସୁବିଧା ଥିଲେ କରିବା ବିଧେୟ। ସମବୟସ୍କ ଲୋକଙ୍କ ମେଳରେ ହସାହସି ମଧ୍ୟ ମାନସିକ ତଥା ଶାରୀରିକ ସ୍ଫୂର୍ତ୍ତି ପ୍ରଦାନକାରୀ ବ୍ୟାୟାମରେ ଗଣାଯାଏ। ଏ ବୟସରେ ରୋଗ ଆସିଯିବା କିଛି ବଡ଼କଥା ନୁହେଁ ।
ଏଥିରେ ଭୟଭୀତ ହେବାର ନାହିଁ। କାରଣ ଏ ସବୁ ବୟସ ବୃଦ୍ଧିଜନିତ। ରୋଗକୁ ସମ୍ପୂର୍ଣ୍ଣ ଭଲ କରିବା ସହଜ ସାଧ୍ୟ ନୁହେଁ। କିନ୍ତୁ ଏସବୁ ସତ୍ତ୍ୱେ ସୁସ୍ଥ ରହିବାକୁ ହେଲେ ନିଜକୁ ବ୍ୟସ୍ତ ରହିବାକୁ ହେବ। ସାବଧାନତା, ସଚେତନତା ଏବଂ ସର୍ବୋପରି ଭୟାତୁର ନ ହେବା ରୋଗର ମହୌଷଧି ବୋଲି ମନେହୁଏ। ମଣିଷ ରହିବାକୁ ଆସିନି। ସେ ଯିବାକୁ ଆସିଛି। ତେଣୁ ସୁଖ ଦୁଃଖରେ ମନ ଦୃଢ ରଖିବା ଆବଶ୍ୟକ।
ଖାଦ୍ୟ ପ୍ରତି ଆସକ୍ତି ରହିତ ହେଲେ ଭଲ। ସମୟରେ କିନ୍ତୁ ଖାଦ୍ୟ ଗ୍ରହଣ କରିବା, ତାଜ଼ା ବା ତଟକା ଗରମ ଖାଦ୍ୟକୁ ଆପଣେଇବା ଅଧିକ ଜରୁରୀ। ଯାହା ମିଳୁଛି ସେତିକିରେ ସନ୍ତୁଷ୍ଟ ରହିବା ଭଲ। ଏ ବୟସ ତ ଆପେ ଆପେ ପ୍ରାୟ ଲୋକଙ୍କର ଭଲ ଭଲ ଖାଇବା ବନ୍ଦ କରିଦେଇଥାଏ। ଚିନି, ତେଲ, ଘିଅ, ମଇଦା, କ୍ଷୀରଜନିତ ସୁସ୍ବାଦୁ ଖାଦ୍ୟଗୁଡିକରୁ ଦୂରେଇ ରହିବାକୁ ଡାକ୍ତର ପରାମର୍ଶ ଦିଅନ୍ତି । ଛଣାଛଣି ତେଲଭଜା ଆଦି ପାଟିସୁଆଦ ଜିନିଷ ସବୁରୁ ନିଜ ମନକୁ ଦୂରେଇ ଦେବା ଉଚିତ। ଅବଶ୍ୟ ନିଜର ଖାଦ୍ୟ ଏକାଥରକେ ଅଧିକ ଖାଇବା ଅପେକ୍ଷା ସାମୟିକ ଇଚ୍ଛାହେଲେ ଅଳ୍ପ ଅଳ୍ପ କରି ବାରମ୍ବାର ଖାଇବା ସ୍ବାସ୍ଥ୍ୟ ପାଇଁ ହିତକର। ନ ଜଗିଲେ ନିଜକୁ ହିଁ ଭୋଗିବାକୁ ପଡିବ। ସାବଧାନତା ପ୍ରତିକ୍ଷଣେ ଜରୁରୀ।
ପାରିବାରିକ ସନ୍ତୁଳନ ଏକାନ୍ତ କାମ୍ୟ। ଆଗ ପରି ପ୍ରତି କଥାରେ ମୁଣ୍ଡ ପୂରାଇବା ଠିକ୍ ନୁହେଁ। ପ୍ରତି କଥା ତ ଦୂରର କଥା କୌଣସି କଥାରେ ମୁଣ୍ଡ ନ ପୂରାଇ ରହିପାରିଲେ ଖୁବ୍ ଭଲ। ବୟସ ଉପଦେଶ ଦେବାକୁ ମନକୁ ପ୍ରବର୍ତ୍ତାଇବ ସତ୍ୟ, ହେଲେ ସେଥିରୁ ବିରତ ରହିବା ଶ୍ରେୟସ୍କର। ପାଖରେ ଅର୍ଥ ଥିଲେ ବିଚାର ଅନ୍ୟପ୍ରକାର। ନାହିଁ ଯଦି ପିଲାଙ୍କ ଅର୍ଥରେ ପ୍ରତିପାଳିତ ହେବାକୁ ପଡୁଥାଏ, ତା’ ହେଲେ ପରିସ୍ଥିତି ଦେଖି କଥା କହିବା ଭଲ। ଯାହା ମିଳୁଛି ସେଥିରେ ସନ୍ତୁଷ୍ଟ ରୁହ। ଚଳାଇନିଅ। ତୁଣ୍ଡ ଖୋଲିଲେ ଅଶାନ୍ତି। କେହି ସ୍ବଳ୍ପ ରୋଜଗାରରେ ଆଜିକାଲି ଶାନ୍ତିରେ ଚଳିବା ସମ୍ଭବ ନୁହେଁ। ଦରଦାମ ଆକାଶଛୁଆଁ । ପିଲାମାନେ ଯେତେବେଳେ ନିଜେ ଚଳିବାକୁ ସମ୍ବଳ ଅକୁଳାଣ, ତେବେ ଘରେ ମା’ବାପାଙ୍କୁ ଚଳାଇବାରେ ଆର୍ଥିକ ଦୁଃସ୍ଥିତିର ସମ୍ମୁଖୀନ ହେବାଟା ଅନିବାର୍ଯ୍ୟ। ତଥାପି କେତେକ ନିଜକୁ ଅବହେଳା କରି ମାତାପିତାଙ୍କୁ ଯେତେଦୂର ପାରନ୍ତି ଜଗିରଖନ୍ତି। ଯତ୍ନ ନିଅନ୍ତି। ଅବଶ୍ୟ କେତେକଙ୍କ କ୍ଷେତ୍ରରେ ଏହାର ବ୍ୟତିକ୍ରମ ଦେଖାଯାଏ। ଏପରି କି ବାପର ସମ୍ପତ୍ତି ଥିଲେ ବା ପିଲେ ସେଥିରେ ଚଳୁଥିଲେ ମଧ୍ୟ ବୁଢାବୁଢ଼ୀଙ୍କୁ ଅକଥନୀୟ ନିର୍ଯାତନା ଦେଇଥାଆନ୍ତି। ଏହା ତାଙ୍କର କୁସଂସ୍କାର ବା ନୀଚ ମନୋବୃତ୍ତିର ପରିଚାୟକ।
ଧୀରେ ଧୀରେ ଜିନିଷରୁ ଲୋଭ କମାଅ। ମୋହ ଛାଡ଼। ବୟସ କିଛି କରିବାକୁ ଆଦେଶ ନ ଦେଇ କିଛି ଛାଡି ରହିବାକୁ ମନ କଢେଇଲେ ଶାନ୍ତି। ସଞ୍ଚୟ ଚିନ୍ତା ମନରୁ ହଟାଅ। ଯଦି ବୁଢାବୁଢ଼ୀ ଦୁହେଁ ଥାଆନ୍ତି, ତାହାହେଲେ ତ ସେମାନେ ଭାଗ୍ୟବାନ। ଜଣିକିଆ ହେଲେ ଦୁଶ୍ଚିନ୍ତା ଆସେ। ଦୁହେଁ ଥିଲେ ନିଜର ବୋଲି କିଛି ରଖି ଅନ୍ୟ ସବୁରୁ ମୋହ ଛାଡ଼। ହସ୍ତାନ୍ତର କର। ପିଲାଙ୍କୁ ବୁଝାଇ କିପରି ବୁଝୁଛନ୍ତି ଦେଖ। ଲାଭ କ୍ଷତିରେ କେବେ ସୁଖୀ ବା ଦୁଃଖୀ ହୁଅ ନାହିଁ। ଘର, ଜାଗା, ଜମିବାଡ଼ି, ଗାଡି, ଟଙ୍କା ପଇସା ଯାହା କିଛି ଅଛି ପିଲାଙ୍କୁ ଡାକି ବସାଇ ସବୁ ଅଡୁଆ ଛିଡାଇ ଦେବା ଭଲ। ନଚେତ୍ ପରେ ଘରେ ମହାଭାରତ ସୃଷ୍ଟିହେବ, ଯାହାର କାରଣ ନିଜକୁ ଦେବାକୁ ହେବ ।
ନାତି ନାତୁଣୀଙ୍କ ସଙ୍ଗେ ହସିଖୁସିରେ ସମୟ କାଟ। ପିଲାଙ୍କ କଥାରେ ମନକୁ ଘାଣ୍ଟନି। ଗୀତା, ଭାଗବତ, ରାମାୟଣ ଇତ୍ୟାଦି ଯଦି ପଢିପାର ତେବେ ସେଥିରେ ସମୟ ଦିଅ। ଅବଶ୍ୟ ଏ ବୟସରେ ସମୟ କାଟିବା ବଡ଼ କଷ୍ଟ । କଥା କାହାର ଦୁଃଖ ଦେବ ବୋଲି ସ୍ବୟଂ ଭଗବାନ ପରା ଶ୍ରବଣ ଶକ୍ତି ହ୍ରାସ କରିଦିଅନ୍ତି। ସେମିତି ଆଖି ଥାଇ ବି କେତେଗୁଡିଏ ଜିନିଷରେ ଆଖି ନ ଥିବାର ଅଭିନୟ ଜରୁରୀ ମନେହୁଏ। ସବୁଠାରୁ ଭଲକଥା ଈଶ୍ୱର ଆପେ ଆପେ ଭୁଲିଯିବା ଶକ୍ତିଟି ଦେଇଦିଅନ୍ତି। ଏବ କଥା ଆଗକୁ ମନେ ରହେନି। ବୟସର ଫଳ ଈଶ୍ୱରଙ୍କ ଖେଳ ନିଆଯାଏ। କେହି ନ ବୁଝିଲେ ସ୍ବୟଂ ପ୍ରଭୁ ବୁଝନ୍ତି। ଟିକେ ଧର୍ମ କର୍ମ ମୁହଁା ହେଲେ ଭଲ। ଦାନ ତ ମହାପୁଣ୍ୟ। ଏ ସବୁ ମନ ନିର୍ମଳ ଏବଂ ନିର୍ଲୋଭର ପ୍ରତୀକ।
ପିଲାଙ୍କର ସାଥ ଦିଅ। ପିଲାଙ୍କୁ କାହିଁକି ଏପରି କଲ ତାଗିଦ ନ କରି, ଗାଳି ନ ଦେଇ ଯଦିପାର ବୁଝାଯାଇପାରେ। ଅବଶ୍ୟ ଏହାର ବିଚାର ତତ୍କାଳୀନ ପରିସ୍ଥିତି ଉପରେ ନିର୍ଭର କରେ। ଆଜିକାଲି ଉପଦେଶ ଶୁଣିବା ଲୋକର ଘୋର ଅଭାବ। ଉପଦେଶ ଦେବାକୁ ବା ଶୁଣାଇବାକୁ ସମସ୍ତେ ଆଗ୍ରହୀ। ନିଜର ଶରୀର ପ୍ରତି ଦୃଷ୍ଟି ଦିଅ। ଯଥା ସମୟରେ ଚିକିତ୍ସା କର। ଅର୍ଥ ଥିଲେ ଭଲ, ନ ଥିଲେ ସରକାରୀ ଡାକ୍ତରଖାନାର ସାହାଯ୍ୟ ନିଅ। ପଡିଗଲେ ସେବାଶୁଶ୍ରୂଷା କରିବା ଲୋକ ଏବେ ପରିବାରରେ ପ୍ରାୟତଃ ବିରଳ।
ଧନରୁ ମନ ଛାଡି ଧର୍ମରେ ଦିଅ। ବେଳେ ବେଳେ ପରିବାରରେ ଅସ୍ବାଭାବିକ ଦୁର୍ଘଟଣା ମନକୁ ଆନ୍ଦୋଳିତ କରିପାରେ! ସେଥିରୁ ନିସ୍ତାର ଲଭିବାର ଏକମାତ୍ର ରାସ୍ତା ହେଉଛି ବିଭୁଙ୍କ ଶରଣ। ଏ ଦୁଃସମୟରେ କେବଳ ମନୋବଳ, ଅର୍ଥବଳ ଏବଂ ସର୍ବୋପରି ପାରିବାରିକ ସହଯୋଗିତା ହିଁ ଭାଙ୍ଗିପଡିବାରୁ ବର୍ତ୍ତାଇପାରେ। ଈଶ୍ୱରଙ୍କ ନାମ ଜପି ଏ ଜୀବନଟା ଅଚଳ ନ ହେଇ ସଚଳ ଅବସ୍ଥାରେ ଚାଲିଯାଇ ପାରିଲେ ଏ ବୃଦ୍ଧ ଟିକିଏ ଆଶ୍ୱସ୍ତ ଲଭନ୍ତା। ଦୁଃଖ ପାସୋରା ଓ ସୁଖ ଘୋଷରା ମନଟିଏ ସର୍ବଦା ବିଧେୟ।
ଭଗବାନ ଦାଶ
ଗୁଣ୍ଡିଚାବିହାର, ପୁରୀ
ମୋ: ୮୨୪୯୦୮୨୪୦୦
The post ବାର୍ଦ୍ଧକ୍ୟର ଅନୁଚିନ୍ତା appeared first on Dharitri Odia News.