ବାୟୁସେନାର ଯୁଦ୍ଧ ବିମାନ ଦୁର୍ଘଟଣାଗ୍ରସ୍ତ, ୨ ପାଇଲଟ ମୃତ

ଦୁର୍ଘଟଣାଗ୍ରସ୍ତ ହୋଇଥିବା ଜାଗୁଆର ଫାଇଟର ଜେଟ୍‌ଟି ରାଜସ୍ଥାନର ସୁରଟଗଡ଼ ବାୟୁ ସେନା ବେସ୍‌ରୁ ଉଡ଼ାଣ ଭରିଥିଲା।

ବାୟୁସେନାର ଯୁଦ୍ଧ ବିମାନ ଦୁର୍ଘଟଣାଗ୍ରସ୍ତ, ୨ ପାଇଲଟ ମୃତ

ରାଜସ୍ଥାନର ଚୁରୁ ଜିଲ୍ଲାର ଭାନୁଦା ଗାଁ ନିକଟରେ ବୁଧବାର ଭାରତୀୟ ବାୟୁସେନାର ଏକ ଜାଗୁଆର ଫାଇଟର ଜେଟ୍ ଦୁର୍ଘଟଣାଗ୍ରସ୍ତ ହେବାରୁ ଦୁଇ ଜଣ ପାଇଲଟଙ୍କ ମୃତ୍ୟୁ ଘଟିଛି। 

ଦୁର୍ଘଟଣାଗ୍ରସ୍ତ ହୋଇଥିବା ଜାଗୁଆର ଫାଇଟର ଜେଟ୍‌ଟି ରାଜସ୍ଥାନର ସୁରତଗଡ଼ ବାୟୁ ସେନା ବେସ୍‌ରୁ ଉଡ଼ାଣ ଭରିଥିଲା। ଅପରାହ୍ନ ୧ଟା ୨୫ ମିନିଟରେ ଏହା ଦୁର୍ଘଟଣାଗ୍ରସ୍ତ ହୋଇଥିଲା। 

ଏହି ଦୁର୍ଘଟଣା ନେଇ ଭାରତୀୟ ବାୟୁସେନା ପକ୍ଷରୁ ସ୍ପଷ୍ଟ କରାଯାଇଛି। ବାୟୁସେନା ପକ୍ଷରୁ କୁହାଯାଇଛି ଯେ ଦୁର୍ଘଟଣାଗ୍ରସ୍ତ ଜାଗୁଆର ଟ୍ରେନର ଏୟାରକ୍ରାଫ୍ଟ ରୁଟିନ୍ ଟ୍ରେନିଂ ମିଶନରେ ଯାଇଥିଲା। ସେଥିରେ ଦୁଇ ଜଣ ପାଇଲଟ ଥିଲେ। ଉଭୟଙ୍କର ମୃତ୍ୟୁ ଘଟିଛି। ତେବେ ସାଧାରଣ ଲୋକଙ୍କର କୌଣସି ପ୍ରକାର କ୍ଷତି ଘଟିନାହିଁ। ଏହି ଦୁର୍ଘଟଣା କାହିଁକି ଘଟିଲା, ତା’ର ତଦନ୍ତ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି।  

ଭାନୁଦା ଗ୍ରାମବାସୀଙ୍କ କହିବା ଅନୁଯାୟୀ, ସେମାନେ ପ୍ରଥମେ ଆକାଶରୁ ବିସ୍ଫୋରଣ ଶବ୍ଦ ଶୁଣିଥିଲେ। ତା’ପରେ ଗାଁ ପାଖ ଜମିରୁ ନିଆଁ ଓ ଧୂଆଁ ବାହାରୁଥିବା ସେମାନେ ଦେଖିଥିଲେ। ସେମାନେ ତୁରନ୍ତ ଘଟଣାସ୍ଥଳକୁ ଯାଇଥିଲେ। ନିଜ ଉଦ୍ୟମରେ ସେମାନେ ଭଗ୍ନ ବିମାନରେ ଲାଗିଥିବା ନିଆଁକୁ ଲିଭାଇଥିଲେ। ଘଟଣାସ୍ଥଳରେ ପାଇଲଟମାନଙ୍କର ଖଣ୍ଡବିଖଣ୍ଡିତ ଶରୀର ପଡ଼ିଥିଲା।  

ଏହାକୁ ମିଶାଇ ଗତ ୫ ମାସରେ ୩ଟି ଜାଗୁଆର ଫାଇଟର ଜେଟ୍ ଦୁର୍ଘଟଣାଗ୍ରସ୍ତ ହେଲେଣି। ଗତ ମାର୍ଚ୍ଚ ୭ ତାରିଖରେ ହରିୟାଣାର ପଞ୍ଚକୁଲାରେ ଏକ ଜାଗୁଆର ଫାଇଟର ଜେଟ୍ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। କ୍ରାଶ ପୂର୍ବରୁ ପାଇଲଟ ବିମାନଟିକୁ ଜନବସତିରୁ ଦୂରକୁ ନେଇଯାଇଥିଲେ ଓ ନିଜେ ମଧ୍ୟ ସୁରକ୍ଷିତ ଭାବେ ସେଥିରୁ ବାହାରି ଆସିଥିଲେ। ସେହିପରି ଗତ ଏପ୍ରିଲ ୨ ତାରିଖରେ ଗୁଜରାଟର ଜାମନଗରରେ ଆଉ ଏକ ଜାଗୁଆର ଫାଇଟର ଜେଟ୍ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏଥିରେ ସିଦ୍ଧାର୍ଥ ଯାଦବ ନାମକ ଜଣେ ପାଇଲଟଙ୍କ ମୃତ୍ୟୁ ଘଟିଥିଲା। ତେବେ ଅନ୍ୟ ଜଣେ ପାଇଲଟ ବର୍ତ୍ତି ଯାଇଥିଲେ। ବିମାନଟି କ୍ରାଶ କରିବା ପୂର୍ବରୁ ସେ ସେଥିରୁ ସୁରକ୍ଷିତ ଭାବେ ବାହାରି ଆସିଥିଲେ।