ବିଜେପିରେ ମିଶିଲେ ପ୍ରଶାନ୍ତ ଜଗଦ୍ଦେବ, ପଦ୍ମ ଧରୁ ଧରୁ ପୁରୁଣା ଦଳ ବିଜେଡିକୁ କଲେ ଟାର୍ଗେଟ
ବଢୁଛି ବିଜେପି, ଛିଡୁଛି ବିଜେଡି । ଜଣଙ୍କ ପରେ ଜଣେ ବିଜେଡିର ହେଭିୱେଟ ଦଳକୁ ବାଏ ବାଏ କରି ପଦ୍ମ ଶିବିରରେ ସାମିଲ ହେଉଛନ୍ତି।
ବିଜେପି ମୁହାଁ ବିଜେଡି ବିଦ୍ରୋହୀ। ୨୧ରେ ପ୍ରଦୀପ ପାଣିଗ୍ରାହୀ। ୨୫ରେ ଦେବାଶିଷ ନାୟକ। ଆଜି ପ୍ରଶାନ୍ତ ଜଗଦେବ। ଦିନ ଗୋଟାଏ ବେଳେ ରାଜ୍ୟ କାର୍ଯ୍ୟାଳୟରେ ଜୟ ଶ୍ରୀରାମ ନାରା ଦେଇ ପ୍ରବେଶ କରିଥିଲେ ଜଗଦ୍ଦେବ। ବିଜେପିର ରାଜ୍ୟ ନିର୍ବାଚନ ସହ ପ୍ରଭାରୀ ଲତା ଉସେଣ୍ଡି, ସାଂସଦ ଅପରାଜିତା ଷଡଙ୍ଗୀ, ପୂର୍ବତନ ସଭାପତି ସମୀର ମହାନ୍ତିଙ୍କ ଉପସ୍ଥିତିରେ ପଦ୍ମ ଧରିଥିଲେ ପ୍ରଶାନ୍ତ। ଆଉ ପଦ୍ମ ଶିବିରରେ ସାମିଲ ହେଉ ସିଧା ନବୀନଙ୍କୁ ନିଶାନା କରିଥିଲେ ଜଗଦ୍ଦେବ। ନିଜ ଆଗ୍ରେସିଭ ଅନ୍ଦାଜରେ କହିଥିଲେ ନବୀନ ଆଉ ପାରୁନାହାନ୍ତି, ରାଜନୀତି ଛାଡ଼ି ଦିଅନ୍ତୁ। ପ୍ରଶାନ୍ତଙ୍କ ସହ ତାଙ୍କର କିଛି ସମର୍ଥକ ମଧ୍ୟ ବିଜେପିରେ ସାମିଲ ହୋଇଛନ୍ତି।
ଖୋର୍ଦ୍ଧାର ବାହୁବଳୀ ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କର ରାଜନୈତିକ କ୍ୟାରିୟର ଢେର ଲମ୍ବା। ୨୦୦୨ରେ ଖୋର୍ଦ୍ଧା ଜିଲ୍ଲା ପରିଷଦର ଅଧ୍ୟକ୍ଷ ଥିଲେ ପ୍ରଶାନ୍ତ। ୨୦୦୪ରେ ବିଜେଡିରୁ ପ୍ରାର୍ଥୀ ହୋଇ ବେଗୁନିଆରେ କଂଗ୍ରେସର ଷ୍ଟଲୱାର୍ଟ ଜାନକୀବଲ୍ଲଭ ପଟ୍ଟନାୟକଙ୍କୁ ଚାଲେଞ୍ଜ ଦେଇ ମାତ୍ର ୨୫୦୦ ଭୋଟରେ ହାରିଥିଲେ। ପରେ ୨୦୧୪ରେ ବେଗୁନିଆ ଏବଂ ୨୦୧୯ରେ ଚିଲିକାରୁ ବିଧାୟକ ହୋଇଥିଲେ ପ୍ରଶାନ୍ତ। ୨୦୨୧ ସେପ୍ଟେମ୍ବର ୯ରେ ବିଜେପି କର୍ମୀଙ୍କୁ ଆକ୍ରମଣ ଘଟଣାରେ ତାଙ୍କୁ ନିଲମ୍ବନ ଓ ପରେ ୨୦୨୨ ମାର୍ଚ୍ଚ ୧୨ରେ ବିଜେପି କର୍ମୀଙ୍କ ଉପରେ ଗାଡି ଚଢାଇ ଦେବା ଘଟଣାରେ ତାଙ୍କୁ ଦଳରୁ ବହିଷ୍କାର କରିଥିଲା ବିଜେଡି।
ତେବେ ଜଗଦ୍ଦେବ ୩ ଟର୍ମ ଧରି ଖୋର୍ଦ୍ଧା ସାଙ୍ଗଠନିକ ଜିଲ୍ଲାର ସଭାପତି ଭାବେ ରହିଥିବାରୁ ପ୍ରାୟ ସବୁ ନିର୍ବାଚନ ମଣ୍ଡଳୀରେ ତାଙ୍କର ପକଡ୍ ରହିଛି। ତେଣୁ ଜଗଦ୍ଦେବ ଯୋଗଦେବା ପରେ ଖୋର୍ଦ୍ଧା ରାଜନୈତିକ ସମୀକରଣ ବଦଳିପାରେ ବୋଲି ଚର୍ଚ୍ଚା ହେଉଛି। ଏମିତି ବି ବିଜେଡି ଖୋର୍ଦ୍ଧା ଗଡରେ ଏବେ କନ୍ଦଳ। ଖୋର୍ଦ୍ଧାରେ ଜିତୁ ମିତ୍ର ବନାମ ବାସନ୍ତୀ ମହାପାତ୍ର, ବେଗୁନିଆରେ ରାଜେନ୍ଦ୍ର ସାହୁ ଓ ପ୍ରଦୀପ ସାହୁ ମଧ୍ୟରେ ବିବାଦ, ଚିଲିକାରେ ପ୍ରଶାନ୍ତଙ୍କ ପରେ ମାନସ ମଙ୍ଗରାଜ ବନାମ ରଘୁ ସାହୁ, ଜଟଣୀରେ ବିଭୂତି ବଳବନ୍ତରାୟ ଏବଂ ସନ୍ତୋଷ ଜେନାଙ୍କ ସହ ବିବାଦ ଏବେ ତେଜିବାରେ ଲାଗିଛି। ଏମିତି ସ୍ଥିତିରେ ପ୍ରଶାନ୍ତ ପଦ୍ମ ଶିବିରରେ ସାମିଲ ହେବା ବିଜେଡିର ଚିନ୍ତା ବଢ଼ାଇଛି। ଅନ୍ୟ ପଟେ ପ୍ରଶାନ୍ତଙ୍କୁ ଦାଗୀ କହିବା ସହ ବିଜେପିର ଦୋମୁହାଁ କାମ କହି ଟାର୍ଗେଟ କରିଛି ବିଜେଡି।
୨୦୧୯ରେ ଅପରାଜିତା ଭୁବନେଶ୍ୱର ଲୋକସଭା ଆସନରୁ ନିର୍ବାଚିତ ହେବାପରେ ବିଗୁଡିଛି ବିଜେଡିର ଖୋର୍ଦ୍ଧା ଗଡ଼ ସ୍ଥିତି। ପ୍ରାୟ ସବୁ ନିର୍ବାଚନ ମଣ୍ଡଳୀରେ ବିଜେପି ବଢିବାରେ ଲାଗିଛି। ଅନ୍ୟପଟେ ପ୍ରଦୀପ, ଦେବାଶିଷ, ପ୍ରଶାନ୍ତଙ୍କ ପରେ ଆହୁରି ଅନେକ ବିଜେଡି ନେତା ବିଜେପିରେ ଯୋଗ ଦେବା ନେଇ ଚର୍ଚ୍ଚା ଲାଗି ରହିଛି।