ବିଜ୍ଞାନ ବନାମ ଆଧ୍ୟାତ୍ମିକତା
ମନୁଷ୍ୟ ଏକ ତର୍କଶୀଳ ପ୍ରାଣୀ। ଜୀବନର ପ୍ରତ୍ୟେକ କ୍ଷେତ୍ରରେ ତର୍କସଙ୍ଗତ ବା ଯୁକ୍ତିସଙ୍ଗତ ଜୀବନ ଜିଇଁବାକୁ ଚାହେଁ। କାର୍ଯ୍ୟସହ କାରଣକୁ ଯୋଡ଼ିବା, ପ୍ରଶ୍ନ ଉପରେ ପ୍ରତି-ପ୍ରଶ୍ନ ପଚାରିବା ହେଉଛି ଗବେଷଣା। ସବୁଗବେଷଣା ପରୀକ୍ଷାଗାର ଭିତରେ ହେବା ଜରୁରୀ ନୁହେଁ। ଏହା ମଧ୍ୟ ବିଶ୍ୱାସ-ଅବିଶ୍ୱାସର କ୍ଷେତ୍ର ନୁହେଁ। ପ୍ରତ୍ୟେକ ତତ୍ତ୍ୱ ପ୍ରଶ୍ନ, ପ୍ରତି-ପ୍ରଶ୍ନ ଓ ଆହ୍ୱାନକୁ ଗ୍ରହଣ କରେ। ବ୍ୟାକରଣର ‘ନିପାତନସିଦ୍ଧ’ ବିଜ୍ଞାନ କ୍ଷେତ୍ରରେ ଗ୍ରହଣୀୟ ହୁଏ ନାହିଁ। ବିଦ୍ୟାଳୟକୁ ମନ୍ଦିର ସହ ଯୋଡ଼ାଯାଏ ନାହିଁ। କାରଣ ମନ୍ଦିର […]

ମନୁଷ୍ୟ ଏକ ତର୍କଶୀଳ ପ୍ରାଣୀ। ଜୀବନର ପ୍ରତ୍ୟେକ କ୍ଷେତ୍ରରେ ତର୍କସଙ୍ଗତ ବା ଯୁକ୍ତିସଙ୍ଗତ ଜୀବନ ଜିଇଁବାକୁ ଚାହେଁ। କାର୍ଯ୍ୟସହ କାରଣକୁ ଯୋଡ଼ିବା, ପ୍ରଶ୍ନ ଉପରେ ପ୍ରତି-ପ୍ରଶ୍ନ ପଚାରିବା ହେଉଛି ଗବେଷଣା। ସବୁଗବେଷଣା ପରୀକ୍ଷାଗାର ଭିତରେ ହେବା ଜରୁରୀ ନୁହେଁ। ଏହା ମଧ୍ୟ ବିଶ୍ୱାସ-ଅବିଶ୍ୱାସର କ୍ଷେତ୍ର ନୁହେଁ। ପ୍ରତ୍ୟେକ ତତ୍ତ୍ୱ ପ୍ରଶ୍ନ, ପ୍ରତି-ପ୍ରଶ୍ନ ଓ ଆହ୍ୱାନକୁ ଗ୍ରହଣ କରେ। ବ୍ୟାକରଣର ‘ନିପାତନସିଦ୍ଧ’ ବିଜ୍ଞାନ କ୍ଷେତ୍ରରେ ଗ୍ରହଣୀୟ ହୁଏ ନାହିଁ। ବିଦ୍ୟାଳୟକୁ ମନ୍ଦିର ସହ ଯୋଡ଼ାଯାଏ ନାହିଁ। କାରଣ ମନ୍ଦିର ବିଶ୍ୱାସର କ୍ଷେତ୍ର। ଏଠାରେ ପ୍ରଶ୍ନ ଗ୍ରହଣୀୟ ନୁହେଁ। ବିଦ୍ୟାଳୟ ବିଶ୍ୱାସର ପରିସରଭୁକ୍ତ ନୁହେଁ, ଏଠାରେ ପ୍ରଶ୍ନ ମାଧ୍ୟମରେ ଜ୍ଞାନ ଆହରଣ କରାଯାଏ। ଆମେ ଭୌତିକ ଜଗତରେ ବାସ କରୁ। ତେଣୁ ପ୍ରକୃତି ଭିତରେ ଥିବା ପ୍ରାକୃତିକ ନୟମ ସବୁର ପଦ୍ଧତିଗତ ଅଧ୍ୟୟନ ହେଉଛି ବିଜ୍ଞାନ।
ବିଜ୍ଞାନ ବିପକ୍ଷରେ ରହିଛି ଭିନ୍ନ ଏକ ଜଗତ। ତାହା ଆଧ୍ୟାତ୍ମିକ ଜଗତ। ଏଠାରେ ପ୍ରକୃତି ଓ ପ୍ରାକୃତିକ ନିୟମର ବିରୁଦ୍ଧାଚରଣ କରୁଥିବା ଘଟଣା ସବୁର ବର୍ଣ୍ଣନା ଉପରେ ବିଶ୍ୱାସ କରାଯାଏ। ଏ ଜଗତରେ ପ୍ରଶ୍ନ ଚିହ୍ନର ସ୍ଥାନନାହିଁ। ଏଠାରେ ଆରୋହ ଓ ଅବରୋହ ଚିନ୍ତନର ପ୍ରଶ୍ନ ପଚାରୁଥିବା ବ୍ୟକ୍ତିକୁ ତିରସ୍କାର କରାଯାଏ। ଏହାକୁ ‘ମୁଦ୍ଗର ପ୍ରଦର୍ଶନ ଭୟ ସଞ୍ଚାର’ ଭାବରେ ନାମିତ କରାଯାଇପାରିବ। ଏହା ମାଧ୍ୟମରେ ପ୍ରଶ୍ନକର୍ତ୍ତାର ଉଦ୍ୟମ ଚାପିଦିଆଯାଏ। କିନ୍ତୁ ଏଭଳି ପ୍ରଶ୍ନଗୁଡ଼ିକ ପଚରାଯାଉଥିବା ମନୋବୃତ୍ତି ହେଉଛି ବୈଜ୍ଞାନିକ ସଚେତନତା।
ପୃଥିବୀ ପୃଷ୍ଠରେ ସବୁ ଶିଶୁର କୌଣସି ଏକ ଧାର୍ମିକ ପରିବେଶର ପରିବାରରେ ଜନ୍ମ ହୋଇଥାଏ। ବୟସ ବଢ଼଼ିବା ସହିତ ପରିବାରର ଧାର୍ମିକବିଶ୍ୱାସକୁ ଶିଶୁ ଉପରେ ଏକପ୍ରକାର ଲଦି ଦିଆଯାଏ। ପ୍ରତ୍ୟେକ ଶିଶୁ କୌତୁହଳୀ। ଅନେକକିଛି ଜାଣିବାର ଅଦମ୍ୟ ଆଗ୍ରହ ଥାଏ। କିନ୍ତୁ ପରିବାରର ବୟୋଜ୍ୟେଷ୍ଠ ଓ ଗୁରୁଜନମାନଙ୍କ କଥାକୁ ଗ୍ରହଣ କରିବା, ସେମାନଙ୍କୁ ପ୍ରତିପ୍ରଶ୍ନ ନ କରିବା ପାଇଁ ଉପଦେଶ ଓ ଆଦେଶ ମାଧ୍ୟମରେ ବାଧ୍ୟ କରାଯାଏ। ଯେତେ ପାଠ ପଢ଼଼ିଲେ ମଧ୍ୟ ଏହି ବାଧ୍ୟବାଧକତାରୁ ମୁକ୍ତ ହେବା ସହଜ ନୁହେଁ। ପାରିବାରିକ ଧର୍ମ ବିଶ୍ୱାସର ବାଧ୍ୟବାଧକତାରୁ ମୁକ୍ତ ହୋଇ ପାରିନଥିବା ବୈଜ୍ଞାନିକମାନଙ୍କ ଅଲୌକିକ ଅବଧାରଣା ଉପରେ ବିଶ୍ୱାସକୁ କିଛି ଲୋକ ଆଦର୍ଶ ଭାବରେ ଗ୍ରହଣ କରନ୍ତି। କୌତୂହଳ ମନୋବୃତ୍ତି ଯେକୌଣସି ବୟସରେ ବ୍ୟକ୍ତିଠାରେ ସୃଷ୍ଟି ହୋଇପାରେ। କିଛି ବ୍ୟକ୍ତିଙ୍କଠାରେ ବିରଳ ଘଟଣା ଭାବରେ ପ୍ରଶ୍ନ ଉପରେ ପ୍ରଶ୍ନ ପଚାରି କାର୍ଯ୍ୟ ସହ କାରଣ ଯୋଡ଼ିବା, ପ୍ରାକୃତିକ ଘଟଣାଗୁଡ଼ିକୁ ଅଲୌକିକ ଭାବରେ ଗ୍ରହଣ ନକରି ଏସବୁର ଅନୁସନ୍ଧାନ କରିବା ଆଦି ମନୋବୃତ୍ତି ସୃଷ୍ଟି ହୁଏ। ପିତାମାତା ଗୁରୁଜନଙ୍କ ଉପଦେଶକୁ ଗ୍ରହଣ କରିବା ସେଭଳି ବ୍ୟକ୍ତିଙ୍କ ପକ୍ଷରେ ସମ୍ଭବ ହୁଏନାହିଁ। ସେଭଳି ଧାରାକୁ ଗ୍ରହଣ କରି ନେଇଥିଲେ ସିଦ୍ଧାର୍ଥ ଗୌତମରେ ପରିଣତ ହୋଇପାରି ନଥା’ନ୍ତେ। କାର୍ଯ୍ୟ ଓ କାରଣର ସମ୍ପର୍କ ନେଇ ମନ ଆନ୍ଦୋଳିତ ହେବା ଏବଂ ଅଲୌକିକତାକୁ ଗ୍ରହଣ ନ କରିବା ହେଉଛି ତର୍କଶୀଳ ମନୋବୃତ୍ତି। ଏହା ହିଁ ହେତୁବାଦ।
୧୮୯୮ ମସିହା ଅପ୍ରେଲ ୧୦ ତାରିଖରେ କେରଳର ତିରୁଭାଲ୍ଲାଠାରେ ତର୍କଶୀଳ ମନୋବୃତ୍ତି ସମ୍ପନ୍ନ ସାମାଜିକ ଭାବେ ଅଲୌକିକତା ଉପରେ ନିର୍ଭୀକ ଭାବେ ଗବେଷଣା କରିଥିବା ସେହି ବ୍ୟକ୍ତି ଜନ୍ମ ନେଇଥÒଲେ। ଭବିଷ୍ୟତରେ ସେ ପ୍ରଫେସର ଆବ୍ରାହମ କଭୁର ଭାବରେ ଏବଂ ବିଶ୍ୱବିଖ୍ୟାତ ହେତୁବାଦୀ ଭାବରେ ପରିଚୟଟିଏ ସୃଷ୍ଟି କରିପାରିଥିଲେ। ଶୈଶବରୁ ତାଙ୍କ ମନରେ ତଥାକଥିତ ଅଲୌକିକ ଘଟଣାଗୁଡ଼ିକର ରହସ୍ୟର ଜିଜ୍ଞାସା ଜନ୍ମିଥିଲା। ଉଦ୍ଭିଦବିଜ୍ଞାନରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିବା ପରେ ସମସ୍ତ ଅଲୌକିକ ଘଟଣା ବିଭିନ୍ନ ବୈଜ୍ଞାନିକ ତତ୍ତ୍ୱର ବିରୁଦ୍ଧାଚରଣ କରୁଥିବା ନିଶ୍ଚିତ ହୋଇଗଲେ। ସେତେବେଳେ କେରଳ ସମେତ ଦକ୍ଷିଣ ଭାରତୀୟ ରାଜ୍ୟଗୁଡ଼ିକରେ ଅଲୌକିକତାକୁ ନେଇ ଅଜସ୍ର ଅନ୍ଧବିଶ୍ୱାସ ଲୋକଙ୍କ ମନରେ ରହିଥିଲା। ତନ୍ତ୍ରମନ୍ତ୍ର, ଗୁଣିଗାରେଡ଼ି ଆଦି ପ୍ରତି ଶିକ୍ଷିତ-ଅଶିକ୍ଷିତ ସବୁବର୍ଗର ମନରେ ଭୟ ରହିଥିଲା। ଏହିଭଳି ଘଟଣାଗୁଡ଼ିକର ତାଲିକା ପ୍ରସ୍ତୁତ ରହସ୍ୟ ଅନୁସନ୍ଧାନ କଲେ। ଅଧ୍ୟାପନା ବୃତ୍ତିରୁ ଅବସର ପରେ ୧୯୬୪ ମସିହାରେ ୨୨ ଟି ତଥାକଥିତ ଅଲୌକିକ ଘଟଣାର ତାଲିକା ଦର୍ଶାଇ ସେଥିମଧ୍ୟରୁ କୌଣସି ଗୋଟିଏର ଧୋକାବାଜୀ ବିହୀନ ପ୍ରଦର୍ଶନକାରୀଙ୍କୁ ଏକଲକ୍ଷ ଶ୍ରୀଲଙ୍କା ମୁଦ୍ରା ଦେବାକୁ ବିଶ୍ୱବ୍ୟାପୀ ସମ୍ୱାଦପତ୍ର ଜରିଆରେ ଘୋଷଣା କଲେ। ତାଙ୍କ ମୃତ୍ୟୁ୧୯୭୮ ପର୍ଯ୍ୟନ୍ତ ଜଣେ ହେଲେ ତାଙ୍କ ଆହ୍ୱାନକୁ ଗ୍ରହଣ କରିପାରିଲେ ନାହିଁ। ଜଣେ ଅମାନତ ଜମାକରି ଆହ୍ୱାନ ଗ୍ରହଣ କରିଥିଲେ, କିନ୍ତୁ ପରୀକ୍ଷାର ସମ୍ମୁଖୀନ ହେଲେ ନାହିଁ। ସେ ଅଲୌକିକତା ରହସ୍ୟ ପ୍ରଦର୍ଶନ କାର୍ଯ୍ୟକ୍ରମ ଓ ଜନଚେତନା ପଦଯାତ୍ରାମାନ ଆୟୋଜନ କରିଥିଲେ। ଅନେକ ଯାଦୁକର ତାଙ୍କଠାରୁ ଅଲୌକିକତା ରହସ୍ୟ ଉନ୍ମୋଚନ କୌଶଳ ଶିକ୍ଷାଲାଭ କରି ସାଧାରଣଜନତାଙ୍କୁ ଶୋଷଣରୁ ରକ୍ଷା କରିବାକୁ ଆଗେଇ ଆସିଲେ। ଏକ ସାମାଜିକ ଶିକ୍ଷଣୀୟ ବିଷୟ ଭାବରେ ହେତୁବାଦ ତଥା ବୈଜ୍ଞାନିକ ସଚେତନତାକୁ ନେଇ ଲୋକଙ୍କୁ ଅନ୍ଧବିଶ୍ୱାସ ଓ ଶୋଷଣରୁ ସୁରକ୍ଷିତ ରଖିବା ନିମିତ୍ତ ଭାରତ ଓ ଶ୍ରୀଲଙ୍କାରେ ସାମାଜିକ ଅନୁଷ୍ଠାନମାନ ଗଢ଼ିଥିଲେ।
ଓଡ଼ିଶାରେ ଗୁଣିଗାରେଡ଼ି, ଗୁଣିଆ-ଡାହାଣୀ ଆରୋପରେ କୁତ୍ସିତ ହତ୍ୟାକାଣ୍ଡମାନ ଘଟୁଛି। ଏହିସବୁ ଅବଧାରଣା ପଛରେ କୌଣସି ପ୍ରମାଣ ନଥିବାସ୍ଥଳେ ଲୋକେ ଅଜ୍ଞତାହେତୁ ଏସବୁ ବିଶ୍ୱାସ କରୁଛନ୍ତି। ତେଣୁ ଏ ଦିଗରେ ହେତୁବାଦୀ ସଚେତନତାର ଗୁରୁତ୍ବ ଅଧÒକ ଅନୁଭୂତ ହୁଏ।
ସୁଧାଂଶୁ ଶେଖର ଧଡ଼ା
ଭୁବନେଶ୍ୱର, ମୋ: ୯୩୩ ୭୦୧ ୫୮୮୨