ବିନାଶ କାଳେ…

ବସ୍ତୁବାଦ ମୋହରେ ମଣିଷ ଦିନକୁଦିନ ଅହଙ୍କାରୀ,ସ୍ବାର୍ଥପର, ହୃଦୟହୀନ ଓ ବେପରୁଆ ହୋଇଯାଉଛି। ଯଦିଓ ମଣିଷ ବେଶ୍‌ ଭଲଭାବରେ ଜାଣିଛି ଯେ, ଲୋଭ ତା’ର ପରମଶତ୍ରୁ, ତଥାପି ଲୋଭର ବେଷ୍ଟନୀ ଭିତରୁ ସେ ନିଜକୁ ମୁକୁଳେଇ ପାରୁନାହିଁ । ଅସାଧୁ ଉପାୟରେ ଅଧିକରୁ ଅଧିକ ଅର୍ଥ ପାଇବାକୁ ସେ ବ୍ୟଗ୍ର ହେଉଛି । ଆଉ ତା’ର ଏ ପ୍ରକାରର ବ୍ୟଗ୍ରତା ତାକୁ ଦୁର୍ନୀତି କରିବାକୁ ଏବଂ ଭ୍ରଷ୍ଟାଚାର ଭିଆଇବାକୁ ପ୍ରବର୍ତ୍ତାଉଛି। ଯଦି ଆମର ଆବଶ୍ୟକତା ମୁତାବକ ଆମେ ଧନସମ୍ପଦ […] The post ବିନାଶ କାଳେ… appeared first on Dharitri Odia News.

ବିନାଶ କାଳେ…

ବସ୍ତୁବାଦ ମୋହରେ ମଣିଷ ଦିନକୁଦିନ ଅହଙ୍କାରୀ,ସ୍ବାର୍ଥପର, ହୃଦୟହୀନ ଓ ବେପରୁଆ ହୋଇଯାଉଛି। ଯଦିଓ ମଣିଷ ବେଶ୍‌ ଭଲଭାବରେ ଜାଣିଛି ଯେ, ଲୋଭ ତା’ର ପରମଶତ୍ରୁ, ତଥାପି ଲୋଭର ବେଷ୍ଟନୀ ଭିତରୁ ସେ ନିଜକୁ ମୁକୁଳେଇ ପାରୁନାହିଁ । ଅସାଧୁ ଉପାୟରେ ଅଧିକରୁ ଅଧିକ ଅର୍ଥ ପାଇବାକୁ ସେ ବ୍ୟଗ୍ର ହେଉଛି ।
ଆଉ ତା’ର ଏ ପ୍ରକାରର ବ୍ୟଗ୍ରତା ତାକୁ ଦୁର୍ନୀତି କରିବାକୁ ଏବଂ ଭ୍ରଷ୍ଟାଚାର ଭିଆଇବାକୁ ପ୍ରବର୍ତ୍ତାଉଛି।
ଯଦି ଆମର ଆବଶ୍ୟକତା ମୁତାବକ ଆମେ ଧନସମ୍ପଦ ଅର୍ଜନ୍ତୁ, ତେବେ କୌଣସି ସମସ୍ୟା ସୃଷ୍ଟି ହୁଅନ୍ତାନାହିଁ। କିନ୍ତୁ ଅସଲରେ ଆଜିର ସମୟରେ ପ୍ରାୟ ପ୍ରତ୍ୟେକ ମଣିଷର ପ୍ରବୃତ୍ତି ହୋଇଯାଇଛି ଆବଶ୍ୟକତାଠାରୁ ଯଥେଷ୍ଟ ଅଧିକ ଅର୍ଥ ଅର୍ଜନ ଓ ସଞ୍ଚୟ କରି ତା’ର ମାଲିକ ହେବା, ଅନ୍ୟର ଧନସମ୍ପଦ ପ୍ରତି ଲୋଭକରି ସେଗୁଡ଼ିକୁ ବଳପୂର୍ବକ ନିଜ ଅଧିକାରଭୁକ୍ତ କରିବା, ସର୍ବସାଧାରଣ ଓ ସରକାରୀ ସମ୍ପତ୍ତିକୁ ଜବରଦଖଲ କରି ତା’ଉପରେ ନିଜର ମାଲିକାନାସ୍ବତ୍ୱ ଜାହିର କରିବା।
ଅସତ୍‌ ଉପାୟରେ ଅର୍ଥ ଅର୍ଜନ କରିବା ନିଶାରେ ନିଜନିଜର ଅସଲ ପରିଚୟକୁ ଗୋପନ ରଖି କିଛି କିଛି ଶିକ୍ଷିତ, ଅର୍ଦ୍ଧଶିକ୍ଷିତ, ଅଶିକ୍ଷିତ, ପଥଭ୍ରଷ୍ଟ ବେକାର ଯୁବତୀ ଯୁବକ ନିଜକୁ ସି.ବି.ଆଇ. ଅଫିସର, ଭିଜିଲାନ୍ସ ଅଫିସର, ପୋଲିସ ଅଫିସର, ସେନାର ଉଚ୍ଚପଦସ୍ଥ ଅଫିସର, ଡାକ୍ତର, ଇଞ୍ଜିନିୟର, ନେତା, ମନ୍ତ୍ରୀ କି କୌଣସି ବଡ଼ବଡ଼ିଆଙ୍କ ପାଖଲୋକ, କୌଣସି ନା କୌଣସି ବିଭାଗର ବିଭାଗୀୟ ମୁଖ୍ୟ, ବାବାଜୀ, ଧର୍ମଗୁରୁ, ତାନ୍ତ୍ରିକ ଆଦି ନକଲି ପରିଚୟ ନେଇ ଲୋକମାନଙ୍କୁ ଭୁଆଁବୁଲେଇ ଟଙ୍କା ଲୁଟୁଥିବାର ଖବରମାନ ମିଳୁଛି ।
ଆଇନ ହାତରେ ଏମାନେ ଧରାପଡ଼ି ଜେଲ ଯାଉଛନ୍ତି ସତ, ହେଲେ କିଛିଦିନ, କିଛିମାସ କି କିଛିବର୍ଷ ପରେ ଏମାନେ ଜେଲରୁ ମୁକୁଳି ପୂର୍ବବତ୍‌ ମନ ଓ ଧ୍ୟାନ ଦେଉଛନ୍ତି ନିଜନିଜର କଳା କାରବାରର ବିକାଶ ଓ ବିସ୍ତାର କରିବା କ୍ଷେତ୍ରରେ। ‘ଅଧର୍ମ ବିତ୍ତ ବଢ଼େ ବହୁତ, ଗଲାବେଳେ ଯାଏ ମୂଳ ସହିତ’ ନ୍ୟାୟରେ ଯେଉଁ ବ୍ୟକ୍ତି ଅସାଧୁ ଉପାୟରେ ଅର୍ଥ ଅର୍ଜନ କରେ ତା’ର ଶେଷ ପରିଣତି ଅତ୍ୟନ୍ତ ଭୟାନକ ହୋଇଥାଏ। ଯେଉଁମାନେ ଦୁର୍ନୀତି କରି ଧନୀ, ବିତ୍ତଶାଳୀ ହୋଇଛନ୍ତି ସେମାନେ ଅତି ସହଜରେ ଅନ୍ୟମାନଙ୍କର ଟାର୍ଗେଟ ହୁଅନ୍ତି। କେତେବେଳେ ସେମାନଙ୍କର ଶତ୍ରୁ ସାଜନ୍ତି ଖୋଦ୍‌ ପରିବାର ଲୋକ ତ କେତେବେଳେ ବାହାର ଲୋକ। କୌଣସି ନା କୌଣସି ପରିସ୍ଥିତିରେ କେହି ନା କେହି ସେମାନଙ୍କର ଟଙ୍କାକୁ ଲୁଟିନିଅନ୍ତି, ଅହଙ୍କାର, ଆସ୍ପର୍ଦ୍ଧାକୁ ଭାଙ୍ଗି ଚୂରମାର୍‌ କରିଦିଅନ୍ତି, ହତ୍ୟା କରନ୍ତି। ଏ ପ୍ରକାରର ନଜିର ଅନେକ ରହିଛି। ଅଧିକ ଲୋଭର ବଶବର୍ତ୍ତୀ ହୋଇ ମଣିଷ ସର୍ବସ୍ବାନ୍ତ ହେବାର ମଧ୍ୟ ନଜିର ରହିଛି। ସେଇଥିପାଇଁ ତ ଯଥାର୍ଥରେ କୁହାଯାଇଛି, ‘ଆଜି ଯେ ରାଜେନ୍ଦ୍ରାସନେ କାଲି ସେ ଫକିର!’ ତେଣୁ ଅନ୍ୟାୟ, ଅଧର୍ମ, ଅସତ୍‌ ଉପାୟରେ ଯେଉଁ ଅର୍ଥ ଆସୁଛି, ସେ ଅର୍ଥ ମଧ୍ୟ ସେଇଭଳି ଭାବରେ ଅର୍ଥାତ୍‌ ଅଯଥା ବାଟରେ ଖର୍ଚ୍ଚ ହେଉଛି, ନଷ୍ଟ ହେଉଛି, ଅପବ୍ୟୟ ହେଉଛି, ଲୁଣ୍ଠିତ ହେଉଛି। ଦୁର୍ନୀତିଗ୍ରସ୍ତ ଲୋକମାନେ ପ୍ରାୟତଃ ବ୍ୟାଧିଗ୍ରସ୍ତ ହୁଅନ୍ତି। ଏଥିରୁ ଆରୋଗ୍ୟ ହେବାପାଇଁ ଟଙ୍କା ପାଣି ପରି ଖର୍ଚ୍ଚ ହୁଏ। କେତେବେଳେ ପୁଣି ନିଜ ସ୍ତ୍ରୀ, ପିଲାଛୁଆ ପ୍ରତି ଆକସ୍ମିକ ବିପଦ ମାଡ଼ିଆସେ। ଅସତ୍‌ ଉପାୟରେ ଯାହା ଟଙ୍କା ଆସିଥାଏ, ତା’ର ବହୁଗୁଣ ଟଙ୍କା ହାତରୁ ଚାଲିଯାଏ। ଦୁର୍ନୀତିଗ୍ରସ୍ତ ଲୋକର ପିଲାମାନେ ସମାଜବିରୋଧୀ କାର୍ଯ୍ୟରେ ଲିପ୍ତ ରହିବାର ନଜିର ରହିଛି। ପିଲାମାନଙ୍କୁ ଆଇନ ହାତରୁ ମୁକୁଳେଇବା ପାଇଁ ବାପା, ମା’ ହଟହଟା ହୁଅନ୍ତି। ଅର୍ଥବ୍ୟୟ, ମନସ୍ତାପ, ଶରୀରପୀଡ଼ାରେ ଆକ୍ରାନ୍ତ ହୁଅନ୍ତି।
ହେଲେ ଏବେ ସମାଜରେ ନୀତି, ଆଦର୍ଶର ସ୍ଥାନ ନାହିଁ, ମୂଲ୍ୟବୋଧର ଅବକ୍ଷୟ ହେଉଛି ପ୍ରତି ମୁହୂର୍ତ୍ତରେ। ଘୋର ସଙ୍କଟ ସମୟ ଦେଇ ଆମେ ସଭିଏ ଗତିକରୁଛୁ। ଅତଏବ ଏ ସଙ୍କଟ ସମୟରେ ‘ଅଧର୍ମ ବିତ୍ତ ବଢ଼େ ବହୁତ, ଗଲାବେଳେ ଯାଏ ମୂଳ ସହିତ’; ଆପ୍ତବାଣୀର ଅର୍ଥ ବୁଝିବ କିଏ? ଭେଳିକିରେ ମାତିଛନ୍ତି ପ୍ରାୟ ସଭିଏ। ଆଜିର ତ୍ରୁଟିପୂର୍ଣ୍ଣ ଆଇନକାନୁନ୍‌ ଓ ସାମାଜିକ ବିଧିବ୍ୟବସ୍ଥା ମଣିଷକୁ ଯଥେଷ୍ଟ ମାତ୍ରାରେ ଅର୍ଥଲୋଭୀ କରିଦେଇଛି। ‘ମୋତେ ଯେତେ ମାଠିବୁ ମାଠ, ମୁଁ ସେଇ ଦରପୋଡ଼ା କାଠ’ ନ୍ୟାୟରେ ଯେମିତି ଉପାୟରେ ହେଉ, ଯେକୌଣସି ସ୍ତରକୁ ଯିବାକୁ ପଡୁ ପଛକେ ବିତ୍ତ ବା ଅର୍ଥ ହାସଲ କରିବାର ନିଶା ବଢ଼ିଯାଇଛି। ଏସବୁର ଅନ୍ତିମ ପରିଣାମ କ’ଣ ହେବ; ସେ ସମ୍ପର୍କରେ କେହି ବି ବୁଝିବାକୁ ପ୍ରସ୍ତୁତ ନୁହନ୍ତି।

  • ରାଧାଶ୍ୟାମ ରାଉଳ
    ମୋ: ୯୪୩୭୦୯୦୯୮୫

The post ବିନାଶ କାଳେ… appeared first on Dharitri Odia News.