ବିରଜା ହାଟକୁ ନେଇ ତେଜୁଛି ରାଜଜୈତିକ କଳି
ଯାଜପୁର,୨୬ା୧୧(ହର୍ଷବର୍ଦ୍ଧନ ବେହେରା): ଯାଜପୁର ଟାଉନ୍ର ବିରଜା ହାଟକୁ ନେଇ ରାଜନୈତିକ କଳି ତେଜିବାରେ ଲାଗିଛି। ବିଜେଡି ଓ ଭାଜପା ନେତାମାନେ ପରସ୍ପରକୁ ଦୋଷାରୋପ କରୁଛନ୍ତି। ଏପରିକି ଏହାକୁ ନେଇ ଆଇନ ଶୃଙ୍ଖଳା ସ୍ଥିତି ଜଟିଳ ହେଉଥିବାରୁ ପୋଲିସ ପ୍ରଶାସନ ପକ୍ଷରୁ ଯାଜପୁର ସହର ଓ ସଦର ଅଞ୍ଚଳରେ ଭାରତୀୟ ନାଗରିକ ସୁରକ୍ଷା ସଂହିତାର ଧାରା ୧୬୩ ଲାଗୁ କରାଯାଇଛି। ଏହାସହ ପ୍ରଥମ କରି ବିରଜା ହାଟ ବନ୍ଦ ହୋଇଛି। ଫଳରେ ଶତାଧିକ କ୍ଷୁଦ୍ରବ୍ୟବସାୟୀଙ୍କ ଜୀବିକା ପ୍ରଭାବିତ ହୋଇଥିବାରୁ […] The post ବିରଜା ହାଟକୁ ନେଇ ତେଜୁଛି ରାଜଜୈତିକ କଳି appeared first on Dharitri Odia News.
ଯାଜପୁର,୨୬ା୧୧(ହର୍ଷବର୍ଦ୍ଧନ ବେହେରା): ଯାଜପୁର ଟାଉନ୍ର ବିରଜା ହାଟକୁ ନେଇ ରାଜନୈତିକ କଳି ତେଜିବାରେ ଲାଗିଛି। ବିଜେଡି ଓ ଭାଜପା ନେତାମାନେ ପରସ୍ପରକୁ ଦୋଷାରୋପ କରୁଛନ୍ତି। ଏପରିକି ଏହାକୁ ନେଇ ଆଇନ ଶୃଙ୍ଖଳା ସ୍ଥିତି ଜଟିଳ ହେଉଥିବାରୁ ପୋଲିସ ପ୍ରଶାସନ ପକ୍ଷରୁ ଯାଜପୁର ସହର ଓ ସଦର ଅଞ୍ଚଳରେ ଭାରତୀୟ ନାଗରିକ ସୁରକ୍ଷା ସଂହିତାର ଧାରା ୧୬୩ ଲାଗୁ କରାଯାଇଛି। ଏହାସହ ପ୍ରଥମ କରି ବିରଜା ହାଟ ବନ୍ଦ ହୋଇଛି। ଫଳରେ ଶତାଧିକ କ୍ଷୁଦ୍ରବ୍ୟବସାୟୀଙ୍କ ଜୀବିକା ପ୍ରଭାବିତ ହୋଇଥିବାରୁ ଉଦ୍ବେଗ ପ୍ରକାଶ ପାଇଛି। ଅନ୍ୟପକ୍ଷରେ ବିରଜା ପ୍ରକଳ୍ପ କାର୍ଯ୍ୟକୁ ତ୍ୱରାନ୍ବିତ କରିବା ଏବଂ ଆବଶ୍ୟକ ପଡ଼ିଲେ ଆହୁରି ଅନୁଦାନ ଯୋଗାଇ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ପରେ ବିରୋଧୀଙ୍କ ଅକଲ ଗୁଡୁମ୍ ହୋଇଯାଇଥିବା ଚର୍ଚ୍ଚା ଜୋର ଧରିଛି।
ବିରଜା ମନ୍ଦିର ସନି୍ନକଟ ଅଞ୍ଚଳରେ କେଉଁ ପୁରୁଣା ସମୟରୁ ‘ବିରଜା ଅଗ୍ନେଶ୍ୱର ହାଟ’ ପ୍ରତି ବୁଧବାର ଓ ରବିବାର ଚାଲୁରହିଥିଲା। ବିରଜା ମନ୍ଦିର ପରିକ୍ରମା ପ୍ରକଳ୍ପ କାର୍ଯ୍ୟ ଭଳି ସେଠାରେ ହାଇଟେକ୍ ହାଟ ନିର୍ମାଣ କରିଯିବ ବୋଲି ୨୦୨୩ରେ ତତ୍କାଳୀନ ବିଜେଡି ସରକାର ଘୋଷଣା କରିଥିଲେ। ତଦନୁଯାୟୀ ଜିଲା ପ୍ରଶାସନ ପକ୍ଷରୁ ବିରଜା ହାଟକୁ ସାମୟିକ ସମୟ ପାଇଁ ସ୍ଥାନାନ୍ତର କରିବାକୁ ଯୋଜନା ହୋଇଥିଲା। ପରେ ୨୦୨୪ରେ ହାଟକୁ ସନ୍ଥମାଧବ ଅଞ୍ଚଳକୁ ସ୍ଥାନାନ୍ତର କରାଯାଇଥିଲା। କିନ୍ତୁ ସେଠାରେ ବ୍ୟବସାୟ ହେଲାନାହିଁ, ଚାଷୀମାନେ କ୍ଷତିଗ୍ରସ୍ତ ହେଲେ। ଉକ୍ତ ଜାଗା ଅନୁପଯୋଗୀ ହୋଇଥିବାରୁ ଲୋକେ ସେଠାକୁ ଗଲେନାହିଁ। ଏନେଇ ହାଟର ବ୍ୟବସାୟୀ ଓ ଚାଷୀମାନେ ବିଭିନ୍ନ ସମୟରେ ପ୍ରଶାସନ ପାଖରେ ଲିଖିତ ଭାବେ ଜଣାଇଥିଲେ। ତେଣୁ ଜିଲା ପ୍ରଶାସନ ବ୍ୟବସାୟୀ ଓ ଚାଷୀମାନଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ପୁରୁଣା ସ୍ଥାନରେ ବିରଜା ହାଟକୁ ଚଳାଇବାକୁ ଅନୁମତି ଦେଇଥିଲେ। ତଦନୁଯାୟୀ ଗତ ବୁଧବାର (୨୦ ତାରିଖରେ) ପୁରୁଣା ସ୍ଥାନରେ ହାଟ ବସିଥିଲା। ଏହାକୁ ବିଜେଡି ବିରୋଧ କରିଥିଲା। ବିଜେଡି ସରକାର ସମୟରେ ନୂଆ ହାଟ କରିବା ପାଇଁ ପଦକ୍ଷେପ ନିଆଯାଇଥିବାରୁ ଦଳୀୟ କର୍ମୀମାନେ ପୁରୁଣା ସ୍ଥାନରେ ହାଟ ଚଳାଇବା ନେଇ ପ୍ରଶାସନ ଅନୁମତିକୁ ବିରୋଧ କରିଥିଲେ। ଏଥିପାଇଁ ସେମାନେ ଗତ ବୁଧବାର ବୁଢ଼ାପୋଲ ନିକଟରେ ଟାୟାର ଜାଳି ରାସ୍ତାରୋକୋ କରିଥିଲେ। ଏହି ସମୟରେ ସେହି ବାଟ ଦେଇ ଆସୁଥିବା ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁ(ଲିକୁ)ଙ୍କୁ ବିଜେଡି କର୍ମୀମାନେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଏହାସହ ହାଟକୁ ଯାଉଥିବା ବ୍ୟବସାୟୀ ଏବଂ ଚାଷୀମାନଙ୍କୁ ଅଟକାଇବା, ଧମକାଇବା ଆକ୍ରମଣ କରିବା ଏବଂ ଟଙ୍କା ଛଡ଼ାଇ ନେବା ନେଇ ଅଭିଯୋଗ ହୋଇଛି। ଏନେଇ ଯାଜପୁରର ପୂର୍ବତନ ବିଧାୟକ ପ୍ରଣବ ପ୍ରକାଶ ଦାସ(ବବି)ଙ୍କ ଭାଇ ଭବ ପ୍ରସାଦ ଦାସ(ଲଲ)ଙ୍କ ସମେତ ୧୯ଜଣଙ୍କୁ ଗିରଫ କରାଯାଇଥିବାବେଳେ ଟାଉନ ଓ ସଦର ଥାନାରେ ୧୭ଟି ମାମଲା ରୁଜୁ ହୋଇଛି।
ଲଲଙ୍କ ଗିରଫଦାରିକୁ ଜିଲା ବିଜେଡି ପକ୍ଷରୁ ଅଗଣତାନ୍ତ୍ରିକ କୁହାଯିବା ସହ ପୋଲିସ ଏବଂ ରାଜ୍ୟ ସରକାରଙ୍କ ବିରୋଧରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଅନ୍ୟପକ୍ଷରେ ପୁରୁଣା ସ୍ଥାନରେ ବିରଜା ହାଟ ଚାଲିବାକୁ ବିରୋଧ ଆଳରେ ଲୋକଙ୍କୁ ଉସୁକାଇବା, ଜୀବନଜୀବିକା ପାଇଁ ସଂଗ୍ରାମ କରୁଥିବା ବ୍ୟବସାୟୀଙ୍କ ଆସବାବପତ୍ର ଫୋପାଡି ଦେବା ଏବଂ ଧର୍ମଶାଳା ବିଧାୟକଙ୍କୁ ଆକ୍ରମଣ ପଛର ମୁଖ୍ୟ କାର୍ପଟଦାରଙ୍କୁ ପ୍ରଶାସନ ସୁରକ୍ଷା ଦେଉଥିବା ଚର୍ଚ୍ଚା ହେଉଛି। ବିରଜା ହାଟର ସ୍ବତନ୍ତ୍ରତା ରହିଛି। ବିରଜା ମନ୍ଦିର ପରିକ୍ରମା ପ୍ରକଳ୍ପର ବିକାଶ କାର୍ଯ୍ୟରେ ଏହି ହାଟ କୌଣସି ପ୍ରତିବନ୍ଧକ ନୁହେଁ। ବିରଜା ହାଟକୁ ସ୍ଥାନାନ୍ତର ପାଇଁ ଉଦ୍ୟମ କରୁଥିବା କେତେଜଣ ପ୍ରଭାବଶାଳୀ ବ୍ୟକ୍ତିଙ୍କ ଜମିଜମା ସ୍ବାର୍ଥ ରହିଛି ବୋଲି ଜିଲା ସାରା ଚର୍ଚ୍ଚା ହେଉଛି। ଭାଜପା ନେତାମାନେ କହୁଛନ୍ତି ଯେ, ଏବେ ମନ୍ଦିର ପରିକ୍ରମା ପ୍ରକଳ୍ପ କାର୍ଯ୍ୟ ଚାଲିଛି। ଏଥିପାଇଁ ଆବଶ୍ୟକ ଜାଗା ପରେ ମଧ୍ୟ ଅବଶିଷ୍ଟାଂଶ ୧ ଏକର ଜାଗା ରହିଛି। ସେଠାରେ ହାଟ ହୋଇପାରିବ। ଏହାସମେତ ଏହି ସ୍ଥାନକୁ ଲାଗି ଜାଗା ମାଲିକ ହାଟକୁ ଅଧିକ ଜାଗା ଦେବାପାଇଁ ଜିଲା ପ୍ରଶାସନ ପାଖରେ ଲିଖିତ ଆକାରରେ ପ୍ରତିଶ୍ରୁତି ଦେଇଛନ୍ତି। ଏଣୁ ହାଟ ହେଲେ ବିରଜା ମନ୍ଦିର ପ୍ରକଳ୍ପ କ୍ଷତିଗ୍ରସ୍ତ ହେବନାହିଁ ବୋଲି ଭାଜପା ନେତାମାନେ କହି ଆସୁଛନ୍ତି। ତେଣୁ କେଉଁ ସ୍ବାର୍ଥରେ ବିରଜା ହାଟକୁ ସ୍ଥାନାନ୍ତର ଉଦ୍ୟମ କରାଯାଉଛି ତାହାର ତଦନ୍ତ ହେବା ଆବଶ୍ୟକ ବୋଲି ମତପ୍ରକାଶ ପାଇଛି।
The post ବିରଜା ହାଟକୁ ନେଇ ତେଜୁଛି ରାଜଜୈତିକ କଳି appeared first on Dharitri Odia News.