ବିଶ୍ବ ଆଜି ରାମମୟ
ଲୀଳାମୟ ପ୍ରଭୁ ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀରାମଚନ୍ଦ୍ରଙ୍କ ବିନା ଆଦେଶରେ ଗଛରେ ପତ୍ର ମଧ୍ୟ ହଲେ ନାହିଁ। ପ୍ରଭୁଶ୍ରୀରାମଙ୍କ ଇଚ୍ଛାରେ ଦୀର୍ଘ ୫୦୦ବର୍ଷର ପ୍ରତୀକ୍ଷାର ଅନ୍ତ ପରେ ଗତ ୨୦୨୪ ଜାନୁଆରୀ୨୨ ସୋମବାର ପବିତ୍ର ପୌଷ ଶୁକ୍ଳ ଦ୍ୱାଦଶୀ(କୁର୍ମ)ବିକ୍ରମ ସମ୍ୱତ୍ସର, ମୃଗଶିରା ନକ୍ଷତ୍ର ମଧ୍ୟାହ୍ନ ୧୨.୨୯ରୁ ୧୨.୩୧ମଧ୍ୟରେ ମୋଟ ୮୪ସେକେଣ୍ଡର ଅଭିଜିତ୍ ମୁହୂର୍ତ୍ତରେ ଅଯୋଧ୍ୟା(ଅବଧ) ନଗରୀର ଭବ୍ୟମନ୍ଦିରରେ ପ୍ରଭୁଙ୍କ ବାଳରୂପ ଶ୍ରୀରାମଲାଲାଙ୍କ ପ୍ରାଣପ୍ରତିଷ୍ଠା ଉତ୍ସବ ସମ୍ପନ୍ନ ହୋଇଛି। ପୃଥିବୀରେ କୋଉଦେଶରେ ଯେ ପ୍ରଭୁ ରାମଲାଲାଙ୍କ ନାମରେ ଗୁଞ୍ଜରଣ ସୃଷ୍ଟି […]

ଲୀଳାମୟ ପ୍ରଭୁ ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀରାମଚନ୍ଦ୍ରଙ୍କ ବିନା ଆଦେଶରେ ଗଛରେ ପତ୍ର ମଧ୍ୟ ହଲେ ନାହିଁ। ପ୍ରଭୁଶ୍ରୀରାମଙ୍କ ଇଚ୍ଛାରେ ଦୀର୍ଘ ୫୦୦ବର୍ଷର ପ୍ରତୀକ୍ଷାର ଅନ୍ତ ପରେ ଗତ ୨୦୨୪ ଜାନୁଆରୀ୨୨ ସୋମବାର ପବିତ୍ର ପୌଷ ଶୁକ୍ଳ ଦ୍ୱାଦଶୀ(କୁର୍ମ)ବିକ୍ରମ ସମ୍ୱତ୍ସର, ମୃଗଶିରା ନକ୍ଷତ୍ର ମଧ୍ୟାହ୍ନ ୧୨.୨୯ରୁ ୧୨.୩୧ମଧ୍ୟରେ ମୋଟ ୮୪ସେକେଣ୍ଡର ଅଭିଜିତ୍ ମୁହୂର୍ତ୍ତରେ ଅଯୋଧ୍ୟା(ଅବଧ) ନଗରୀର ଭବ୍ୟମନ୍ଦିରରେ ପ୍ରଭୁଙ୍କ ବାଳରୂପ ଶ୍ରୀରାମଲାଲାଙ୍କ ପ୍ରାଣପ୍ରତିଷ୍ଠା ଉତ୍ସବ ସମ୍ପନ୍ନ ହୋଇଛି। ପୃଥିବୀରେ କୋଉଦେଶରେ ଯେ ପ୍ରଭୁ ରାମଲାଲାଙ୍କ ନାମରେ ଗୁଞ୍ଜରଣ ସୃଷ୍ଟି ନ ହୋଇଛି, ରାମଲାଲାଙ୍କ ଭବ୍ୟ ପ୍ରଦର୍ଶନ ନ ହୋଇଛି ଏମିତି କ୍ୱଚିତ ଅଛି। ବିଶ୍ୱର କୋଣଅନୁକୋଣରୁ ଆସିଥିବା ୮୦ ଅତି ବିଶିଷ୍ଟ ଅତିଥିଙ୍କ ସମେତ ୮, ୦୦୦ ବିଶିଷ୍ଟ ଅତିଥି ସମେତ ହଜାର ହଜାର ସାଧୁସନ୍ଥ, କ୍ରୀଡ଼ାବିତ୍, ସିନେ କଳାକାର, ସଙ୍ଗୀତଜ୍ଞ, କଣ୍ଠଶିଳ୍ପୀ, ବିଚାରପତିବୃନ୍ଦ, ବୈଜ୍ଞାନିକ, କୂଟନୀତିଜ୍ଞ, ଶିକ୍ଷାବିତ୍, ବିଶିଷ୍ଟ ଆଧ୍ୟାତ୍ମିକ ଗୁରୁ ଏବଂ ସମାଜର ସବୁବର୍ଗର କର୍ଣ୍ଣଧାରମାନେ ବାଲକରାମଙ୍କ ନବ୍ୟ, ଦିବ୍ୟ ତଥା ଭବ୍ୟ ରାମମନ୍ଦିରର ପ୍ରାଣପ୍ରତିଷ୍ଠା ଉତ୍ସବରେ ଯୋଗ ଦେଇଥିଲେ। ଗଗନ, ପବନ ସର୍ବତ୍ର ‘ଜୟଶ୍ରୀରାମ’ ନାଦରେ ପ୍ରକମ୍ପିତ ହେଉଥିଲା। ଭାରତୀୟ ବାୟୁସେନାର ହେଲିକପ୍ଟର ଆକାଶମାର୍ଗରୁ ଭକ୍ତମାନଙ୍କ ଉପରେ ପୁଷ୍ପ ବୃଷ୍ଟି କରୁଥିଲା। ସେ ଦିନ ୫୦ ପ୍ରକାରରୁ ଅଧିକ ବାଦ୍ୟଯନ୍ତ୍ରରେ ମୁଖରିତ ଥିଲା ଅଯୋଧ୍ୟା। ଏତେ ବଡ଼ ଉତ୍ସବର ସୁପରିଚାଳନା ସକାଶେ ୭ଥାକିଆ ସୁରକ୍ଷାବ୍ୟବସ୍ଥା ଗ୍ରହଣ କରାଯାଇଥିଲା। ନିଯୁକ୍ତ ଥିଲେ ୩୧ ଆଇପିଏସ୍, ସ୍ନାଇପର, ଏଟିଏସ୍, ଆଣ୍ଟିଗନ୍ ସ୍କ୍ୱାଡ୍ ସହ ୨୫ହଜାର ଯବାନ। ୧୦୦୦ ସିସିଟିଭିରେ ସବୁ ମନିଟରିଙ୍ଗ କରାଯାଉଥିଲା। କୌଣସିପ୍ରକାର ଇଲେକ୍ଟ୍ରୋନିକ୍ସ ଗ୍ୟାଜେଟ୍ ନିଷେଧ ଥିଲା। ପ୍ରଖ୍ୟାତ କଣ୍ଠଶିଳ୍ପୀ ଅନୁରାଧା ପୋଡ଼ୱାଲ୍, ସୋନୁ ନିଗମ ଓ ସାଥୀମାନେ ଶ୍ରୀରାମ ଭଜନ ପରିବେଷଣ କରୁଥିଲେ।
ବିଗତଦିନର ଲୋକପ୍ରିୟ ଧାରାବାହିକ ‘ରାମାୟଣ’ର ରାମ-ଅରୁଣ ଗୋଭିଲ, ସୀତା-ଦୀପିକା ଚିଖଲାଇ, ଲକ୍ଷ୍ମଣ- ସୁନୀଲ ଲାହିରୀ ମଧ୍ୟ ଏଥିରେ ଅତିଥିଭାବେ ଅଯୋଧ୍ୟା ଆସିଥିଲେ। ସାଧାରଣ ବେଶରେ ସେମାନେ ଯେତେବେଳେ ଅଯୋଧ୍ୟା ରାଜପଥରେ ଚାଲୁଥିଲେ ଅଯୋଧ୍ୟାବାସୀ ସେମାନଙ୍କୁ ଅଟକାଇ ରାମାୟଣ ଧାରାବାହିକର ଉତ୍ତରାଖଣ୍ଡରେ ଲବକୁଶ ଗାଇଥିବା, ‘ହମ୍ କଥା ସୁନାତେ ରାମ କଥଲ ଗୁନ ଧାମକି, ୟେ ରାମାୟଣ ହେ ପୁଣ୍ୟ କଥା ଶ୍ରୀରାମ କି…’ ଗୀତରେ ନାଚିଗାଇ ଅଭିନନ୍ଦନ ଜଣାଇଥିଲେ।
ପାକିସ୍ତାନର ଶ୍ରଦ୍ଧାଳୁ ସେଠାରେ ଏକମାତ୍ର ହିନ୍ଦୁଦେବୀ(ହିଙ୍ଗଲାଜ ମାତା) ମନ୍ଦିରର ଜଳ ପଠାଇଛନ୍ତି ଅଭିଷେକ ପାଇଁ। ଆଫଗାନିସ୍ତାନ ତାଲିବାନି ଉପହାର ଏବଂ କୁବା(କାବୁଲ) ନଦୀର ଜଳ ପଠାଇଛନ୍ତି ପ୍ରଭୁଙ୍କ ସକାଶେ। ଭାରତ-ଚୀନ ସୀମାରେ ଚୀନା ସୈନ୍ୟ ‘ଜୟଶ୍ରୀରାମ’ ଧ୍ୱନୀ ଦେଇଛନ୍ତି ଆଗ୍ରହରେ। ସେହିପରି ଭାବେ ଏହି ପବିତ୍ର ପ୍ରାଣପ୍ରତିଷ୍ଠା ଉତ୍ସବର ସିଧାପ୍ରସାରଣ କରାଯାଇଥିଲା ନିଉୟର୍କ ସହରର ବିଖ୍ୟାତ ଟାଇମ୍ ସ୍କୋୟାରରେ ଏବଂ ସେହି ସମୟରେ ନ୍ୟୁଜିଲାଣ୍ଡର ଅକଲ୍ୟାଣ୍ଡରେ, ଇଂଲଣ୍ଡର ଅନେକତ୍ର ଓ ଅଷ୍ଟ୍ରେଲିଆର ସିଡନି ସହରରେ ମଧ୍ୟ ଏହି ଉତ୍ସବକୁ ପାଳନ କରାଯାଇଥିଲା। ଗୋଟିଏ ସମ୍ୱାଦ ଆସିଛି ଯେ ବିଶ୍ୱର ସର୍ବବୃହତ୍ ଶ୍ରୀରାମ ମନ୍ଦିର ୧୦୮ ଏକର ଜମିରେ ଏକ ଭବ୍ୟ ମନ୍ଦିର ପ୍ରତିଷ୍ଠା କରାଯିବ ଅଷ୍ଟ୍ରେଲିଆର ବନ୍ଦର ସହର ପର୍ଥରେ ୮୦୦ କୋଟି ଡଲାର ବିନିମୟରେ। ସେଠାରେ ରାମାୟଣ ସମ୍ପର୍କୀୟ ଅଧ୍ୟୟନ ଓ ଗବେଷଣା ନିମନ୍ତେ ଏକ ବିଶ୍ୱବିଦ୍ୟାଳୟ, ମହର୍ଷି ମହେଶଯୋଗୀ ରାମାୟଣ ବିଶ୍ୱବିଦ୍ୟାଳୟ ମଧ୍ୟ ପ୍ରତିଷ୍ଠା ହେବ, ଯାହା ସନାତନୀ ହିନ୍ଦୁମାନଙ୍କ ସକାଶେ ଗର୍ବ ଓ ଗୌରବର ବିଷୟ ନିଶ୍ଚିତ।
ପ୍ରତିଷ୍ଠା ପରଦିନ ୨୩ରୁ ୧୧ଦିନ ମଧ୍ୟରେ ପ୍ରାୟ ୧୫ଲକ୍ଷ ଭକ୍ତ ବାଲକରାମଙ୍କ ଦର୍ଶନ କରିଥିଲେ ଓ ୧୧ କୋଟି ଟଙ୍କା ଦାନ ଆକାରରେ ମିଳିଥିଲା। ଅଯୋଧ୍ୟାରେ ପ୍ରବଳ ଥଣ୍ଡା ସତ୍ତ୍ବେ ଭକ୍ତମାନେ ରାତି ୩ଟାରୁ ଲାଇନ ଲଗାଉଥିଲେ। ଏହା ତ ଥିଲା ସର୍ବସାଧାରଣ ଭକ୍ତଜନ ବା ଶ୍ରଦ୍ଧାଳୁଙ୍କ ଦାନ। ଦକ୍ଷିଣ ସିନେମାର ସୁପରଷ୍ଟାର ପ୍ରଭାସ(ବାହୁବଳୀ)ଦେଇଛନ୍ତି ୫୦କୋଟି ଟଙ୍କା ରାମମନ୍ଦିର ନିର୍ମାଣାର୍ଥେ। ତେଲୁଗୁଷ୍ଟାର ଜନସେନା ପାର୍ଟିର ମୁଖ୍ୟ ପବନ କଲ୍ୟାଣ ଦେଇଛନ୍ତି ୩୦ ଲକ୍ଷ। ବର୍ଷିଆନ୍ ଅଭିନେତା ଅନୁପମ ଖେର ରାମମନ୍ଦିରରେ ଲାଗିଥିବା ଇଟାର ଏକ ବଡ଼ଅଂଶ ଦାନ କରିଛନ୍ତି। ସୂଚନାଯୋଗ୍ୟ ରାମମନ୍ଦିରରେ ଲାଗିଥିବା ସବୁ ଇଟାରେ ‘ରାମ’ ନାମ ଲେଖାଯାଇଛି। ଭାରତୀୟ ଆଧ୍ୟାତ୍ମିକ ଗୁରୁ ସନ୍ଥ ମୁରାରୀ ବାପୁ ଦେଇଛନ୍ତି ୧୧.୩ କୋଟି ଟଙ୍କା। ତାଙ୍କ ଭକ୍ତବୃନ୍ଦ ଦେଇଛନ୍ତି ୮ କୋଟି ଟଙ୍କା। ଶିଳ୍ପପତି ମୁକେଶ ଅମ୍ୱାନୀ ଓ ଝିଅ ଈଷା ମିଶି ଦେଇଛନ୍ତି ୧୦ କୋଟି ଟଙ୍କା। ଗୁଜୁରାଟର ବ୍ୟବସାୟୀ ଦୀପକ ଭି. ଲାଖଭି ଦେଇଛନ୍ତି ୧୦୧କେଜି ସୁନା ରାମମନ୍ଦିରର ୧୪ଟି କବାଟ ସ୍ୱର୍ଣ୍ଣାଛାଦନ ସକାଶେ। ସେହି ଗୁଜରାଟର ହୀରା ବ୍ୟବସାୟୀ ମହେଶ ପଟେଲ ବାଲକରାମଙ୍କ ଲାଗି ୪ କିଗ୍ରା ସୁନା ସମେତ ହୀରା, ମୋତି, ମାଣିକର ମୁକୁଟ ଦେଇଛନ୍ତି, ଯାହାର ମୂଲ୍ୟ ୧୧କୋଟି ଟଙ୍କା। ଗୋବିନ୍ଦ ଅଗ୍ରୱାଲ ନାମକ ବ୍ୟବସାୟୀ ଦାନ ଦେଇଛନ୍ତି ୧୧ କୋଟି ଟଙ୍କା। ବିହାରରୁ ଆସିଛି ସୁନାର ଧନୁ, ତୀର, ୧୨୬୫ କେଜିର ଏକ ଲଡୁ ଆସିଛି ବାଲକରାମଙ୍କ ପ୍ରସାଦ ସକାଶେ। ମଥୁରାର କେଶବଦେବ ମନ୍ଦିରରୁ ଏକ ସୁନ୍ଦର ବଂଶୀ ସହିତ ଅନେକ ବେଶପୋଷାକ ଓ ବିଭିନ୍ନ ଭୋଗପଦାର୍ଥ ଆଣି ଆସିଥିଲେ ମନ୍ଦିରର ଆଚାର୍ଯ୍ୟ। କାଶ୍ମୀରର ଜଣେ ବ୍ୟବସାୟୀ ରାମମନ୍ଦିରର ଚିତ୍ରଥିବା ଏକ ସୁନ୍ଦର ସାଲ ପଠାଇଛନ୍ତି ପ୍ରଭୁ ବାଲକରାମଙ୍କ ଉଦ୍ଦେଶ୍ୟରେ। ଓଡ଼ିଶାର କଟକ ଜିଲ୍ଲା ତିଗିରିଆ ନୂଆପାଟଣାରେ ବୁଣାଯାଇଥିବା ‘ରାମଚରିତ ମାନସ’ ଲେଖାଯାଇଥିବା ଏକ ଖଣ୍ଡୁଆପାଟ ଯାଇଛି ବାଲକରାମଙ୍କ ସକାଶେ, ଯାହା ପ୍ରଭୁ ପ୍ରାଣ ପ୍ରତିଷ୍ଠା ପରଦିନ ୨୩ ତାରିଖରେ ପରିଧାନ କରିବାର କାର୍ଯ୍ୟକ୍ରମ ଥିଲା। ଏହିପରି ବିଭିନ୍ନପ୍ରକାର ବିଚିତ୍ର, ସୁନ୍ଦର ଦୁର୍ମୂଲ୍ୟ ପଦାର୍ଥ ଆସିଛି/ ଆସୁଅଛି ମଧ୍ୟ ପ୍ରଭୁ ରାମଲାଲାଙ୍କ ନିମନ୍ତେ, ଏମିତିକି ବିଦେଶରୁ ମଧ୍ୟ। ବିଦେଶରୁ ଆସିଥିବା ବିପୁଳ ଅର୍ଥରାଶି ଜମାହେବାରେ ବିଳମ୍ୱ କିଛି ବୈଷୟିକ ତ୍ରୁଟିଯୋଗୁଁ।
ଓଡ଼ିଶା ପାଇଁ ଉଲ୍ଲେଖନୀୟ ହେଲା, ଉତ୍ତର ପ୍ରଦେଶ ସରକାରଙ୍କ ନିମନ୍ତ୍ରଣକ୍ରମେ ସ୍ୱନାମଧନ୍ୟ ବାଲୁକାଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ଓ ସାଥିମାନେ ନିର୍ମାଣ କରିଥିଲେ ଏକ ବିଶାଳ ସୁଦୃଶ୍ୟ ବାଲକରାମଙ୍କ ବାଲୁକା ଶିଳ୍ପ, ୫୦୦ ଛୋଟ ଛୋଟ ମନ୍ଦିର(୫୦୦ ବର୍ଷର ପ୍ରତୀକ୍ଷାର ପ୍ରତୀକ ସ୍ୱରୂପ)କୁ ଯୋଡ଼ି ନୂତନ ରାମମନ୍ଦିରର ପ୍ରତିକୃତି, ଯାହାର ଦୁଇପାର୍ଶ୍ବରେ ପ୍ରଧାନମନ୍ତ୍ରୀ ମୋଦୀ ଓ ଯୋଗୀ ଆଦିତ୍ୟନାଥ ପ୍ରଣତି ମୁଦ୍ରାରେ ଥିଲେ।
ନ୍ୟାଶ୍ନାଲ୍ ଇନଷ୍ଟିଚ୍ୟୁଟ୍ ଅଫ୍ ରକ୍ ମ୍ୟାନେଜମେଣ୍ଟ ଦ୍ୱାରା ପରୀକ୍ଷିତ ହେବା ପରେ ଜଣାପଡ଼ିଲା ଯେ ରାମଲାଲାଙ୍କ ମୂର୍ତ୍ତି ପ୍ରସ୍ତୁତି ନିମନ୍ତେ କର୍ଣ୍ଣାଟକରୁ ସଂଗୃହୀତ କୃଷ୍ପ-ଶ୍ୟାମଳ ଗ୍ରାନାଇଟ ପଥରଟି ୨, ୫୦୦ ବର୍ଷ ତଳର। ଏହା ଅତିକଠିନ ଏବଂ ଏସିଡ୍, କ୍ଷୀର, ପାଣି ସମ୍ପର୍କରେ ଆସିଲେ ମଧ୍ୟ ସେଥିରେ କୌଣସିପ୍ରକାର କ୍ଷତି ହେବନାହିଁ। ପ୍ରସିଦ୍ଧ ମୂର୍ତ୍ତିକାର କର୍ଣ୍ଣାଟକର ଅରୁଣ ଯୋଗୀରାଜ ଅଧୁନା ପୂଜିତ ମୂର୍ତ୍ତିଟି ପ୍ରସ୍ତୁତ କଲେ, ଯାହା ପ୍ରଭୁଙ୍କର ସହାସ୍ୟ ମୁଖମଣ୍ଡଳ ଓ ବାଳକସୁଲଭ ଚାହାଣୀ(ଆଖି ଯାହା କୃଷ୍ଣଶୀଳାରେ ଉତ୍ତାରିବା ଅତ୍ୟନ୍ତ କଷ୍ଟକର)ଯୋଗୁଁ ହିଁ ବିଚାରକ ମଣ୍ଡଳୀର ମନ ଜିଣିପାରିଲା। ମୁଖ୍ୟବିଗ୍ରହ ଏକ ପଦ୍ମଫୁଲ ଉପରେ ଦଣ୍ଡାୟମାନ, ପାଦତଳେ ହନୁମାନ ଓ ପ୍ରଭା(ଚାରିପଟେ ବେଷ୍ଟନ କରିଥିବା ବଳୟ)ରେ ଦଶାବତାର ଖୋଦିତ, ହାତରେ ଧନୁ ଓ ପୃଷ୍ଠଭାଗରେ ତୀର ଧାରଣ କରିଥିବା ବାଲକରାମ ବିଭିନ୍ନ ଅଳଙ୍କାର, ମୁକୁଟ ବେଶପୋଷାକରେ ଅପୂର୍ବ ଶୋଭା ବହନ କରୁଛନ୍ତି ଅଯୋଧ୍ୟାପତି ରାଜୀବଲୋଚନ ବାଳଶ୍ରୀରାମ। ସେହି କର୍ଣ୍ଣାଟକର ଗଣେଶ ଭଟ୍ଟ କୃଷ୍ଣଶୀଳାରେ ନିର୍ମାଣ କରିଥିବା ୫୪ ଇଞ୍ଚର ରାମଲାଲାଙ୍କ ମୂର୍ତ୍ତି ଓ ରାଜସ୍ଥାନ, ଜୟପୁରର ଶିଳ୍ପୀ ସତ୍ୟନାରାୟଣ ପାଣ୍ଡେ ପ୍ରସ୍ତୁତ କରିଥିବା ଶ୍ୱେତ ମର୍କଣା ମାର୍ବଲ୍ର ରାମଲାଲାଙ୍କ ବିଗ୍ରହ ମୁଖ୍ୟମନ୍ଦିରର ଗର୍ଭଗୃହରେ ସ୍ଥାନ ନ ପାଇଲେ ମଧ୍ୟ ସେହି ମୂର୍ତ୍ତିଦ୍ୱୟ ମନ୍ଦିର ସମ୍ପୂର୍ଣ୍ଣ ହେଲେ ୨ୟ ଓ ୩ୟ ମହଲାରେ ପ୍ରତିଷ୍ଠା ହେବେ।
ଅଯୋଧ୍ୟାରେ ପ୍ରଭୁ ଶ୍ରୀରାମଙ୍କର ପ୍ରକୃତ ଜନ୍ମସ୍ଥାନ ନିର୍ଣ୍ଣୟ କରିବା କିଛି ସହଜ କଥା ନଥିଲା। ପି.ଏନ.ମିଶ୍ର ନାମକ ଜଣେ ଓକିଲ ଏକଦା ଲକ୍ଷ୍ନୌରୁ କଲିକତା ଯାତ୍ରା କରିବା ସମୟରେ ଭୁଲକ୍ରମେ ଅଯୋଧ୍ୟାରେ ପହଞ୍ଚିଥିଲେ। ସେଠାରେ ଦେଖିଲେ ଅନେକସ୍ଥାନରେ ପଥର ପୋତା ଅଛି। କାହିଁକି ଏପରି ହୋଇଛି ପଚାରନ୍ତେ ଜନୈକ ସାଧୁ ଉତ୍ତର ଦେଇଥିଲେ ଜଣେ ବ୍ରିଟିଶ ବ୍ୟକ୍ତି ଏଡୱାର୍ଡ, ହିନ୍ଦୁ ସ୍କନ୍ଦ ପୁରାଣାନୁସାରେ ଅଯୋଧ୍ୟାର ୧୪୮ଟି ତୀର୍ଥସ୍ଥଳକୁ ଚିହ୍ନଟ କରିବା ସକାଶେ ଏସବୁ ପଥର ପୋତି ସବୁଠି ପଥର ଉପରେ କିଛି ଲେଖିଛନ୍ତି (୧୯୦୨)। ଅନ୍ୟଜଣେ ବ୍ରିଟିଶବ୍ୟକ୍ତି ହନ୍ସ ବେକର ଏ ସମ୍ପର୍କରେ ଏକ ବହି ଲେଖିଛନ୍ତି ଓ ୫ଟିମ୍ୟାପ୍ ପ୍ରସ୍ତୁତ କରିଛନ୍ତି। ସେ ସମୟରେ ମିଶ୍ରଙ୍କ ସହିତ ଥିଲେ ମହନ୍ତ ଅଭିମୁକ୍ତେଶ୍ୱରାନନ୍ଦ। ସୁପ୍ରିମକୋର୍ଟରେ ଶୁଣାଣି ବେଳେ ଶ୍ରୀଯୁକ୍ତ ମିଶ୍ର ଓ ମହନ୍ତ ଅଭିମୁକ୍ତେଶ୍ୱରାନନ୍ଦଙ୍କ ସାକ୍ଷ୍ୟ, ପ୍ରମାଣ ଓ ପ୍ରକୃତ ସ୍ଥାନ ଚିହ୍ନଟ(ପଥରରେ ବିଘ୍ନେଶ ଲେଖା ଯାଇଥିଲା, ଯାହାକୁ ମହନ୍ତ ଅଭିମୁକ୍ତେଶ୍ୱରାନନ୍ଦ ଅର୍ଥ କଲେ ଅଯୋଧ୍ୟାର ‘୧୦୦’ ଲେଖାଥିବା ପଥର ଖମ୍ୱ ପୋତାଥିବା ସ୍ଥାନ ଯୋଉଠି ଏକ ବିଘ୍ନେଶ, ଗଣେଶ ମୂର୍ତ୍ତି ଥିଲେ ୮ଫୁଗଭୀର ଏକ କୂଅରେ। ମ୍ୟାପରେ ଦର୍ଶାଯାଇଥିବା ବିଘ୍ନେଶ ମନ୍ଦିର ନୁହେଁ) ବିଶେଷ ଭୂମିକା ନିର୍ବାହ କରିଥିଲା। ଉଲ୍ଲେଖଯୋଗ୍ୟ ଅଯୋଧ୍ୟାରେ ୧୪୮ ତୀର୍ଥସ୍ଥଳରେ ପୋତା ହୋଇଥିବା ପଥର ଖମ୍ୱଗୁଡ଼ିକ ସ୍କନ୍ଦପୁରାଣର ବୈଷ୍ପବ ଖଣ୍ଡ ଅଯୋଧ୍ୟା ମାହାତ୍ମ୍ୟ ସମର୍ଥିତ। ଶ୍ରୀରାମଜନ୍ମଭୂମି ସମ୍ପର୍କିତ ଏହି ନିର୍ଣ୍ଣୟରେ ନ୍ୟାୟାଧୀଶ ଚନ୍ଦ୍ରଚୂଡ଼ ମଧ୍ୟ ସମ୍ମତ ହୋଇଥିଲେ ଏବଂ ମହନ୍ତ ଅଭିମୁକ୍ତେଶ୍ୱରାନନ୍ଦଙ୍କୁ ୧୫ଜଣ ଓକିଲଙ୍କ ଦ୍ୱାରା ୧୦ଦିନ ଯାଏଁ ପଚରା ଯାଇଥିଲା। ଏବେ ସେହି ସ୍ଥାନରେ ୬ଭାଗରେ ବିଭକ୍ତ ୨.୭୭ଏକର ଜମିରେ ୫୭, ୪୦୦ ଫୁଟ ଜାଗାରେ ବିଶାଳ ରାମମନ୍ଦିର ପ୍ରତିଷ୍ଠିତ।
ଏହି ଅଭିଯାନର ଅନ୍ୟତମ ପ୍ରାତଃସ୍ମରଣୀୟ ବ୍ୟକ୍ତିତ୍ୱ ହେଲେ ତାମିଲନାଡୁ ନିବାସୀ ଭାରତୀୟ ନ୍ୟାୟ ବ୍ୟବସ୍ଥାର ‘ପିତାମହ’ ୨ ଥର ଭାରତର ଆଟର୍ଣ୍ଣି ଜେନେରାଲ ହୋଇଥିବା ପଦ୍ମବିଭୂଷଣ (୨୦୧୧)ଶ୍ରୀଯୁକ୍ତ କେ.ପରାଶରନ। ସେ ରାମ ଜନ୍ମଭୂମି କ୍ଷେତ୍ର ଟ୍ରଷ୍ଟର ସଦସ୍ୟ। ୨୦୧୯ରେ ସୁପ୍ରିମକୋର୍ଟରେ ରାମଜନ୍ମଭୂମି ମାମଲା ଚାଲିଥିବା ବେଳେ ୯୨ ବର୍ଷ ବୟସରେ ୨୪ ଦିନ କାଳ ୪ ଜଣିଆ ବିଚାରପତିଙ୍କ ବେଞ୍ଚ ସମ୍ମୁଖରେ ଦୃଢ଼ ଯୁକ୍ତି କରିଥିଲେ। ନ୍ୟାୟାଧୀଶ ତାଙ୍କୁ ବସିବାକୁ ଅନୁରୋଧ କରନ୍ତେ ସେ କହିଥିଲେ, ‘ଆଜି ସ୍ୱୟଂ ରାମଲାଲା ମୋର ମହକିଲ। ତେଣୁ ଯୋତା ପିନ୍ଧିବି କିପରି, ଚୌକିରେ ବସିବି ବା କିପରି?’ ପରାଶରନ ଯୁକ୍ତି କରିଥିଲେ, ‘ବାବର ଏକ ଐତିହାସିକ ଭୁଲ କରିଥିଲେ, ଯାହାର ପ୍ରାୟଶ୍ଚିତ ଜରୁରୀ।’ କେରଳର ସ୍ୱାଧୀନତା ସମୟର ଆଇଏଏସ୍ କେ.କେ.ନାୟାର ଦମ୍ପତି ଓ ଉପରୋକ୍ତ ବ୍ୟକ୍ତିତ୍ୱମାନେ ଏ ଜାତିର, ଏ ସଂସ୍କୃତିର ଚିର ନମସ୍ୟ, ଯେଉଁମାନଙ୍କର ଅମୂଲ୍ୟ ଅବଦାନ ବ୍ୟତିରେକେ ଏହି ଐତିହାସିକ ଉପଲବ୍ଧି ମିଳିନଥାନ୍ତା। ଅବଶ୍ୟ ସର୍ବୋପରି ରହିଛି ରାମଲାଲାଙ୍କ କରୁଣା
ଜୟନ୍ତ ପଟ୍ଟନାୟକ
ଭୁବନେଶ୍ୱର, ମୋ: ୯୦୯୦୧ ୯୦୦୬୯