ବଢ଼ିବ ସମବାୟ ସଂସ୍ଥାର ଋଣ ପ୍ରଦାନ କ୍ଷମତା, ବିନିଯୋଗ ହେବ ୯୫୦ କୋଟି
ଭୁବନେଶ୍ୱର : କୃଷକମାନଙ୍କର ସଶକ୍ତିକରଣ ଉପରେ ସର୍ବାଧିକ ଗୁରୁତ୍ୱାରୋପ କରି ଆସୁଛନ୍ତି ରାଜ୍ୟ ସରକାର। ବିଶେଷକରି ରାଜ୍ୟ ସରକାର କୃଷି ଉତ୍ପାଦନ ବୃଦ୍ଧି ଏବଂ କୃଷକମାନଙ୍କର ସ୍ୱଳ୍ପକାଳୀନ ଋଣ ଆବଶ୍ୟକତାକୁ ମେଣ୍ଟାଇବା ପାଇଁ ଏକାଧିକ କାର୍ଯ୍ୟକ୍ରମ ଜାରି ରଖିଛନ୍ତି। ଏହିକ୍ରମରେ ଶନିବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା ରାଜ୍ୟ କ୍ୟାବିନେଟ ବୈଠକରେ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ସମବାୟ ଋଣ ସଂସ୍ଥାଗୁଡ଼ିକର ଋଣ ପ୍ରଦାନ କ୍ଷମତା ବୃଦ୍ଧି କରିବା ସହ ସମବାୟ ଋଣ ସଂସ୍ଥାଗୁଡ଼ିକର ଆର୍ଥିକ […]

ଭୁବନେଶ୍ୱର : କୃଷକମାନଙ୍କର ସଶକ୍ତିକରଣ ଉପରେ ସର୍ବାଧିକ ଗୁରୁତ୍ୱାରୋପ କରି ଆସୁଛନ୍ତି ରାଜ୍ୟ ସରକାର। ବିଶେଷକରି ରାଜ୍ୟ ସରକାର କୃଷି ଉତ୍ପାଦନ ବୃଦ୍ଧି ଏବଂ କୃଷକମାନଙ୍କର ସ୍ୱଳ୍ପକାଳୀନ ଋଣ ଆବଶ୍ୟକତାକୁ ମେଣ୍ଟାଇବା ପାଇଁ ଏକାଧିକ କାର୍ଯ୍ୟକ୍ରମ ଜାରି ରଖିଛନ୍ତି। ଏହିକ୍ରମରେ ଶନିବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା ରାଜ୍ୟ କ୍ୟାବିନେଟ ବୈଠକରେ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ସମବାୟ ଋଣ ସଂସ୍ଥାଗୁଡ଼ିକର ଋଣ ପ୍ରଦାନ କ୍ଷମତା ବୃଦ୍ଧି କରିବା ସହ ସମବାୟ ଋଣ ସଂସ୍ଥାଗୁଡ଼ିକର ଆର୍ଥିକ ସ୍ଥିତିର ଆଧାର ବୃଦ୍ଧି କରିବା ପାଇଁ ୨୦୨୩-୨୪ରୁ ୨୦୨୭-୨୮ ଯାଏଁ ୫ ବର୍ଷ ପର୍ଯ୍ୟନ୍ତ ସରକାର ନିଜସ୍ୱ ଯୋଜନା ‘ସମବାୟ ଋଣ ସଂସ୍ଥାଗୁଡ଼ିକୁ ସେୟାର ପୁଞ୍ଜି ବିନିଯୋଗ’ କାର୍ଯ୍ୟକାରୀ କରିବେ। ଏଥିପାଇଁ ୯୫୦ କୋଟି ଟଙ୍କାର ବ୍ୟବସ୍ଥା କାର୍ଯ୍ୟକାରୀ କରିବାକୁ ଗତକାଲି ରାଜ୍ୟ କ୍ୟାବିନେଟ ମଞ୍ଜୁରୀ ପ୍ରଦାନ କରିଛନ୍ତି। ଏହାଦ୍ୱାରା କୃଷକମାନଙ୍କୁ ଅଧିକରୁ ଅଧିକ ଋଣ ପ୍ରଦାନ କରାଯାଇପାରିବ ବୋଲି ଆଶା କରାଯାଉଛି।
ଏହି ନିଷ୍ପତ୍ତି ଦ୍ୱାରା ରାଜ୍ୟରେ ଥିବା ସମସ୍ତ କୃଷି ସମବାୟ ସଂସ୍ଥା ଶୀର୍ଷ ସଂସ୍ଥାମାନଙ୍କଠାରୁ ଅଧିକରୁ ଅଧିକ ଋଣ ଆଣି କୃଷି କାର୍ଯ୍ୟ ପାଇଁ ଋଣ ଦେଇ ପାରିବେ। ରାଜ୍ୟର କୃଷି ଉତ୍ପାଦନ ବୃଦ୍ଧି ହେବାରେ ଏହା ନିଶ୍ଚିତ ରୂପେ ସହାୟକ ହେବ ବୋଲି ଆଶା କରାଯାଉଛି। ରାଜ୍ୟରେ ଥିବା ଅନ୍ୟ ସମସ୍ତ ବ୍ୟାଙ୍କଗୁଡ଼ିକ ଜମା ସଂଗ୍ରହରେ ଅଗ୍ରଣୀ ଭୂମିକା ଗ୍ରହଣ କରୁଥିବା ବେଳେ କୃଷି କ୍ଷେତ୍ରରେ ଋଣ ଲଗାଇବା ପାଇଁ ପଛଘୁଞ୍ଚା ଦେଇଥା’ନ୍ତି। କାରଣ କୃଷି ଋଣ ଆଦାୟ ଅନେକ ଅନିଶ୍ଚିତତା ଉପରେ ନିର୍ଭରଶୀଳ ଏବଂ ଏହାର ଏନ୍ପିଏ ହେବାର ଆଶଙ୍କା ଅଧିକ ରହିଥାଏ। ଏହି ସମସ୍ୟାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ନିଜସ୍ୱ ସମବାୟ ଅନୁଷ୍ଠାନ ଏବଂ ସମବାୟ ବ୍ୟାଙ୍କକୁ କୃଷି ଋଣ ପ୍ରଦାନ କ୍ଷେତ୍ରରେ ଅଗ୍ରଣୀ ଭୂମିକା ଗ୍ରହଣ କରିବା ପାଇଁ ସର୍ବଦା ଚେଷ୍ଟିତ ଅଛନ୍ତି। ଉକ୍ତ ଯୋଜନା ଦ୍ୱାରା ସମବାୟ ଅନୁଷ୍ଠାନମାନେ ଅଧିକ କୃଷି ଋଣ ଲଗାଣ ପାଇଁ ସକ୍ଷମ ହୋଇପାରିବେ ବୋଲି ରାଜ୍ୟ ସରକାର ଆଶା ରଖିଛନ୍ତି।
ଉଲ୍ଲେଖଯୋଗ୍ୟ ଯେ ନାବାର୍ଡ ଦ୍ୱାରା ଜାତୀୟ ଗ୍ରାମୀଣ ଋଣ-ଦୀର୍ଘକାଳୀନ ପରିଚାଳନା ପାଣ୍ଠି ଯୋଜନା ଅଧୀନରେ ସେୟାର ପୁଞ୍ଜି ନିବେଶ ଯୋଜନା କାର୍ଯ୍ୟକାରୀ କରାଯାଉଛି। ଓସିଏସ୍ ଅଧିନିୟମ ୧୯୬୨ ଧାରା ୪୧(୧) ଅନୁଯାୟୀ ରାଜ୍ୟ ସରକାର ସୋସାଇଟିର ପେଡ୍ ଅପ୍ ସେୟାର କ୍ୟାପିଟାଲର ସର୍ବାଧିକ ୨୫ ପ୍ରତିଶତ ନିବେଶ କରିପାରିବେ। କିଷାନ କ୍ରେଡିଟ କାର୍ଡ ଯୋଜନା ଅଧୀନରେ ରାଜ୍ୟର ସମସ୍ତ କୃଷକ ପରିବାରକୁ ଅନ୍ତର୍ଭୁକ୍ତ କରିବା ପାଇଁ ସରକାରୀ ନୀତିକୁ ଦୃଷ୍ଟିରେ ରଖି ପାକ୍ସ, ଲାମ୍ପସ୍ ଏବଂ ଡିସିବିସିର ଆର୍ଥିକ ସ୍ଥିତିକୁ ମଜଭୁତ କରି ଅନ୍ୟାନ୍ୟ ଶୀର୍ଷ ଆର୍ôଥକ ସଂସ୍ଥାମାନଙ୍କଠାରୁ ପର୍ଯ୍ୟାପ୍ତ ଋଣ ଉଠାଇ କୃଷକମାନଙ୍କୁ ପ୍ରଦାନ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି। ଏହାଦ୍ୱାରା କୃଷକମାନଙ୍କର ଋଣ ଆବଶ୍ୟକତା ମେଣ୍ଟାଯାଇପାରିବ ବୋଲି ଆଶା କରାଯାଉଛି।