ଭିଜିଲାନ୍ସ ଜାଲରେ ଭୁବନେଶ୍ୱର ମହାନଗର ନିଗମର କୁବେର ଯନ୍ତ୍ରୀ; କୋଟି କୋଟି ଟଙ୍କାର ସଂପତ୍ତି ଠାବ

୨୦୧୧ରୁ ବିଏମ୍‌ସିରେ ଥିବା ଜଗନ୍ନାଥ ପଟ୍ଟନାୟକ ଭୁବନେଶ୍ୱରର ଉନ୍ନତି କରିବାରେ କେତେ ସହାୟକ ହୋଇଛନ୍ତି ତାହା ଜଣାପଡ଼ିନି, କିନ୍ତୁ ନିଜର ବେଶ୍‌ ଉନ୍ନତି କରିଥିବା ଆଜି ଜଣାପଡ଼ିଛି।

ଭିଜିଲାନ୍ସ ଜାଲରେ ଭୁବନେଶ୍ୱର ମହାନଗର ନିଗମର କୁବେର ଯନ୍ତ୍ରୀ; କୋଟି କୋଟି ଟଙ୍କାର ସଂପତ୍ତି ଠାବ

ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ଆଉ ଜଣେ ସରକାରୀ ବାବୁ। ତାଙ୍କ ନାଁ ଜଗନ୍ନାଥ ପଟ୍ଟନାୟକ। ସେ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି)ରେ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଭାବେ କାର୍ଯ୍ୟ କରୁଛନ୍ତି।

ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଆଜି କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଜଗନ୍ନାଥ ପଟ୍ଟନାୟକଙ୍କ ଭୁବନେଶ୍ୱର ସ୍ଥିତ ବାସଭବନ ସମେତ ମୋଟ ୪ଟି ସ୍ଥାନରେ ଭିଜିଲାନ୍ସ ପକ୍ଷରୁ ଏକକାଳୀନ ଚଢ଼ାଉ କରାଯାଇଥିଲା।

ଭୁବନେଶ୍ୱରର ବଡ଼ଗଡ଼ ସ୍ଥିତ ତାଙ୍କ ତିନି ମହଲା କୋଠା ସହିତ ଭୁବନେଶ୍ୱର ନିକଟସ୍ଥ ବାଲିଅନ୍ତା ତହସିଲର ରଣପୁର ସ୍ଥିତ ତାଙ୍କ ଫାର୍ମ ହାଉସ୍‌, ବିଏମ୍‌ସି ଅଫିସ୍‌ରେ ଥିବା ତାଙ୍କ ଚାମ୍ବର ଓ ରାୟଗଡ଼ା ଜିଲ୍ଲା ଗୁଣୁପୁର ସ୍ଥିତ ତାଙ୍କ ପୈତୃକ ଘରେ ଏହି ଚଢ଼ାଉ କରାଯାଇଥିଲା।

ଚଢ଼ାଉ ବେଳେ ତାଙ୍କର ପୁଳା ପୁଳା ସଂପତ୍ତି ଥିବା କଥା ସାମ୍ନାକୁ ଆସିଛି। ଭୁବନେଶ୍ୱର ବଡ଼ଗଡ଼ ଥିବା ତାଙ୍କର ତିନି ମହଲା କୋଠାଟି ୪୫୬୦ ବର୍ଗଫୁଟ ଜାଗାରେ ନିର୍ମିତ ହୋଇଛି। ଗୁଣୁପୁରରେ ତାଙ୍କର ଗୋଟିଏ ଦୁଇ ମହଲା ଘର ଅଛି। ସେହିପରି ତାଙ୍କର ୩ଟି ଦାମୀ ପ୍ଲଟ୍ ଅଛି। ସେଥିରୁ ୨ଟି ଭୁବନେଶ୍ୱରର ବଡ଼ଗଡ଼ ଅଞ୍ଚଳରେ ଓ ଅନ୍ୟଟି ଖଣ୍ଡଗିରି ଅଞ୍ଚଳରେ ରହିଛି।

ଭୁବନେଶ୍ୱର ନିକଟସ୍ଥ ବାଲିଅନ୍ତା ତହସିଲର ରଣପୁର ମୌଜାରେ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଶ୍ରୀ ପଟ୍ଟନାୟକଙ୍କର ୧ ଏକର ୫୭ ଡିସିମିଲ ଜାଗାରେ ଏକ ଫାର୍ମ ହାଉସ୍ ରହିଛି। ଏହି ଫାର୍ମ ହାଉସରେ ତାଙ୍କର ଦୁଇଟି ଘର ଅଛି। ସେଥିରୁ ଗୋଟିଏ ଦୁଇ ମହଲା ବିଶିଷ୍ଟ। ତା’ ସହିତ ଏକ ମାଛ ପୋଖରୀ ଅଛି। ଏହି ଫର୍ମା ହାଉସରେ ସେ ନଡ଼ିଆ, କଦଳୀ, ଡ୍ରାଗନ ଫ୍ରୁଟ୍‌, ପିଜୁଳି, ଲେମ୍ବୁ, ଆମ୍ବ, ବ୍ଳାକ୍‌ବେରୀ ଓ ରକ୍ତ ଚନ୍ଦନ ଭଳି ଗଛ ଲଗାଇଛନ୍ତି। ଏଠାରେ ଗୋଟିଏ କୁକୁଡ଼ା ଫାର୍ମ ମଧ୍ୟ ଅଛି। ସେଥିରେ ଏବେ ୧୫ଟି କୁକୁଡ଼ା ଅଛନ୍ତି।

ଶ୍ରୀ ପଟ୍ଟନାୟକଙ୍କଠାରୁ ଗୋଟିଏ ହଳ ହରିଣ ଶିଙ୍ଗ ଓ ଏକ ଦେଶୀ ବନ୍ଧୁକ ଜବତ କରାଯାଇଛି। ତାଙ୍କ ଘରୁ ୪୬୦ ଗ୍ରାମର ସୁନା ଅଳଙ୍କାର ମିଳିଥିବା ବେଳେ ତାଙ୍କର ବ୍ୟାଙ୍କ ଓ ବୀମା ଜମା ସହିତ ମ୍ୟୁଚୁଆଲ ଫଣ୍ଡ ନିବେଶର ମୂଲ୍ୟ ୮୦ ଲକ୍ଷ ୩୫ ହଜାର ୩୭୧ ଟଙ୍କା ବୋଲି ଭିଜିଲାନ୍ସ ହିସାବ କରିଛି। ତାଙ୍କର ଗୋଟିଏ ଚାରି ଚକିଆ ଗାଡ଼ି ଓ ୨ଟି ଦୁଇ ଚକିଆ ଗାଡ଼ି ରହିଛି। ଜବତ ନଗଦ ଓ ଘରକରଣା ସାମଗ୍ରୀର ମୂଲ୍ୟ ପ୍ରାୟ ୭ ଲକ୍ଷ ଟଙ୍କା ବୋଲି ଭିଜିଲାନ୍ସ ପକ୍ଷରୁ କୁହାଯାଇଛି।

କାର୍ଯ୍ୟନିର୍ବାହୀ ଯନ୍ତ୍ରୀଙ୍କ ଘର ଓ ପ୍ଲଟଗୁଡ଼ିକ ବାସ୍ତବ ମୂଲ୍ୟ ଜାଣିବା ପାଇଁ ଭିଜିଲାନ୍ସର ବୈଷୟିକ ଶାଖା ପକ୍ଷରୁ ମାପଚୁପ ଓ ହିସାବ ଜାରି ରହିଛି।

୧୯୯୨ରେ ସରକାରୀ ଚାକିରି ଆରମ୍ଭ କରିଥିଲେ ଶ୍ରୀ ପଟ୍ଟନାୟକ। ସେ ରାୟଗଡ଼ା ଜିଲ୍ଲା ଗୁଣୁପୁର ଏନ୍‌ଏସିରୁ ତାଙ୍କ ସରକାରୀ ଚାକିରି ଜୀବନ ଆରମ୍ଭ କରିଥିଲେ ଜଣେ କନିଷ୍ଠ ଯନ୍ତ୍ରୀ ଭାବେ। ସେଠାରେ ସେ ୨୦୦୬ ପର୍ଯ୍ୟନ୍ତ ରହିଥିଲେ। ସେହି ବର୍ଷ ସେ ଆସିଷ୍ଟାଣ୍ଟ ଇଞ୍ଜିନିୟର ବା ସହକାରୀ ଯନ୍ତ୍ରୀ ଭାବେ ପଦୋନ୍ନତି ପାଇ ବ୍ରହ୍ମପୁର ମ୍ୟୁନିସିପାଲିଟିକୁ ଆସିଥିଲେ। ୨୦୧୧ରେ ତାଙ୍କର ବଦଳି ହୋଇଥିଲା ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି)କୁ। ୨୦୧୬ରେ ସେ ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଭାବେ ପଦୋନ୍ନତି ପାଇଥିଲେ ଓ ସେହି ବିଏମ୍‌ସିରେ ରହିଥିଲେ। ୨୦୨୪ ଅକ୍ଟୋବର ମାସରେ ସେ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଭାବେ ପଦୋନ୍ନତି ପାଇଥିଲେ ଓ ଏବେ ସୁଦ୍ଧା ବିଏମ୍‌ସିରେ କାର୍ଯ୍ୟ କରୁଛନ୍ତି।