ଭୟଙ୍କର ବର୍ଷା ପରେ ଭୂସ୍ଖଳନ, ଯାତାୟତ ଠପ୍‌, ସ୍କୁଲ ବନ୍ଦ

ବର୍ଷା ଓ ବନ୍ୟା ଯୋଗୁ ଅତିକମ୍‌ରେ ୩୩୬ ପରିବାର କ୍ଷତିଗ୍ରସ୍ତ ହୋଇଛନ୍ତି। ଭୂସ୍ଖଳନ ଯୋଗୁ ଅନେକ ଘର ନଷ୍ଟ ହୋଇଯାଇଛି।

ଭୟଙ୍କର ବର୍ଷା ପରେ ଭୂସ୍ଖଳନ, ଯାତାୟତ ଠପ୍‌, ସ୍କୁଲ ବନ୍ଦ

ବର୍ଷାରେ ଉବୁଟୁବୁ କଶ୍ମୀର ଘାଟି। ଲଗାତର ତିନି ଦିନ ହେବ ଏଠାରେ ବର୍ଷା ଜାରି ରହିଛି। ଫଳରେ ଏଠାରେ ବନ୍ୟା ପରିସ୍ଥିତି ଉପୁଜିଛି। ସେପଟେ ବର୍ଷା ଯୋଗୁ କିଛି ସ୍ଥାନରେ ଭୟଙ୍କର ଭୂସ୍ଖଳନ ମଧ୍ୟ ହୋଇଛି। ଏଥିଯୋଗୁ ଅନେକ ଘର ନଷ୍ଟ ହେବା ସହ ଯାତାୟତ ଠପ୍‌ ହୋଇଯାଇଛି। ବର୍ଷାକୁ ଦୃଷ୍ଟିରେ ରଖି ସ୍କୁଲ କଲେଜ ବନ୍ଦ ଘୋଷଣା କରାଯାଇଛି।

କୁପଓ୍ୱାଡା ପୋହରୁ ଡ୍ରେନ୍‌ ପାଇଁ ବିପଦ ସଙ୍କେତ ଜାରି କରାଯାଇଛି। ଏଥି ସହିତ ପ୍ରବଳ ବର୍ଷା ହେତୁ ଜିଲ୍ଲାର ସମସ୍ତ ସ୍କୁଲ କଲେଜ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ଖରାପ ପାଗ ଓ ଲଗାତାର ବର୍ଷା ହେତୁ ଉଧପୁର ଜିଲ୍ଲାର ଡୁଡୁ-ବସନ୍ତଗଡ, କୁଲବନ୍ତା ଏବଂ ପଞ୍ଚାରି ଅଞ୍ଚଳର ସମସ୍ତ ସ୍କୁଲଗୁଡିକୁ ବନ୍ଦ ରଖିବାକୁ କୁହାଯାଇଛି। ସେହିପରି କଶ୍ମୀର ୟୁନିର୍ଭସିଟିରେ ଆଜି ହେବାକୁ ଥିବା ପରୀକ୍ଷାକୁ ମଧ୍ୟ ବାତିଲ କରାଯାଇଛି। ଉଦ୍ଧମପୁର ଜିଲ୍ଲା ମାଜିଷ୍ଟ୍ରେଟ ସାଲୋନି ରାୟ ଏହି ସୂଚନା ଦେଇଛନ୍ତି।

ଅନ୍ୟପଟୋ ବର୍ଷାକୁ ଦୃଷ୍ଟିରେ ରଖି ସୋମବାର ଠାରୁ କଶ୍ମୀରର ଜାତୀୟ ରାଜପଥକୁ ବନ୍ଦ କରି ଦିଆଯାଇଛି। ରାମବନ ଜିଲ୍ଲାର ମେହର, ଗାଙ୍ଗରୁ, ମୋମ ପସ୍ତି ଓ କସ୍ତଓ୍ୱାଡିରେ ଭୂସ୍ଖଳନ ହୋଇଛି। ଫଳରେ ଜାତୀୟ ରାଜପଥ ଉପରେ ମାଟି ଅତଡା ଧସି ପଡି ରହିଛି। ଜାତୀୟ ରାଜପଥ ଉପରେ ଅନେକ ଗାଡି ଫସି ରହିଛି। କ୍ଷୟକ୍ଷତି ହୋଇଥିବା ରାସ୍ତାଗୁଡିକର ମରାମତି କାମ ଜାରି ରହିଛି। ରାସ୍ତା ଉପରୁ ମାଟି ନ ହଟିବା ଯାଏଁ ସେହି ରାସ୍ତା ଦେଇ ଲୋକଙ୍କୁ ଯାତାୟତ ନ କରିବାକୁ ଅଧିକାରୀମାନେ ପରାମର୍ଶ ଦେଇଛନ୍ତି।

ମୁଶଳଧାରା ବର୍ଷା ଯୋଗୁ ପୁଞ୍ଛ ଓ ଉତ୍ତର କଶ୍ମୀରର କିଛି ଅଞ୍ଚଳରେ ଅଚାନାକ ବନ୍ୟା ପରିସ୍ଥିତି ଉପୁଜିଛି। ଏଥିଯୋଗୁ ଅନନ୍ତନାଗରେ ଥିବା ଏକ ବ୍ରିଜ୍‌ ମଧ୍ୟ କ୍ଷତିଗ୍ରସ୍ତ ହୋଇଛି। ସେହିପରି ଉତ୍ତର କଶ୍ମୀରର କୁପଓ୍ୱାଡା ଜିଲ୍ଲା ଘାଟିର ଅନ୍ୟ ସ୍ଥାନଠାରୁ ବିଚ୍ଛିନ୍ନ ହୋଇଛି। ବର୍ଷା ଓ ବନ୍ୟା ଯୋଗୁ ଅତିକମ୍‌ରେ ୩୩୬ ପରିବାର କ୍ଷତିଗ୍ରସ୍ତ ହୋଇଛନ୍ତି। ଝେଲମ ନଦୀ ଓ ଏହାର ସହାୟକ ନଦୀଗୁଡିକର ପାଣି ବିପଦ ସଙ୍କେତ ଉପରେ ରହିଛି। ଏଥିଯୋଗୁ ଲୋକଙ୍କୁ ଘରୁ ବାହାରକୁ ବାହାରିବା ପାଇଁ ମନା କରାଯାଇଛି।