ମହାଦେବ ବେଟିଂ ଆପ୍‌: ଚାର୍ଜସିଟ୍‌ରେ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ନାଁ

ଚାର୍ଜସିଟରେ ନାଁ ଆସିବା ପରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ବଘେଲଙ୍କୁ ଯେ କୌଣସି ସମୟରେ ବି ପଚରାଉଚରା ପାଇଁ ସମନ ପଠାଇପାରେ ବୋଲି କୁହାଯାଉଛି।

ମହାଦେବ ବେଟିଂ ଆପ୍‌: ଚାର୍ଜସିଟ୍‌ରେ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ନାଁ

ମହାଦେବ ଅନ୍‌ଲାଇନ୍ ବେଟିଂ ଆପ୍‌ ମାମଲାରେ ଫସିଲେ ଛତିଶଗଡ଼ର ପୂର୍ବତନ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଜାରି କରିଥିବା ଚାର୍ଜସିଟ୍‌ରେ ତାଙ୍କ ନାଁ ରହିଛି। ଏହାକୁ ନେଇ ତାଙ୍କ ଅଡୁଆ ବଢ଼ିପାରେ ବୋଲି କୁହାଯାଉଛି। ଚାର୍ଜସିଟରେ ନାଁ ଆସିବା ପରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ବଘେଲଙ୍କୁ ଯେ କୌଣସି ସମୟରେ ବି ପଚରାଉଚରା ପାଇଁ ସମନ ପଠାଇପାରେ ବୋଲି କୁହାଯାଉଛି।

ମହାଦେବ ବେଟିଂ ଆପ୍ ମାମଲାରେ ଅଭିଯୁକ୍ତ ଅସୀମ ଦାସ ନିଜ ବୟାନରେ ବଘେଲଙ୍କ ନାଁ ନେଇଥିଲା। ସେ କହିଥି‌ଲା ଯେ ନିର୍ବାଚନ ସମୟରେ ବ୍ଘେଲଙ୍କୁ ମହାଦେବ ଆପ୍ ପ୍ରମୋଟର୍ସ ୫୦୮କୋଟି ଟଙ୍କା ପ୍ରଦାନ କରିଥିଲେ। ଏହି ଠକେଇ ଟଙ୍କାଙ୍କୁ ସେ ନିର୍ବାଚନରେ ବ୍ୟବହାର କରିଥିଲେ। ଏହି ଦାବି ପରେ ଏବେ ଚାର୍ଜସିଟରେ ବଘେଲଙ୍କ ନାମ ସାମିଲ କରାଯାଇଛି।

ଗିରଫ ପରେ ଅଭିଯୁକ୍ତ ଅସୀମ ଦାସଙ୍କ ଲୁଚି ରହିଥିବା ସ୍ଥାନରୁ ଇଡି ୫କୋଟି ୩୯ଲକ୍ଷ ଟଙ୍କା ଜବତ କରିଛି। ଇଡି ପକ୍ଷରୁ ଜାନୁଆରୀ ୧ ତାରିଖରେ ୧୭୦୦ରୁ ୧୮୦୦ ପୃଷ୍ଠା ବିଶିଷ୍ଟ ଚାର୍ଜସିଟ୍‌ ଦାଖଲ କରାଯାଇଥିବଲା। ଏଥିରେ ୫ ଜଣଙ୍କୁ ଅଭିଯୁକ୍ତ ଭାବେ ଦର୍ଶାଯାଇଛି। ଅସୀମ ଦାସଙ୍କ ବ୍ୟତୀତ ଶୁଭମ ସୋନି, ଅମିତ ଅଗ୍ରୱାଲ, ରୋହିତ ଗୁଲାଟି, ଭୀମ ସିଂଙ୍କ ନାମ ମଧ୍ୟ ଇଡି ଦାଖଲ କରିଥିବା ଚାର୍ଜସିଟରେ ଉଲ୍ଲେଖ କରାଯାଇଛି।

ଅନ୍ୟପକ୍ଷରେ ମୁମ୍ବାଇ କ୍ରାଇମ ବ୍ରାଞ୍ଚର ଏସଆଇଟି ଏହି ମାମଲାରେ ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ଜଣକ ଦୀକ୍ଷିତ କୋଠାରି ବୋଲି ଜଣାପଡିଛି। ଗିରଫ ପରେ ତାଙ୍କୁ କୋର୍ଟରେ ହାଜର କରାଯାଇଥିବା ବେଳେ ତାଙ୍କୁ ଜାନୁଆରି ୧୧ପର୍ଯ୍ୟନ୍ତ ପୁଲିସ ରିମାଣ୍ଡକୁ ପଠାଯାଇଛି। ପୁଲିସ କହିଛି ଯେ କୋଠାରି ଏକ ବେଟିଂ ଆପର ମୁଖ୍ୟ ଅପରେଟର ଥିଲେ। ସେ ବିଦେଶରେ ଏକ ଡୋମେନ୍ ପଞ୍ଜିକରଣ କରି ଭାରତରେ ବେଟିଂ ଆପ୍ ଚଳାଉଥିବା ଅଭିଯୋଗ ହୋଇଛି।