ମହିଳାଙ୍କ ଅଧିକାରରେ ସ୍ତ୍ରୀ ଧନ
ବର୍ଷ ବର୍ଷର ସଂସ୍କୃତି ଓ ପରମ୍ପରା ସହ ସ୍ତ୍ରୀ ଧନ ଜଡ଼ିତ ଥିବାବେଳେ ନିକଟରେ ଏକ ବୈବାହିକ ମାମଲା ପ୍ରସଙ୍ଗରେ ସୁପ୍ରିମ୍କୋର୍ଟର ବିଚାରପତି ଦୀପଙ୍କର ଦତ୍ତ ଓ ସଞ୍ଜୀବ ଖାନା ସ୍ପଷ୍ଟ କରିଛନ୍ତି ଯେ ସ୍ତ୍ରୀ ଧନ ସ୍ବାମୀ ଓ ସ୍ତ୍ରୀ ଦୁଇଜଣଙ୍କ ମିଳିତ ସମ୍ପତ୍ତି ହୋଇପାରିବ ନାହିଁ। ଏହାର କାରଣ ମଧ୍ୟ ରହିଛି, ତାହା ହେଉଛି ପତ୍ନୀଙ୍କ ସମ୍ପତ୍ତି ଓ ସମସ୍ତ ଧନ ସାମଗ୍ରୀ ଉପରେ ପତିଙ୍କର କୌଣସି ଆଇନଗତ ଅଧିକାର ନାହିଁ। କେବଳ ସେତିକି […] The post ମହିଳାଙ୍କ ଅଧିକାରରେ ସ୍ତ୍ରୀ ଧନ appeared first on Dharitri Odia News.
ବର୍ଷ ବର୍ଷର ସଂସ୍କୃତି ଓ ପରମ୍ପରା ସହ ସ୍ତ୍ରୀ ଧନ ଜଡ଼ିତ ଥିବାବେଳେ ନିକଟରେ ଏକ ବୈବାହିକ ମାମଲା ପ୍ରସଙ୍ଗରେ ସୁପ୍ରିମ୍କୋର୍ଟର ବିଚାରପତି ଦୀପଙ୍କର ଦତ୍ତ ଓ ସଞ୍ଜୀବ ଖାନା ସ୍ପଷ୍ଟ କରିଛନ୍ତି ଯେ ସ୍ତ୍ରୀ ଧନ ସ୍ବାମୀ ଓ ସ୍ତ୍ରୀ ଦୁଇଜଣଙ୍କ ମିଳିତ ସମ୍ପତ୍ତି ହୋଇପାରିବ ନାହିଁ। ଏହାର କାରଣ ମଧ୍ୟ ରହିଛି, ତାହା ହେଉଛି ପତ୍ନୀଙ୍କ ସମ୍ପତ୍ତି ଓ ସମସ୍ତ ଧନ ସାମଗ୍ରୀ ଉପରେ ପତିଙ୍କର କୌଣସି ଆଇନଗତ ଅଧିକାର ନାହିଁ। କେବଳ ସେତିକି ନୁହେଁ, କୌଣସି ଜରୁରୀ ଆବଶ୍ୟକତା ହେଉ ବା ଅଭାବ ଅସୁବିଧା ଏପରି ପରିସ୍ଥିତିରେ ମଧ୍ୟ ସ୍ବାମୀ ଯଦି ସ୍ତ୍ରୀଙ୍କ ସମ୍ପତ୍ତି ବା ଧନ ବ୍ୟବହାର କରନ୍ତି, ତାହାହେଲେ ତାହା ନିଶ୍ଚିତ ଭାବେ ପତ୍ନୀଙ୍କୁ ଶୁଝିବା ପାଇଁ ପଡ଼ିବ। ଏହାସହିତ ମାନ୍ୟବର କୋର୍ଟ ଏହା ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ ସ୍ତ୍ରୀ ଧନ ଉପରେ ସମ୍ପୂର୍ଣ୍ଣ ଅଧିକାର କେବଳ ମହିଳାଙ୍କର ଓ ଏଥିରେ କେହି ଭାଗୀଦାର ପାଇଁ ଦାବି ରଖିପାରିବେ ନାହିଁ। ଏହା ମହିଳା ଅଧିକାର ସୁରକ୍ଷା କ୍ଷେତ୍ରରେ ଏକ ଐତିହାସିକ ରାୟ କୁହାଯାଉଥିଲେ ମଧ୍ୟ ବର୍ଷ ବର୍ଷର ଭାରତୀୟ ସାମାଜିକ ଓ ପାରିବାରିକ କ୍ଷେତ୍ରରେ ଏହା ଏକ ଭୁଲ୍ ବୁଝାମଣା ପାଇଁ ବାଟ ଫିଟାଇବ ବୋଲି କେତେକ ମହଲରୁ ଦାବି ଉଠୁଛି।
ଆମ ପରମ୍ପରାରେ ସ୍ତ୍ରୀ ଧନ ହେଉଛି ସେହି ଧନ, ଯାହା ସେ ତାଙ୍କ ବିବାହ ବେଳେ ପିତା ବା ବନ୍ଧୁବର୍ଗଙ୍କଠାରୁ ପାଇଥାନ୍ତି ଏବଂ ବିବାହ ପରେ ବ୍ୟକ୍ତିଗତ ଭାବେ ସେ ଯେଉଁ ଉପହାର ବା ସମ୍ପତ୍ତି ଆହରଣ କରିଥାନ୍ତି। ଏହା ପଛରେ ଜଣେ ବିବାହିତ ନାରୀଙ୍କୁ ଆର୍ଥିକ ନିରାପତ୍ତା ଓ ଜରୁରିକାଳୀନ ସହାୟତା ଦେବାର ବିଚାର ରହିଛି। ତେବେ ଏଯାବତ୍ ରହିଆସିଥିବା ବ୍ୟବସ୍ଥା ଅନୁଯାୟୀ ସ୍ତ୍ରୀ ଧନକୁ ମହିଳାଙ୍କ ଦ୍ୱାରା ନିଜ ଝିଅ ବା ବୋହୂଙ୍କୁ ଉତ୍ତରାଧିକାରୀ ସୂତ୍ରରେ ଦେବାର ପରମ୍ପରା ଗଡ଼ିଆସିଛି। କେବଳ ସେତିକି ନୁହେଁ, ପରିବାରର କୌଣସି ଆର୍ଥିକ ଦୁଃସ୍ଥିତି ସମୟରେ ପତ୍ନୀଙ୍କ ସହମତିରେ ଗୃହକର୍ତ୍ତା ପତି ତାଙ୍କ ଅର୍ଥ ଏପରିକି ଆବଶ୍ୟକସ୍ଥଳେ ସୁନା, ରୁପାର ଗହଣାଗାଣ୍ଠିକୁ ବିକ୍ରି ବା ବନ୍ଧାଛନ୍ଦା କରିଥାନ୍ତି। ହେଲେ ପରମ୍ପରାରେ ସ୍ତ୍ରୀ ଧନ ସୁରକ୍ଷିତ ଏବଂ ଏହା ଉପରେ ସମ୍ପୃକ୍ତ ନାରୀଙ୍କ ବ୍ୟତୀତ ସେଥିରେ ଅନ୍ୟର ଅଧିକାର ନ ଥାଏ। ତେବେ ସୁପ୍ରିମ୍କୋର୍ଟଙ୍କ ଏହି ରାୟ ସ୍ତ୍ରୀ ଧନକୁ ପରିଶୋଧ କରିବା ପାଇଁ ସ୍ବାମୀ ଏକରକମର ବାଧ୍ୟ। ତେବେ ଭାରତୀୟ ଆଇନ ଓ ସାମାଜିକ ବ୍ୟବସ୍ଥାରେ ଯେଉଁ ବିଶେଷତା ଏଯାବତ୍ ରହିଆସିଛି ତାହା ହେଉଛି ଜଣେ ମହିଳାଙ୍କୁ ବିବାହ ପୂର୍ବରୁ, ବିବାହ ସମୟରେ ଓ ବିବାହ ପରେ ମଧ୍ୟ ତାଙ୍କ ମାତା-ପିତା, ବନ୍ଧୁ, ଜ୍ଞାତିକୁଟୁମ୍ବ, ସମ୍ପର୍କୀୟ, ପରିଚିତ ଓ ବିବାହ ସମୟର ଅତିଥିମାନଙ୍କଠାରୁ ମିଳିଥିବା ଉପହାର ହେଉ ବା ସୁନା କିମ୍ବା ଟଙ୍କା, ଜମିବାଡ଼ି ଭୂସମ୍ପତ୍ତି ହେଉ ବା ବାସନକୁସନ। ଯେକୌଣସି ଘରୋଇ ଉପକରଣ ସ୍ତ୍ରୀ ଧନ ଭାବେ ଅନ୍ତର୍ଭୁକ୍ତ ରହୁଥିଲା। ଏହାର ରକ୍ଷଣାବେକ୍ଷଣ, ବିନିଯୋଗ ଓ ଦାୟିତ୍ୱ ନିର୍ବାହ ସମ୍ପୃକ୍ତ ମହିଳାଙ୍କ ଅଧିକାର ପରିସରଭୁକ୍ତ। ତେବେ ଜୋର୍ଜବରଦସ୍ତ ବା ବାଧ୍ୟବାଧକତା ଭାବେ ସ୍ତ୍ରୀ ଧନକୁ ଆତ୍ମସାତ୍ କଲେ ବା ଖର୍ଚ୍ଚ କଲେ ସମ୍ପୃକ୍ତ ସ୍ବାମୀ ହୁଅନ୍ତୁ ବା ତାଙ୍କ ପରିବାରବର୍ଗ ସେମାନଙ୍କ ବିରୁଦ୍ଧରେ ଧାରା ୪୧୬ରେ ଫୌଜଦାରି ମାମଲାର ବ୍ୟବସ୍ଥା ରହିଛି। ତେବେ ଏହି ନୂଆ ଐତିହାସିକ ରାୟ ସ୍ତ୍ରୀ ଧନରେ ମହିଳାଙ୍କର ସମ୍ପୂର୍ଣ୍ଣ ଅଧିକାରକୁ ସାବ୍ୟସ୍ତ କରେ। ଏହାକୁ ମହିଳା ସଶକ୍ତୀକରଣ ଦିଗରେ ଆଉ ଏକ ବଡ଼ ଓ ପ୍ରଭାବୀ ପଦକ୍ଷେପ କୁହାଯାଇପାରେ।
ଭାରତୀୟ ସାମାଜିକ ଓ ପାରିବାରିକ ଜୀବନ ବ୍ୟବସ୍ଥାରେ ସ୍ତ୍ରୀ ଧନ ଉପରେ ମହିଳାଙ୍କର ସମ୍ପୂର୍ଣ୍ଣ ଓ ନିରଙ୍କୁଶ ଅଧିକାରର ବ୍ୟବସ୍ଥାକୁ ଗ୍ରହଣ କରାଯାଇ ନ ଥାଏ। ଏକ ଯୌଥ ପରିବାରରେ ଚଳୁଥିବାବେଳେ ପରିବାର, ସ୍ବାମୀ ବା ପିଲାମାନଙ୍କ ଆବଶ୍ୟକତାକୁ ଦେଖି ସ୍ତ୍ରୀ ଧନରୁ ଯାହାକିଛି ଖର୍ଚ୍ଚ ହେଲେ ମଧ୍ୟ ମହିଳା ଜଣଙ୍କ ନୀରବ ରହିବାକୁ ବାଧ୍ୟ ହୋଇଥାନ୍ତି। ଅନେକ ସମୟରେ ମହିଳାଙ୍କର ଯେଉଁ ସମ୍ପତ୍ତି ଯାହା ଖର୍ଚ୍ଚ ହୋଇଯାଇଥାଏ ବା ବିକ୍ରି ହୋଇଯାଇଥାଏ ଏହା ଫେରିବାର ସମ୍ଭାବନା ନ ରହିଲେ ସମ୍ପୃକ୍ତ ମହିଳାଙ୍କର ମାନସିକ ଚାପ ବଢ଼ିବା ସହ ପରିବାରରେ ମଧ୍ୟ ମତାନ୍ତର ଓ ମନାନ୍ତର ଦେଖାଦିଏ। ସ୍ତ୍ରୀ ଧନ ମାମଲାର ପରିଚାଳନା ପାଇଁ ପରିବାର ଅଦାଲତ ବ୍ୟବସ୍ଥାରେ କୌଣସି ସ୍ପଷ୍ଟ ଓ ସ୍ବତନ୍ତ୍ର ନିୟମ ମଧ୍ୟ ନାହିଁ। ଏହି ଆଇନଗତ ଦୁର୍ବଳତା ଯୋଗୁ ନାରୀଟି ନିଜ ସମ୍ପତ୍ତିଗତ ପ୍ରସଙ୍ଗରେ ଏକପ୍ରକାର ଅଧିକାର ହରାଇ ଚୁପ୍ ରହିବା ପାଇଁ ବାଧ୍ୟହୁଏ। ବର୍ତ୍ତମାନ ଡିଭୋର୍ସ ମାମଲା ବଢ଼ୁଥିବାବେଳେ ଅନେକ ଲୋକ ନିଜ ସ୍ତ୍ରୀଙ୍କ ଧନସମ୍ପତ୍ତିକୁ ଆତ୍ମସାତ୍ କରିବାକୁ ପଛାଉନାହାନ୍ତି। ତେଣୁ ଏଭଳି ଏକ ମୁହୂର୍ତ୍ତରେ ସୁପ୍ରିମ୍କୋର୍ଟଙ୍କ ଏହି ରାୟଟି ଯୁଗାନ୍ତକାରୀ ସାବ୍ୟସ୍ତ ହେବ। ଏହା କେବଳ ମହିଳାଙ୍କ ଆର୍ଥିକ କ୍ଷେତ୍ରକୁ ମଜଭୁତ କରିବ ନାହିଁ ବରଂ ଆତ୍ମବିଶ୍ୱାସକୁ ବଢ଼ାଇ ସେମାନଙ୍କୁ ସଶକ୍ତ କରାଇପାରିବ। ଅନେକ କ୍ଷେତ୍ରରେ ଦେଖାଯାଏ ବହୁ ବ୍ୟକ୍ତି ଅର୍ଦ୍ଧାଙ୍ଗିନୀଙ୍କ ଅର୍ଜିତ ଧନରେ ଭାଗ ବସାଇବା ସହ ପଇସା ଉଡ଼ାଇଥାନ୍ତି, ଯାହାଦ୍ୱାରା ଘରର ଆର୍ଥିକ କ୍ଷେତ୍ର ମଜଭୁତ ହୋଇପାରି ନ ଥାଏ ଏବଂ ଘରେ ବିଶୃଙ୍ଖଳାର କାରଣ ହୋଇଥାଏ। ତେବେ ସର୍ବୋଚ୍ଚ ଅଦାଲତଙ୍କର ଏହି ଐତିହାସିକ ଓ ଗୁରୁତ୍ୱପୂର୍ଣ୍ଣ ରାୟ ପତ୍ନୀଙ୍କ ଆୟରେ ଜୀବନ ନିର୍ବାହ କରୁଥିବା ପୁରୁଷଙ୍କ ଉପରେ ମଧ୍ୟ ଏହାର ପ୍ରଭାବ ପକାଇବ।
ବଡ଼କଥା ହେଉଛି, ସ୍ତ୍ରୀ ଧନ ବ୍ୟବସ୍ଥାକୁ ଦୃଢ଼ଭାବେ ନ୍ୟାୟିକ କ୍ଷେତ୍ରରେ ସୁରକ୍ଷା ମିଳିଲେ ଓ ଏହାକୁ ଯେଉଁ ଅମାନିଆମାନେ ଉଲ୍ଲଂଘନ କରୁଛନ୍ତି ସେମାନଙ୍କ ପାଇଁ କଠୋରରୁ କଠୋରତମ ଦଣ୍ଡବିଧାନ ବ୍ୟବସ୍ଥା ରହିଲେ ଆମ ସମାଜରେ ମହିଳାଙ୍କ ମର୍ଯ୍ୟାଦା ଓ ସମ୍ମାନ ବଢ଼ିବା ସହ ପତି ପତ୍ନୀଙ୍କ ମଧ୍ୟରେ ଅସମାନତା, ମତାନ୍ତର ଓ ଭୁଲ୍ ବୁଝାମଣା ଆଉ ସମ୍ଭବ ହୋଇପାରିବ ନାହିଁ। ସଂସାର ଗଠନରେ କେବଳ ନାରୀଟିର ନୁହଁ, ଉଭୟଙ୍କର ଗୁରୁଦାୟିତ୍ୱ ରହିଛି। ପାରସ୍ପରିକ ଭଲପାଇବା, ବିଶ୍ୱାସ ଓ ଦୃଢ଼ ବୁଝାମଣା ହିଁ ସଂସାର ଡଙ୍ଗାକୁ ଆଗେଇ ନେଇଥାଏ। ଜୀବନ ନିର୍ବାହ କ୍ଷେତ୍ରରେ ଉଭୟ ପୁରୁଷ ଓ ନାରୀ ପରିବାରର ମର୍ଯ୍ୟାଦା ବଢ଼ାଇବା ହେଉ ବା ପିଲାମାନଙ୍କୁ ଗଢ଼ିବା କ୍ଷେତ୍ରରେ ଅନେକ ତ୍ୟାଗ ସ୍ବୀକାର କରିଥାନ୍ତି। ତେଣୁ ପରିବାରର ଗଠନ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ନିର୍ବାହ କରୁଥିବା ଘରଣୀଙ୍କ ଧନକୁ ଯଦି ଅନୁପଯୋଗ ଭାବେ ଖର୍ଚ୍ଚ କରାଯାଏ ତାହା ଏକ ଅସୁସ୍ଥ ପରମ୍ପରା ସୃଷ୍ଟି କରିବ। ଏହି ଆପତ୍କାଳୀନ ସ୍ତ୍ରୀ ଧନ ବିନିଯୋଗ ପ୍ରକ୍ରିୟା ଏବେଠାରୁ ଆଇନଗତ ଭାବରେ ହିଁ ହେବ ଏବଂ ଏହାର ଉଲ୍ଲଂଘନ ଦ୍ୱାରା ଏହା ଆଇନଗତ ମାମଲା ଭାବେ ବିଚାର କରାଯିବ। ସ୍ତ୍ରୀ ଧନ ପରମ୍ପରାର ସୁରକ୍ଷା ରଖିବା କ୍ଷେତ୍ରରେ ସର୍ବୋଚ୍ଚ ଅଦାଲତଙ୍କ ଏହି ରାୟକୁ ଅନେକ ମହଲରେ ସ୍ବାଗତ କରାଯାଉଛି।
ବରିଷ୍ଠ ଆଇନଜୀବୀ, ଓଡ଼ିଶା ହାଇକୋର୍ଟ, କଟକ, ମୋ:୯୪୩୭୦୦୪୪୬୬
The post ମହିଳାଙ୍କ ଅଧିକାରରେ ସ୍ତ୍ରୀ ଧନ appeared first on Dharitri Odia News.