‘ମାଗା’-‘ମିଗା’
ରାଷ୍ଟ୍ର-ସ୍ୱାର୍ଥ ଆଗରେ ଶତ୍ରୁ-ମିତ୍ର ଭାବନା, ଭାବପ୍ରବଣତା କିମ୍ବା ପକ୍ଷପାତିତାର ସ୍ଥାନ ନାହିଁ। ଏହା ହିଁ ଜଣେ ରାଷ୍ଟ୍ରବାଦୀ ଜନନାୟକର ପରିଚାୟକ ଓ ଦାୟିତ୍ୱବୋଧ। ‘ଆମେରିକା ଫାଷ୍ଟ(ଆମେରିକାର ସ୍ୱାର୍ଥ ସର୍ବାଗ୍ରେ)’ ଓ ‘ରେସିପ୍ରୋକାଲ୍ ତାରିଫ୍(ପରସ୍ପରାନୁବର୍ତ୍ତୀ ବା ଯେସାକୁ ତେସା ତାରିଫ୍)’ ନୀତିରେ ରାଷ୍ଟ୍ର ଓ ଶାସନ ମୁଖ୍ୟ ଭାବେ ଡୋନାଲ୍ଡ ଟ୍ରମ୍ପଙ୍କ ଏହି ଆଭିମୁଖ୍ୟ ଯଦି ପ୍ରତିଫଳିତ ହୋଇଛି ସେଥିରେ ଅସ୍ୱାଭାବିକତା ନାହିଁ। କାରଣ ଦ୍ୱିତୀୟ ଥର ରାଷ୍ଟ୍ରପତି ଭାବେ ପଦ ଓ ଗୋପନୀୟତାର ଶପଥ ସହିତ ସେ […]

ରାଷ୍ଟ୍ର-ସ୍ୱାର୍ଥ ଆଗରେ ଶତ୍ରୁ-ମିତ୍ର ଭାବନା, ଭାବପ୍ରବଣତା କିମ୍ବା ପକ୍ଷପାତିତାର ସ୍ଥାନ ନାହିଁ। ଏହା ହିଁ ଜଣେ ରାଷ୍ଟ୍ରବାଦୀ ଜନନାୟକର ପରିଚାୟକ ଓ ଦାୟିତ୍ୱବୋଧ। ‘ଆମେରିକା ଫାଷ୍ଟ(ଆମେରିକାର ସ୍ୱାର୍ଥ ସର୍ବାଗ୍ରେ)’ ଓ ‘ରେସିପ୍ରୋକାଲ୍ ତାରିଫ୍(ପରସ୍ପରାନୁବର୍ତ୍ତୀ ବା ଯେସାକୁ ତେସା ତାରିଫ୍)’ ନୀତିରେ ରାଷ୍ଟ୍ର ଓ ଶାସନ ମୁଖ୍ୟ ଭାବେ ଡୋନାଲ୍ଡ ଟ୍ରମ୍ପଙ୍କ ଏହି ଆଭିମୁଖ୍ୟ ଯଦି ପ୍ରତିଫଳିତ ହୋଇଛି ସେଥିରେ ଅସ୍ୱାଭାବିକତା ନାହିଁ। କାରଣ ଦ୍ୱିତୀୟ ଥର ରାଷ୍ଟ୍ରପତି ଭାବେ ପଦ ଓ ଗୋପନୀୟତାର ଶପଥ ସହିତ ସେ ‘ମେକ୍ ଆମେରିକା ଗ୍ରେଟ୍ ଏଗେନ୍(ମାଗା)’ର ସଂକଳ୍ପ ନେଇଥିବା ଘୋଷଣା କରିଛନ୍ତି। ଏହା କିନ୍ତୁ ଭିନ୍ନ ପ୍ରସଙ୍ଗ ଯେ ଟ୍ରମ୍ପଙ୍କ ‘ମାଗା’ ନୀତି ଏବେ ଭାରତ ସମେତ ବିଶ୍ୱ ବାଣିଜ୍ୟ ପ୍ରତି ଗୁରୁତର ଆହ୍ୱାନ ସୃଷ୍ଟି କରିଛି।
ଡୋନାଲ୍ଡ ଟ୍ରମ୍ପଙ୍କ ରେସିପ୍ରୋକାଲ୍ ତାରିଫ୍ ନୀତିର ଯୁକ୍ତି ହେଉଛି, ଗାଟ୍(ଜେନେରାଲ୍ ଏଗ୍ରିମେଣ୍ଟ ଅନ୍ ତାରିଫ୍ ଆଣ୍ଡ ଟ୍ରେଡ୍) ଯୋଗୁଁଁ ଦୀର୍ଘଦିନ ଧରି ଆମେରିକୀୟ ଉତ୍ପାଦ ଓ ଉତ୍ପାଦକ ବିଶ୍ୱବଜାରରେ ଅନ୍ୟାୟର ଶିକାର ହେଉଛନ୍ତି। ଆମେରିକାର କୋହଳ ତାରିଫ୍ ନୀତିର ଫାଇଦା ନେଇ ବିକାଶଶୀଳ ରାଷ୍ଟ୍ରମାନେ ଶସ୍ତାରେ ଆମେରିକାକୁ ରପ୍ତାନୀ କରୁଛନ୍ତି; ଅଥଚ ଆମେରିକୀୟ ଉତ୍ପାଦ ଉପରେ ଚଢ଼ା ଦରରେ ଆମଦାନୀ ଶୁଳ୍କ ଲାଗୁ କରି ନିଜ ଦେଶରେ ମହଙ୍ଗା କରିଦେଉଛନ୍ତି। ଏହାଦ୍ୱାରା ଆମେରିକୀୟ ବାଣିଜ୍ୟ ଗୁରୁତର ପ୍ରଭାବିତ ହେଉଛି। ଉଦାହରଣ ସ୍ୱରୂପ ଚୀନ୍ ସହିତ ଆମେରିକାର ବାଣିଜ୍ୟ ନିଅଣ୍ଟ ୧ ଲକ୍ଷ କୋଟି ଡଲାର ଥିବା ବେଳେ ଆମେରିକା ସହିତ ଚୀନ୍ର ବାଣିଜ୍ୟ ବଳକା ୧ ଲକ୍ଷ କୋଟି ଡଲାର। ଏଣୁ ଆସନ୍ତା ଏପ୍ରିଲ୍ ମାସରୁ ଆମେରିକା ମଧ୍ୟ ଯେସାକୁ ତେସା ନୀତି ଗ୍ରହଣ କରି ଯେଉଁ ଦେଶ ଆମେରିକୀୟ ଉତ୍ପାଦ ଉପରେ ଯେତିକି ଆମଦାନୀ ଶୁଳ୍କ ଲାଗୁ କରିବ ସେହି ଦେଶର ଉତ୍ପାଦ ଉପରେ ସମାନ କିମ୍ବା ତା’ଠାରୁ ଅଧିକ ଆମଦାନୀ ଶୁଳ୍କ ଲାଗୁ କରିବ। ଯେଉଁ ଦେଶ ନିଜ ବଜାରକୁ ଆମେରିକୀୟ ଉତ୍ପାଦ ପାଇଁ ଉନ୍ମୁକ୍ତ କରିବ ସେହି ଦେଶ ପ୍ରତି ଆମେରିକାର ତାରିଫ୍ ନୀତି ନମନୀୟ ହେବ। ନିକଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆମେରିକା ଗସ୍ତ କାଳରେ ମିଳିତ ସାମ୍ବାଦିକ ସମ୍ମିଳନୀରେ ଟ୍ରମ୍ପ ‘ମାଗା’ ନୀତି ଘୋଷଣା କରିଥିବା ବେଳେ ପରବର୍ତ୍ତୀ ଏକ ସାକ୍ଷାତକାରରେ ମଧ୍ୟ ତାଙ୍କ ସଂକଳ୍ପରେ ଦୃଢ଼ ଥିବା ଦୋହରାଇଛନ୍ତି।
ଜଗତୀକରଣ ସହିତ ଜନ୍ମ ନେଇଥିବା ମୁକ୍ତ ବାଣିଜ୍ୟ ରାଜିନାମା ତତ୍ତ୍ୱ ଏବେ ଯୁଦ୍ଧମୁଖୀ ଓ ତୀବ୍ର ପ୍ରତିଯୋଗିତାପୂର୍ଣ୍ଣ ବଜାର ଅର୍ଥନୀତିରେ ପ୍ରାସଙ୍ଗିକତା ହରାଉଛି ଏବଂ ସାମ୍ପ୍ରତିକ ଭୂରାଜନୀତିରେ ଶ୍ରେଷ୍ଠତ୍ୱ ପ୍ରତିପାଦନରେ ତାରିଫ ବା ଶୁଳ୍କ ଏକ ପ୍ରଭାବଶାଳୀ ଅସ୍ତ୍ର ହୋଇଛି। ତେଣୁ ଯେଉଁ ଦେଶ ନିଜକୁ ସୁହାଇବା ଭଳି ତାରିଫ ନୀତି(ଆମଦାନୀ ଶୁଳ୍କ ବୃଦ୍ଧି ଓ ରପ୍ତାନୀ ଶୁଳ୍କ ହ୍ରାସ)ଜରିଆରେ ନିଜ ଦେଶର ଉତ୍ପାଦକୁ ଘରୋଇ ଓ ଅନ୍ତଃରାଷ୍ଟ୍ରୀୟ ସ୍ତରରେ ସୁରକ୍ଷା ଦେଇପାରିବ ଏବଂ ପ୍ରତିଯୋଗୀକ୍ଷମ କରାଇ ପାରିବ ସେହି ଦେଶ ହିଁ ଅଗ୍ରଣୀ ମାନ୍ୟତା ପାଇବ। ଏହିକ୍ରମରେ ଟ୍ରମ୍ପଙ୍କ ‘ମାଗା’ ନୀତିକୁ ଟକ୍କର ଦେବା ଭଳି ଆମେରିକାରେ ମିଳିତ ସାମ୍ବାଦିକ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ‘ମେକ୍ ଇଣ୍ଡିଆ ଗ୍ରେଟ୍ ଏଗେନ୍(ମିଗା)’ ନୀତି ଘୋଷଣା କରିଛନ୍ତି। ରାଷ୍ଟ୍ରୀୟ ଭାବନା ଓ ଜାତୀୟତା ମୂଲ୍ୟବୋଧ ଦୃଷ୍ଟିକୋଣରୁ ‘ମିଗା’ ସ୍ୱାଗତଯୋଗ୍ୟ ଓ ପ୍ରଶଂସନୀୟ ନିଶ୍ଚୟ। କିନ୍ତୁ ସାମ୍ପ୍ରତିକ ସ୍ଥିତିରେ ‘ମାଗା’କୁ ଯେ ‘ମିଗା’ ଟକ୍କର ଦେଇପାରିବ ସେ ସମ୍ଭାବନା ଅନେକ ଦୃଷ୍ଟିରୁ କ୍ଷୀଣ ଲାଗୁଛି। ଭାରତ-ଆମେରିକା ସଦ୍ୟତମ ଦ୍ୱିପାକ୍ଷିକ ଚୁକ୍ତିନାମା ଉପରେ କ୍ଷୀଣ ଦୃଷ୍ଟି ପକାଇଲେ ମଧ୍ୟ ‘ମାଗା’ ଆଗରେ ‘ମିଗା’ର ବିବଶତା ବାରି ହୋଇପଡ଼ୁଛି।
ଦ୍ୱିପାକ୍ଷିକ ଆଲୋଚନା ବେଳେ ଟ୍ରମ୍ପ ସ୍ପଷ୍ଟ କରିଛନ୍ତି ଯେ ଆମେରିକା କେବଳ ଭାରତର ମେଧାବୀ ଆଇଟି ମାନବ ସମ୍ବଳକୁ ନିଜ ଦେଶରେ କାମ କରିବାର ସୁଯୋଗ ଦେବ; କିନ୍ତୁ ବହିରାଗତଙ୍କ ଭିସା କଟକଣାକୁ କୌଣସିମତେ କୋହଳ କରାଯିବାର ପ୍ରଶ୍ନ ଉଠୁନାହିଁ। ଏବେ କୃତ୍ରିମ ବୁଦ୍ଧିମତ୍ତା(ଏଆଇ) ପ୍ରତିଯୋଗିତା ତୀବ୍ର ହୋଇଥିବା ବେଳେ ଭାରତ ମଧ୍ୟ ଏହି ଦୌଡ଼ରେ ସାମିଲ୍ ହୋଇଛି ଏବଂ ଏଥିପାଇଁ ୧୯୦୦୦ ଗ୍ରାଫିକ୍ପ୍ରୋସେସିଂ ୟୁନିଟ୍(ଜିପିୟୁ) ଆମେରିକାରୁ ମାଗିଛି। କିନ୍ତୁ ଚୀନ୍ର ‘ଡିପ୍ସେକ୍’କୁ ଟକ୍କର ଦେବା ପାଇଁ ଓରାକଲ୍, ମାଇକ୍ରୋସଫ୍ଟ, ନିଭିଦିଆ, ସଫ୍ଟ ବ୍ୟାଙ୍କ ପରି ଆମେରିକା ବୃହତ୍ ଆଇଟି କମ୍ପାନୀମାନେ ଓପନ୍ ଏଆଇ ସହିତ ହାତ ମିଳାଇଥିବାରୁ ଭାରତକୁ ଜିପିୟୁ ଏତେ ସହଜରେ ମିଳିବାର ଆଶା କ୍ଷୀଣ। ଅପରପକ୍ଷରେ ଯଦି ଭାରତର ଆଇଟି ମେଧା ସମ୍ବଳକୁ ଅଧିକ ବେତନ ଦେଇ ଆମେରିକା ହାସଲ କରିନେବ ତେବେ ସ୍ୱାଭାବିକ ଭାବରେ ଏଆଇ ପ୍ରତିଯୋଗିତାରେ ‘ମାଗା’ ଆଗରେ ‘ମିଗା’ ଫିକା ପଡ଼ିଯିବ। ସମ୍ପ୍ରତି ଭାରତ ପ୍ରତିରକ୍ଷା ଓ ଇନ୍ଧନ ଚାହିଦା ପୂରଣ ପାଇଁ ପାରମ୍ପରିକ ବନ୍ଧୁ ରୁଷ ଉପରେ ନିର୍ଭରଶୀଳ ଥିବା ବେଳେ ଟ୍ରମ୍ପଙ୍କୁ ଅସନ୍ତୁଷ୍ଟ ନ କରିବା ପାଇଁ ନରେନ୍ଦ୍ର ମୋଦୀ ସଦ୍ୟତମ ଚୁକ୍ତି ଅନୁଯାୟୀ ଆମେରିକା ପାଇଁ ଭାରତୀୟ ପ୍ରତିରକ୍ଷା ଓ ଇନ୍ଧନ ବଜାର ଉନ୍ମୁକ୍ତ କରିବାକୁ ଯାଉଛନ୍ତି। ଏବେ ଆମେରିକା ସହିତ ଭାରତର ବାଣିଜ୍ୟ ନିଅଣ୍ଟ ୩୫୦୦ କୋଟି ଡଲାର ଥିବା ବେଳେ ଆମେରିକୀୟ ଇନ୍ଧନ ଆମଦାନୀ ବଢ଼଼ିଲେ ବାଣିଜ୍ୟ ନିଅଣ୍ଟ ବୃଦ୍ଧି ପାଇ ଡଲାର ତୁଳନାରେ ଟଙ୍କା ମୂଲ୍ୟ ଆହୁରି ଦୁର୍ବଳ ହେବ। ଅପରପକ୍ଷରେ ଆମେରିକା ବଜାରରେ ଭାରତୀୟ ସାମଗ୍ରୀକୁ ପ୍ରତିଯୋଗୀକ୍ଷମ କରିବା ପାଇଁ ଭାରତ ଯଦି ରପ୍ତାନୀକାରୀଙ୍କୁ ଅଧିକ ପ୍ରୋତ୍ସାହନ କିମ୍ବା ଆର୍ଥିକ ସହାୟତା ଯୋଗାଇଦିଏ ତେବେ ଟ୍ରମ୍ପଙ୍କ ଘୋଷଣା ଅନୁଯାୟୀ ଭାରତୀୟ ଉତ୍ପାଦ ଉପରେ ଆହୁରି ଅଧିକ ତାରିଫ୍ ଲାଗୁ ହେବ। ଏହାଦ୍ୱାରା ଭାରତର ଘରୋଇ ଉତ୍ପାଦକ ତ କ୍ଷତିଗ୍ରସ୍ତ ହେବେ ଦେଶର ରାଜକୋଷ ଉପରେ ମଧ୍ୟ ବୋଝ ବଢ଼଼ିବ। ଏହାଛଡ଼ା ଚୀନର ‘ବେଲ୍ଟ ଆଣ୍ଡ ରୋଡ୍ ଇନିସିଏଟିଭ୍’କୁ ପ୍ରତିହତ କରିବା ଲାଗି ଆମେରିକା ପରିକଳ୍ପିତ ଆଇଏମ୍ଇଇସି(ଇଣ୍ଡିଆ ମିଡିଲ୍ ଇଷ୍ଟ ୟୁରୋପ ଇକୋନୋମିକ୍ କରିଡର)ରେ ଟ୍ରମ୍ପଙ୍କ ମଧ୍ୟପ୍ରାଚ୍ୟ ଦଖଲ ନୀତି ପ୍ରଚ୍ଛନ୍ନ ଥିବାରୁ ଭାରତର ଚବାହାର ବନ୍ଦର ପ୍ରତିଷ୍ଠା ଲକ୍ଷ୍ୟ ପରାହତ ହେବ ଏବଂ ଚୀନ୍ ତୁଳନାରେ ଭାରତର କ୍ଷତି ସହିବ। ଏଭଳି ପରିସ୍ଥିତିରେ ଭାରତୀୟ ଶିଳ୍ପଭିତ୍ତିକ ରପ୍ତାନୀ ବାଣିଜ୍ୟର ‘ମିଗା’ ଲକ୍ଷ୍ୟ ସଫଳ ହେବ କେମିତି? ବିଶେଷକରି ‘ମାଗା’ରେ ଭାରତୀୟ କୃଷି ଓ କୃଷକ ସର୍ବାଧିକ କ୍ଷତିଗ୍ରସ୍ତ ହେବ।
‘ମାଗା’କୁ ଟକ୍କର ଦେବା ଏବଂ ‘ମିଗା’କୁ ସଫଳ କରିବାକୁ ହେଲେ ଭାରତ ଦକ୍ଷତା ବିକାଶକୁ ଆହୁରି ଅଧିକ ପ୍ରାଧାନ୍ୟ ଦେବାକୁ ପଡ଼ିବ। ଉତ୍ପାଦର ଗୁଣବତ୍ତା ବୃଦ୍ଧି ସହିତ କଞ୍ଚାମାଲ୍ ମୂଲ୍ୟ କମ୍ ରହିଲେ ‘ମିଗା’ ଆଗରେ ‘ମାଗା’ ଦୁର୍ବଳ ପ୍ରମାଣିତ ହେବ। କିନ୍ତୁ ଏଥିପାଇଁ କେବଳ କେନ୍ଦ୍ରୀୟ ନୀତି ଯଥେଷ୍ଟ ନୁହେଁ। ତୃଣମୂଳସ୍ତରର ଅଂଶୀଦାରଙ୍କୁ ନୀତି ନିର୍ଦ୍ଧାରକମାନେ ବିଶ୍ୱାସକୁ ନେଇ ବାଣିଜ୍ୟ ନୀତିର ବିକେନ୍ଦ୍ରୀକରଣ କରିବା ଦିଗରେ ଦୃଷ୍ଟି ଦେବା ଅପରିହାର୍ଯ୍ୟ।