ମାଣବସା ଗୁରୁବାରରେ ମାଣ୍ଡିଆକୁ ଭୋଗ କରିବା ପାଇଁ ମା’ମାନଙ୍କୁ ଅନୁରୋଧ କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ଲୋକସେବା ଭବନ କନ୍ଭେନ୍ସନ ସେଣ୍ଟର ଠାରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଦ୍ୱାରା ଆୟୋଜିତ ଦୁଇ ଦିନିଆ ‘ଅନ୍ତର୍ଜାତୀୟ ଶ୍ରୀ ଅନ୍ନ ଓ ବିସ୍ମୃତ ଖାଦ୍ୟ ସମ୍ମିଳନୀ’କୁ ଉଦ୍ଘାଟନ କରିଛନ୍ତି ଇ ଏହି ଅବସରରେ ରାଜ୍ୟରେ ମିଲେଟ ଜାତୀୟ ଫସଲର ଉତ୍ପାଦନ ଏବଂ ବ୍ୟବହାରକୁ ବୃଦ୍ଧି କରି ଓଡ଼ିଶାକୁ ଭାରତର ମିଲେଟ ହବ୍ କରିବାକୁ ଗୁତୃତ୍ବ ଦେଇଛନ୍ତି । ଚଳିତ ବର୍ଷ ବଜେଟରେ ୬୪୯ କୋଟି […]

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ଲୋକସେବା ଭବନ କନ୍ଭେନ୍ସନ ସେଣ୍ଟର ଠାରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଦ୍ୱାରା ଆୟୋଜିତ ଦୁଇ ଦିନିଆ ‘ଅନ୍ତର୍ଜାତୀୟ ଶ୍ରୀ ଅନ୍ନ ଓ ବିସ୍ମୃତ ଖାଦ୍ୟ ସମ୍ମିଳନୀ’କୁ ଉଦ୍ଘାଟନ କରିଛନ୍ତି ଇ ଏହି ଅବସରରେ ରାଜ୍ୟରେ ମିଲେଟ ଜାତୀୟ ଫସଲର ଉତ୍ପାଦନ ଏବଂ ବ୍ୟବହାରକୁ ବୃଦ୍ଧି କରି ଓଡ଼ିଶାକୁ ଭାରତର ମିଲେଟ ହବ୍ କରିବାକୁ ଗୁତୃତ୍ବ ଦେଇଛନ୍ତି । ଚଳିତ ବର୍ଷ ବଜେଟରେ ୬୪୯ କୋଟି ଟଙ୍କାର ପ୍ରାବଧାନ କରାଯାଇଛି । ମାଣବସା ଗୁରୁବାରରେ ମାଣ୍ଡିଆକୁ ଭୋଗ ଲାଗି କରିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମା’ମାନଙ୍କୁ ଅନୁରୋଧ କରିଛନ୍ତି ।
ସୂଚନାଯୋଗ୍ୟ ଯେ, ବିସ୍ମୃତ ଖାଦ୍ୟଶସ୍ୟର ପୁନରୁଦ୍ଧାର ପାଇଁ ଆୟୋଜିତ ଏହି ସମ୍ମିଳନୀରେ ମିଳିତ ଜାତିସଂଘର ପ୍ରତିନିଧି, କୃଷି ବିଜ୍ଞାନୀ, ଗବେଷକ, ବିଶେଷଜ୍ଞ, ବୁଦ୍ଧିଜୀବୀ, ବିଭିନ୍ନ ଜିଲ୍ଲାର କୃଷକ ଓ ଅଗ୍ରଣୀ ମହିଳା ଚାଷୀମାନେ ଯୋଗ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ କାର୍ଯ୍ୟକ୍ରମରେ ଉଦ୍ବୋଧନ ଦେଇ କହିଛନ୍ତି ଯେ, ପୁଷ୍ଟିଶସ୍ୟ ଓ ଚାଷ ପ୍ରଣାଳୀ ଆମ ଆଦିବାସୀ ଜନଜାତି ସମ୍ପ୍ରଦାୟଙ୍କ ଐତିହ୍ୟର ଏକ ଅବିଚ୍ଛେଦ୍ୟ ଅଙ୍ଗ ହୋଇ ରହିଛି। ପୁଷ୍ଟିଶସ୍ୟର ପ୍ରାଚୀନତା ଏବଂ ଆମ ସଂସ୍କୃତି ଓ ଐତିହ୍ୟ ସହିତ ଏହାର ନିବିଡତାକୁ ଦୃଷ୍ଟିରେ ରଖି ଆମ ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହାକୁ ‘ଶ୍ରୀଅନ୍ନ’ ଭାବେ ନାମିତ କରିଛନ୍ତି।
ଶ୍ରୀଅନ୍ନ ଚାଷ ଆଜି ସାରା ଦେଶରେ ଏକ ବିପ୍ଳବର ରୂପ ନେଇଛି, ଏବଂ ଆଜି ସାରା ଓଡିଶାରେ ଶ୍ରୀଅନ୍ନ ଚାଷ ହେଉଛି। ପ୍ରାୟ ୧୭୭ ବ୍ଲକରେ ଏହି ଚାଷକୁ ସମ୍ପ୍ରସାରଣ କରାଯାଇଛି। ପୁଷ୍ଟିଶସ୍ୟ ଉପରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଭାରତରେ ପ୍ରାୟ ୧୪ ପ୍ରକାର ପୁଷ୍ଟିଶସ୍ୟ ଶ୍ରୀଅନ୍ନ ଭାବେ ମାନ୍ୟତା ପାଇଛି। ସେଥି ମଧ୍ୟରୁ ବାଜରା, ଜୱାର, ମାଣ୍ଡିଆ ସବୁଠାରୁ ଅଧିକ ଆଦୃତ। ଓଡିଶାରେ ମାଣ୍ଡିଆ ସବୁଠାରୁ ଅଧିକ ଉତ୍ପାଦନ ହେଉଥିବା ବେଳେ ସୁଆଁ, କାଙ୍ଗୁ, କୋଦ, ଜହ୍ନା ପରି ଅନ୍ୟାନ୍ୟ ପୁଷ୍ଟିଶସ୍ୟ ଫସଲ ମଧ୍ୟ ବହୁଳ ଭାବେ ଚାଷ କରାଯାଉଛି। ଏହିସବୁ ପୁଷ୍ଟିଶସ୍ୟ ଗ୍ଲୁଟେନମୁକ୍ତ, ଅଧିକ ସ୍ନେହସାର, ଆଣ୍ଟି-ଅକ୍ସିଡାଣ୍ଟ ଏବଂ ବହୁତ କମ୍ ଗ୍ଲାଇସେମିକ୍ ସୂଚକାଙ୍କ ଧାରକ ହୋଇଥିବା ଯୋଗୁ ଏହା ମଧୁମେହ ରୋଗ ପ୍ରତିରୋଧ କରିବା ସହିତ ରକ୍ତ ଶର୍କରା ପରିଚାଳନାରେ ମଧ୍ୟ ସାହଯ୍ୟ କରିଥାଏ। ଶ୍ରୀଅନ୍ନ ଗୁଡିକ କର୍କଟ ରୋଗ, ରକ୍ତହୀନତା, ଭିଟାମିନ ‘ବି’ର ଅଭାବ ଦୂର କରିବା ଦିଗରେ ପ୍ରତିଷେଧକ ଭାବେ କାମ କରିଥାଏ। ଏହିସବୁ ଉତ୍କୃଷ୍ଟ ଗୁଣ ଯୋଗୁ ଶ୍ରୀଅନ୍ନ ଏକ ସୁପରଫୁଡର ମାନ୍ୟତା ପାଇଛି। ବର୍ତ୍ତମାନ ଆମ ସରକାର ଶ୍ରୀଅନ୍ନ ର ଅଧିକ ଉତ୍ପାଦନ ପାଇଁ ଚାଷୀମାନଙ୍କୁ ଆବଶ୍ୟକୀୟ ସହାୟତା ଯୋଗାଇ ଦେଉଛନ୍ତି। ଆମକୁ ଏହାକୁ ଲୋକଙ୍କ ଦୈନନ୍ଦିନ ଖାଦ୍ୟ ଶୃଙ୍ଖଳା ମଧ୍ୟରେ ଅନ୍ତର୍ଭୁକ୍ତ କରିବାକୁ ପଡିବ।
ମାଣ୍ଡିଆ ଚାଷକୁ ଆମ ମହିଳା ଚାଷୀମାନେ ଏକ ଆନ୍ଦୋଳନରେ ପରିଣତ କରିଛନ୍ତି। ଓଡିଶା ମାଣ୍ଡିଆ ଆନ୍ଦୋଳନର ଦୁଇ ପ୍ରମୁଖ ମହିଳା ଚାଷୀ ହେଉଛନ୍ତି, କୋରାପୁଟ ଜିଲ୍ଲାର ରାଇମତୀ ଘୁରିଆ ଏବଂ ମୟୁରଭଞ୍ଜ ଜିଲ୍ଲାର ସୁବାଷା ମହନ୍ତ। ସେମାନେ ନିଜ ନିଜ ପ୍ରଚେଷ୍ଟାରେ ଏହାର ଅଭିବୃଦ୍ଧି କରିବା ସହିତ ମାଣ୍ଡିଆ କିପରି ଏକ ଚାଷୀର ଆର୍ଥିକ ଅବସ୍ଥାକୁ ବଦଳେଇ ଦେଇପାରେ ତାକୁ ପ୍ରମାଣ କରିଛନ୍ତି। ପ୍ରଧାନମନ୍ତ୍ରୀ ଏହି ଦୁଇ ମହିଳାଙ୍କୁ ଜି-୨୦ ସମ୍ମିଳନୀରେ ଶ୍ରୀଅନ୍ନ ଚାଷର ବ୍ରାଣ୍ଡ ଆମ୍ବାସଡର କରିଥିଲେ।