ମିଳୁନି ମାଟି, ସଙ୍କଟରେ କୁମ୍ଭକାରଙ୍କ ଜୀବିକା
କାକଟପୁର/ଅସ୍ତରଙ୍ଗ(ଶୁଭଦର୍ଶନ ମିଶ୍ର/ ପ୍ରଦୀପ୍ତ କୁମାର ଦୀକ୍ଷିତ)୨୮ା୧୦: ଓଡ଼ିଆ ଚଳଣି ଓ ପରମ୍ପରା ନିଆରା। ସବୁ ପର୍ବପର୍ବାଣି, ପୂଜାର୍ଚ୍ଚନା ଓ ଯାନିଯାତ୍ରା ସମୟରେ ମାଟିତିଆରି ସାମଗ୍ରୀ ଖୋଜାପଡ଼େ। କୌଣସି ଶୁଭକାମ କରିବା ସମୟରେ ପ୍ରଥମେ ମାଟିପାତ୍ର ଆବଶ୍ୟକ ହୋଇଥାଏ। ଯୁଗ ବଦଳିଥିଲେ ମଧ୍ୟ ପରମ୍ପରା ବଦଳି ନାହିଁ। କିନ୍ତୁ ଆଧୁନିକ ଯୁଗ ସହ ତାଳ ଦେଇ ମାଟିପାତ୍ର ନିର୍ମାଣଶୈଳୀ ବଦଳିବା ଜରୁରୀ ହୋଇପଡ଼ିଛି। ମାଟିପାତ୍ର ଲାଗି ସବୁଠୁ ବଡ଼ କଞ୍ଚାମାଲ ହେଉଛି ମାଟି। ଯେକୌଣସି ମାଟିରେ ପାତ୍ର ଗଢ଼ାହୋଇ […] The post ମିଳୁନି ମାଟି, ସଙ୍କଟରେ କୁମ୍ଭକାରଙ୍କ ଜୀବିକା appeared first on Dharitri Odia News.
କାକଟପୁର/ଅସ୍ତରଙ୍ଗ(ଶୁଭଦର୍ଶନ ମିଶ୍ର/ ପ୍ରଦୀପ୍ତ କୁମାର ଦୀକ୍ଷିତ)୨୮ା୧୦: ଓଡ଼ିଆ ଚଳଣି ଓ ପରମ୍ପରା ନିଆରା। ସବୁ ପର୍ବପର୍ବାଣି, ପୂଜାର୍ଚ୍ଚନା ଓ ଯାନିଯାତ୍ରା ସମୟରେ ମାଟିତିଆରି ସାମଗ୍ରୀ ଖୋଜାପଡ଼େ। କୌଣସି ଶୁଭକାମ କରିବା ସମୟରେ ପ୍ରଥମେ ମାଟିପାତ୍ର ଆବଶ୍ୟକ ହୋଇଥାଏ। ଯୁଗ ବଦଳିଥିଲେ ମଧ୍ୟ ପରମ୍ପରା ବଦଳି ନାହିଁ। କିନ୍ତୁ ଆଧୁନିକ ଯୁଗ ସହ ତାଳ ଦେଇ ମାଟିପାତ୍ର ନିର୍ମାଣଶୈଳୀ ବଦଳିବା ଜରୁରୀ ହୋଇପଡ଼ିଛି। ମାଟିପାତ୍ର ଲାଗି ସବୁଠୁ ବଡ଼ କଞ୍ଚାମାଲ ହେଉଛି ମାଟି। ଯେକୌଣସି ମାଟିରେ ପାତ୍ର ଗଢ଼ାହୋଇ ପାରିବନି। ଏଥିଲାଗି ଲୋଡ଼ା କନ୍ଧାଳ ମାଟି। ସବୁ ସ୍ଥାନରେ ଏଭଳି ମାଟି ମିଳିବା ସମ୍ଭବ ହେଉନାହିଁ। ଏଣୁ କୁମ୍ଭକାର ଗୁଣାତ୍ମକ ମାଟି ଖୋଜିଥାନ୍ତି। ବହୁ ସମୟରେ ମାଟି ଅଭାବ ଯୋଗୁ ପାତ୍ର ତିଆରିରେ ପ୍ରତିବନ୍ଧକ ଉପୁଜୁଛି। ଭଲ କନ୍ଧାଳ ବା କୁମ୍ଭାର ମାଟି ଯୋଗାଡ଼ କରିବାକୁ କୁମ୍ଭକାରଙ୍କୁ ଅଧିକ ଖର୍ଚ୍ଚାନ୍ତ ହେବାକୁ ପଡୁଛି। ସାମ୍ପ୍ରତିକ ସମୟରେ କମ୍ ବ୍ୟକ୍ତି ଏହି କୌଳିକ ବୃତ୍ତିକୁ ବଞ୍ଚାଇ ରଖିଛନ୍ତି। ପୁରୀ ଜିଲା କାକଟପୁର ବ୍ଲକର ଜଗନ୍ନାଥପୁର ଓ ସୋମନାଥପୁରରେ ୨ଶହରୁ ଊର୍ଦ୍ଧ୍ୱ ଏବଂ ଅସ୍ତରଙ୍ଗ ବ୍ଲକର ନଈଗୁଆଁ, ଅସ୍ତରଙ୍ଗ, ଗୋସିଙ୍ଗା ଗ୍ରାମରେ ପାଖାପାଖି ୫୦ରୁ ଅଧିକ କୁମ୍ଭକାର ପରିବାର ଏହି ବୃତ୍ତି ଉପରେ ନିର୍ଭରଶୀଳ। ବର୍ଷସାରା ଏହି ଗ୍ରାମବାସୀ ମାଟିରେ କୁମ୍ଭ, ସରା, ଦୀପ, କଳସ ପ୍ରଭୃତି ବିିଭିନ୍ନ ପାତ୍ର ତିଆରିକରି ସ୍ଥାନୀୟ ହାଟବଜାରରେ ବିକ୍ରି କରିବା ସହ ବାହାରକୁ ପଠାଇଥାନ୍ତି। ଏବେ କୁମ୍ଭାରଶାଳ ଭାଙ୍ଗିଗଲାଣି। ସରକାରୀ ସହାୟତାରେ ତାହାର ପୁନରୁଦ୍ଧାର ଅପେକ୍ଷାରେ ରହିଛନ୍ତି ଗ୍ରାମବାସୀ। ସୋମନାଥପୁର ଏବଂ ଓସ୍ତପୁର ଗ୍ରାମର କୁମ୍ଭାର ପରିବାର ନିଜ ଘରେ ମାଟିପାତ୍ର ନିର୍ମାଣ କରୁଛନ୍ତି। ତେବେ ସେମାନେ ଘରଠୁ ୧୦ରୁ ୨୦ କିଲୋମିଟର ଦୂର ବୁଲି ଉପଯୁକ୍ତ ମାଟି ଚି଼ହ୍ନଟ କରୁଛନ୍ତି। ଏପରି କି ସମ୍ପୃକ୍ତ ଜମି ମାଲିକଙ୍କୁ ଏକର ପିଛା ୪ରୁ ୫ ହଜାର ଟଙ୍କା ଦେଉଛନ୍ତି। ପରେ ମାଟି ସଂଗ୍ରହକରି ଟ୍ରାକ୍ଟରରେ ଆଣୁଛନ୍ତି। ଗାଡ଼ିଖର୍ଚ୍ଚ ବାବଦ ୧ ହଜାରରୁ ଅଧିକ ଟଙ୍କା ଖର୍ଚ୍ଚ ହେଉଛି। ବର୍ଷକୁ ପ୍ରାୟ ୧୦୦ ଟ୍ରାକ୍ଟରରୁ ଅଧିକ ମାଟି ଆବଶ୍ୟକ ପଡୁଛି। ଏତେ ପରିମାଣର ମାଟି ଆଣିବା ସମୟରେ ରାଜସ୍ବ କର୍ମଚାରୀଙ୍କ ଦ୍ୱାରା ଶୋଷଣର ଶିକାର ହେଉଥିବା କେତେଜଣ କୁମ୍ଭକାର ଅଭିଯୋଗ କରିଛନ୍ତି। ଏ ନେଇ ସରକାରୀ ସହାୟତା କିମ୍ବା ଯୋଜନା ହେଲେ ସମସ୍ତ କୁମ୍ଭକାର ପରିବାର ଉପକୃତ ହେବେ ବୋଲି ଭ୍ରମରବର ମୁଦୁଲି କହିଛନ୍ତି। ଆଗକୁ ଦୀପାବଳି ଥିବାରୁ ଦିନକୁ ପ୍ରାୟ ୨ହଜାର ଦୀପ ତିଆରି କରୁଛୁ। ସେଥିରୁ ବହୁ ଦୀପ ନଷ୍ଟ ହୋଇଯାଉଛି। ଆୟଠାରୁ ପରିଶ୍ରମ ଦୁଇଗୁଣା ହେଉଛି। ଏଥିପାଇଁ ସରକାରଙ୍କ ପକ୍ଷରୁ କୌଣସି ସୁବିଧା ସୁଯୋଗ ମିଳୁନାହିଁ। କୁମ୍ଭକାରଙ୍କୁ ସରକାରୀ ସହାୟତା ମିଳିଲେ ଗ୍ରାମବାସୀ ଉପକୃତ ହେବେ ବୋଲି ଭ୍ରମରବର ପ୍ରକାଶ କରିଛନ୍ତି।
The post ମିଳୁନି ମାଟି, ସଙ୍କଟରେ କୁମ୍ଭକାରଙ୍କ ଜୀବିକା appeared first on Dharitri Odia News.