ମୁସଲିମ୍ ମହିଳାଙ୍କ ଅଧିକାର ନେଇ ସୁପ୍ରିମ୍ ରାୟ; ତଲାକ୍ ପରେ ବି ଭରଣପୋଷଣ ଦେବେ ସ୍ୱାମୀ
ମୁସଲିମ ମହିଳାଙ୍କ ଅଧିକାରକୁ ନେଇ ସୁପ୍ରିମକୋର୍ଟଙ୍କ ବଡ଼ ରାୟ। ଏକ ଛାଡପତ୍ର ମାମଲାର ଶୁଣାଣି କରି ସୁପ୍ରିମ ରାୟ ଦେଇଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ। ଯେକୌଣସି କାରଣରୁ ଛାଡପତ୍ର ହେବା ପରେ ମହିଳାଙ୍କୁ ଭରଣପୋଷଣ ଦେବାକୁ ସ୍ବାମୀ ବାଧ୍ୟ। ସ୍ୱାମୀଙ୍କୁ ଏହି ଅର୍ଥ ରାଶି ଦେବାକୁ ପଡିବ ।
ମୁସଲିମ ମହିଳାଙ୍କ ଅଧିକାରକୁ ନେଇ ସୁପ୍ରିମକୋର୍ଟଙ୍କ ବଡ଼ ରାୟ। ଏକ ଛାଡପତ୍ର ମାମଲାର ଶୁଣାଣି କରି ସୁପ୍ରିମ ରାୟ ଦେଇଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ। ଯେକୌଣସି କାରଣରୁ ଛାଡପତ୍ର ହେବା ପରେ ମହିଳାଙ୍କୁ ଭରଣପୋଷଣ ଦେବାକୁ ସ୍ବାମୀ ବାଧ୍ୟ। ସ୍ୱାମୀଙ୍କୁ ଏହି ଅର୍ଥ ରାଶି ଦେବାକୁ ପଡିବ । ଏହା କୌଣସି ଦାନ ରାଶି ନୁହେଁ ବରଂ ତାହା ମହିଳାଙ୍କର ଅଧିକାର । କୌଣସି ଧର୍ମ ଏଥିରେ ବାଧକ ନୁହେଁ ବୋଲି କହିଛନ୍ତି ସୁପ୍ରିମକୋର୍ଟ ।
ତେଲାଙ୍ଗାନାର ଜଣେ ମୁସଲିମ ମହିଳା ଓ ତାଙ୍କ ସ୍ୱାମୀ ମହମ୍ମଦ ଅବଦୁଲ ମସାଦଙ୍କ ମଧ୍ୟରେ ୨୦୧୭ରେ ଛାଡ଼ପତ୍ର ହୋଇଥିଲା। ଏହି ମହିଳା ବିବାହ ବିଚ୍ଛେଦ ପରେ ଭରଣପୋଷଣ ଦାବି କରି କୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ । ସ୍ବାମୀଙ୍କ ଠାରୁ ମାସିକ ୨୦ ହଜାର ଟଙ୍କା ଭରଣପୋଷଣ ଦାବି କରି କୋର୍ଟରେ ଦ୍ବାରସ୍ଥ ହୋଇଥିଲେ । ଫ୍ୟାମିଲି କୋର୍ଟରେ ମହିଳାଙ୍କ ଆବେଦନ ପରେ ଏହାକୁ ରଦ୍ଦ କରିବା ପାଇଁ ହାଇକୋର୍ଟର ଦ୍ବାରସ୍ଥ ହୋଇଥିଲେ ସ୍ୱାମୀ । ହାଇକୋର୍ଟ ମାମଲାର ଶୁଣାଣି କରି ମହିଳାଙ୍କ ସପକ୍ଷରେ ରାୟ ଦେଇଥିଲେ । ଆବେଦନକାରୀଙ୍କୁ ମାସିକ ୧୦ହଜାର ଟଙ୍କାର ଭରଣପୋଷଣ ରାଶି ପ୍ରଦାନ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ ।
ପରେ ଏହି ମାମଲାରେ ମହିଳାଜଣଙ୍କ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଆଜି ଏହି ମାମଲାର ଶୁଣାଣି ଜଷ୍ଟିସ ବି.ଭି ନାଗରତ୍ନା ଓ ଜଷ୍ଟିସ୍ ଅଗଷ୍ଟିନ ଜର୍ଜ ମାସିହଙ୍କ ଦୁଇଜଣିଆ ଖଣ୍ଡପୀଠରେ ହୋଇଥିଲା । ଖଣ୍ଡପୀଠ କହିଥିଲେ, ଧାରା ୧୨୫ ଅନୁଯାୟୀ, ଛାଡପତ୍ର ପରେ ଭରଣପୋଷଣ ପାଇବା ଜଣେ ମହିଳାଙ୍କ ଅଧିକାର । ଏହି ବ୍ୟବସ୍ଥାରେ କୌଣସି ଧର୍ମ ବାଧକ ସାଜି ପାରିବ ନାହିଁ । ଏହି ଆବେଦନର ଶୁଣାଣି ସମୟରେ, ଅବଦୁଲଙ୍କ ଓକିଲ କହିଥିଲେ ଯେ, ତଲାକକୁ ନେଇ ସଂରକ୍ଷଣ ଅଧିକାର ଆଇନ, ୧୯୮୬ ଅନୁସାରେ ଜଣେ ମୁସଲିମ ମହିଳା CrPC ଧାରା ୧୨୫ର ଅଧିକାର ପାଇବା ପାଇଁ ଦାବି କରିପାରିବ ନାହିଁ। ୧୯୮୬ ଅଧିନିୟମ ମୁସଲିମ ମହିଳାମାନଙ୍କ ପାଇଁ ଅଧିକ ଲାଭଦାୟକ।
ଏହାକୁ ଖଣ୍ଡନ କରି ସର୍ବୋଚ୍ଚ ଅଦାଲତ କହିଛନ୍ତି, ମହିଳାମାନଙ୍କ ଭରଣପୋଷଣ କ୍ଷେତ୍ରରେ କୌଣସି ଧର୍ମ ବାଧା ସୃଷ୍ଟି କରିପାରିବ ନାହିଁ। କେବଳ ମୁସଲିମ ମହିଳା ନୁହଁନ୍ତି, ସମସ୍ତ ଧର୍ମର ମହିଳା ଭରଣପୋଷଣର ଅଧିକାର ପାଇଛନ୍ତି। ଧାରା 125 ଅନୁଯାୟୀ ସମସ୍ତ ଧର୍ମର ମହିଳା ତାଙ୍କ ସ୍ୱାମୀଙ୍କ ବିରୋଧରେ ଭରଣପୋଷଣ ମାମଲା ଦାୟର କରିପାରିବେ। ଏବେ ସମୟ ଆସିଛି ଯେ ଭାରତୀୟ ସମାଜରେ ପୁରୁଷମାନେ ମହିଳାଙ୍କ ତ୍ୟାଗକୁ ସ୍ବୀକାର କରନ୍ତୁ । ଯେକୌଣସି ଧର୍ମ ହୋଇଥିଲେ ସୁଦ୍ଧା ଛାଡପତ୍ର ମାମଲାରେ ସେମାନେ ମହିଳାଙ୍କୁ ଭରଣପୋଷଣ ରାଶି ପ୍ରଦାନ କରିବା ପାଇଁ ବାଧ୍ୟ ।