ମୃତ୍ୟୁଞ୍ଜୟ କବିସୂର୍ଯ୍ୟ
ଗଞ୍ଜାମ ଓଡ଼ିଆ ଜାତିର ଗୌରବର ଲୀଳାକ୍ଷେତ୍ର ବୋଲି ସାହିତ୍ୟ ରସଗ୍ରାହୀ କହିଥାନ୍ତି। ଏହାର ପ୍ରାକୃତିକ ସଂପଦ ପ୍ରାଣ ସୁଖଦାୟକ, ଯାହା ଭାବୁକମାନଙ୍କୁ ଅଭିଭୂତ କରେ। କବି ହୃଦୟ ନିର୍ମାଣରେ ମୌଳିକ ଉପାଦାନ ଯୋଗାଏ। ମହାକବି କାବ୍ୟ ମହାନାୟକ ମହାଭାବୁକ ଉପେନ୍ଦ୍ରଙ୍କର ଜନ୍ମଭୂମି ଘୁମୁସର ଏହି ଗଞ୍ଜାମରେ। କବିସୂର୍ଯ୍ୟ ବଳଦେବ ରଥ ରାୟଗୁରୁ ମହାପାତ୍ରଙ୍କ ଜନ୍ମସ୍ଥାନ ଗଞ୍ଜାମର ଆଠଗଡ଼ରେ, ଯେଉଁଠି ଉକ୍ରଳଘଣ୍ଟ ଯଦୁମଣି ମହାପାତ୍ର ମଧ୍ୟ ଭୂମିଷ୍ଠ ହୋଇ ଅକ୍ଷୟ କୀର୍ତ୍ତି ରଖି ଯାଇଛନ୍ତି। ଭାଷାପ୍ରେମୀ ଗଞ୍ଜାମ ଜିଲ୍ଲାବାସୀଙ୍କ […]

ଗଞ୍ଜାମ ଓଡ଼ିଆ ଜାତିର ଗୌରବର ଲୀଳାକ୍ଷେତ୍ର ବୋଲି ସାହିତ୍ୟ ରସଗ୍ରାହୀ କହିଥାନ୍ତି। ଏହାର ପ୍ରାକୃତିକ ସଂପଦ ପ୍ରାଣ ସୁଖଦାୟକ, ଯାହା ଭାବୁକମାନଙ୍କୁ ଅଭିଭୂତ କରେ। କବି ହୃଦୟ ନିର୍ମାଣରେ ମୌଳିକ ଉପାଦାନ ଯୋଗାଏ। ମହାକବି କାବ୍ୟ ମହାନାୟକ ମହାଭାବୁକ ଉପେନ୍ଦ୍ରଙ୍କର ଜନ୍ମଭୂମି ଘୁମୁସର ଏହି ଗଞ୍ଜାମରେ। କବିସୂର୍ଯ୍ୟ ବଳଦେବ ରଥ ରାୟଗୁରୁ ମହାପାତ୍ରଙ୍କ ଜନ୍ମସ୍ଥାନ ଗଞ୍ଜାମର ଆଠଗଡ଼ରେ, ଯେଉଁଠି ଉକ୍ରଳଘଣ୍ଟ ଯଦୁମଣି ମହାପାତ୍ର ମଧ୍ୟ ଭୂମିଷ୍ଠ ହୋଇ ଅକ୍ଷୟ କୀର୍ତ୍ତି ରଖି ଯାଇଛନ୍ତି। ଭାଷାପ୍ରେମୀ ଗଞ୍ଜାମ ଜିଲ୍ଲାବାସୀଙ୍କ ଦେବତା କବିସୂର୍ଯ୍ୟ ବୋଲି ପ୍ରତିଭା ପୂଜକ ବିଚାର କରନ୍ତି। ଯେଉଁ କବିସୂର୍ଯ୍ୟଙ୍କର ଆଦେଶକୁ ଶିରୋଧାର୍ଯ୍ୟ କରି ଦେବୀ ବାଗୀଶ୍ୱରୀ ସରସ୍ୱତୀ ଲୀଳା ରଚନା କରିଥା’ନ୍ତି ବୋଲି କୁହାଯାଏ। ପ୍ରକୃତରେ ବାଣୀ ଭୃତ୍ୟା ପରି କବିଙ୍କର ବଶବର୍ତ୍ତିନୀ ହୋଇନଥିଲେ ଭାଷା ଓ ଭାବର ଏପରି ବିଚିତ୍ର ସମାବେଶ ହୋଇ ନଥା’ନ୍ତା ବୋଲି କବିସୂର୍ଯ୍ୟଙ୍କ ପ୍ରଥମ ଜୀବନୀ ସୃଜନୀ ସଂକଳକ କୁଳମଣି ଦାଶ ପଣ୍ଡିତ ଭାବ ଗଦ୍ଗଦ୍ କଣ୍ଠରେ ବର୍ଣ୍ଣନା କରିଛନ୍ତି। ରାଧାନାଥ ରାୟଙ୍କ ମନ୍ତବ୍ୟରେ
ଧନ୍ୟ ରଥେ ତୁମ୍ଭ ଜନ୍ମ ଶୁଭକ୍ଷଣେ,
ମୃତ୍ୟୁଞ୍ଜୟ ତୁମ୍ଭେ ଉକ୍ରଳ ଭୁବନେ /
ତୁମ୍ଭ ମାଟି ଦେହ ଗ୍ରାସିଛି ଶ୍ମଶାନ,
ମାତ୍ର ଯଶୋଦେହେ ତୁମ୍ଭେ ଆୟୁଷ୍ମାନ।
ବଳଦେବ ରଥ ଥିଲେ ସୁଦର୍ଶନ ପୁରୁଷ, ସୁଗାୟକ, ସୁପ୍ରଶାସକ, ଅସାଧାରଣ ପଣ୍ଡିତ୍ୟ ପତ୍୍ୟୁତ୍ପନ୍ନମତିସଂପନ୍ନ ଆଶୁକବି, ସୁଖ୍ୟାତ ସଂଗୀତଜ୍ଞ ଆର୍ଥିକ ସ୍ୱଚ୍ଛଳ ସଚ୍ଚରିତ୍ର କମନୀୟ ମଧୁର ନିରହଙ୍କାର ନିରାଡ଼ମ୍ବର ବାଣୀ ପୁରୁଷ। ବଳଦେବଙ୍କ ଜନ୍ମ ହୋଇଥିଲା ଖ୍ରୀ.ଅ. ୧୭୭୯ ମାଘ ଶୁକ୍ଳ ପଞ୍ଚମୀରେ ଅଜାଘରେ ଆଠଗଡ଼ରେ। ଭଞ୍ଜ ଯୁଗ ଓ ରାଧାନାଥ ଯୁଗର ମଧ୍ୟବର୍ତ୍ତୀ ସନ୍ଧିକ୍ଷଣରେ ମାର୍ତ୍ତଣ୍ଡ ତୁଲ୍ୟ ଆବିର୍ଭୂତ ହୋଇଥିଲେ ସେ। ଆଠଗଡ଼ରେ ମାତାମହଙ୍କ ଇଷ୍ଟଦେବୀଙ୍କ ସ୍ତନ ନିର୍ଗତ କ୍ଷୀର ପାନ ଫଳରେ ତାଙ୍କର ସ୍ମୃତି ଶକ୍ତି ମେଧାବଳ ବୌଦ୍ଧିକ ସାମର୍ଥ୍ୟ ପ୍ରଖର ଓ ବଳିଷ୍ଠ ହୋଇଥିଲା। ବଳଦେବ ପନ୍ଦର ବର୍ଷ ବୟସରେ ପୁରୀ ବାସେଳି ସାହି ନିବାସୀ କଣାପରହାଟିଆ ରାମକୃଷ୍ଣ ମିଶ୍ରଙ୍କ ରୂପବତୀ ଗୁଣବତୀ ଚାରୁଶୀଳା କନ୍ୟା, ରତ୍ନମଣିଙ୍କ ପାଣିଗ୍ରହଣ କରିଥିଲେ।
ବଳଦେବଙ୍କ ବିଦ୍ବତ୍ତା, ବିପୁଳ ସୁଖଦ ଲାଳିତ୍ୟଭରା କଣ୍ଠରେ ସୁରଚିତ ସଂଗୀତ ଗାନ, ଉଚ୍ଚାରଣରେ ସ୍ପଷ୍ଟତା ଓ ବିଶୁଦ୍ଧତା ସହ ଆଚରଣରେ ନମ୍ରତା ଜଳନ୍ତର ରାଜା ରାମଚନ୍ଦ୍ର ଛୋଟରାୟଙ୍କ ରାଜସଭାକୁ ବିମୁଗ୍ଧ ଓ ବିଦଗ୍ଧ କରିଦେଇଥିଲା। ରସିକ ରାଜା ତାଙ୍କ ଶିରରେ ଶ୍ରୀସମ୍ପଦ ଅଜାଡ଼ି ଦେଲେ। କବି ବଳଦେବ ବ୍ରାହ୍ମଣ ହେଲେ ହେଁ ରାଜକୀୟ ସକଳ ସୁଖ ସୁବିଧା ଭୋଗ କଲେ। ରାମଚନ୍ଦ୍ର ଛୋଟରାୟ ତାଙ୍କୁ ଦେବାନ୍ ସର୍ବୋଚ୍ଚ ପ୍ରଶାସକ ପଦରେ ଅଧିଷ୍ଠିତ କଲେ। ପାଳିତ କନ୍ୟା ଚନ୍ଦ୍ରକଳାର ଗୃହଶିକ୍ଷକ ହେଲେ କବି ବଳଦେବ। ବଳଦେବ ସକଳ ସୁଖ ସୁବିଧା ସୁଯୋଗ ଭୋଗ କରି ସୁଦ୍ଧା ଥିଲେ ସରଳ ନିରାଡ଼ମ୍ବର, ନିର୍ଲୋଭ, ନିରହଙ୍କାର, ସଚ୍ଚରିତ୍ର, ସର୍ବଗୁଣସମ୍ପନ୍ନ ଆଦର୍ଶ ପୁରୁଷ। ରାଜ୍ୟରେ ସୁଶାସନ ପ୍ରତିଷ୍ଠା କଲେ। ଅପୂଜା ଦେବୀଙ୍କ ପାଇଁ ରୀତିମତ ଭୋଗ ଖଞ୍ଜିଦେଲେ। ଜବରଦଖଲ ଭୂମିକୁ ରାଜଦଖଲକୁ ଆଣିଲେ। ସମାଜ ସେବା ଅନୁଷ୍ଠାନ ଗଢ଼ିଲେ। କୃଷି ଗମନାଗମନ ପଥର ଆବଶ୍ୟକ ସୁବିଧା ସୁଯୋଗ ଜଳନ୍ତର ପ୍ରଜାଙ୍କୁ ଯୋଗାଇଦେଲେ। ପୁଷ୍କରିଣୀ ଖୋଳାଇଲେ। କୃଷକ ଶ୍ରମିକ ଶ୍ରେଣୀ ବିଶେଷ ଉପକୃତ ହେଲେ।
ବଳଦେବଙ୍କୁ ଅନୁରୋଧ କଲେ ରାଜା- ଉପେନ୍ଦ୍ରଭଞ୍ଜଙ୍କ ଲାବଣ୍ୟବତୀ ଅନୁସରଣରେ କାବ୍ୟ ଲେଖିବା ପାଇଁ। ଦରବାରୀ ସାହିତ୍ୟ ପ୍ରତି ବଳଦେବଙ୍କ ଶ୍ରଦ୍ଧା ସ୍ପୃହା ନଥିଲେ ମଧ୍ୟ ରଚନା କଲେ ରସପ୍ରାଣମୟ କାବ୍ୟ ‘ଚନ୍ଦ୍ରକଳା’। ବଳଦେବଙ୍କୁ ତରୁଣ କାବ୍ୟ ସାହିତ୍ୟ ସୁରସିକ ନରେଶ ରାମଚନ୍ଦ୍ର ଛୋଟରାୟ ‘କବିସୂର୍ଯ୍ୟ’ ଉପାଧିରେ ଭୂଷିତ କଲେ। ଗଜପତିଙ୍କଠାରୁ କବିସୂର୍ଯ୍ୟ ଉପାଧି ସହ ‘ରାୟଗୁରୁ ମହାପାତ୍ର’ ଅତିରିକ୍ତ ଉପାଧି ଦତ୍ତ ସନନ୍ଦ ମଧ୍ୟ ବଳଦେବ ଗ୍ରହଣ କରିଛନ୍ତି।
ଅଗଣିତ ସଂଗୀତ ଚଉପଦୀ ଜଣାଣ ନୂଆ ନୂଆ ରଚନା କରି ସାହିତ୍ୟ ସଭାରେ ଗାନ କଲେ- କବିରବି। କାଳଜୟୀ ସୃଷ୍ଟି ‘କିଶୋରଚନ୍ଦ୍ରାନନ୍ଦ ଚମ୍ପୂ’ ବୈଷ୍ଣବଧର୍ମୀ ରାଜା ବାଲୁକେଶ୍ୱରଙ୍କ ଅଭିପ୍ରାୟ ଅନୁରୋଧରେ ଆଠଗଡ଼ ମାଟିରେ ରଚନା କଲେ। ଭଣତି କଲେ ହରିଚନ୍ଦନ ଜଗଦ୍ଦେବଙ୍କ ନାମରେ, ଯାହା ଆଜି ଉକ୍ରଳର ଘରେ ଘରେ ପୁରେ ପୁରେ ଅତି ପ୍ରିୟ ଆପଣାର ଆଦରଣୀୟ ହୋଇପାରିଛି। ‘ସର୍ପ ଜଣାଣ’, ‘ଜଗନ୍ନାଥ ଜଣାଣ’, ‘କ୍ଷୀରମୟ ସିନ୍ଧୁ ଜେମା ଜୀବ ବନ୍ଧୁ’, ‘ମହାବାହୁ ଜଣାଣ’, ଆଦିରେ ସାହିତ୍ୟ ଓ ସଂଗୀତର ଅପୂର୍ବ ସମାବେଶ ସୃଷ୍ଟି କରିଛନ୍ତି କବିସୂର୍ଯ୍ୟ। ତାଙ୍କର ଅତି ଲୋକପ୍ରିୟ ସଂଗୀତ ଚଉପଦୀଗୁଡ଼ିକ ହେଲା- “ମାନ ସୁମନା କରିବେ ମାନସୁ ମନାରେ’, “ବାରିଜାକ୍ଷୀ ମନରୁ ମାନ ବାରିବେ’, “ଆଜ ଏ କି ଗୁମାନରେ ଚନ୍ଦ୍ରାନନା ଦେଖିନାହିଁ ମୁଁ ସପନରେ’, “ତୁହି ପରା ମୋ ହୃଦୟ ମଣିମୟ ହାରା’, “କାହାକୁ କହିବା କପାଳରେ ସିନା କର ମାରିବା’, “ସରସେ କୁହାଯାଉଥିବ ସିନା’, “ବନ୍ଧୁକି କଲି ଦୁର୍ବିଚାରକୁରେ’, “ସରିଯାଉଛିରେ ଏହିଠାରୁ ମନୋରଥ’, “କଳା କଉତୁକ ତୁଳା ଦଳିତ ନୀଳ କୁନ୍ତଳା’, “ଚନ୍ଦ୍ରମୁଖୀରେ ଏକା ଭାଗ୍ୟବନ୍ତେ ତାକୁ ଲେଖିରେ’, “ପ୍ରିୟ ସହି ଏତେବେଳୁଁ ଥାଅ ମୋତେ କହିରେ’, “ଚାହିଛି ମାତ୍ର ଶ୍ୟାମ ଶିଖଣ୍ଡଗୋ ସଖୀ ମୁଁ”, “ଧନ୍ୟ ହେ ନବ କିଶୋର ସତୀ ଧୃତି ଧନ ଚୋର’, “ରେ ସଙ୍ଗାତ ଋଷି ମୁଁ ବସିଲି ଗେଲେ’ ଇତ୍ୟାଦି। ସଂଗୀତ ଚଉତିଶାଗୁଡ଼ିକ କେତେ ନିଜ ନାମରେ ଆଉ କେତେ ଜଳନ୍ତର ରାଜା ରାମଚନ୍ଦ୍ର ଛୋଟରାୟଙ୍କ ନାମରେ, ଗଜପତି ମୁକୁନ୍ଦ ଦେବଙ୍କ ନାମରେ ବିଶେଷତଃ ଅଷ୍ଟଦୁର୍ଗ ନୃପବର ବାଲୁକେଶ ହରିଚନ୍ଦନଙ୍କ ନାମରେ ଭଣତି କରି କବିସୂର୍ଯ୍ୟ କାଳକାଳକୁ କବିସୂର୍ଯ୍ୟ ହୋଇ ରହିଛନ୍ତି। ତାଙ୍କର ଓଡ଼ିଆ ଜାତି ଧରାପୃଷ୍ଠରେ ଥିବା ଯାଏଁ ଅସ୍ତ ହେବନାହିଁ। ଅନାୟାସରେ ପ୍ରାଣ ଛାଡ଼ିଲେ ସେ ଖ୍ରୀ.ଅ.୧୮୪୫ ମସିହା ପୁଣ୍ୟ ବୈଶାଖ ମାସର ଅକ୍ଷୟ ତୃତୀୟା ତିଥିରେ – ବାଲାଜୀପେଣ୍ଠ ବ୍ରହ୍ମପୁର ବାସଭବନରେ ପ୍ରାଣପ୍ରିୟା ରତ୍ନମଣିଙ୍କ କୋଳରେ ପୁତ୍ର ବିଶ୍ୱନାଥଙ୍କ ହାତରୁ ନିର୍ମାଲ୍ୟ ଜଳପାନ କରି।
କୃଷ୍ଣଚନ୍ଦ୍ର ତ୍ରିପାଠୀ
ପୋଲସରା,ମୋ: ୮୭୬୩୪୭୪୩୮୮