ମେଣ୍ଟ ନ ହେବା ଯେତିକି ଉତ୍ସାହ ସେତିକି ଚିନ୍ତାଜନକ
କେନ୍ଦୁଝର,୨୩ା୩(ନରେଶ ଚନ୍ଦ୍ର ପଟ୍ଟନାୟକ): ବିଜେଡି-ଭାଜପା ମେଣ୍ଟ ହେବ ନାହିଁ ବୋଲି ଏ କଥା ଉଭୟ ଦଳର ନେତା ନିଜ ନିଜ ଟ୍ବିଟରରେ ସିଧାସଳଖ ନ କହି ପରୋକ୍ଷ ଭାବରେ ସଫା କରି କହିଦେଲେ। ଏବେ କହୁଛନ୍ତି, ମେଣ୍ଟ କଥା ଆମେ କହି ନ ଥିଲୁ। ଏହା ମଧ୍ୟ ଜିଲା ରାଜନୀତିରେ ଉଭୟ ଦଳ ପକ୍ଷରୁ କୁହାଯାଉଛି। ଦୀର୍ଘଦିନ ଧରି ଉଭୟ ଦଳରେ ମେଣ୍ଟ ହେବା ଆଶଙ୍କାକୁ ନେଇ ନୀରବତା ଦେଖାଦେଇଥିଲା। ଏଭଳି ନିଷ୍ପତ୍ତି ପରେ ଉଭୟ ଦଳ […] The post ମେଣ୍ଟ ନ ହେବା ଯେତିକି ଉତ୍ସାହ ସେତିକି ଚିନ୍ତାଜନକ appeared first on Dharitri Odia News.
କେନ୍ଦୁଝର,୨୩ା୩(ନରେଶ ଚନ୍ଦ୍ର ପଟ୍ଟନାୟକ): ବିଜେଡି-ଭାଜପା ମେଣ୍ଟ ହେବ ନାହିଁ ବୋଲି ଏ କଥା ଉଭୟ ଦଳର ନେତା ନିଜ ନିଜ ଟ୍ବିଟରରେ ସିଧାସଳଖ ନ କହି ପରୋକ୍ଷ ଭାବରେ ସଫା କରି କହିଦେଲେ। ଏବେ କହୁଛନ୍ତି, ମେଣ୍ଟ କଥା ଆମେ କହି ନ ଥିଲୁ। ଏହା ମଧ୍ୟ ଜିଲା ରାଜନୀତିରେ ଉଭୟ ଦଳ ପକ୍ଷରୁ କୁହାଯାଉଛି। ଦୀର୍ଘଦିନ ଧରି ଉଭୟ ଦଳରେ ମେଣ୍ଟ ହେବା ଆଶଙ୍କାକୁ ନେଇ ନୀରବତା ଦେଖାଦେଇଥିଲା। ଏଭଳି ନିଷ୍ପତ୍ତି ପରେ ଉଭୟ ଦଳ ପୁଣି ଥରେ ଚଳଚଞ୍ଚଳ ହୋଇଉଠିଛନ୍ତି।
ମେଣ୍ଟ ହେବା ଆଶାରେ ଖୁସି ଥିବା ଟିକେଟ୍ ପାଇବା ଆଶାବାଦୀ ନେତାମାନେ ଏବେ ଚିନ୍ତାରେ ପଡ଼ିଯାଇଛନ୍ତି। କାରଣ ମେଣ୍ଟ ହେଲେ ଜିତିବା ସମ୍ଭାବନା ଅଧିକ ଥିଲା। କିନ୍ତୁ ମେଣ୍ଟ ନ ହେଲେ କଡ଼ା ମୁକାବିଲାର ସମ୍ମୁଖୀନ ହେବାକୁ ପଡ଼ିବ। ଏହି ଚିନ୍ତା ଏବେ ଘାରିଛି। ସେହିପରି ଟିକେଟ୍ ନ ପାଇବା ଆଶାରେ ଅନେକ ଆଶାୟୀ ନିରାଶ ହୋଇ ବିକଳ୍ପ ବ୍ୟବସ୍ଥା ପାଇଁ ପ୍ରସ୍ତୁତି ଆରମ୍ଭ କରୁଥିଲେ ଏବଂ ମେଣ୍ଟ ଘୋଷଣା ଅପେକ୍ଷାରେ ରହିଥିଲେ। ଏହାକୁ ନେଇ ମୁଖ୍ୟ ବିରୋଧୀ ଭାବେ ଲଢ଼ିବା ଆଶା ରଖି ଅଧିକ ଉତ୍ସାହିତ ହୋଇ ପଡ଼ିଥିବା କଂଗ୍ରେସ ଆଶାୟୀମାନେ ଏବେ ଟିକେ ନିରୁତ୍ସାହିତ ହୋଇପଡ଼ିଛନ୍ତି।
ତେବେ ମେଣ୍ଟ ହେବ ଏହାକୁ ନେଇ କର୍ମୀମାନେ ବେଶ୍ ଉତ୍ସାହିତ ହୋଇ ପଡ଼ିଥିଲେ ହେଁ ଦୀର୍ଘଦିନର ଆଶା ଆଶଙ୍କାରେ ରହିବା ପରେ ଅନେକଙ୍କ ମଧ୍ୟରେ ସେଭଳି ଉତ୍ସାହ ଦେଖିବାକୁ ମିଳୁନାହିଁ। ଅନେକ ଏହି ମେଣ୍ଟ ରାଜନୀତିକୁ ବିଭିନ୍ନ କୋଣରୁ ଆଲୋଚନା କରି ଉଭୟ ଦଳକୁ ଅନେକ ଆଗଭଳି ଦୃଢ଼ ବିଶ୍ୱାସ କରିପାରୁନାହାନ୍ତି। ସମସ୍ତେ କହୁଛନ୍ତି ଏବେ ନ ହେଲେ ମଧ୍ୟ ଭିତିରିଆ କୌଣସି ବୁଝାମଣା ହୋଇଥିବ କିମ୍ବା ନିର୍ବାଚନ ପରେ ମେଣ୍ଟ ହେବ। ଅନ୍ୟ ପକ୍ଷରେ ଉଭୟଙ୍କ ମଧ୍ୟରେ ଏବେ ମଧ୍ୟ ଅଘୋଷିତ ମେଣ୍ଟ ହୋଇଛି। ଏଣୁ ଇଡି, ସିବିଆଇ, ଆଇଟିର ନାଲି ଆଖି ଅନ୍ୟ ରାଜ୍ୟରେ ଯେଉଁ ଭଳି ଦେଖାଉଛନ୍ତି ସେଭଳି ଦେଖିବାକୁ ମିଳୁନାହିଁ। ଏଣୁ ଆଗଭଳି ବିଭିନ୍ନ କାର୍ଯ୍ୟରେ ସେମାନଙ୍କ ମଧ୍ୟରେ ସମର୍ଥନ ରହିବ ବୋଲି କଂଗ୍ରେସ ନେତାମାନେ କହୁଛନ୍ତି।
ମେଣ୍ଟ ହେବ ନାହିଁ ବୋଲି ଗତକାଲି ଜଣାପଡ଼ିବା ପରେ ପୁଣି ଥରେ ଉଭୟ ଦଳର ଆଶାୟୀମାନେ ତତ୍ପର ହୋଇଉଠିଛନ୍ତି। କିଏ ଟିକେଟ୍ ପାଇବ ସେ ନେଇ କରିଆସୁଥିବା ଉଦ୍ୟମକୁ ପୁଣି ଥରେ ଆରମ୍ଭ କରି ଜୋର୍ ଲଗାଇ ଦେଇଛନ୍ତି। ଶାସକ ବିଜେଡି ଦଖଲରେ ଜିଲାର ୫ଟି ବିଧାନସଭା ଓ ଏକ ମାତ୍ର ଲୋକ ସଭା ରହିଥିଲା। ଗୋଟିଏରେ ଭାଜପା ଦଖଲରେ ଥିଲା। ଚଳିତ ନିର୍ବାଚନରେ ବିଜେଡି ସମସ୍ତ ସିଟ୍ ହାତେଇବାକୁ ରଣ କୌଶଳ ପ୍ରସ୍ତୁତ କରୁଥିବା ବେଳେ ଭାଜପା ଏକ ମାତ୍ର ସିଟ୍କୁ ବଜାୟ ରଖିବା ସହ ଅନ୍ୟ ସିଟରେ ଜିତିବା ପାଇଁ ଜୋର୍ଦାର ଉଦ୍ୟମ କରୁଛି। ଯାହା ହେଉନା କାହିଁକି ଚଳିତ ନିର୍ବାଚନରେ ବିଜେଡି ଓ ଭାଜପା ମଧ୍ୟରେ କଡ଼ା ଟକ୍କର ହେବ। ଏକ ପକ୍ଷରେ ବିଜେଡି ନବୀନ ସରକାରଙ୍କ ଉପଲବ୍ଧି, ଜନକଲ୍ୟାଣ କାର୍ଯ୍ୟକ୍ରମ ଆଦିକୁ ନେଇ ବିଜେଡି ନିର୍ବାଚନକୁ ଓହ୍ଲାଇବାକୁ ଯାଉଥିବା ବେଳେ ଅନ୍ୟପକ୍ଷରେ ଭାଜପା କେନ୍ଦ୍ରର ମୋଦିଙ୍କ ଗ୍ୟାରେଣ୍ଟିକୁ ନେଇ ନିର୍ବାଚନକୁ ଓହ୍ଲାଇବ। କଂଗ୍ରେସ ମଧ୍ୟ ନିଜର ୯ ଗ୍ୟାରେଣ୍ଟିକୁ ନେଇ ନିର୍ବାଚନରେ ଓହ୍ଲାଇବା ସହ ବିଜେଡି ଓ ଭାଜପା ମଧ୍ୟରେ ଥିବା ଭିତିରିଆ ସମ୍ପର୍କ ବା ମେଣ୍ଟକୁ ଉଜଗାର କରି ଗୋଟିଏ କଏନର ଦୁଇ ପାର୍ଶ୍ୱ ଭଳି ଦର୍ଶାଇ ଲୋକଙ୍କ ପାଖକୁ ଯାଇ ସମର୍ଥନ ହାସଲ କରିବ ବୋଲି ଜଣାପଡ଼ିଛି।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନବୀନ ସରକାରଙ୍କୁ ବିଭିନ୍ନ ଜନସଭାରେ ପ୍ରଶଂସା ଭାଜପା ଦଳର ଚିନ୍ତା ବଢ଼ାଇ ଦେଇଛି। ଏଣୁ ଭୋଟର ଏବେ ମଧ୍ୟ ଦ୍ୱନ୍ଦ୍ୱରେ ରହିଛନ୍ତି। ଅନ୍ୟ ରାଜ୍ୟ ଅପେକ୍ଷା ଓଡ଼ିଶାରେ ବହୁ ବଡ଼ବଡ଼ ଦୁର୍ନୀତି ଥିବା ନେଇ ସବୁବେଳେ ଦାବି କରିଆସଥିବା ବେଳେ ସେସବୁରେ କେନ୍ଦ୍ରୀୟ ଏଜେନ୍ସିଙ୍କ ନୀରବତା ଉଭୟ ଦଳର ଭିତିରି ସମ୍ପର୍କକୁ ପଦାରେ ପକାଇଥିବାରୁ ଭୋଟର ସବୁ ବୁଝିପାରୁଛନ୍ତି ବୋଲି ରାଜନୈତିକ ବିଶେଷଜ୍ଞମାନେ ମତବ୍ୟକ୍ତ କରୁଛନ୍ତି। ମୋଦି ସରକାରଙ୍କ ଓଡ଼ିଶା ରାଜ୍ୟ ପ୍ରତି ଏଭଳି ଆଭିମୁଖ୍ୟକୁ ନେଇ ଖୋଦ ଭାଜପା ନେତା ଓ କର୍ମୀମାନେ ଚିନ୍ତିତ ରହିଛନ୍ତି। ପ୍ରଥମେ ବିଜେଡିକୁ କୁତ୍ସାରଟନା ତା’ ପରେ ନୀରବତାରେ ପ୍ରଶଂସା କରିଆସୁଥିବା ଭାଜପା ଏବେ କିଭଳି ନିର୍ବାଚନ ପ୍ରଚାରରେ ଯିବ ତାହା ଦେଖିବାକୁ ସମସ୍ତେ ଅପେକ୍ଷା କରିଛନ୍ତି।
The post ମେଣ୍ଟ ନ ହେବା ଯେତିକି ଉତ୍ସାହ ସେତିକି ଚିନ୍ତାଜନକ appeared first on Dharitri Odia News.