ମୋଦିଙ୍କ ‘ଅଗ୍ନିପଥ’ ମନ୍ତବ୍ୟକୁ ବିରୋଧୀଙ୍କ ନିନ୍ଦା
ନୂଆଦିଲ୍ଲୀ, ୨୭ା୭(ପି.ଟି.): କାର୍ଗିଲ ଯୁଦ୍ଧ ବିଜୟର ୨୫ତମ ବାର୍ଷିକୀ ପାଳନ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଡ୍ରାସ୍ଠାରେ ଶହୀଦମାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ସହ ଜାତୀୟ ସୁରକ୍ଷା ସମ୍ପର୍କିତ ସମ୍ବେଦନଶୀଳ ପ୍ରସଙ୍ଗ ଉପରେ କେତେଜଣ ରାଜନୀତି କରୁଥିବା ଅଭିଯୋଗ କରିଥିଲେ। ପେନ୍ସନ ଅର୍ଥ ବଞ୍ଚାଇବା ଲାଗି ଅଗ୍ନିପଥ ଯୋଜନା ଆରମ୍ଭ ହୋଇଛି ବୋଲି ବିରୋଧୀଙ୍କ ଅଭିଯୋଗକୁ ସେ ଖଣ୍ଡନ କରିଥିଲେ। ଯୁବବର୍ଗଙ୍କୁ କ୍ରମାଗତ ଭାବେ ଯୁଦ୍ଧ ପାଇଁ ଫିଟ୍ ରଖିବା ଅଗ୍ନିପଥ ଯୋଜନାର ଲକ୍ଷ୍ୟ ବୋଲି ସେ କହିଥିଲେ। […] The post ମୋଦିଙ୍କ ‘ଅଗ୍ନିପଥ’ ମନ୍ତବ୍ୟକୁ ବିରୋଧୀଙ୍କ ନିନ୍ଦା appeared first on Dharitri Odia News.
ନୂଆଦିଲ୍ଲୀ, ୨୭ା୭(ପି.ଟି.): କାର୍ଗିଲ ଯୁଦ୍ଧ ବିଜୟର ୨୫ତମ ବାର୍ଷିକୀ ପାଳନ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଡ୍ରାସ୍ଠାରେ ଶହୀଦମାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ସହ ଜାତୀୟ ସୁରକ୍ଷା ସମ୍ପର୍କିତ ସମ୍ବେଦନଶୀଳ ପ୍ରସଙ୍ଗ ଉପରେ କେତେଜଣ ରାଜନୀତି କରୁଥିବା ଅଭିଯୋଗ କରିଥିଲେ। ପେନ୍ସନ ଅର୍ଥ ବଞ୍ଚାଇବା ଲାଗି ଅଗ୍ନିପଥ ଯୋଜନା ଆରମ୍ଭ ହୋଇଛି ବୋଲି ବିରୋଧୀଙ୍କ ଅଭିଯୋଗକୁ ସେ ଖଣ୍ଡନ କରିଥିଲେ। ଯୁବବର୍ଗଙ୍କୁ କ୍ରମାଗତ ଭାବେ ଯୁଦ୍ଧ ପାଇଁ ଫିଟ୍ ରଖିବା ଅଗ୍ନିପଥ ଯୋଜନାର ଲକ୍ଷ୍ୟ ବୋଲି ସେ କହିଥିଲେ। ପ୍ରଧାନମନ୍ତ୍ରୀଙ୍କ ଏଭଳି ଅଭିଯୋଗକୁ ବିରୋଧୀ ଦଳଗୁଡ଼ିକ ନିନ୍ଦା କରିଛନ୍ତି। ଅଗ୍ନିପଥ ଯୋଜନାର ସମୀକ୍ଷା କରାଯିବାକୁ ସେମାନେ ଦାବି କରିଛନ୍ତି।
ଅଗ୍ନିପଥ ପ୍ରସଙ୍ଗକୁ ନେଇ ପ୍ରଧାନମନ୍ତ୍ରୀ ଶସ୍ତା ରାଜନୀତି କରୁଥିବା କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖାର୍ଗେ ଓ ଅନ୍ୟ ନେତାମାନେ ଅଭିଯୋଗ କରିଛନ୍ତି। ସୈନ୍ୟବାହିନୀର ନିର୍ଦ୍ଦେଶରେ ସରକାର ଅଗ୍ନିପଥ ଯୋଜନା କାର୍ଯ୍ୟକାରୀ କରିଥିବା ନେଇ ପ୍ରଧାନମନ୍ତ୍ରୀଙ୍କ ମନ୍ତବ୍ୟ ଡାହା ମିଛ ବୋଲି ବିରୋଧୀ କହିଛନ୍ତି। କାର୍ଗିଲ ବିଜୟ ଦିବସରେ ଶହୀଦଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ଅବସରରେ ପ୍ରଧାନମନ୍ତ୍ରୀ ଶସ୍ତା ରାଜନୀତି କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଏବଂ ଦୁଃଖଦାୟକ। ପୂର୍ବରୁ କୌଣସି ପ୍ରଧାନମନ୍ତ୍ରୀ ଏପରି କରି ନ ଥିବା ଖାର୍ଗେ କହିଛନ୍ତି। ଅଧିକାଂଶ ଅବସରପ୍ରାପ୍ତ ସେନା ଅଧିକାରୀ ଅଗ୍ନିପଥ ଯୋଜନାକୁ ସମାଲୋଚନା କରିଛନ୍ତି। ଏହା ଜାତୀୟ ସୁରକ୍ଷାକୁ ବିପଦରେ ପକାଇବା ସହ ଗ୍ରାମାଞ୍ଚଳ ଯୁବବର୍ଗଙ୍କ ଆଶା ଆକାଂକ୍ଷାକୁ ବିପଦ ମଧ୍ୟକୁ ଠେଲିଦେଇଛି ବୋଲି କଂଗ୍ରେସ ଅଧ୍ୟକ୍ଷ କହିବା ସହ ଏହି ଯୋଜନାର ସମ୍ପୂର୍ଣ୍ଣ ଉଚ୍ଛେଦ ଦାବି କରିଛନ୍ତି। ତତ୍କାଳୀନ ସେନା ମୁଖ୍ୟ ଜେନେରାଲ ଏମ୍.ଏମ୍. ନରାଭନେ ଅଗ୍ନିପଥ ଯୋଜନା ସମ୍ପୂର୍ଣ୍ଣ ବିସ୍ମୟକର ଥିଲା ବୋଲି ଲେଖିଥିଲେ। ଅଥଚ ଏହା ସେନା ନିର୍ଦ୍ଦେଶରେ ହୋଇଥିଲା ବୋଲି ମୋଦି ମିଛ କହୁଥିବା କଂଗ୍ରେସ ନେତା ଜୟରାମ ରମେଶ ଅଭିଯୋଗ କରିଛନ୍ତି। ଏହି ଯୋଜନା ଅଗ୍ନିବୀରମାନଙ୍କୁ କୌଣସି ସାମାଜିକ ସୁରକ୍ଷା ଦେଉ ନ ଥିବାରୁ ଏହାର ସମୀକ୍ଷା ଆବଶ୍ୟକ ବୋଲି ଜେଏମ୍ଏମ୍ ଏମ୍ପି ମହୁଆ ମାଜି କହିଥିଲେ। ସେହିପରି ତୃଣମୂଳ କଂଗ୍ରେସ ରାଜ୍ୟ ସଭା ସଦସ୍ୟ ଡୋଲା ସେନ୍, ସମାଜବାଦୀ ପାର୍ଟି ନେତା ଧର୍ମେନ୍ଦ୍ର ଯାଦବ ପ୍ରମୁଖ ଅଗ୍ନିପଥ ଯୋଜନାକୁ ସମାଲୋଚନା କରିବା ସହ ପ୍ରଧାନମନ୍ତ୍ରୀଙ୍କ ମନ୍ତବ୍ୟକୁ ନିନ୍ଦା କରିଛନ୍ତି।
The post ମୋଦିଙ୍କ ‘ଅଗ୍ନିପଥ’ ମନ୍ତବ୍ୟକୁ ବିରୋଧୀଙ୍କ ନିନ୍ଦା appeared first on Dharitri Odia News.