ମ୍ୟାଚ୍ ଚାଲିଥିଲା, ପଡ଼ିଆ ମଝିରେ ଖସିଲା ମୃତ୍ୟୁ; ଦେଖନ୍ତୁ ଭିଡିଓ

ଫୁଟବଲ୍ ମ୍ୟାଚ୍ ଚାଲିଥିବାବେଳେ ବଜ୍ରପାତରେ ଜଣେ ଖେଳାଳିଙ୍କ ମୃତ୍ୟୁ। ଦୁର୍ଘଟଣାରେ ଅନ୍ୟ ୫ ଜଣ ଖେଳାଳି ଗୁରୁତର ଭାବେ ଆହତ ହୋଇଛନ୍ତି।

ମ୍ୟାଚ୍ ଚାଲିଥିଲା, ପଡ଼ିଆ ମଝିରେ ଖସିଲା ମୃତ୍ୟୁ; ଦେଖନ୍ତୁ ଭିଡିଓ

ପେରୁରେ ଏକ ଫୁଟବଲ ମ୍ୟାଚ୍ ସମୟରେ ଏକ ଭୟଙ୍କର ଦୃଶ୍ୟ ଦେଖିବାକୁ ମିଳିଛି। ବଜ୍ରପାତ ଯୋଗୁଁ ଜଣେ ଖେଳାଳିଙ୍କର ମୃତ୍ୟୁ ଘଟିଥିବାବେଳେ ଅନ୍ୟ ୫ ଜଣ ଖେଳାଳି ଗୁରୁତର ଭାବେ ଆହତ ହୋଇଛନ୍ତି। ୩୯ ବର୍ଷ ବୟସ୍କ ଫୁଟବଲର୍ ଜୋସ୍ ହ୍ୟୁଗୋ କ୍ରୁଜ୍ ମେଜାଙ୍କ ଉପରେ ଆକାଶରୁ ଖସିଥିଲା ମୃତ୍ୟୁ। ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଛି।

ପେରୁର ଚିଲକା (Chilca)ର ସ୍ଥାନୀୟ କ୍ଲବ ଜୁଭେଟ ବେଲାଭିଷ୍ଟା ଏବଂ ଫ୍ୟାମିଲିୟା ଚୋକା ମଧ୍ୟରେ ଖେଳାଯାଉଥିବା ମ୍ୟାଚ୍ ସମୟରେ ଏହି ଦୁର୍ଘଟଣା ଘଟିଥିଲା। ମ୍ୟାଚ୍ ଚାଲିଥିବା ସମୟରେ ପ୍ରବଳ ବର୍ଷା-ପବନ ଆସିବାରୁ ରେଫରି ଖେଳ ବନ୍ଦ କରିଦେଇଥିଲେ। ଏହାପରେ ଖେଳାଳିମାନେ ଡଗଆଉଟ୍ ଆଡକୁ ଯାଉଥିଲେ। ଏହି ସମୟରେ ହଠାତ ପଡ଼ିଆରେ ବଜ୍ରପାତ ହୋଇଥିଲା। ଫଳରେ ବହୁ ଖେଳାଳି ଏକା ସାଙ୍ଗରେ ତଳେ ପଡ଼ିଯାଇଥିଲେ। ଏହି ସମୟର ଭିଡିଓ ଏବେ ସୋଶାଲ ମିଡିଆରେ ବେଶ ଭାଇରାଲ ହେଉଛି।

ତେବେ ଜୁଭେଣ୍ଟୁଡ ବେଲାଭିଷ୍ଟା ଦଳର ଡିଫେଣ୍ଡର ଜୋସ୍ ମେଜାଙ୍କ ଅତି ନିକଟରେ ଏହି ବଜ୍ରପାତ ହୋଇଥିବାରୁ ସେ ଆଉ ଉଠିନଥିଲେ। ମ୍ୟାଚ୍ ଆୟୋଜକ ତାଙ୍କୁ ତୁରନ୍ତ ଡାକ୍ତରଖାନା ନେଇଯାଇଥିଲେ, ଯେଉଁଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ରିପୋର୍ଟ ଅନୁଯାୟୀ ଗୋଲକିପର ଜୁଆନ୍ ଚୋକା ଲାକ୍ଟା ମଧ୍ୟ ଏହି ଦୁର୍ଘଟଣାର ଶିକାର ହୋଇଛନ୍ତି। ତାଙ୍କ ଶରୀରର ଅଧିକାଂଶ ଅଂଶ ଜଳି ଯାଇଛି। ଘଟଣାସ୍ଥଳରେ ଆମ୍ବୁଲାନ୍ସ ନଥିବାରୁ ତାଙ୍କୁ ଟ୍ୟାକ୍ସି ଯୋଗେ ଡାକ୍ତରଖାନା ନିଆଯାଇଥିଲା ଏବଂ ତାଙ୍କ ଅବସ୍ଥା ଗୁରୁତର ରହିଛି। ଏହା ବ୍ୟତୀତ ଅନ୍ୟ ଆହତ ଖେଳାଳିଙ୍କ ଅବସ୍ଥା ସ୍ଥିର ଥିବା କୁହାଯାଉଛି।