ରଞ୍ଜିତାଙ୍କ ‘ପେଡ୍ ପିରିୟଡ୍ ଲିଭ୍’ ଅଭିଯାନ : ପଞ୍ଚାୟତରୁ ଆରମ୍ଭ କରି ଅନ୍ତର୍ଜାତୀୟ ସ୍ତରରେ ମିଳିଛି ପ୍ରଶଂସା
ଭୁବନେଶ୍ୱର : ଋତୁସ୍ରାବ ମହିଳାଙ୍କ ପାଇଁ ଅଭିଶାପ ନା ସୃଷ୍ଟି ସର୍ଜନା ପାଇଁ ଈଶ୍ୱରୀୟ ଆଶୀର୍ବାଦ? ଏହି ପ୍ରଶ୍ନ ବହୁକାଳରୁ ବିତର୍କ ସୃଷ୍ଟି କରିଆସିଛି। ଆଜିର ପ୍ରତିଯୋଗିତାପୂର୍ଣ୍ଣ ବିଶ୍ୱରେ ମହିଳାମାନେ ଘରର ଏରୁଣ୍ଡି ଡେଇଁ ଯେତେବେଳେ ପେସାଦାର ଦୁନିଆରେ ପାଦ ଥାପିଛନ୍ତି, ସେତେବେଳେ ଏହି ବିତର୍କର ପରିସୀମା ଆହୁରି ବଢ଼ିଛି। ଗୋଟିଏ ମହଲ ଋତୁସ୍ରାବ ସମୟରେ ମହିଳାଙ୍କୁ ବିଶ୍ରାମ ସପକ୍ଷରେ ଯୁକ୍ତି କରୁଥିବା ବେଳେ ଅନ୍ୟ ଏକ ମହଲ ଏହା ଭିତରେ ସମ୍ମାନବୋଧ ଭଳି ପ୍ରସଙ୍ଗକୁ ଖୋଜିବାକୁ […]

ଭୁବନେଶ୍ୱର : ଋତୁସ୍ରାବ ମହିଳାଙ୍କ ପାଇଁ ଅଭିଶାପ ନା ସୃଷ୍ଟି ସର୍ଜନା ପାଇଁ ଈଶ୍ୱରୀୟ ଆଶୀର୍ବାଦ? ଏହି ପ୍ରଶ୍ନ ବହୁକାଳରୁ ବିତର୍କ ସୃଷ୍ଟି କରିଆସିଛି। ଆଜିର ପ୍ରତିଯୋଗିତାପୂର୍ଣ୍ଣ ବିଶ୍ୱରେ ମହିଳାମାନେ ଘରର ଏରୁଣ୍ଡି ଡେଇଁ ଯେତେବେଳେ ପେସାଦାର ଦୁନିଆରେ ପାଦ ଥାପିଛନ୍ତି, ସେତେବେଳେ ଏହି ବିତର୍କର ପରିସୀମା ଆହୁରି ବଢ଼ିଛି। ଗୋଟିଏ ମହଲ ଋତୁସ୍ରାବ ସମୟରେ ମହିଳାଙ୍କୁ ବିଶ୍ରାମ ସପକ୍ଷରେ ଯୁକ୍ତି କରୁଥିବା ବେଳେ ଅନ୍ୟ ଏକ ମହଲ ଏହା ଭିତରେ ସମ୍ମାନବୋଧ ଭଳି ପ୍ରସଙ୍ଗକୁ ଖୋଜିବାକୁ ଚେଷ୍ଟା କରୁଛନ୍ତି। ମହିଳା ସଶକ୍ତୀକରଣ ସ୍ଲୋଗାନ୍ ଭିତରେ ହଜିଯାଉଥିବା ଏପରି ସମ୍ବେଦନଶୀଳ ପ୍ରସଙ୍ଗଟିକୁ ସରକାରଙ୍କ ଦୃଷ୍ଟିକୁ ଆଣିବା ପାଇଁ କେତେଜଣ ବ୍ୟକ୍ତିତ୍ୱ ନିରନ୍ତର ପ୍ରୟାସ ଜାରି ରଖିଛନ୍ତି। ସମ୍ମାନବୋଧର ପ୍ରଶ୍ନରୁ ଊର୍ଦ୍ଧ୍ବରେ ସ୍ୱାସ୍ଥ୍ୟଗତ ସୁରକ୍ଷାକୁ ଅଗ୍ରାଧିକାର ଦେବା ପାଇଁ ସେମାନଙ୍କର ସେହି ନିରବଚ୍ଛିନ୍ନ ଉଦ୍ୟମ ଧୀରେ ଧୀରେ ସଫଳ ଅଭିଯାନର ରୂପ ନେଉଛି। ସେଭଳି ଜଣେ ବ୍ୟକ୍ତିତ୍ୱ ହେଲେ ସମ୍ବଲପୁରର ରଞ୍ଜିତା ପ୍ରିୟଦର୍ଶନୀ।
ମହିଳାଙ୍କ ମାସିକ ଧର୍ମ ସମୟରେ ଉଭୟ ଘରୋଇ ଏବଂ ସରକାରୀ କ୍ଷେତ୍ରରେ କାର୍ଯ୍ୟରତ ମହିଳାମାନଙ୍କୁ ମାସକୁ ଗୋଟିଏ ଦିନ ଛୁଟି ମିଳିବା ଆବଶ୍ୟକ ମନେକରି ରଞ୍ଜିତାଙ୍କ ଦ୍ୱାରା ଆଞ୍ଚଳିକ ସ୍ତରରେ ଆରମ୍ଭ ହୋଇଥିବା ଅଭିଯାନ ଏବେ ରାଜ୍ୟ ଏବଂ ଦେଶ ବାହାରେ ପହଞ୍ଚିଛି। ଛତିଶଗଡ଼ କଳିଙ୍ଗ ବିଶ୍ୱବିଦ୍ୟାଳୟରେ ଏଲ୍ଏଲ୍ଏମ୍ ଅଧ୍ୟୟନ କରୁଥିବା ସମ୍ବଲପୁରର ଓଡ଼ିଆ ଝିଅ ରଞ୍ଜିତା ପ୍ରିୟଦର୍ଶିନୀଙ୍କ ଏହି ଅଭିଯାନକୁ ରାଜ୍ୟ, ଦେଶ ଓ ବିଦେଶରେ ପ୍ରଶଂସା ମିଳିଛି। ସୃଷ୍ଟିରେ ସମସ୍ତ ମହିଳାଙ୍କ ଏହି ଅକୁହା କଥାକୁ ସ୍ପଷ୍ଟ ଭାବେ କହି ଅନ୍ୟ ମହିଳାଙ୍କ ପାଇଁ ଆଦର୍ଶ ପାଲଟିଛନ୍ତି ରଞ୍ଜିତା।
ବିଟେକ୍ ପାଠ୍ୟକ୍ରମ ଶେଷ କରି ଏଲ୍ଏଲ୍ବି ଏବଂ ପରେ ଏଲଏଲଏମ୍ ଶିକ୍ଷା ଗ୍ରହଣ କରି ପେସାଦାର ଜୀବନ ଆରମ୍ଭ କରିଥିଲେ। କିନ୍ତୁ କର୍ମକ୍ଷେତ୍ରରେ ଋତୁସ୍ରାବ ସମୟରେ ଯନ୍ତ୍ରଣା ଅନୁଭବ କରୁଥିବାରୁ ସେ ଉପରିସ୍ଥ ଅଧିକାରୀଙ୍କୁ ଛୁଟି ମାଗିଥିଲେ; ହେଲେ ତାଙ୍କୁ ନାସ୍ତିବାଣୀ ଶୁଣିବାକୁ ମିଳିଥିଲା। ତାଙ୍କ ଭଳି ଦୁନିଆର ସବୁ କର୍ମଜୀବୀ ମହିଳା ସମାନ କଷ୍ଟ ଅନୁଭବ କରୁଥିବେ ବୋଲି ରଞ୍ଜିତା ଅନୁଭବ କରିଥିଲେ। କିଭଳି ଏହି ସମସ୍ୟାର ସମାଧାନ ହୋଇପାରିବ, ସେଥିପାଇଁ ସେ କର୍ମଜୀବୀ ମହିଳାଙ୍କ ପାଇଁ ଗୋଟିଏ ଦିନ ସବେତନ ଛୁଟି (ପେଡ୍ ପିରିୟଡ୍ ଲିଭ୍) ପାଇଁ ଅଭିଯାନ ଆରମ୍ଭ କରିଥିଲେ। ୨୦୨୨ ମସିହାରେ ସେ ପ୍ରଥମେ ତତ୍କାଳୀନ ଶ୍ରମ ମନ୍ତ୍ରୀ ସୁଶାନ୍ତ ସିଂହଙ୍କୁ ଭେଟି ଏ ବିଷୟରେ ଅବଗତ କରିଥିଲେ। ସମସ୍ୟାର ସମାଧାନ ପାଇଁ ମନ୍ତ୍ରୀ ଶ୍ରୀ ସିଂହ ମଧ୍ୟ ପ୍ରତିଶ୍ରୁତି ଦେଇଥିଲେ। ଏହାପରେ ଦେଶର କୋଣ ଅନୁକୋଣରେ ବୁଲି ବୁଲି ବରିଷ୍ଠ ରାଜନେତାଙ୍କୁ ଭେଟି ସମସ୍ୟା ବିଷୟରେ ଅବଗତ କରୁଛନ୍ତି ରଞ୍ଜିତା। ଏପର୍ଯ୍ୟନ୍ତ ସେ ୧୨ଟି ରାଜ୍ୟ ବୁଲି ସାରିଲେଣି। ରଞ୍ଜିତାଙ୍କ ଏହି ଅଭିଯାନରେ ଅନୁପ୍ରାଣିତ ହୋଇ ଦିଲ୍ଲୀର ୫ଟି, ରାଜସ୍ଥାନର ୨ଟି, ଓଡ଼ିଶାର ୫ଟି, ହରିୟାଣାର ୨ଟି ସଂସ୍ଥା ସମେତ ଅନ୍ୟ ରାଜ୍ୟର ୨୭ଟି ସଂସ୍ଥା ଋତୁସ୍ରାବ ସମୟରେ ମହିଳାମାନଙ୍କୁ ଗୋଟିଏ ଦିନ ସବେତନ ଛୁଟି ନୀତି କାର୍ଯ୍ୟକାରୀ କରିଛନ୍ତି। ସଫ୍ଟୱେୟାର କମ୍ପାନୀ, ଅଟୋମୋବାଇଲ, ହୋେଟଲ ଶିଳ୍ପ ଆଦି ସଂସ୍ଥାରେ ଏହି ନିୟମ ଲାଗୁ କରାଯାଇଛି।
ତେବେ ଏତିକିରେ ମହିଳାଙ୍କ ପାଇଁ ରଞ୍ଜିତାଙ୍କ ଦାୟିତ୍ୱ ଶେଷ ହୋଇ ନାହିଁ। ମହିଳା, ଶିଶୁ ଓ ଗ୍ରାମାଞ୍ଚଳରେ ଲୋକଙ୍କ ଉନ୍ନତି ପାଇଁ ସେ କାମ କରିବା ସହ ନ୍ୟାୟ ପାଇଁ ଲଢେ଼ଇ କରୁଥିବା ମହିଳାମାନଙ୍କ ପାଇଁ ଅର୍ଥ ଯେପରି ବାଧକ ନ ସାଜିବ ସେଥିପାଇଁ ସେ ଆରମ୍ଭ କରିଛନ୍ତି ‘ମହିଳା ଓକିଲ’ ସଂସ୍ଥା। ସେହିପରି କିନ୍ନରମାନଙ୍କୁ ପୁଲିସ ବାହିନୀରେ ନିଯୁକ୍ତି ପାଇଁ ସେ ୨୦୧୯ ମସିହାରେ ସ୍ୱର ଉତ୍ତୋଳନ କରିଥିଲେ। ନୂଆପଡ଼ା ଜିଲ୍ଲାର ବିଜୁଳିରୁ ବଞ୍ଚିତ ଏକ ଗାଁର ଅଧିକାର ପାଇଁ ରଞ୍ଜିତା ସ୍ୱର ଉଠାଇଥିଲେ। ବେଦଶବିଦେଶରେ ରଞ୍ଜିତା ସମ୍ମାନିତ ହେବା ସହ ଓଡ଼ିଶାରେ ତାଙ୍କୁ ‘ପ୍ୟାଡ୍ ଗାର୍ଲ’ ନାମରେ ଅଭିହିତ କରାଯାଇଛି। ଯେଉଁଦିନ ଭାରତ ସରକାର ସମସ୍ତ କର୍ମଜୀବୀ ମହିଳାଙ୍କ ପାଇଁ ଋତୁସ୍ରାବ ସମୟରେ ସବେତନ ଗୋଟିଏ ଦିନ ଛୁଟି ଘୋଷଣା କରିବେ, ସେଦିନ ତାଙ୍କ ଅଭିଯାନ ସଫଳ ହେବ ବୋଲି ରଞ୍ଜିତା କହିଛନ୍ତି।