ରଥଯାତ୍ରା: ବିଭିନ୍ନ ସ୍ଥାନରେ ଲାଗିବ AI କ୍ୟାମେରା, ଯାତାୟତ ପାଇଁ ମୋବାଇଲ ଆପ୍

ଭୁବନେଶ୍ବର : ଆସନ୍ତା ଜୁନ ମାସ ୨୭ ତାରିଖରେ ପୁରୀର ବିଶ୍ଵପ୍ରସିଦ୍ଧ ରଥଯାତ୍ରା ଅନୁଷ୍ଠିତ ହେବାକୁ ଯାଉଛି । ଏହି ରଥଯାତ୍ରାକୁ ତ୍ରୁଟି ଶୂନ୍ୟ, ଶୃଙ୍ଖଳିତ ଏବଂ ସୁପରିଚାଳନା ଭାବେ ସମ୍ପନ୍ନ କରିବା ନିମନ୍ତେ ଆଜି ଭୁବନେଶ୍ୱରସ୍ଥିତ ଡିଜିପିଙ୍କ କ୍ୟାମ୍ପ କାର୍ଯ୍ୟାଳୟଠାରେ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଶ୍ରୀ ଯୋଗେଶ ବାହାଦୁର ଖୁରାନିଆଙ୍କ ଅଧ୍ୟକ୍ଷତାରେ ଗୁରୁତ୍ଵପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ଡିଜିପି ଶ୍ରୀ ଖୁରାନିଆ ରଥଯାତ୍ରାକୁ ଶୃଙ୍ଖଳିତ କରିବା  ପାଇଁ ସଦା ସର୍ବଦା ସକ୍ରିୟ […]

ରଥଯାତ୍ରା: ବିଭିନ୍ନ ସ୍ଥାନରେ ଲାଗିବ AI କ୍ୟାମେରା, ଯାତାୟତ ପାଇଁ ମୋବାଇଲ ଆପ୍

ଭୁବନେଶ୍ବର : ଆସନ୍ତା ଜୁନ ମାସ ୨୭ ତାରିଖରେ ପୁରୀର ବିଶ୍ଵପ୍ରସିଦ୍ଧ ରଥଯାତ୍ରା ଅନୁଷ୍ଠିତ ହେବାକୁ ଯାଉଛି । ଏହି ରଥଯାତ୍ରାକୁ ତ୍ରୁଟି ଶୂନ୍ୟ, ଶୃଙ୍ଖଳିତ ଏବଂ ସୁପରିଚାଳନା ଭାବେ ସମ୍ପନ୍ନ କରିବା ନିମନ୍ତେ ଆଜି ଭୁବନେଶ୍ୱରସ୍ଥିତ ଡିଜିପିଙ୍କ କ୍ୟାମ୍ପ କାର୍ଯ୍ୟାଳୟଠାରେ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଶ୍ରୀ ଯୋଗେଶ ବାହାଦୁର ଖୁରାନିଆଙ୍କ ଅଧ୍ୟକ୍ଷତାରେ ଗୁରୁତ୍ଵପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା ।

ଏହି ଅବସରରେ ଡିଜିପି ଶ୍ରୀ ଖୁରାନିଆ ରଥଯାତ୍ରାକୁ ଶୃଙ୍ଖଳିତ କରିବା  ପାଇଁ ସଦା ସର୍ବଦା ସକ୍ରିୟ ତଥା ସଜାଗ ରହିବାକୁ ବରିଷ୍ଠ ପୋଲିସ ଅଧିକାରୀ ମାନଙ୍କୁ  ନିର୍ଦ୍ଦେଶ ଦେଇଥିଲେ । ମହାପ୍ରଭୁଙ୍କ ନବ ଯୌବନ ଦର୍ଶନ, ରଥଯାତ୍ରା, ବାହୁଡା଼ ଯାତ୍ରା, ସୁନା ବେଶ ଆଦି ନୀତି କାନ୍ତି ସମୟରେ ଦେଶ ବିଦେଶରୁ ଲକ୍ଷାଧିକ ଭକ୍ତ ପୁରୀରେ ସମାଗମ ହେବେ। ଏହାକୁ ଦୃଷ୍ଟିରେ ରଖି ବିଭିନ୍ନ ସୁରକ୍ଷା ବନ୍ଦୋବସ୍ତ ସମ୍ପର୍କରେ ବୈଠକରେ ଆଲୋଚନା ହୋଇଥିଲା ।

ଆଜି ସନ୍ଧ୍ୟା ଠାରୁ ରାଜ୍ୟର ସମସ୍ତ ଜିଲ୍ଲାରେ ଅପରାଧ ନିୟନ୍ତ୍ରଣ ପାଇଁ ସମସ୍ତ ଥାନା ଅଞ୍ଚଳରେ ସ୍ଵତନ୍ତ୍ର ଡ୍ରାଇଭ ଆରମ୍ଭ କରିବାକୁ ଡିଜିପି ନିର୍ଦ୍ଦେଶ ଦେଇଛନ୍ତି। ବିଶେଷ କରି ହୋଟେଲ, ଲଜ, ମଠ, ମନ୍ଦିର, ବସ ଷ୍ଟାଣ୍ଡ, ରେଳ ଷ୍ଟେସନ, ଶ୍ରମିକଙ୍କ ରହଣି ସ୍ଥଳ, ଧର୍ମଶାଳା ଆଦି ସ୍ଥାନ ଗୁଡିକରେ ତନ୍ନ ତନ୍ନ ଯାଞ୍ଚ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ପ୍ରଥମ ଥର ପାଇଁ ଇଣ୍ଟିଗ୍ରେଟେଡ କଣ୍ଟ୍ରୋଲ ରୁମ୍ ଟାଉନ ଥାନାରେ ସ୍ଥାପନ କରାଯିବ । ଏହା ସହ କୃତ୍ରିମ ବୁଦ୍ଧିମତା କ୍ୟାମେରା ସହରର ବିଭିନ୍ନ ସ୍ଥାନରେ ଲଗାଇବାକୁ ଡିଜିପି ନିର୍ଦ୍ଦେଶ ଦେଇଛନ୍ତି। ବିଶେଷ କରି ଉତ୍ତରା ଛକରୁ ଆରମ୍ଭ କରି ପୁରୀ ,ପୁରୀ -କୋଣାର୍କ ରୋଡ ସହିତ ସହରର ବିଭିନ୍ନ ଛକରେ ମଧ୍ୟ କ୍ୟାମେରା ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।  ଯାହା ଫଳରେ ଭକ୍ତଙ୍କୁ ଟ୍ରାଫିକ ପରିଚାଳନାରେ ସହଯୋଗ ଓ  ସୁବିଧା ମିଳିପାରିବ ବୋଲି ଡିଜିପି ଆଶାବ୍ୟକ୍ତ କରିଛନ୍ତି ।

ଜନସାଧାରଣଙ୍କ ଯାତାୟାତର ସୁବିଧା ନିମନ୍ତେ ଏକ ବିଶେଷ ମୋବାଇଲ ଆପ ପ୍ରସ୍ତୁତ କରାଯାଇଛି ଯାହା କି ଟ୍ରାଫିକ ଉପଦେଶ, ପାର୍କିଂ ସ୍ଥାନ, ଟ୍ରାଫିକ ଜାମ ଓ ବିକଳ୍ପ ରାସ୍ତା ସମ୍ବନ୍ଧରେ ତ୍ୱରିତ ସୂଚନା ପ୍ରଦାନ କରିବ। ସୁରକ୍ଷା ଓ ନିରାପତ୍ତା ଦୃଷ୍ଟିରୁ ବିଗତ ବର୍ଷ ଅପେକ୍ଷା ଅଧିକ ଫୋର୍ସ ନିୟୋଜିତ କରାଯିବା ଉପରେ ଡିଜିପି ସୂଚନା ଦେଇଛନ୍ତି। ଏହା ସହ ରଥଯାତ୍ରା ସମୟରେ ସମ୍ଭାବ୍ୟ ଦଳା ଚକଟା ପରିସ୍ଥିତି ଏବଂ ଏହାର ନିରାକରଣ ଉପରେ ସଦା ସର୍ବଦା ପ୍ରସ୍ତୁତ ରହିବାକୁ ଡିଜିପି ନିର୍ଦ୍ଦେଶ ଦେଇଛନ୍ତି। ଏତଦ ବ୍ୟତୀତ ସହରରେ ଟ୍ରାଫିକ ସୁପରିଚାଳନା ନିମନ୍ତେ ରୋଡ ଡିଭାଇଡର, ଡ଼ିଲିନେଟର ଓ ଟ୍ରାଫିକ ଜୋନ ବ୍ୟବସ୍ଥା, ସହରର ବିଭିନ୍ନ ସ୍ଥାନରେ ପର୍ଯ୍ୟାପ୍ତ ପାର୍କିଂ ବ୍ୟବସ୍ଥା, ଶୃଙ୍ଖଳିତ ଟ୍ରାଫିକ ବ୍ୟବସ୍ଥାର ପରିଚାଳନା ଆଦି ସମ୍ପର୍କରେ ବୈଠକରେ ଆଲୋଚନା ହୋଇଥିଲା। ସେହିପରି ସମୁଦ୍ର କୂଳରେ ପୋଲିସ ପକ୍ଷରୁ ପାଟ୍ରୋଲିଂ କଡାକଡି ଓ ଅସ୍ଥାୟୀ ପୋଲିସ ଆଉଟପୋଷ୍ଟ ଖୋଲାଯିବା ସମ୍ପର୍କରେ ମଧ୍ୟ ବିସ୍ତୃତ ଭାବେ ଆଲୋଚନା କରାଯାଇଥିଲା । ଏହାବ୍ଯତୀତ ରେଳବାଇ ପୋଲିସ ପକ୍ଷରୁ ବିଭିନ୍ନ  ରେଳ  ଷ୍ଟେସନରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ସମ୍ପର୍କରେ ମଧ୍ୟ  ଆଲୋଚନା ହୋଇଥିଲା। ଆରପିଏଫ ସହ ଉପଯୁକ୍ତ ସମନ୍ଵୟ ରଖି କାର୍ଯ୍ୟ କରିବାକୁ ଡିଜିପି ପରାମର୍ଶ ଦେଇଥିଲେ।