ରାଜପଥରେ ବଢ଼ୁଛି ଭାରିଯାନ ପାର୍କିଂ
ଯୋଡ଼ା,୩ା୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଦେଇ ଯାଇଥିବା ୫୨୦ ଓ ୨୦ ନମ୍ବର ଜାତୀୟ ରାଜପଥରେ ଦୈନିକ ଦୁର୍ଘଟଣା ଘଟି ଅନେକ ଧନଜୀବନ ହରାଉଛନ୍ତି। ବେଆଇନ ପାର୍କିଂ, ଅଧାପନ୍ତରିଆ ରାସ୍ତା ନିର୍ମାଣ, ନିମ୍ନମାନର ମରାମତି କାର୍ଯ୍ୟ ଦୁର୍ଘଟଣାର କାରଣ ପାଲଟିଛି। ଏ ନେଇ ପୋଲିସ ପ୍ରଶାସନ ପକ୍ଷରୁ ପାଟ୍ରୋଲିଂ କଡ଼ାକଡ଼ି କରି ବେଆଇନ ପାର୍କିଂ ରୋକିବାକୁ ଏସ୍ପି ନିର୍ଦ୍ଦେଶ ଦେଇଥିଲେ। ମାତ୍ର ବେଆଇନ ପାର୍କିଂ କମିବା ବଦଳରେ ବଢୁଥିବାରୁ ଅସନ୍ତୋଷ ବୃଦ୍ଧି ପାଉଛି। ସୂଚନା ଅନୁଯାୟୀ, ପାଣିକୋଇଲିଠାରୁ […] The post ରାଜପଥରେ ବଢ଼ୁଛି ଭାରିଯାନ ପାର୍କିଂ appeared first on Dharitri Odia News.
ଯୋଡ଼ା,୩ା୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଦେଇ ଯାଇଥିବା ୫୨୦ ଓ ୨୦ ନମ୍ବର ଜାତୀୟ ରାଜପଥରେ ଦୈନିକ ଦୁର୍ଘଟଣା ଘଟି ଅନେକ ଧନଜୀବନ ହରାଉଛନ୍ତି। ବେଆଇନ ପାର୍କିଂ, ଅଧାପନ୍ତରିଆ ରାସ୍ତା ନିର୍ମାଣ, ନିମ୍ନମାନର ମରାମତି କାର୍ଯ୍ୟ ଦୁର୍ଘଟଣାର କାରଣ ପାଲଟିଛି। ଏ ନେଇ ପୋଲିସ ପ୍ରଶାସନ ପକ୍ଷରୁ ପାଟ୍ରୋଲିଂ କଡ଼ାକଡ଼ି କରି ବେଆଇନ ପାର୍କିଂ ରୋକିବାକୁ ଏସ୍ପି ନିର୍ଦ୍ଦେଶ ଦେଇଥିଲେ। ମାତ୍ର ବେଆଇନ ପାର୍କିଂ କମିବା ବଦଳରେ ବଢୁଥିବାରୁ ଅସନ୍ତୋଷ ବୃଦ୍ଧି ପାଉଛି।
ସୂଚନା ଅନୁଯାୟୀ, ପାଣିକୋଇଲିଠାରୁ ରିମୁଳି ପର୍ଯ୍ୟନ୍ତ ଥିବା ୨୦ ନଂ. ଜାତୀୟ ରାଜପଥର ଢେଙ୍କିକୋଟଠାରୁ କେନ୍ଦୁଝର ବାଇପାସ, ପଳାଶପଙ୍ଗା, ରିମୁଳି ବାଇପାସ, ନାରଦପୁର, ବିଲେଇପଦା, ଭଦ୍ରାସାହି, ରୁଗୁଡ଼ି ପ୍ରଭୃତି ସ୍ଥାନରେ ଟ୍ରକ୍ଗୁଡ଼ିକ ରାସ୍ତାର ଅଧା ଅବରୋଧ କରି ପାର୍କିଂ କରୁଛନ୍ତି। ବେଆଇନ ପାର୍କିଂ ଯୋଗୁ ଗତ ଡିସେମ୍ବର ମାସର ପ୍ରଥମ ସପ୍ତାହରେ ଘଟଗାଁ ମା’ ତାରିଣୀ ପୀଠକୁ ଆସୁଥିବା ଏକ ଟ୍ରାଭେଲର ବେଆଇନ ପାର୍କିଂ ହୋଇଥିବା ଏକ ଟ୍ରକ୍କୁ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ୮ ପର୍ଯ୍ୟଟକଙ୍କ ଶୋଚନୀୟ ମୃତ୍ୟୁ ଘଟିଥିଲା। ଉକ୍ତ ଘଟଣା ପରେ କେନ୍ଦୁଝର ଏସ୍ପି ରାସ୍ତା କଡ଼ରେ ଭାରିଯାନ ପାର୍କିଂ ଉପରେ କଟକଣା ଜାରି କରିଥିଲେ। ଏଥିପାଇଁ ସେ ସମୟରେ ପୋଲିସ ପାଟ୍ରୋଲିଂ ଜୋରଦାର କରିଥିଲା। ଘଟଣାର ମାସେ ନ ପୂରୁଣୁ ପୁନଃ ରାଜପଥରେ ପାର୍କିଂ ଆରମ୍ଭ ହୋଇଯାଇଛି। ବିଲେଇପଦା କାରଣ ସାହି ଟୋଲ୍ଗେଟ୍ ପାଖରେ ବଡ଼ ଗାଡ଼ିଗୁଡ଼ିକ ଏକ ପ୍ରକାର ରାସ୍ତା ଅବରୋଧ କରି ରଖୁଛନ୍ତି। କେନ୍ଦୁଝର ଏସ୍ପିଙ୍କ ନିର୍ଦ୍ଦେଶ ଅନୁଯାୟୀ ପୋଲିସ ପାଟ୍ରୋଲିଂ ମଧ୍ୟ ହେଉନାହିଁ। ଖଣି ଅଞ୍ଚଳରେ ଯାଇଥିବା ୫୨୦ ନଂ. ଜାତୀୟ ରାଜପଥରେ ନିୟୋଜିତ କିଛି ଘରୋଇ ସୁରକ୍ଷାକର୍ମୀ ମଧ୍ୟ ଅସାଧୁ ଉପାୟ ଅବଲମ୍ବନ କରି ନୋ ଏଣ୍ଟ୍ରି ସମୟରେ ଟ୍ରକ୍ଗୁଡ଼ିକୁ ଛାଡ଼ି ଦେଉଛନ୍ତି। ଏଥିସହ ରିମୁଳିଠାରୁ ରୁଗୁଡ଼ି ପର୍ଯ୍ୟନ୍ତ ୫୨୦ ନଂ. ଜାତୀୟ ରାଜପଥ ମରଣଯନ୍ତା ପାଲଟିଛି। ରିମୁଳିଠାରୁ ରାଜାମୁଣ୍ଡା ପର୍ଯ୍ୟନ୍ତ ରାସ୍ତାରେ ଅଧାପନ୍ତରିଆ ନିର୍ମାଣ, ନିମ୍ନମାନର ମରାମତି କାର୍ଯ୍ୟ ଦୁର୍ଘଟଣା ବଢ଼ାଉଛି। ବଡ଼ବିଲ ଆର୍ଟିଓ ଦୁର୍ଗାପ୍ରସାଦ ରାଓ କହିଛନ୍ତି, ରୁଗୁଡ଼ି, ଭଦ୍ରାସାହି, ରଣାଶାଳ, କଳାପାହାଡ଼ ଛକ, ଲହଣ୍ଡା, ବିଲେଇପଦା, କାରଣ ସାହି ପ୍ରଭୃତି ସ୍ଥାନରେ ବେଆଇନ ପାର୍କିଂ କରୁଥିବା ଟ୍ରକ୍ଗୁଡ଼ିକରୁ ଜରିମାନା ଆଦାୟ ହେଉଛି। ଏ ପର୍ଯ୍ୟନ୍ତ ପ୍ରାୟ ୩୦୦ ଟ୍ରକ୍ରୁ ୬ ଲକ୍ଷ ଟଙ୍କା ଆଦାୟ କରାଯାଇଛି। କର୍ମଚାରୀ ଅଭାବ ଥିବାରୁ ଡେପୁଟି ଡାଇରେକ୍ଟର ମାଇନ୍ସଙ୍କ ସହିତ ଆଲୋଚନା କରିଛନ୍ତି। ଏହାର ନିଷ୍କର୍ଷ ବାହାର କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
The post ରାଜପଥରେ ବଢ଼ୁଛି ଭାରିଯାନ ପାର୍କିଂ appeared first on Dharitri Odia News.