ରାତି ଅଧରେ ଭାଇଭଉଣୀଙ୍କୁ ଗୁଳିମାଡ଼, ଅବସ୍ଥା ଗୁରୁତର
ରାତି ଅଧରେ ଦୁର୍ବୃତ୍ତ ପଶି ଘରେ ଶୋଇଥିବା ନାବାଳକ ଭାଇଭଉଣୀଙ୍କୁ ଗୁଳିମାଡ଼ କରିଛନ୍ତି। ଉଭୟଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ଜଣାଯାଇଛି।
ଅନୁଗୁଳ ଜିଲ୍ଲା କିଶୋରନଗର ଥାନା ଭାଙ୍ଗମୁଣ୍ଡା ଗ୍ରାମରେ ଗତ ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ରାତି ଅଧରେ ଦୁର୍ବୃତ୍ତ ପଶି ଘରେ ଶୋଇଥିବା ନାବାଳକ ଭାଇଭଉଣୀଙ୍କୁ ଗୁଳିମାଡ଼ କରିଛନ୍ତି। ଉଭୟଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ଜଣାଯାଇଛି। ତେବେ ଦୁର୍ବୃତ୍ତ ପତ୍ତା ମିଳି ପାରିନି।
ଗୁଳିମାଡ଼ର ଶିକାର ହୋଇଥିବା ନାବାଳକ ଭାଇଭଉଣୀ ହେଲେ ପ୍ରଫୁଲ୍ଲ ମିର୍ଧାଙ୍କ ୧୫ ବର୍ଷୀୟା ଝିଅ ଜାଜ୍ଞସେନି ମିର୍ଧା ଓ ୧୧ ବର୍ଷୀୟ ପୁଅ ପ୍ରକାଶ ମିର୍ଧା । ଗତ ରାତିରେ ପରିବାର ଲୋକେ ଖାଇପିଇ ଶୋଇଥିବା ବେଳେ ଭାଇଭଉଣୀ ଗୋଟିଏ ରୁମ୍ରେ ଶୋଇଥିଲେ। ରାତି ଅଧରେ ହଠାତ୍ ଗୁଳି ମାଡ଼ ଶବ୍ଦ ଶୁଣି ପରିବାର ଲୋକେ ଉଠି ପଡ଼ିଥିଲେ।
ଏହାପରେ ପୁଅଝିଅ ରକ୍ତାକ୍ତ ଅବସ୍ଥାରେ ପଡ଼ିଥିବା ବେଳେ ପରିବାର ଲୋକେ ତୁରନ୍ତ ଉଭୟଙ୍କୁ କିଶୋରନଗର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ସେଠାରେ ପ୍ରାଥମିକ ଚିକିତ୍ସା ପରେ ଉଭୟଙ୍କୁ କଟକ ବଡ଼ ମେଡିକାଲ ପଠାଇ ଦିଆଯାଇଛି।
ଗୁଳିକାଣ୍ଡ କିଏ ଓ କଣ ପାଇଁ କରିଛି ତାହା ସ୍ପଷ୍ଟ ଭାବେ ଜଣା ପଡ଼ିନ ଥିବାବେଳେ , କିଶୋରନଗର ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି l