ରାତିହେଲେ ରାଜପଥରେ ଚିନ୍ତା ବଢ଼ାଉଛି ଭାରୀଯାନ : ୧୨୦ ପାର୍‌ ହେଉଛି ବେଗ, ହେଲ୍ପ ଲାଇନ୍‌ ନମ୍ବରର ମିଳୁନି ସୁଫଳ

ଭୁବନେଶ୍ୱର : ବିଳମ୍ବିତ ରାତ୍ରିରେ ଜାତୀୟ ରାଜପଥରେ ଦ୍ରୁତ ବେଗରେ ଗାଡ଼ିଚାଳନା ଯୋଗୁଁ ପ୍ରତିଦିନ ଦୁର୍ଘଟଣା ଘଟୁଛି। ପ୍ରତ୍ୟେକ ବର୍ଗର ଯାନବାହନ ପାଇଁ ବେଗର ସୀମା ନିର୍ଦ୍ଧାରଣ କରାଯାଇଥିବା ସତ୍ତ୍ବେ କର୍ତ୍ତୃପକ୍ଷଙ୍କ ବେପରୁଆ ମନୋଭାବ ଯୋଗୁଁ ଦୁର୍ଘଟଣାର ହାର ବୃଦ୍ଧି ପାଇବାରେ ଲାଗିଛି। ଅନ୍ୟପକ୍ଷରେ ଦୁର୍ଘଟଣାଗ୍ରସ୍ତଙ୍କ ସହାୟତା ପାଇଁ ଜାତୀୟ ରାଜପଥ ପକ୍ଷରୁ ଜାରି କରାଯାଇଥିବା ହେଲ୍ପ ଲାଇନ୍‌ ନମ୍ବର (୧୦୩୩) ଅନେକସ୍ଥଳେ କାର୍ଯ୍ୟ କରୁ ନଥିବା ଅଭିଯୋଗ ହେଉଛି। ଏପରିକି ରାଜପଥ ପେଟ୍ରୋଲିଂ ବ୍ୟବସ୍ଥା ଥାଇ […]

ରାତିହେଲେ ରାଜପଥରେ ଚିନ୍ତା ବଢ଼ାଉଛି ଭାରୀଯାନ : ୧୨୦ ପାର୍‌ ହେଉଛି ବେଗ, ହେଲ୍ପ ଲାଇନ୍‌ ନମ୍ବରର ମିଳୁନି ସୁଫଳ
At night heavy vehicles speed increase on the highway

ଭୁବନେଶ୍ୱର : ବିଳମ୍ବିତ ରାତ୍ରିରେ ଜାତୀୟ ରାଜପଥରେ ଦ୍ରୁତ ବେଗରେ ଗାଡ଼ିଚାଳନା ଯୋଗୁଁ ପ୍ରତିଦିନ ଦୁର୍ଘଟଣା ଘଟୁଛି। ପ୍ରତ୍ୟେକ ବର୍ଗର ଯାନବାହନ ପାଇଁ ବେଗର ସୀମା ନିର୍ଦ୍ଧାରଣ କରାଯାଇଥିବା ସତ୍ତ୍ବେ କର୍ତ୍ତୃପକ୍ଷଙ୍କ ବେପରୁଆ ମନୋଭାବ ଯୋଗୁଁ ଦୁର୍ଘଟଣାର ହାର ବୃଦ୍ଧି ପାଇବାରେ ଲାଗିଛି।

ଅନ୍ୟପକ୍ଷରେ ଦୁର୍ଘଟଣାଗ୍ରସ୍ତଙ୍କ ସହାୟତା ପାଇଁ ଜାତୀୟ ରାଜପଥ ପକ୍ଷରୁ ଜାରି କରାଯାଇଥିବା ହେଲ୍ପ ଲାଇନ୍‌ ନମ୍ବର (୧୦୩୩) ଅନେକସ୍ଥଳେ କାର୍ଯ୍ୟ କରୁ ନଥିବା ଅଭିଯୋଗ ହେଉଛି। ଏପରିକି ରାଜପଥ ପେଟ୍ରୋଲିଂ ବ୍ୟବସ୍ଥା ଥାଇ ମଧ୍ୟ ଏହାର ସୁଫଳ ମିଳିପାରୁନାହିଁ। ଏହା ଏକପ୍ରକାର ଅକାମୀ ହୋଇପଡ଼ିଥିବା ଭଳି ପରିଲକ୍ଷିତ ହେଉଛି। ଏପରିସ୍ଥଳେ ଦୁର୍ଘଟଣା ସ୍ଥଳରୁ ସାହାଯ୍ୟ ପାଇଁ ପୁଲିସ୍‌ ଓ ଆମ୍ବୁଲାନ୍ସ ସେବାକୁ ଯୋଗାଯୋଗ କଲେ ତୁରନ୍ତ ସହାୟତା ମିଳିପାରୁଛି ବୋଲି ସ୍ଥାନୀୟ ସହୃଦୟ ବ୍ୟକ୍ତି ମତ ରଖୁଛନ୍ତି।
ରାଜଧାନୀ ଦେଇ ଯାଇଥିବା ଜାତୀୟ ରାଜପଥ ଏବେ ମୃତ୍ୟୁପଥ ପାଲଟି ଯାଇଛି। ଦିନବେଳାଠୁ ରାତି ପର୍ଯ୍ୟନ୍ତ ରାଜପଥରେ ମୃତ୍ୟୁ ଫାଶ ପକାଇ ଯମ ଜଗି ବସିଲା ଭଳି ପରିସ୍ଥିତି। ରାତିରେ ଭାରୀଯାନ ଚାଳକଙ୍କ ଦ୍ରୁତ ଗାଡ଼ିଚାଳନାେର ରୋକ୍‌ ଲାଗୁନି। ରାତି ହେବା ପରେ ଜାତୀୟ ରାଜପଥରେ ଗାଡିର ବେଗ ୧୨୦ ଅତିକ୍ରମ କରୁଛି। ଭୁବନେଶ୍ୱର ଠାରୁ କଟକ ଓ ଖୋର୍ଦ୍ଧା ଯାଏଁ ଲମ୍ବିଥିବା ଜାତୀୟ ରାଜପଥରେ ଦୁର୍ଘଟଣା କମୁନି। ଏହି ରାସ୍ତାରେ ନା ଅଛି ସ୍ପିଡ୍‌ ବ୍ରେକର ନା ଲାଗୁଛି ସୂଚନା ଫଳକ। ରାତିରେ ଦାୟିତ୍ୱରେ ରହୁଥିବା ଅଧିକାରୀଙ୍କ ଦେଖା ମିଳୁନି। ଜାତୀୟ ରାଜପଥରେ ପାଟ୍ରୋଲିଂ ବ୍ୟବସ୍ଥା ଓ ଇଣ୍ଟରସେପ୍ଟର ଜଗିବା ନାମକୁ ମାତ୍ର ବୋଲି ଅଭିଯୋଗ ହୋଇଛି।

ମିଳିଥିବା ଏକ ତଥ୍ୟ ଅନୁଯାୟୀ, ରାଜଧାନୀରେ ଗତ ୫ବର୍ଷରେ ରାଜପଥରେ ଦୁର୍ଘଟଣାରେ ୩୫୯ଜଣଙ୍କ ଜୀବନ ଯାଇଛି। ୨୦୧୭ରେ ୭୦ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨୦୧୮ରେ ୪୮, ୨୦୧୯ରେ ୯୬, ୨୦୨୦ରେ ୭୧ ଓ ୨୦୨୧ରେ ୭୪ଜଣ, ୨୦୨୨ରେ ୮୫ ଓ ୨୦୨୩ରେ ୯୨ ଜଣଙ୍କ ମୃତ୍ୟୁ ହୋଇଥିଲା। ଚଳିତବର୍ଷ ପ୍ରଥମ ତିନିମାସରେ ଦୁର୍ଘଟଣା ଘଟି ୧୫ରୁ ଊର୍ଦ୍ଧ୍ବ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଲାଣି।

ଅନ୍ୟପକ୍ଷରେ ନିଶାସକ୍ତ ଅବସ୍ଥାରେ ଗାଡ଼ିଚାଳନା ଯୋଗୁଁ ଭୁବନେଶ୍ୱର ସହର ଭିତରେ ଦୁର୍ଘଟଣା ବଢ଼ୁଥିବା ନେଇ କମିସନରେଟ୍‌ ପୁଲିସ୍‌ ପକ୍ଷରୁ କୁହାଯାଇଛି। ରାଜଧାନୀରେ ରାତି ୧୦ରୁ ୧୨ଟା ମଧ୍ୟରେ ଅଧିକ ଦୁର୍ଘଟଣା ଘଟୁଛି। ଏହି ଦୁର୍ଘଟଣା ପଛରେ ମଦ୍ୟପାନ କରି ଗାଡ଼ିଚାଳନା ହିଁ କାରଣ ବୋଲି ଏକ ସର୍ଭେ ରିପୋର୍ଟରୁ ଜଣାପଡ଼ିଛି। ତେଣୁ ସହରରେ ମଦ୍ୟପ ଚାଳକ ବିରୋଧରେ ଧରପଗଡ଼ କରାଯାଇ ଏକ ହଜାରରୁ ଅଧିକ ମଦ୍ୟପ ଚାଳକଙ୍କୁ ଧରିବା ସହ ସେମାନଙ୍କ ବିରୋଧରେ ମାମଲା ସହ ଗାଡ଼ି ଜବତ କରାଯାଉଛି। ଫଳରେ ଗଲା ଦୁଇମାସ ହେବ ଭୁବନେଶ୍ୱରରେ ୬୫ ପ୍ରତିଶତ ଦୁର୍ଘଟଣା ହ୍ରାସ ହୋଇଛି।

ଏହି ପରିପ୍ରେକ୍ଷୀରେ ଦ୍ରୁତ ଗାଡ଼ିଚାଳନା ରୋକିବା ଓ ଦୁର୍ଘଟଣାଗ୍ରସ୍ତଙ୍କୁ ତ୍ବରିତ ସହାୟତା ପ୍ରଦାନ ନିମନ୍ତେ ଥିବା ବ୍ୟବସ୍ଥା କାର୍ଯ୍ୟକାରୀ କରିବା ପାଇଁ ସାଧାରଣରେ ଦାବି ହେଉଛି। ଏ ସମ୍ପର୍କରେ ଭୁବନେଶ୍ବର ଜାତୀୟ ରାଜପଥ ପ୍ରକଳ୍ପ ନିର୍ଦ୍ଦେଶକ କେ. ନାଗେଶ୍ବର ରାଓ କହିଛନ୍ତି ଯେ, ପ୍ରତି ୬୦ କିଲୋମିଟର୍‌ ବ୍ୟବଧାନରେ ଗୋଟିଏ ଲେଖାଏଁ ପାଟ୍ରୋଲିଂ ଗାଡ଼ିର ବ୍ୟବସ୍ଥା ରହିଛି। ହେଲ୍ପଲାଇନ୍‌ ନମ୍ବର ସଠିକ୍‌ ଭାବେ କାର୍ଯ୍ୟ କରୁନଥିବା ନେଇ ସେ ଅବଗତ ନୁହନ୍ତି ଓ ଏଥିପ୍ରତି ଦୃଷ୍ଟି ଦିଆଯିବ ବୋଲି କହିଛନ୍ତି।