ରାମଲାଲାଙ୍କ ପାଇଁ ନୈବେଦ୍ୟ ପଠାଉଛି ସାରା ଭାରତ
ରାମଲାଲାଙ୍କ ପ୍ରାଣପ୍ରତିଷ୍ଠା ଉପଲକ୍ଷେ ରାମଭକ୍ତିରେ ଗଦଗଦ ସାରା ଭାରତ। ରାମ ମନ୍ଦିର ନିର୍ମାଣରେ ବିଭିନ୍ନ ରାଜ୍ୟର ଯୋଗଦାନ ରହିଥିବା ବେଳେ, ଏବେ ମଧ୍ୟ ଦେଶର ବିଭିନ୍ନ ପ୍ରାନ୍ତରୁ ଛୁଟିଛି ପ୍ରଭୁଙ୍କ ପାଇଁ ବିଭିନ୍ନ ଦିବ୍ୟ ନୈବେଦ୍ୟ।
ସାରା ଦେଶରୁ ଅଯୋଧ୍ୟାକୁ ଛୁଟିଛି ଉପହାରର ସୁଅ। ସୁନା-ରୁପାଠୁ ନେଇ ମନ୍ଦିର ପାଇଁ ଘଣ୍ଟି, ନାଗରା ଓ ଆଲମାରି। ରାମଲାଲାଙ୍କ ପାଇଁ ନୈବେଦ୍ୟ ପଠାଉଛି ସାରା ଭାରତ। ରାମଲାଲାଙ୍କ ଚରଣ ପାଦୁକା ୮ କେଜି ରୁପାରେ ତିଆରି, ଉପରେ ଲାଗିଛି ସୁନାର କୋଟିଂ। ଚିତ୍ରିତ ହୋଇଛି ଶଙ୍ଖ, ଚକ୍ର, ଗଦା, ପଦ୍ମ, ଧନୁତୀର ଓ ଅନ୍ୟ ଆୟୁଧ, ନନ୍ଦି, ଧ୍ୱଜା, ସୂର୍ଯ୍ୟ-ଚନ୍ଦ୍ର ଇତ୍ୟାଦି । ରାମାୟଣରେ ଭରତଙ୍କ ପାଦୁକା ପୂଜାର ଖୁବ୍ ମହତ୍ତ୍ୱ ଥିବା ବେଳେ, ଏବେ ରାମଲାଲାଙ୍କ ପାଇଁ ଏହି ପାଦୁକା ତିଆରି କରି ପୂଜା କରୁଛନ୍ତି ଜଣେ ପରିଣତ ବୟସ୍କ ଭକ୍ତ। ହାଇଦ୍ରାବାଦର ୬୪ ବର୍ଷୀୟ ଚଲ୍ଲା ଶ୍ରୀନିବାସ ଶାସ୍ତ୍ରୀ ଏହାକୁ ଧରି ଅଯୋଧ୍ୟା ଅଭିମୁଖେ ୭ ହଜାର ୨ଶହ କିଲୋମିଟର ପଦଯାତ୍ରା କରିଛନ୍ତି। ତ୍ରେତୟାରେ ପ୍ରଭୁ ଶ୍ରୀରାମଚନ୍ଦ୍ର ଅଯୋଧ୍ୟାରୁ ରାମେଶ୍ୱରମ ଯାଏଁ ଯେଉଁ ବାଟ ଦେଇ ବନ ଗମନ କରିଥିଲେ, ସେଇ ବାଟେ ବାଟେ ରାମେଶ୍ୱରମରୁ ବାହାରି ଚିତ୍ରକୁଟ ଯାଏଁ ପହଞ୍ଚିଛନ୍ତି ଶ୍ରୀନିବାସ। ୧୫ ତାରିଖରେ ଅଯୋଧ୍ୟାରେ ପହଞ୍ଚି ସେ ୧୬ରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟାନାଥଙ୍କୁ ଭେଟିବେ ଏବଂ ଏହି ସ୍ୱର୍ଣ୍ଣ ଆଚ୍ଛାଦିତ ପାଦୁକା ରାମଲାଲାଙ୍କ ଉଦ୍ଦେଶ୍ୟରେ ଅର୍ପଣ କରିବେ। ଜଣେ କରସେବକଙ୍କ ପୁଅ ଶ୍ରୀନିବାସ ବାପାଙ୍କ ଇଚ୍ଛା ପୂରଣ ପାଇଁ ଏହି କଠିନ ପଦଯାତ୍ରା କରୁଥିବା ବେଳେ, ତାଙ୍କୁ ଏଥିପାଇଁ ପ୍ରେରଣା ଯୋଗାଇଛନ୍ତି ତାଙ୍କ ଦିବ୍ୟାଙ୍ଗ ପୁଅ ଚଲ୍ଲା ପବନ କୁମାର। ଯିଏ କି ଦୁର୍ଘଟଣାରେ ଗୋଟିଏ ଗୋଡ଼ ହରାଇବା ପରେ, ରାମଲାଲାଙ୍କ ଆଶୀର୍ବାଦ ଓ ନିଜ ଇଚ୍ଛାଶକ୍ତି ବଳରେ ବନିଛନ୍ତି ଜାତୀୟ ସ୍ତରର ସଫଳ ପାରା-ଆଥଲେଟ୍ ।