ଲଘୁଚାପଜନିତ ଲଗାଣ ବର୍ଷା ପରେ ବନ୍ୟା ସ୍ଥିତି, ଉତ୍ତର ଓଡ଼ିଶାରେ ୧୧ ହଜାରରୁ ଊର୍ଦ୍ଧ୍ବ ଲୋକ ପ୍ରଭାବିତ

ଭୁବନେଶ୍ୱର : ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହୋଇଛି। ଏହିସହିତ ଓଡ଼ିଶାରେ ପ୍ରବାହିତ ହେଉଥିବା ପ୍ରମୁଖ ନଦୀଗୁଡ଼ିକର ଉପରମୁଣ୍ଡରେ ମଧ୍ୟ ଭଲ ବର୍ଷା ହୋଇଛି। ଫଳରେ ବର୍ତ୍ତମାନ ବାଲେଶ୍ୱର, ମୟୂରଭଞ୍ଜ, ଭଦ୍ରକ, ଯାଜପୁର, ସୁନ୍ଦରଗଡ଼ ଓ କେନ୍ଦୁଝର ଜିଲ୍ଲାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ଗତକାଲି ଅପରାହ୍ଣ ସୁଦ୍ଧା ଏହି ଜିଲ୍ଲାଗୁଡ଼ିକରେ ୧୧ ହଜାରରୁ ଊର୍ଦ୍ଧ୍ବ ଲୋକ ପ୍ରଭାବିତ ହୋଇଛନ୍ତି। ଆଜି ଏହି ସଂଖ୍ୟା ଆହୁରି […]

ଲଘୁଚାପଜନିତ ଲଗାଣ ବର୍ଷା ପରେ ବନ୍ୟା ସ୍ଥିତି,  ଉତ୍ତର ଓଡ଼ିଶାରେ ୧୧ ହଜାରରୁ ଊର୍ଦ୍ଧ୍ବ ଲୋକ ପ୍ରଭାବିତ
Flood situation after low pressure rain, over 11,000 people affected in North Odisha

ଭୁବନେଶ୍ୱର : ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହୋଇଛି। ଏହିସହିତ ଓଡ଼ିଶାରେ ପ୍ରବାହିତ ହେଉଥିବା ପ୍ରମୁଖ ନଦୀଗୁଡ଼ିକର ଉପରମୁଣ୍ଡରେ ମଧ୍ୟ ଭଲ ବର୍ଷା ହୋଇଛି। ଫଳରେ ବର୍ତ୍ତମାନ ବାଲେଶ୍ୱର, ମୟୂରଭଞ୍ଜ, ଭଦ୍ରକ, ଯାଜପୁର, ସୁନ୍ଦରଗଡ଼ ଓ କେନ୍ଦୁଝର ଜିଲ୍ଲାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ଗତକାଲି ଅପରାହ୍ଣ ସୁଦ୍ଧା ଏହି ଜିଲ୍ଲାଗୁଡ଼ିକରେ ୧୧ ହଜାରରୁ ଊର୍ଦ୍ଧ୍ବ ଲୋକ ପ୍ରଭାବିତ ହୋଇଛନ୍ତି। ଆଜି ଏହି ସଂଖ୍ୟା ଆହୁରି ବଢ଼ିବାର ଆଶଙ୍କା ରହିଛି। ବର୍ତ୍ତମାନ ମୁଖ୍ୟତଃ ବୈତରଣୀ, ବୁଢ଼ାବଳଙ୍ଗ, ସୁବର୍ଣ୍ଣରେଖା, ଜଳକା ଆଦି ନଦୀରେ ଜଳସ୍ତର ଅଧିକ ରହିଥିବାରୁ ଏହି ଅଞ୍ଚଳ ଲୋକେ ଭୟଭୀତ ଅବସ୍ଥାରେ ରହିଛି। ଅନ୍ୟପଟେ ସୁବର୍ଣ୍ଣରେଖାରେ ବନ୍ୟାଜଳ ବୃଦ୍ଧିକୁ ଆଖିରେ ରଖି ବାଲେଶ୍ୱର ଜିଲ୍ଲାବାସୀଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି। ବନ୍ୟା ପରିସ୍ଥିତି ଯୋଗୁଁ ଅତିରିକ୍ତ ରିଲିଫ୍‌ କମିଶନର ମନୀଷ ଅଗ୍ରୱାଲଙ୍କୁ ବାଲେଶ୍ୱର, ଭଦ୍ରକ ଓ ଯାଜପୁର ଜିଲ୍ଲାକୁ ବନ୍ୟାଞ୍ଚଳରେ ପୁନରୁଦ୍ଧାର ଓ ରିଲିଫ୍‌ କାର୍ଯ୍ୟର ତଦାରଖ କାର୍ଯ୍ୟ ପାଇଁ ପଠାଯାଇଛି।

ରବିବାର ସନ୍ଧ୍ୟା ୬ ଟା ବେଳେ ବୈତରଣୀ ନଦୀର ଆନନ୍ଦପୁରଠାରେ ଜଳସ୍ତର ୩୬.୨୪ ମିଟର ରହିଛି। ଏଠାରେ ବିପଦ ସଂକେତ ସ୍ତର ୩୮.୩୬ ମିଟର ରହିଛି। ଆଖୁଆପଦାଠାରେ ବିପଦ ସଂକେତସ୍ତର ୧୮. ୩୩ ମିଟର ରହିଥିବା ବେଳେ ଜଳସ୍ତର ୧୭.୬୬ ମିଟର ରହିଛି। ଜଳକା ନଦୀରେ ମଥାନୀଠାରେ ବିପଦ ସଙ୍କେତ ୬.୫୦ ମିଟର ରହିଥିବା ବେଳେ ଏଠାରେ ବନ୍ୟା ଜଳ ବିପଦ ସଙ୍କେତ ଉପରେ ଅର୍ଥାତ ଜଳସ୍ତର ୬.୫୨ ମିଟର ଉପରେ ପ୍ରବାହିତ ହେଉଛି। ସୁବର୍ଣ୍ଣରେଖା ନଦୀର ଜାମଶୋଳାଘାଟ ଠାରେ ବିପଦ ସଙ୍କେତ ସ୍ତର ୪୯.୧୬ ମିଟର ଥିବାବେଳେ ଜଳସ୍ତର ୪୮.୮୬ ମିଟର ରହିଛି। ମାତ୍ର ରାଜଘାଟଠାରେ ନଦୀ ଜଳ ବିପଦ ସଂକେତ ସ୍ତର ୧୦.୩୬ ମିଟର ଠାରୁ ଊର୍ଦ୍ଧ୍ବରେ ଅର୍ଥାତ୍‌ ୧୧.୧୭ ମିଟର ଉପରେ ପ୍ରବାହିତ ହେଉଛି ।

ରବିବାର ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, ସମ୍ୱଲପୁର, ସୁନ୍ଦରଗଡ଼ ଜିଲ୍ଲାପାଳ ଓ ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀଙ୍କ ସହ ଆଭାସୀ ମାଧ୍ୟମରେ ବନ୍ୟା ପରିସ୍ଥିତିର ସମୀକ୍ଷା କରିଛନ୍ତି। ରାଜୀବ ଭବନଠାରେ ଗଣମାଧ୍ୟମର ପ୍ରତିନିଧିଙ୍କୁ ସୂଚନା ଦେଇ ସ୍ୱତନ୍ତ୍ର ରିଲିଫ୍‌ କମିଶନର ଡ଼ି.କେ.ସିଂହ କହିଛନ୍ତି ଯେ ବାଲେଶ୍ୱର ଜିଲ୍ଲାରେ ୫ଟି ଓଡ୍ରାଫ୍‌ ଟିମ୍‌ ସହ ଗୋଟିଏ ଏନ୍‌ଡିଆର୍‌ଏଫ୍‌, ୨୬ଟି ଅଗ୍ନିଶମ ଓ ଜରୁରୀକାଳୀନ ସେବା ବାହିନୀ ନିୟୋଜିତ ହୋଇଛନ୍ତି। ସେହିପରି ମୟୂରଭଞ୍ଜ ଜିଲ୍ଲାରେ ଗୋଟିଏ ଓଡ୍ରାଫ୍‌ ଦଳ, ୨୩ଟି ଅଗ୍ନିଶମ ବାହିନୀ, ଭଦ୍ରକ ଜିଲ୍ଲାରେ ଗୋଟିଏ ଓଡ୍ରାଫ୍‌, ଗୋଟିଏ ଏନ୍‌ଡିଆର୍‌ଏଫ୍‌ ଓ ୧୩ଟି ଅଗ୍ନିଶମ ବାହିନୀ, ଯାଜପୁର ଜିଲ୍ଲାରେ ଗୋଟିଏ ଓଡ୍ରାଫ୍‌ ଟିମ୍‌ ସହ ୧୪ଟି ଅଗ୍ନିଶମ ବାହିନୀ ସମେତ ଏହି ସବୁ ଜିଲ୍ଲାରେ ୧୦୬ଟି ବୋଟ୍‌ ମଧ୍ୟ ଉଦ୍ଧାର ଓ ରିଲିଫ୍‌ ବଣ୍ଟନ କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି।

ଏବେ ସୁଦ୍ଧା ଏକ ହଜାରରୁ ଅଧିକ ଲୋକଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତରିତ କରାଯାଇ ମୟୂରଭଞ୍ଜ ଓ ବାଲେଶ୍ୱର ଜିଲ୍ଲାର ୯ଟି ଆଶ୍ରୟସ୍ଥଳରେ ରଖାଯାଇଛି। ଅନ୍ୟପଟେ ସୁବର୍ଣ୍ଣରେଖାରେ ବନ୍ୟା ସ୍ଥିତିକୁ ଦୃଷ୍ଟିରେ ରଖି ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ତଥା ସ୍ୱତନ୍ତ୍ର ଶାସନ ସଚିବ ବାଲେଶ୍ୱରରେ ଏକ ଶିବିର(କ୍ୟାମ୍ପ)ରେ ଉପସ୍ଥିତ ରହି ବନ୍ୟା ପରିଚାଳନାକୁ ତଦାରଖ କରୁଛନ୍ତି। ସେହିପରି ଜଳ ସମ୍ପଦ ବିଭାଗର ତଦାରଖ (ମନିଟରିଂ) ସର୍ବୋଚ୍ଚ ଯନ୍ତ୍ରୀ ସୁବର୍ଣ୍ଣରେଖା ନଦୀରେ ବନ୍ୟାସ୍ଥିତି ନିରୀକ୍ଷଣ କରିଛନ୍ତି। ବିଭାଗର ଅନ୍ୟ ଅଧିକାରୀ, ଯନ୍ତ୍ରୀ ଓ କର୍ମଚାରୀମାନେ ମୟୂରଭଞ୍ଜ ଓ ବାଲେଶ୍ୱର ଜିଲ୍ଲା ପ୍ରଶାସନ ସହିତ ସମନ୍ୱୟ ରଖି ବନ୍ୟା ପରିଚାଳନା କାର୍ଯ୍ୟ ପାଇଁ କ୍ଷେତ୍ରସ୍ତରରେ ରହିଥିବା ବିଭାଗ ପକ୍ଷରୁ କୁହାଯାଇଛି।