ଶଙ୍ଖ ଛାଡି ହାତ ଧରିବେ ଅସିତ୍‌

ଭଦ୍ରକ,୮।୪ (ସନାତନ ରାଉତ):ଭଦ୍ରକ ରାଜନୀତିର ଚର୍ଚ୍ଚିତ ଯୁବ ଚେହେରା ଅସିତ ପଟ୍ଟନାୟକ(ବୁଲୁ) କଂଗ୍ରେସରେ ଯୋଗଦେବେ ବୋଲି କହିଛନ୍ତି। ତାରିଖ ସ୍ଥିର ହୋଇ ନ ଥିବା ବେଳେ ଆସନ୍ତା ୧୦ କିମ୍ବା ୧୧ ତାରିଖରେ ବିଧିବଦ୍ଧ ଭାବେ କଂଗ୍ରେସରେ ଯୋଗଦେବେ ବୋଲି ସେ ସୂଚନା ଦେଇଛନ୍ତି। ଭଦ୍ରକ ବିଧାନସଭା କ୍ଷେତ୍ର ପାଇଁ ସେ ଆଶାୟୀ ଥିବାବେଳେ ବିଜେଡିରୁ ତାଙ୍କୁ ଟିକେଟ ନ ମିଳିବାରୁ ଗତ ବୁଧବାର ରାତିରେ ଦଳରୁ ଇସ୍ତଫା ଦେଇଥିଲେ। ପରେ ୪ ତାରିଖ ରାତିରେ ଭଦ୍ରକ […] The post ଶଙ୍ଖ ଛାଡି ହାତ ଧରିବେ ଅସିତ୍‌ appeared first on Dharitri Odia News.

ଶଙ୍ଖ ଛାଡି ହାତ ଧରିବେ ଅସିତ୍‌

ଭଦ୍ରକ,୮।୪ (ସନାତନ ରାଉତ):ଭଦ୍ରକ ରାଜନୀତିର ଚର୍ଚ୍ଚିତ ଯୁବ ଚେହେରା ଅସିତ ପଟ୍ଟନାୟକ(ବୁଲୁ) କଂଗ୍ରେସରେ ଯୋଗଦେବେ ବୋଲି କହିଛନ୍ତି। ତାରିଖ ସ୍ଥିର ହୋଇ ନ ଥିବା ବେଳେ ଆସନ୍ତା ୧୦ କିମ୍ବା ୧୧ ତାରିଖରେ ବିଧିବଦ୍ଧ ଭାବେ କଂଗ୍ରେସରେ ଯୋଗଦେବେ ବୋଲି ସେ ସୂଚନା ଦେଇଛନ୍ତି। ଭଦ୍ରକ ବିଧାନସଭା କ୍ଷେତ୍ର ପାଇଁ ସେ ଆଶାୟୀ ଥିବାବେଳେ ବିଜେଡିରୁ ତାଙ୍କୁ ଟିକେଟ ନ ମିଳିବାରୁ ଗତ ବୁଧବାର ରାତିରେ ଦଳରୁ ଇସ୍ତଫା ଦେଇଥିଲେ। ପରେ ୪ ତାରିଖ ରାତିରେ ଭଦ୍ରକ ନରିପୁରସ୍ଥିତ ବାସଭବନରେ ତାଙ୍କ ସମର୍ଥକମାନଙ୍କ ସହ ଆଲୋଚନା କରି ନିଷ୍ପତ୍ତି ନେବେ ବୋଲି ଖବରଦାତା ସମ୍ମିଳନୀରେ କହିଥିଲେ। ତାଙ୍କ ସମର୍ଥକମାନଙ୍କ ସହ ଆଲୋଚନା ପରେ କଂଗ୍ରେସରେ ଯୋଗଦେବା ନେଇ ନିଷ୍ପତ୍ତି ହୋଇଥିବା କହିଛନ୍ତି।
ଭଦ୍ରକ ବିଧାନସଭା ଆସନ ପାଇଁ ପୂର୍ବରୁ ବିଜେଡି ବରିଷ୍ଠ ନେତା ପ୍ରଫୁଲ୍ଲ ସାମଲ ଏବଂ ଭାଜପା ନବାଗତ ଯୁବନେତା ସୀତାଂଶୁ ଶେଖର ମହାପାତ୍ରଙ୍କୁ ପ୍ରାର୍ଥୀ କରିଛି। ଅପରପକ୍ଷେ ଅସିତ୍‌ କଂଗ୍ରେସରେ ସାମିଲ ହେବା ପରେ ଯଦି ଭଦ୍ରକ ବିଧାନସଭାରୁ କଂଗ୍ରେସ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ନ୍ତି, ତେବେ ଏଠାରେ ଦ୍ୱିମୁଖୀ ନୁହେଁ ତ୍ରିମୁଖୀ ପ୍ରତିଦ୍ୱନ୍ଦ୍ୱିତା ହେବ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି। ଅସିତ୍‌ଙ୍କ ଇସ୍ତଫା ଓ କଂଗ୍ରେସରେ ମିଶିବା ଚର୍ଚ୍ଚା ଭଦ୍ରକର ରାଜନୀତିକୁ ରୋଚକ କରିଦେଇଛି। ପ୍ରମୁଖ ୩ ଦଳ ମଧ୍ୟରୁ ଦୁଇଟି ଦଳର ପ୍ରାର୍ଥୀ ଘୋଷଣା ହୋଇଥିବା ବେଳେ କଂଗ୍ରେସ ପ୍ରାର୍ଥୀ ଘୋଷଣାକୁ ଭଦ୍ରକବାସୀ ଅପେକ୍ଷା କରିଛନ୍ତି।
ଗତ ନିର୍ବାଚନରେ କଂଗ୍ରେସର ଗୋଷ୍ଠୀକନ୍ଦଳ ଯୋଗୁ ଭାଜପା ଓ ବିଜେଡି ମଧ୍ୟରେ ଦ୍ୱିମୁଖୀ ଲଢ଼େଇ ହୋଇଥିଲା। ଏକଦା କଂଗ୍ରେସର ଗଡ଼ ଥିବା ଭଦ୍ରକ ଆସନରେ ୨୦୧୯ ନିର୍ବାଚନରେ କଂଗ୍ରେସ ତୃତୀୟ ସ୍ଥାନକୁ ଖସି ଆସିଥିଲା। ଆଗାମୀ ନିର୍ବାଚନରେ ଅସିତ୍‌ ଯଦି କଂଗ୍ରେସରେ ପ୍ରାର୍ଥୀ ହୁଅନ୍ତି କଂଗ୍ରେସ ଭୋଟ ସହ ବିଜେଡିରେ ଥିବା ତାଙ୍କ ସମର୍ଥକମାନଙ୍କ ଭୋଟ ହାତେଇନେବେ ବୋଲି ଚର୍ଚ୍ଚା ହେଉଛି। ଅସିତ୍‌ଙ୍କ ବାପା ପୂର୍ବତନ ମନ୍ତ୍ରୀ ଯୁଗଳ କିଶୋର ପଟ୍ଟନାୟକ ଓଡ଼ିଶା ରାଜନୀତିରେ ଜଣେ ଜଣାଶୁଣା ଚେହେରା। ଏବେ ସେ ରାଜନୀତିରୁ ଦୂରେଇ ଯାଇଥିଲେ ମଧ୍ୟ ଭଦ୍ରକ ବିଧାନସଭା ନିର୍ବାଚନମଣ୍ଡଳୀର ପ୍ରତି ପଞ୍ଚାୟତ ଏବଂ ୱାର୍ଡରେ ତାଙ୍କର ନିଜସ୍ବ ଭୋଟ ରହିଛି। ତେଣୁ ଅସିତ୍‌ଙ୍କ ନେତୃତ୍ୱ ବିଜେଡି ପାଇଁ ଅଡୁଆ ସୃଷ୍ଟି କରିପାରେ। ଅପରପକ୍ଷେ ଅସିତ୍‌ଙ୍କ ସହଯୋଗରେ ଗତ ପୌର ନିର୍ବାଚନରେ ସ୍ବାଧୀନ ଭାବେ ବିଜୟୀ ହୋଇଥିବା ସଂଖ୍ୟାଲଘୁ ନେତ୍ରୀ ପୌରାଧ୍ୟକ୍ଷା ଗୁଲମକ୍କୀ ହବିବ ଓ ତାଙ୍କ ପ୍ରତିନିଧି ଯୁବନେତା ଜାହିଦ ହବିବ ନିକଟରେ ଅସିତ୍‌ଙ୍କ ହାତ ଛାଡ଼ି ଦେଇଛନ୍ତି। ବିଜେଡି ବିଧାୟକ ପ୍ରାର୍ଥୀ ପ୍ରଫୁଲ୍ଲଙ୍କ ସହ ପୌରାଧ୍ୟକ୍ଷାଙ୍କ ଭେଟଘାଟ୍‌ ପରେ ସେ ବିଜେଡିକୁ ଫେରିବା ନେଇ ଚର୍ଚ୍ଚା ହେଉଛି।

The post ଶଙ୍ଖ ଛାଡି ହାତ ଧରିବେ ଅସିତ୍‌ appeared first on Dharitri Odia News.