ଶନିବାରଠୁ ରତ୍ନଭଣ୍ଡାର ସର୍ଭେ, ୩ ଦିନ ସର୍ବସାଧାରଣ ଦର୍ଶନ ବନ୍ଦ

ପୁରୀ,୨୧/୦୯: ଶନିବାର ପୁଣି ରତ୍ନଭଣ୍ଡାରରେ ଗୁପ୍ତ ଧନ ଓ ଗୁପ୍ତ ସୁଡ଼ଙ୍ଗ ଖୋଜାଯିବ ।  ଭାରତୀୟ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥା (ଏଏସ୍‌ଆଇ) ଶନିବାର ଠାରୁ ତିନି ଦିନ ଧରି ଶ୍ରୀମନ୍ଦିର ରତ୍ନଭଣ୍ଡାରର ବୈଷୟିକ ସର୍ଭେ କରିବ । ପ୍ରତ୍ୟେକ ଦିନ ୨ଟାରୁ ସନ୍ଧ୍ୟା ୬ଟା ଯାଏ ଏହି ସର୍ଭେ ହେବ । ୨୪ ତାରିଖ ସୁଦ୍ଧା ଶ୍ରୀମନ୍ଦିର ରତ୍ନଭଣ୍ଡାରର ବାକି ଥିବା ବୈଷୟିକ ସର୍ଭେ ଶେଷ ପାଇଁ ଏଏସ୍‌ଆଇ  ମହାନିର୍ଦ୍ଦେଶକଙ୍କୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ ପାଢୀ ପତ୍ର ଲେଖି ଅନୁରୋଧ କରିଥିଲେ । ପରେ ଏଏସ୍‌ଆଇ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି । ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଶୁକ୍ରବାର ଗଣମାଧ୍ୟମକୁ ସୂଚନା ଦିଆଯାଇଛି । ଗତ ଯାଞ୍ଚରେ କୌଣସି ଚୂଡ଼ାନ୍ତ ନିଷ୍ପତ୍ତିରେ ଟିମ୍‌ ପହଞ୍ଚି ପାରିନଥିଲା । ରାଜ୍ୟ ସରକାରଙ୍କ ଅନୁମୋଦିତ  ମାର୍ଗଦର୍ଶିକା ଅନୁସାରେ ଏହି ସର୍ଭେ କରାଯିବ । ତେଣୁ ଏହି ତିନି ଦିନ ପାଇଁ ଶ୍ରୀଜିଉଙ୍କ ନୀତିକାନ୍ତି ବା ସେବାପୂଜାରେ ବ୍ୟାଘାତ  ନକରି ନିରୀକ୍ଷଣ ପ୍ରକ୍ରିୟା ପାଇଁ ଆବଶ୍ୟକ ସମୟ ଦେବା ଲାଗି ବିଶେଷ ନୀତି ନିର୍ଘଣ୍ଟ ପ୍ରସ୍ତୁତ କରାଯାଇଛି । ଏହି ତିନିଦିନ ଦିନ ୧ଟାଠାରୁ ନିରୀକ୍ଷଣ କାର୍ଯ୍ୟ ଶେଷ ହେବା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ । ମହାପ୍ରସାଦ କ୍ରୟ କରିବାକୁ ଇଚ୍ଛୁକ ଶ୍ରଦ୍ଧାଳୁ  ସିଂହଦ୍ୱାର ପଟେ ବାଇଶି ପାହାଚ ଦେଇ ଆନନ୍ଦ ବଜାରରୁ ମହାପ୍ରସାଦ କ୍ରୟ କରି ଉତ୍ତର

ଶନିବାରଠୁ ରତ୍ନଭଣ୍ଡାର ସର୍ଭେ, ୩ ଦିନ ସର୍ବସାଧାରଣ ଦର୍ଶନ ବନ୍ଦ

ପୁରୀ,୨୧/୦୯: ଶନିବାର ପୁଣି ରତ୍ନଭଣ୍ଡାରରେ ଗୁପ୍ତ ଧନ ଓ ଗୁପ୍ତ ସୁଡ଼ଙ୍ଗ ଖୋଜାଯିବ ।  ଭାରତୀୟ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥା (ଏଏସ୍‌ଆଇ) ଶନିବାର ଠାରୁ ତିନି ଦିନ ଧରି ଶ୍ରୀମନ୍ଦିର ରତ୍ନଭଣ୍ଡାରର ବୈଷୟିକ ସର୍ଭେ କରିବ । ପ୍ରତ୍ୟେକ ଦିନ ୨ଟାରୁ ସନ୍ଧ୍ୟା ୬ଟା ଯାଏ ଏହି ସର୍ଭେ ହେବ । ୨୪ ତାରିଖ ସୁଦ୍ଧା ଶ୍ରୀମନ୍ଦିର ରତ୍ନଭଣ୍ଡାରର ବାକି ଥିବା ବୈଷୟିକ ସର୍ଭେ ଶେଷ ପାଇଁ ଏଏସ୍‌ଆଇ  ମହାନିର୍ଦ୍ଦେଶକଙ୍କୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ ପାଢୀ ପତ୍ର ଲେଖି ଅନୁରୋଧ କରିଥିଲେ । 

ପରେ ଏଏସ୍‌ଆଇ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି । ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଶୁକ୍ରବାର ଗଣମାଧ୍ୟମକୁ ସୂଚନା ଦିଆଯାଇଛି । ଗତ ଯାଞ୍ଚରେ କୌଣସି ଚୂଡ଼ାନ୍ତ ନିଷ୍ପତ୍ତିରେ ଟିମ୍‌ ପହଞ୍ଚି ପାରିନଥିଲା । ରାଜ୍ୟ ସରକାରଙ୍କ ଅନୁମୋଦିତ  ମାର୍ଗଦର୍ଶିକା ଅନୁସାରେ ଏହି ସର୍ଭେ କରାଯିବ । ତେଣୁ ଏହି ତିନି ଦିନ ପାଇଁ ଶ୍ରୀଜିଉଙ୍କ ନୀତିକାନ୍ତି ବା ସେବାପୂଜାରେ ବ୍ୟାଘାତ  ନକରି ନିରୀକ୍ଷଣ ପ୍ରକ୍ରିୟା ପାଇଁ ଆବଶ୍ୟକ ସମୟ ଦେବା ଲାଗି ବିଶେଷ ନୀତି ନିର୍ଘଣ୍ଟ ପ୍ରସ୍ତୁତ କରାଯାଇଛି । 

ଏହି ତିନିଦିନ ଦିନ ୧ଟାଠାରୁ ନିରୀକ୍ଷଣ କାର୍ଯ୍ୟ ଶେଷ ହେବା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ । ମହାପ୍ରସାଦ କ୍ରୟ କରିବାକୁ ଇଚ୍ଛୁକ ଶ୍ରଦ୍ଧାଳୁ  ସିଂହଦ୍ୱାର ପଟେ ବାଇଶି ପାହାଚ ଦେଇ ଆନନ୍ଦ ବଜାରରୁ ମହାପ୍ରସାଦ କ୍ରୟ କରି ଉତ୍ତର ଦ୍ୱାର ପଟେ ଉକ୍ତ ସମୟରେ ପ୍ରସ୍ଥାନ କରିପାରିବେ । ପୂର୍ବରୁ ଗତ ୧୮ ତାରିଖରେ ଶ୍ରୀମନ୍ଦିର ରତ୍ନଭଣ୍ଡାରର ବୈଷୟିକ ସର୍ଭେ ଏଏସ୍‌ଆଇ ପକ୍ଷରୁ ହୋଇଥିଲା । ସେହିଦିନ ସର୍ଭେ ସମୟରେ ଏଏସ୍‌ଆଇର ବୈଷୟିକ ଟିମ୍‌ର ମୁଖ୍ୟ ଏବଂ  ସିଏସ୍‌ଆଇଆର୍‌-ଏନ୍‌ଜିଆର୍‌ଆଇର ମୁଖ୍ୟ ବୈଜ୍ଞାନିକ ଆଉ ଏକ ରାଉଣ୍ଡ୍‌ ସର୍ଭେ କରିବାକୁ ମତାମତ ଦେଇଥିଲେ । 

ରାଡାର୍‌ ପେନିଟ୍ରେଟିଂ ସିଷ୍ଟମ୍‌ ତଥା ଅନ୍ୟ ବୈଷୟିକ ଉପକରଣ  ବ୍ୟବହାର କରାଯାଇ ସର୍ଭେ ପରେ ହିଁ ଚୂଡ଼ାନ୍ତ ରିପୋର୍ଟ ଦାଖଲ କରିବାକୁ ବୈଷୟିକ ଟିମ୍‌ ପ୍ରସ୍ତାବ ଦେଇଥିଲେ । ଚଳିତ ମାସ ୨୪ ତାରିଖଠାରୁ ଦଶହରା (ଷୋଳ ପୂଜା) ନୀତିକାନ୍ତି  ଶ୍ରୀମନ୍ଦିରରେ ଆରମ୍ଭ ପୂର୍ବରୁ ବାକି ଥିବା ସର୍ଭେ  ଶେଷ କରି ଚୂଡ଼ାନ୍ତ ରିପୋର୍ଟ ଦାଖଲ ପାଇଁ ମୁଖ୍ୟ ପ୍ରଶାସକ ଚିଠିରେ ଉଲ୍ଲେଖ କରିଥିଲେ । ଯାହା ପରେ ଏଏସ୍‌ଆଇ ରତ୍ନଭଣ୍ଡାରର  ତୁରନ୍ତ ଯାଞ୍ଚ କରିବାକୁ ନିଷ୍ପତ୍ତି ନେଇଛି । 

ଶ୍ରୀମନ୍ଦିର ରତ୍ନଭଣ୍ଡାର ତଳେ ସୁଡ଼ଙ୍ଗ ଓ  ଗୁପ୍ତ ଧନ ଥିବା ଚର୍ଚ୍ଚା ଜୋର ଧରିଥିବା ବେଳେ ସରକାର ଏହାର ସତ୍ୟାସତ୍ୟ ଜାଣିବାକୁ ଅତ୍ୟାଧୁନିକ ବୈଷୟିକ ଯାଞ୍ଚ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଯାହାର ଚୂଡ଼ାନ୍ତ ରିପୋର୍ଟ ସମ୍ପର୍କରେ ଜାଣିବାକୁ ଶ୍ରଦ୍ଧାଳୁଙ୍କ ମହଲରେ  ଉତ୍କଣ୍ଠା ବଢ଼ିଛି । ସେପଟେ ୨୧ ଓ ୨୨ ତାରିଖ ଶନିବାର ଏବଂ ରବିବାର ପଡ଼ୁଥିବାରୁ ଶ୍ରଦ୍ଧାଳୁଙ୍କ ସଂଖ୍ୟା ଶ୍ରୀମନ୍ଦିରରେ ବଢ଼ିବା ଆଶଙ୍କା ରହିଛି । ଦିନ ୧ଟା ପରଠାରୁ ଅନିର୍ଦ୍ଦିଷ୍ଟ ସମୟ ସାଧାରଣ ଦର୍ଶନ ବନ୍ଦ ରହିବାକୁ ଥିବାରୁ ଶ୍ରଦ୍ଧାଳୁ  ଆସିଲେ ଚତୁର୍ଦ୍ଧାମୂର୍ତ୍ତିଙ୍କ ଦର୍ଶନରୁ ବଞ୍ଚିତ  ହେବେ । ସେମାନେ ପତିତପାବନଙ୍କୁ ଦର୍ଶନ  କରିପାରିବେ ଓ ମହାପ୍ରସାଦ ନେଇପାରିବେ।