ଶାହାଙ୍କ ଓଡ଼ିଶା ଗସ୍ତ ୩ୟ ଥର ବାତିଲ

ଭୁବନେଶ୍ୱର,୨୦ା୩(ରବିନାରାୟଣ ଜେନା): ଭାଜପାର ଚାଣକ୍ୟ ତଥା କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ୍‌ ଶାହାଙ୍କ ଓଡ଼ିଶା ଗସ୍ତ ବାତିଲକୁ ନେଇ ରାଜ୍ୟ ରାଜନୀତି ଏବେ ଜୋର୍‌ ଧରିଛି। ଥରେ କି ଦୁଇଥର ନୁହେଁ, ଇତିମଧ୍ୟରେ ୩ଥର ଶାହାଙ୍କ ଗସ୍ତ ବାତିଲ ହୋଇସାରିଲାଣି। ଦଳୀୟ କାର୍ଯ୍ୟାଳୟ ପକ୍ଷରୁ ଏନେଇ ଦୁଇଥର ସୂଚନା ଦିଆଯାଇଛି, ଏମିତିକି ପ୍ରଥମଥର ସମ୍ବଲପୁର ଗସ୍ତବେଳେ ଛାମୁଣ୍ଡିଆ ମଧ୍ୟ ବନ୍ଧାସରିଥିଲା। ହେଲେ ଅନିବାର୍ଯ୍ୟ କାରଣ ଯୋଗୁ ଶେଷ ମୁହୂର୍ତ୍ତରେ କାର୍ଯ୍ୟକ୍ରମକୁ ବାତିଲ କରାଯାଇଥିଲା। ତେବେ ଏସବୁ ପଛରେ […] The post ଶାହାଙ୍କ ଓଡ଼ିଶା ଗସ୍ତ ୩ୟ ଥର ବାତିଲ appeared first on Dharitri Odia News.

ଶାହାଙ୍କ ଓଡ଼ିଶା ଗସ୍ତ ୩ୟ ଥର ବାତିଲ

ଭୁବନେଶ୍ୱର,୨୦ା୩(ରବିନାରାୟଣ ଜେନା): ଭାଜପାର ଚାଣକ୍ୟ ତଥା କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ୍‌ ଶାହାଙ୍କ ଓଡ଼ିଶା ଗସ୍ତ ବାତିଲକୁ ନେଇ ରାଜ୍ୟ ରାଜନୀତି ଏବେ ଜୋର୍‌ ଧରିଛି। ଥରେ କି ଦୁଇଥର ନୁହେଁ, ଇତିମଧ୍ୟରେ ୩ଥର ଶାହାଙ୍କ ଗସ୍ତ ବାତିଲ ହୋଇସାରିଲାଣି। ଦଳୀୟ କାର୍ଯ୍ୟାଳୟ ପକ୍ଷରୁ ଏନେଇ ଦୁଇଥର ସୂଚନା ଦିଆଯାଇଛି, ଏମିତିକି ପ୍ରଥମଥର ସମ୍ବଲପୁର ଗସ୍ତବେଳେ ଛାମୁଣ୍ଡିଆ ମଧ୍ୟ ବନ୍ଧାସରିଥିଲା। ହେଲେ ଅନିବାର୍ଯ୍ୟ କାରଣ ଯୋଗୁ ଶେଷ ମୁହୂର୍ତ୍ତରେ କାର୍ଯ୍ୟକ୍ରମକୁ ବାତିଲ କରାଯାଇଥିଲା। ତେବେ ଏସବୁ ପଛରେ ଭାଜପାର ଗୋଟିଏ ଗୋଷ୍ଠୀ ମଧ୍ୟରେ ଅନ୍ୟ ଗୋଷ୍ଠୀର ସମନ୍ବୟ ରହୁନାହିଁ ବୋଲି ରାଜନୈତିକ ମହଲରେ ବିବେଚନା କରାଯାଉଛି।
ଉଲ୍ଲେଖଯୋଗ୍ୟ, ନୂଆବର୍ଷ ପୂର୍ବରୁ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଶାହା ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସିବାର କାର୍ଯ୍ୟକ୍ରମ ଥିଲା। ଏନେଇ ଭାଜପା ରାଜ୍ୟ ସଭାପତି ମନମୋହନ ସାମଲ ଗଣମାଧ୍ୟମରେ ସୂଚନା ଦେଇଥିଲେ। ସେ କହିଥିଲେ, ବିଧାୟକମାନଙ୍କ ତାଲିମ୍‌ କାର୍ଯ୍ୟକ୍ରମରେ ଯୋଗଦେବା ଲାଗି ଶାହା ଚଳିତମାସ(ଡିସେମ୍ବର) ୨୮ରୁ ୩୦ ଦୁଇଦିନିଆ ଓଡ଼ିଶା ଗସ୍ତ କରିବେ। ଏହାସହ ସମ୍ବଲପୁର ଗସ୍ତକରି କିଛି ବିକାଶମୂଳକ କାର୍ଯ୍ୟର ଉଦ୍‌ଘାଟନ କରିବାର କାର୍ଯ୍ୟକ୍ରମ ରହିଛି। ମାତ୍ର ପରବର୍ତ୍ତୀ ସମୟରେ ଉକ୍ତ କାର୍ଯ୍ୟକ୍ରମକୁ ଶେଷ ମୁହୂର୍ତ୍ତରେ ବାତିଲ କରାଯାଇଥିଲା।
ସେହିପରି ଭୁବନେଶ୍ୱରରେ ହୋଇଥିବା ପୋଲିସ ମହାନିର୍ଦ୍ଦେଶକ ସମ୍ମିଳନୀରେ ଶାହା ମୁଖ୍ୟ ପୁରୋଧା ହେବାର ଥିଲା। କିନ୍ତୁ ସେ ତାଙ୍କ କାର୍ଯ୍ୟସୂଚୀରେ ଶେଷ ମୁହୂର୍ତ୍ତରେ ପରିବର୍ତ୍ତନ କରିଥିଲେ। ତେବେ ଏହି ଦୁଇଥରକୁ ବାଦ୍‌ ଦେଲେ ଚଳିତମାସ ୨୮ରେ ଶାହା ଓଡ଼ିଶା ଗସ୍ତ କରିବା ପାଇଁ ସବୁପ୍ରକାର ପ୍ରସ୍ତୁତି ହୋଇସାରିଥିଲା। ଏମିତିକି ଭାଜପା ପକ୍ଷରୁ କେତେଜଣ ମୁଖପାତ୍ର କହିବୁଲିଥିଲେ। କିଏ କେଉଁ ଦାୟିତ୍ୱ ସମ୍ଭାଳିବ ତାହା ମଧ୍ୟ ସ୍ଥିର ହୋଇଥିଲା। ଟେଣ୍ଟ୍‌ ବନ୍ଧାଠାରୁ ମାଇକି ପର୍ଯ୍ୟନ୍ତ ସବୁ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଥିଲା। କିନ୍ତୁ ମଙ୍ଗଳବାର ଦଳୀୟ କାର୍ଯ୍ୟାଳୟ ପକ୍ଷରୁ ଶାହାଙ୍କ ଗସ୍ତ ବାତିଲ ହେଲା ବୋଲି ଘୋଷଣା ହେଲା। ଥରେ କି ଦୁଇଥର ନୁହେଁ, ଭାଜପାର ଚାଣକ୍ୟ ତଥା ସ୍ବରାଷ୍ଟ୍ର ମନ୍ତ୍ରୀ ଶାହାଙ୍କ ଓଡ଼ିଶା ଗସ୍ତ ଏଭଳି ଭାବେ ବାରମ୍ବାର ବାତିଲ ହେବା ଦଳୀୟ କର୍ମୀଙ୍କୁ ଯେତିକି ନିରୁତ୍ସାହିତ କରିଛି ତା’ଠାରୁ ଢେର୍‌ ଖୋରାକ ଯୋଗାଇଛି ରାଜନୀତି ବିଶାରଦଙ୍କୁ।
ଶାହାଙ୍କ ତୃତୀୟଥର ଓଡ଼ିଶା ଗସ୍ତ ବାତିଲକୁ ନେଇ କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ କହିଛନ୍ତି, ରାଜ୍ୟରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇପଡ଼ିଛି। ଦିନଦ୍ୱିପ୍ରହରରେ ମୁଣ୍ଡ ଗଡୁଛି, ମହିଳାମାନେ ଅସୁରକ୍ଷିତ ଅଛନ୍ତି। ଏହି ପରିପ୍ରେକ୍ଷୀରେ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀଙ୍କ ଓଡ଼ିଶା ଗସ୍ତ କରିବାର ସତ୍‌ ସାହସ ନାହିଁ ବୋଲି କାଡାମ କହିଛନ୍ତି। ସେହିପରି ବିଜେଡି ମୁଖପାତ୍ର ଲେନିନ୍‌ ମହାନ୍ତି କହିଛନ୍ତି, ଏହା ତାଙ୍କ ଦଳୀୟ ବ୍ୟାପାର। ଏନେଇ ବିଜେଡି କୌଣସି ମତ ରଖିବା ସମୀଚୀନ ହେବନାହିଁ।
ଅନ୍ୟପକ୍ଷରେ ଭାଜପାର ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତି କହିଛନ୍ତି, ସ୍ବରାଷ୍ଟ୍ର ମନ୍ତ୍ରୀଙ୍କ ଗସ୍ତ କାର୍ଯ୍ୟକ୍ରମ ପାଇଁ ସବୁକିଛି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଥିଲା। ହେଲେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦେବେନ୍ଦ୍ର ପ୍ରଧାନଙ୍କ ବିୟୋଗ ଯୋଗୁ ବୋଧହୁଏ ଏହା ବାତିଲ ହୋଇଥିବ ବୋଲି ସେ କହିଥିଲେ।

The post ଶାହାଙ୍କ ଓଡ଼ିଶା ଗସ୍ତ ୩ୟ ଥର ବାତିଲ appeared first on Dharitri Odia News.