ଶିଳାନ୍ୟାସରେ ଅଟକିଛି ଉନ୍ନତୀକରଣ

ବଡ଼ଚଣା,୮ା୭(ଦିଲୀପ କୁମାର ମହାନ୍ତି): ବଡ଼ଚଣା ବ୍ଲକ୍‌ ଅଧୀନ ୧୬ନଂ. ଜାତୀୟ ରାଜପଥର ସଂଯୋଗସ୍ଥଳ ବନ୍ଦାଳୋଠାରୁ ଏଣ୍ଡରପଦା ଗ୍ରାମ ପର୍ଯ୍ୟନ୍ତ ୧୫ କି.ମି. ରାସ୍ତା ପୂର୍ତ୍ତ ବିଭାଗ ଅଧୀନରେ ରହିଛି। ଏହା ୧୬ ନମ୍ବର ଜାତୀୟ ରାଜପଥଠାରୁ ପଶ୍ଚିମ ବଡ଼ଚଣାର ୧୦ ପଞ୍ଚାୟତ ଦେଇ ଢେଙ୍କାନାଳ ଜିଲାକୁ ସଂଯୋଗ କରୁଛି। ଏହି ରାସ୍ତା ପ୍ରସିଦ୍ଧ ଶୈବପୀଠ କପିଳାସ, ଯୋରନ୍ଦା ତୀର୍ଥ କ୍ଷେତ୍ରକୁ ଯାତାୟାତ ପାଇଁ ସହଜ ହୋଇ ପାରୁଛି। ଏହି ରାସ୍ତା ଉପରେ ପଶ୍ଚିମ ବଡ଼ଚଣାର ବ୍ୟସ୍ତବହୁଳ ଜୀବନ […] The post ଶିଳାନ୍ୟାସରେ ଅଟକିଛି ଉନ୍ନତୀକରଣ appeared first on Dharitri Odia News.

ଶିଳାନ୍ୟାସରେ ଅଟକିଛି ଉନ୍ନତୀକରଣ

ବଡ଼ଚଣା,୮ା୭(ଦିଲୀପ କୁମାର ମହାନ୍ତି): ବଡ଼ଚଣା ବ୍ଲକ୍‌ ଅଧୀନ ୧୬ନଂ. ଜାତୀୟ ରାଜପଥର ସଂଯୋଗସ୍ଥଳ ବନ୍ଦାଳୋଠାରୁ ଏଣ୍ଡରପଦା ଗ୍ରାମ ପର୍ଯ୍ୟନ୍ତ ୧୫ କି.ମି. ରାସ୍ତା ପୂର୍ତ୍ତ ବିଭାଗ ଅଧୀନରେ ରହିଛି। ଏହା ୧୬ ନମ୍ବର ଜାତୀୟ ରାଜପଥଠାରୁ ପଶ୍ଚିମ ବଡ଼ଚଣାର ୧୦ ପଞ୍ଚାୟତ ଦେଇ ଢେଙ୍କାନାଳ ଜିଲାକୁ ସଂଯୋଗ କରୁଛି। ଏହି ରାସ୍ତା ପ୍ରସିଦ୍ଧ ଶୈବପୀଠ କପିଳାସ, ଯୋରନ୍ଦା ତୀର୍ଥ କ୍ଷେତ୍ରକୁ ଯାତାୟାତ ପାଇଁ ସହଜ ହୋଇ ପାରୁଛି। ଏହି ରାସ୍ତା ଉପରେ ପଶ୍ଚିମ ବଡ଼ଚଣାର ବ୍ୟସ୍ତବହୁଳ ଜୀବନ ରେଖା କହିଲେ ଅତ୍ୟୁକ୍ତି ହେବନାହିଁ। ରାସ୍ତାରେ ୨୪ ଘଣ୍ଟା ଗାଡ଼ି ଚଳାଚଳ କରୁଛି। ହେଲେ ରାସ୍ତାର ଅବସ୍ଥା ସୁଧୁରି ପାରିନାହିଁ। ଦୀର୍ଘଦିନ ହେବ ରାସ୍ତା ବିପର୍ଯ୍ୟସ୍ତ ହୋଇପଡ଼ିଛି। ଏହି ରାସ୍ତାର ୦କି.ମି.ରୁ ୫.୩ କି.ମି. ପର୍ଯ୍ୟନ୍ତ ଉନ୍ନତିକରଣ ପାଇଁ ଅର୍ଥ ମଞ୍ଜୁର କରାଯାଇ ଶିଳାନ୍ୟାସ କରାଯାଇଥିଲେ ମଧ୍ୟ କାମ ହୋଇ ପାରୁନାହିଁ। ଫଳରେ ଶିଳାନ୍ୟାସରେ ଉନ୍ନତିକରଣ ଅଟକି ରହିଥିବା ଅଭିଯୋଗ ହୋଇଛି।
ରାସ୍ତା ଉନ୍ନତିକରଣ ପାଇଁ ୭ା୧୨ା୨୦୧୮ରେ ଶିଳାନ୍ୟାସ କରାଯାଇଥିଲା। ମୋଟ ଅଟକଳ ୪ କୋଟି ଦୁଇ ଲକ୍ଷ ୪୫ ହଜାର ବ୍ୟୟ ଅଟକଳରେ କାମ କରିବାକୁ କର୍ତ୍ତୃପକ୍ଷ ଠିକା ସଂସ୍ଥା ସହ ଚୁକ୍ତି କରିଥିଲେ। ଏହି ରାସ୍ତା କାର୍ଯ୍ୟ ଶୀଘ୍ର ଶେଷ କରିବା ପାଇଁ ଶିଳାନ୍ୟାସ ସମୟରେ ପୂର୍ବତନ ବିଧାୟକ ଅମର ପ୍ରସାଦ ଶତପଥୀ ବିଭାଗୀୟ ଅଧିକାରୀ ଓ ଠିକାଦାରଙ୍କୁ କହିଥିଲେ। ଶିଳାନ୍ୟାସର ମାତ୍ର କେତେଟା ଦିନ ପରେ ଯଦିଓ ଠିକାଦାର କାମ ଆରମ୍ଭ କରିଥିଲେ ସେହି ସମୟରେ ସମ୍ପ୍ରସାରଣ କାର୍ଯ୍ୟରେ ନାନା ଅନିୟମିୟତା ହୋଇଥିବା ଲୋକେ ଅଭିଯୋଗ କରିଥିଲେ। ରାସ୍ତାର ଦୁଇ କଡ଼ରୁ ୨ ଫୁଟ ଜେଶିବିରେ ଖୋଳା ଯାଇଥିଲା। ମାସେ ଦୁଇ ମାସ ଧରି ଗାତ ଖୋଳା ଯାଇ ପଡ଼ି ରହିଥିଲା। ସୁରକ୍ଷା ଦୃଷ୍ଟିରୁ ଫିତା କିମ୍ବା ବାଡ଼ ଦିଆଯାଇ ନ ଥିଲା। ଫଳରେ ପଥଚାରୀ, ଦୁଇ ଚକିଆ ଯାନ ଚାଳକ, ସାଇକଲ ଆରୋହୀ ଓ ଛୋଟ ଗାଡ଼ି ବାରମ୍ବାର ଦୁର୍ଘଟଣାର ଶିକାର ହୋଇଥିଲେ। ବହୁ ସ୍କୁଲ, କଲେଜ ଛାତ୍ରୀଛାତ୍ର ପଡ଼ି ଆହତ ହୋଇଥିଲେ। ପ୍ରବଳ ଅସନ୍ତୋଷ ପରେ କେତେକ ସ୍ଥାନରେ ଡଷ୍ଟ ଗୁଣ୍ଡ ଓ ବାଲିରେ ପୂର୍ଣ୍ଣ କରାଯାଇଥିଲା। କାମ ଆରମ୍ଭରୁ ସୂଚନା ଫଳକ ଲଗା ଯାଇ ନ ଥିଲା। ଅଭିଯୋଗ ପରେ ତରବରିଆ ଭାବେ ବିଭାଗ ପକ୍ଷରୁ ଫଳକ ଲଗାଯାଇଥିଲା। ମରାମତି ଓ ରକ୍ଷଣାବେକ୍ଷଣ ପାଇଁ ଅନୁଧ୍ୟାନ ଦେବାର ବ୍ୟବସ୍ଥା ଥିବା ବେଳେ ଏଠି କାର୍ଯ୍ୟ ଓଲଟା କରାଯାଇଥିଲା। ରାସ୍ତା କାର୍ଯ୍ୟର ଅନିୟମିତତା ନେଇ ବନ୍ଦାଳୋ-ଏଣ୍ଡରପଦା ରାସ୍ତା କ୍ରିୟାନୁଷ୍ଠାନ କମିଟି ବହୁବାର ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ ଫଳ କିଛି ହୋଇନାହିଁ। ଏ ପର୍ଯ୍ୟନ୍ତ ରାସ୍ତା କାମ ନ ହୋଇ ପଡ଼ି ରହିଛି। ଫଳରେ ଜନସାଧାରଣ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।
ରାସ୍ତା ଅତ୍ୟନ୍ତ ଶୋଚନୀୟ ହୋଇଥିବାରୁ ୮ ମାସ ତଳେ ବିଭାଗୀୟ କର୍ତ୍ତୃପକ୍ଷ ୫ ଲକ୍ଷରୁ ଅଧିକ ଟଙ୍କା ଠିକାଦାରଙ୍କ ଦ୍ୱାରା ଖର୍ଚ୍ଚ କରାଇ ନାମକୁ ମାତ୍ର କେତେ ଟ୍ରିପ ଡଷ୍ଟ ଗୁଣ୍ଡ ପକାଇ ଖାଲ ମରାମତି କରିଥିଲେ। ମାତ୍ର ୪ ଚକିଆ ଓ ୬ ଚକିଆ ଭାରିଯାନ ଯିବା ଦ୍ୱାରା ଡଷ୍ଟ ଉଡ଼ିଥିଲା। ଫଳରେ ଲୋକେ ଯାତାୟାତରେ ଅସୁବିଧାର ସମ୍ମୁଖୀନ ହୋଇଥିଲେ। ଠିକାଦାର ନାମକୁ ମାତ୍ର ଉଭୟ ପାର୍ଶ୍ୱ ଖୋଳି ପିଚୁ ନ କରି କାମ ଛାଡ଼ି ପଳାଇ ଯାଇଥିଲେ। ଖବର ନେବାରୁ ଜଣାଯାଇଛି ଯେ ବିଭାଗ ପକ୍ଷରୁ ସଂପୃକ୍ତ ଠିକାଦାରଙ୍କ ନାମର ଜରିମାନା କରାଯାଇଛି। ଏବେ ନୂଆ ସରକାର ଆସିଲା ପରେ ଶୁଣାଯାଉଛି ପୁନର୍ବାର ଏହି ରାସ୍ତାର ଟେଣ୍ଡର କରାଯିବ। ଏ ସମ୍ପର୍କରେ ପ୍ରତିକ୍ରିୟା ପାଇଁ ପୂର୍ତ୍ତ ବିଭାଗ ଅଧିକାରୀଙ୍କୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ ତାହା ସମ୍ଭବ ହୋଇ ପାରିନାହିଁ। ବିଧାୟକ ଅମର ନାୟକଙ୍କୁ ସ୍ଥାନୀୟ ଅଞ୍ଚଳର ଜନସାଧାରଣ, ବନ୍ଦାଳୋ-ଏଣ୍ଡରପଦା ରାସ୍ତା କ୍ରିୟାନୁଷ୍ଠାନ କମିଟି ସଦସ୍ୟ ଭେଟି ରାସ୍ତାର ପୁନରୁଦ୍ଧାର ପାଇଁ ତାଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ବିଧାୟକ ଅଧିକାରୀଙ୍କ ସହ ଆଲୋଚନା କରି ପଦକ୍ଷେପ ନେବେ ବୋଲି ସୂଚନା ଦେଇଛନ୍ତି। ଏବେ ଦେଖିବାକୁ ଅପେକ୍ଷା କେବେ ଏହି ରାସ୍ତା ମରାମତି କରାଯାଉଛି।

The post ଶିଳାନ୍ୟାସରେ ଅଟକିଛି ଉନ୍ନତୀକରଣ appeared first on Dharitri Odia News.