ଶିଶୁ ମନ୍ଦିର ଗୁରୁଜୀରୁ ସରପଞ୍ଚ, ତା’ପରେ ବିଧାୟକ..ଆଉ ଏବେ ଓଡ଼ିଶାର ମୁଖ୍ୟମନ୍ତ୍ରୀ….

ଭୁବନେଶ୍ବର : ଓଡ଼ିଶାର ନୂଆ ମୁଖ୍ୟମନ୍ତ୍ରୀ ହେବେ ମୋହନ ଚରଣ ମାଝୀ। ଆଜି ବିଜେପି ବିଧାୟକ ଦଳ ବୈଠକରେ ମୋହନ ମାଝୀଙ୍କ ନାଁ ରେ ମୋହର ଲାଗିଛି। କେନ୍ଦୁଝର ସଦର ବିଧାୟକ ମୋହନ ମାଝୀ ରାଜ୍ୟ ବିଜେପିର ଟାଣୁଆ ଆଦିବାସୀ ନେତା। ପୂର୍ବରୁ ବିଧାନସଭାରେ ବିରୋଧୀ ଦଳ ମୁଖ୍ୟ ସଚେତକ ରହିଥିଲେ ମୋହନ ମାଝୀ। ଚଳିତ ଥରକୁ ଲଗାଇ ଚତୁର୍ଥ ଥର ବିଧାୟକ ହୋଇଥିବା ମୋହନ ଚରଣ ମାଝୀ ଆସନ୍ତାକାଲି ଓଡ଼ିଶାର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ […]

ଶିଶୁ ମନ୍ଦିର ଗୁରୁଜୀରୁ ସରପଞ୍ଚ, ତା’ପରେ ବିଧାୟକ..ଆଉ ଏବେ ଓଡ଼ିଶାର ମୁଖ୍ୟମନ୍ତ୍ରୀ….
Mohan Charan Majhi: All about BJP's tribal leader who will be next CM of Odisha

ଭୁବନେଶ୍ବର : ଓଡ଼ିଶାର ନୂଆ ମୁଖ୍ୟମନ୍ତ୍ରୀ ହେବେ ମୋହନ ଚରଣ ମାଝୀ। ଆଜି ବିଜେପି ବିଧାୟକ ଦଳ ବୈଠକରେ ମୋହନ ମାଝୀଙ୍କ ନାଁ ରେ ମୋହର ଲାଗିଛି। କେନ୍ଦୁଝର ସଦର ବିଧାୟକ ମୋହନ ମାଝୀ ରାଜ୍ୟ ବିଜେପିର ଟାଣୁଆ ଆଦିବାସୀ ନେତା। ପୂର୍ବରୁ ବିଧାନସଭାରେ ବିରୋଧୀ ଦଳ ମୁଖ୍ୟ ସଚେତକ ରହିଥିଲେ ମୋହନ ମାଝୀ। ଚଳିତ ଥରକୁ ଲଗାଇ ଚତୁର୍ଥ ଥର ବିଧାୟକ ହୋଇଥିବା ମୋହନ ଚରଣ ମାଝୀ ଆସନ୍ତାକାଲି ଓଡ଼ିଶାର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ।

ତେବେ ୫୨ ବର୍ଷୀୟ ମୋହନ ଚରଣ ମାଝୀ ୬ ଜାନୁଆରୀ ୧୯୭୨ରେ କେନ୍ଦୁଝରର ରାଇକଳାରେ ଜନ୍ମ ଗ୍ରହଣ କରିଥିଲେ। ଏହାପରେ ଶିକ୍ଷା ସମାପ୍ତ ପରେ ମୋହନ ମାଝୀ ୧୯୯୪ ମସିହାରେ ଛୁମ୍ପୁରା ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରରେ ଗୁରୁଜୀ ଭାବେ କାମ କରୁଥିଲେ। ଶିକ୍ଷକତା ପରେ ୧୯୯୭ରେ ସରପଞ୍ଚ ଭାବେ ନିଜର ରାଜନୈତିକ କ୍ୟାରିୟର ଆରମ୍ଭ କରିଥିଲେ ମୋହନ ଚରଣ ମାଝୀ। ୧୯୯୭ରୁ ୨୦୦୦ ମସିହା ପର୍ଯ୍ୟନ୍ତ ରାଇକଳା ପଞ୍ଚାୟତର ସରପଞ୍ଚ ଭାବେ କାର୍ଯ୍ୟ କରିଥିଲେ।

ସରପଞ୍ଚ ଭାବେ କାମ କରିବା ପରେ ୨୦୦୦ ମସିହାରେ ପ୍ରଥମ ଥର ପାଇଁ ବିଧାୟକ ହୋଇଥିଲେ ମୋହନ ଚରଣ ମାଝୀ । ମୋହନ ଭାରତୀୟ ଜନତା ପାର୍ଟିର ପ୍ରାର୍ଥୀ ଭାବରେ କେନ୍ଦୁଝର ବିଧାନସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢ଼ିଥିଲେ। ଏହି ନିର୍ବାଚନରେ ସେ କଂଗ୍ରେସର ପ୍ରାର୍ଥୀ ଜଗଦିଶ ନାଏକଙ୍କୁ ହରାଇ ବିଜୟୀ ହୋଇ ଓଡ଼ିଶା ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ୨୦୦୦ ମସିହା ପରେ ମୋହନ ପୁଣି ଲଗାତର ୨୦୦୪ରେ ବିଧାୟକ ଭାବେ ନିର୍ବାଚତ ହୋଇଥିଲେ। ବିଜେପିର ପ୍ରାର୍ଥୀ ଭାବେ କଂଗ୍ରେସର ପ୍ରାର୍ଥୀ ମାଧବ ସରଦାରଙ୍କୁ ପରାସ୍ତ କରି ୧୩ଶ ଓଡ଼ିଶା ବିଧାନସଭାକୁ ନିର୍ବାଚିତ ହୋଇଥିଲେ ମୋହନ ଚରଣ ମାଝୀ।

୨୦୦୦ ଓ ୨୦୦୪ରେ ଳଗାତର ବିଜୟ ପରେ ମୋହନ ଚରଣ ମାଝୀ ୨୦୦୯ ଓ ୨୦୧୪ରେ ପରାଜୟ ବରଣ କରିଥିଲେ। ୨୦୦୯ରେ ମୋହନ ବିଜେଡି ପ୍ରାର୍ଥୀ ଶୁଭମ ନାଏକଙ୍କ ନିକଟରୁ ପରାଜିତ ହୋଇଥିବା ବେଳେ ୨୦୧୪ରେ ବିଜେଡି ପ୍ରାର୍ଥୀ ଅଭିରାମ ନାଏକଙ୍କ ନିକଟରୁ ହାରିଯାଇଥିଲେ। ପ୍ରଥମେ ଦୁଇଟି ବିଜୟ ପରେ ଦୁଇଟି ପରାଜୟର ସ୍ବାଦ ଚାଖିଥିବା ମୋହନ ପୁଣି ୨୦୧୯ରେ ରିଟର୍ଣ୍ଣ କରିଥିଲେ। ୨୦୧୯ ମସିହାର ଓଡ଼ିଶା ବିଧାନସଭା ନିର୍ବାଚନରେ ମୋହନ ଭାରତୀୟ ଜନତା ପାର୍ଟିର ପ୍ରାର୍ଥୀ ଭାବରେ କେନ୍ଦୁଝର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢ଼ି ବିଜୟୀ ହେବା ସହ ୧୬ଶ ଓଡ଼ିଶା ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ଆଉ ୨୦୧୯ରେ ବିଜେପି ବିରୋଧୀ ଦଳକୁ ଫେରିବା ପରେ ମୋହନଙ୍କୁ ବିରୋଧୀ ଦଳ ମୁଖ୍ୟ ସଚେତକ କରାଯାଇଥିଲା। ଏହି ଦାୟିତ୍ବ କୁ ମଧ୍ୟ ମୋହନ ସଠିକ ଭାବେ ତୁଲାଇଥିଲେ। ଆଉ ଚଳିତ ୨୦୨୪ ନିର୍ବାଚନରେ ମୋହନ ଚରଣ ମାଝୀ ବିଜୟୀ ହେବା ପରେ ତାଙ୍କ ମୁଣ୍ଡରେ ବିଜେପି ସୁନା କଳସ ଢାଳି ତାଙ୍କୁ ମୁଖ୍ୟମନ୍ତ୍ରୀ ପଦରେ ବସାଇଛି।