ସନ୍ତାନ ପ୍ରାପ୍ତି ଲାଗି ପୂଜାର୍ଚ୍ଚନା କରିବା ଆଳରେ ମହିଳାଙ୍କୁ ଦୁର୍ବ୍ୟବହାର; ୩ ଭଣ୍ଡ କାଳିସୀ ଗିରଫ
ଭୁବନେଶ୍ୱର: ଠାକୁରଙ୍କ ନାମରେ ଠକେଇ କରୁଥିଲେ। ନିଜକୁ ମା’ ମଙ୍ଗଳାଙ୍କ କାଳିସୀ ବୋଲି ପରିଚୟ ଦେଇ ଲୋକଙ୍କ ମନରେ ବିଶ୍ୱାସ ଜନ୍ମାଉଥିଲେ। ସନ୍ତାନ ପ୍ରାପ୍ତି ଲାଗି ପୂଜାର୍ଚ୍ଚନା କରିବା ଆଳରେ ମହିଳାଙ୍କୁ ଦୁର୍ବ୍ୟବହାର କରୁଥିଲେ। ଏଭଳି କାଣ୍ଡ ଭିଆଇଥିବା ୩ ଜଣ ଭଣ୍ଡ କାଳିସୀଙ୍କୁ ଗିରଫ କରିଛି ଖଣ୍ଡଗିରି ଥାନା ପୁଲିସ। ଗିରଫ ଅଭିଯୁକ୍ତ ହେଉଛନ୍ତି ବାଘମାରି ଥାନା ଗଁପୁରର ରବୀନ୍ଦ୍ର ରଣା (୬୦), ଅଟ୍ରିର କଣ୍ଡୁରି ମହାପାତ୍ର (୬୩) ଓ ଜଙ୍କିଆ ଥାନା ଓଳସିଂହର ସୁଶାନ୍ତ […]

ଭୁବନେଶ୍ୱର: ଠାକୁରଙ୍କ ନାମରେ ଠକେଇ କରୁଥିଲେ। ନିଜକୁ ମା’ ମଙ୍ଗଳାଙ୍କ କାଳିସୀ ବୋଲି ପରିଚୟ ଦେଇ ଲୋକଙ୍କ ମନରେ ବିଶ୍ୱାସ ଜନ୍ମାଉଥିଲେ। ସନ୍ତାନ ପ୍ରାପ୍ତି ଲାଗି ପୂଜାର୍ଚ୍ଚନା କରିବା ଆଳରେ ମହିଳାଙ୍କୁ ଦୁର୍ବ୍ୟବହାର କରୁଥିଲେ। ଏଭଳି କାଣ୍ଡ ଭିଆଇଥିବା ୩ ଜଣ ଭଣ୍ଡ କାଳିସୀଙ୍କୁ ଗିରଫ କରିଛି ଖଣ୍ଡଗିରି ଥାନା ପୁଲିସ। ଗିରଫ ଅଭିଯୁକ୍ତ ହେଉଛନ୍ତି ବାଘମାରି ଥାନା ଗଁପୁରର ରବୀନ୍ଦ୍ର ରଣା (୬୦), ଅଟ୍ରିର କଣ୍ଡୁରି ମହାପାତ୍ର (୬୩) ଓ ଜଙ୍କିଆ ଥାନା ଓଳସିଂହର ସୁଶାନ୍ତ ମହାପାତ୍ର (୪୦)।
ପୁଲିସ ସୂଚନା ଅନୁସାରେ, ରବୀନ୍ଦ୍ର, ସୁଶାନ୍ତ ଓ କଣ୍ଡୁରି ମା ମଙ୍ଗଳାଙ୍କ ପ୍ରତିମୂର୍ତ୍ତିକୁ ମୁଣ୍ଡରେ ରଖି ନିଜକୁ ମା’ଙ୍କ କାଳିସୀ ପରିଚୟ ଦେଇ ଭୁବନେଶ୍ୱରରେ ବୁଲାବୁଲି କରନ୍ତି। ବସ୍ତି ଅଞ୍ଚଳରେ ରହୁଥିବା କିଛି ଲୋକେ ସେମାନଙ୍କୁ ବିଶ୍ୱାସ କରିବା ସହ ଆଶୀର୍ବାଦ ପାଇବା ପାଇଁ ଟଙ୍କା ପଇସା ଦାନ କରନ୍ତି। ସଂକ୍ରାନ୍ତି ସମୟ ହୋଇଥିବାରୁ ଅଭିଯୁକ୍ତମାନେ ଲୋକମାନଙ୍କୁ ଠକି ମା’ଙ୍କ ନାମରେ ଟଙ୍କା ଆଦାୟ କରୁଥିଲେ। ଶନିବାର ମଧ୍ୟାହ୍ନ ସମୟରେ ଅଭିଯୁକ୍ତମାନେ ଗଙ୍ଗନଗର ପଲ୍ଲୀ ବସ୍ତିରେ ରହୁଥିବା ଜଣେ ମହିଳାଙ୍କ ଘର ନିକଟକୁ ଯାଇଥିଲେ। ସେମାନଙ୍କୁ କାକଟପୁର ମା’ ମଙ୍ଗଳାଙ୍କ କାଳିସି ପରିଚୟ ଦେଇ ତାଙ୍କ ଘରେ ପୂଜା କରିବା ପାଇଁ କହିଥିଲେ। ବିଶ୍ୱାସ କରି ମହିଳା ଜଣଙ୍କ ସେମାନଙ୍କୁ ୨ ହଜାର ଟଙ୍କା ଓ ମା’ ମଙ୍ଗଳା ପୂଜା ପାଇଁ ଗୋଟିଏ ଶାଢ଼ି ଦେଇଥିଲେ। ଭଣ୍ଡ କାଳିସିମାନେ ଉକ୍ତ ମହିଳାଙ୍କ ବୋହୂଙ୍କର ଭବିଷ୍ୟତରେ ପୁତ୍ର ସନ୍ତାନ ହେବ ବୋଲି ଆଶ୍ୱସନା ଦେଇଥିଲେ। ଏହାପରେ ରବୀନ୍ଦ୍ର ମହିଳାଙ୍କ ବୋହୂର ଘରେ ପ୍ରବେଶ କରି ଦୁର୍ବ୍ୟବହାର ପ୍ରଦର୍ଶନ କରିଥିଲା। ବୋହୁ ଏସବୁକୁ ବିରୋଧ କରି ଚିତ୍କାର କରିବାରୁ ପରିବାର ସଦସ୍ୟ ତାଙ୍କୁ ଉଦ୍ଧାର କରିଥିଲେ। ଏନେଇ ଖଣ୍ଡଗିରି ଥାନାରେ ଅଭିଯୋଗ ହେବାପରେ ପୁଲିସ ମାମଲା ରୁଜୁ କରିଥିଲା। ରବୀନ୍ଦ୍ର, ସୁଶାନ୍ତ ଓ କଣ୍ଡୁରିକୁ ଗିରଫ କରିଥିଲା। ସେମାନଙ୍କ ଠାରୁ ୨ ହଜାର ଟଙ୍କା, ଗୋଟିଏ ଶାଢ଼ି ଓ ଅନ୍ୟାନ୍ୟ ସାମଗ୍ରୀ ଜବତ କରି କୋର୍ଟ ଚାଲାଣ କରିଛି।