ସବୁଜ ବନାନୀ ନଷ୍ଟ କରୁଛି ପୋଡୁଚାଷ

କେନ୍ଦୁଝର,୨୯ା୩ (ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ବନଖଣ୍ଡ ଭୂୟାଁ ଜୁଆଙ୍ଗ ପିଢ଼, ତେଲକୋଇ ରେଞ୍ଜ ଅଧୀନ ବିଭିନ୍ନ ସ୍ଥାନରେ ପୋଡୁଚାଷ ପାଇଁ ବ୍ୟାପକ ଜଙ୍ଗଲ ନଷ୍ଟ ହେଉଛି। ଖରାଦିନ ଆରମ୍ଭରୁ ବନବାସୀମାନେ ପାହାଡ଼ରେ ତଇଳା କାଟି ପଦାକରି ସେସବୁ ଜଳାଉଛନ୍ତି। ବର୍ଷା ଆଗମନରେ ଜମିକୁ ତାଡ଼ି ଧାନ, ମକା, ସୋରିଷ, ରାଶି, ପନିପରିବା ଚାଷ କରିଥାନ୍ତି। ଏହାକୁ ରୋକିବା ପାଇଁ ସରକାର ଜୀବିକା ମିଶନ ଜରିଆରେ ବ୍ୟାପକ ଅର୍ଥ ଖର୍ଚ୍ଚ କରୁଛନ୍ତି। ଘର ପାଖରେ କାମ ଯୋଗାଇଦେବାକୁ […] The post ସବୁଜ ବନାନୀ ନଷ୍ଟ କରୁଛି ପୋଡୁଚାଷ appeared first on Dharitri Odia News.

ସବୁଜ ବନାନୀ ନଷ୍ଟ କରୁଛି ପୋଡୁଚାଷ

କେନ୍ଦୁଝର,୨୯ା୩ (ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ବନଖଣ୍ଡ ଭୂୟାଁ ଜୁଆଙ୍ଗ ପିଢ଼, ତେଲକୋଇ ରେଞ୍ଜ ଅଧୀନ ବିଭିନ୍ନ ସ୍ଥାନରେ ପୋଡୁଚାଷ ପାଇଁ ବ୍ୟାପକ ଜଙ୍ଗଲ ନଷ୍ଟ ହେଉଛି। ଖରାଦିନ ଆରମ୍ଭରୁ ବନବାସୀମାନେ ପାହାଡ଼ରେ ତଇଳା କାଟି ପଦାକରି ସେସବୁ ଜଳାଉଛନ୍ତି। ବର୍ଷା ଆଗମନରେ ଜମିକୁ ତାଡ଼ି ଧାନ, ମକା, ସୋରିଷ, ରାଶି, ପନିପରିବା ଚାଷ କରିଥାନ୍ତି। ଏହାକୁ ରୋକିବା ପାଇଁ ସରକାର ଜୀବିକା ମିଶନ ଜରିଆରେ ବ୍ୟାପକ ଅର୍ଥ ଖର୍ଚ୍ଚ କରୁଛନ୍ତି। ଘର ପାଖରେ କାମ ଯୋଗାଇଦେବାକୁ ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ କାର୍ଯ୍ୟକାରୀ କରାଯାଇଛି। ସଚେତନତା ଅଭାବ ଏବଂ ଯୋଜନାର ସଫଳ ରୂପାୟନ ହେଉ ନ ଥିବାରୁ ବନବାସୀ ଆଗଭଳି ପୋଡ଼ୁଚାଷ ତଥା ଜଙ୍ଗଲ ଉପରେ ନିର୍ଭର କରୁଛନ୍ତି।
ମୁତାବକ, ଭୂୟାଁ ଜୁଆଙ୍ଗ ପିଢ଼ ରେଞ୍ଜ ଓ ତେଲକୋଇ ରେଞ୍ଜ ସୀମାନ୍ତ କାଞ୍ଜିପାଣି, ବରଗୋଡ଼ା, ଗୋନାସିକା, ଟଣ, ରାକମ, ସୁଡୁଙ୍ଗ, ତାଳପଦା, ବାରାଗଡ଼ ଆଦି ଅଞ୍ଚଳରେ ପାହାଡ଼ ଉପରେ ଓ ତଳେ ବସବାସ କରୁଥିବା ଜୁଆଙ୍ଗମାନେ ପୋଡୁଚାଷ ପାଇଁ କାଞ୍ଜିପାଣିରୁ ତେଲକୋଇକୁ ଯିବା ରାସ୍ତାରେ ପଣସନସା, ହଳଦୀପାଣି, ଉପର ପଣସନସା ଅଞ୍ଚଳରେ ରାସ୍ତାକଡ଼ରୁ ମୂଲ୍ୟବାନ୍‌ ଗଛ କାଟୁଛନ୍ତି। ସେହିପରି ସାହାରପୁର ପଞ୍ଚାୟତର ପାହାଡ଼ ଜଙ୍ଗଲଘେରା ଦୁର୍ଗମ ଲୁଙ୍ଗାଝର ରଙ୍ଗଡିହି ରାସ୍ତାକଡ଼ ପାହାଡ଼ରେ ମଧ୍ୟ ବହୁ ସଂଖ୍ୟାରେ ପୋଡୁଚାଷ ପାଇଁ ଗଛ ପୋଡ଼ି ଦିଆଯାଇଛି। ଯଦିଓ ପାରମ୍ପରିକ ପୋଡୁଚାଷକୁ ବନବାସୀ ଜୀବନଜୀବିକା ଭାବେ ଗ୍ରହଣ କରିଥାଆନ୍ତି, ମାତ୍ର ଜଙ୍ଗଲ ଓ ପରିବେଶର ସୁରକ୍ଷା ପାଇଁ ଏସବୁ ଚାଷ ଉପରେ ରୋକ୍‌ ଲଗାଇବାକୁ ଦାବି ହେଉଛି। ଜଙ୍ଗଲ ନିଆଁକୁ ରୋକିବା ପାଇଁ ବହୁ ଅର୍ଥ ଆସୁଥିଲେ ହେଁ ପ୍ରକୃତ ଉଦ୍ଦେଶ୍ୟ ସାଧିତ ହେଉନାହିଁ। ଆଦିବାସୀ କେଉଁଠି ଜଙ୍ଗଲ ଉଜାଡ଼ି ପୋଡୁଚାଷ କରୁଛନ୍ତି ତ ଜାଳକାଠ ବଜାରରେ ବିକି ପରିବାର ଚଳାଇବାକୁ ବାଧ୍ୟ ହେଉଛନ୍ତି। ବନ ବିଭାଗ ସ୍ଥାନୀୟ ଲୋକଙ୍କୁ ନିଆଁ ଲିଭାଇବା କାର୍ଯ୍ୟରେ ନିୟୋଜିତ କଲେ ଲୋକେ ନିଯୁକ୍ତି ପାଇପାରନ୍ତେ ବୋଲି ପରିବେଶବିତ୍‌ ହରେକୃଷ୍ଣ ମହାନ୍ତ କହିଛନ୍ତି। ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ ଓ ଅନ୍ୟାନ୍ୟ ଯୋଜନାରେ ଗତ ୧୦ ବର୍ଷ ମଧ୍ୟରେ ବହୁ କୋଟି ଟଙ୍କା ଖର୍ଚ୍ଚ ହୋଇଛି। କିନ୍ତୁ ଏହାଦ୍ୱାରା ବନବାସୀ କେତେ ଉପକୃତ ହୋଇଛନ୍ତି ତାହାର ଠିକ୍‌ ତଥ୍ୟ କାହା ପାଖରେ ନାହିଁ ବୋଲି ସାମାଜିକକର୍ମୀ ଅକ୍ଷୟ ପଟ୍ଟନାୟକ କହିଛନ୍ତି। ଏହି ୨ ରେଞ୍ଜ ଏକଦା ଘଞ୍ଚ ଜଙ୍ଗଲ ଥିବା ବେଳେ ପୋଡୁଚାଷ ଜଙ୍ଗଲର ଘନତ୍ୱକୁ ହ୍ରାସ କରିଛି ବୋଲି ପରିବେଶବିତ୍‌ ଭକ୍ତଚରଣ ମହାନ୍ତି କହିଛନ୍ତି। ଜିଲା ପରିଷଦ ମୁଖ୍ୟ ନିର୍ବାହୀ ଅଧିକାରୀ ବିଷ୍ଣୁ ପ୍ରସାଦ ଆଚାର୍ଯ୍ୟ କହିଛନ୍ତି, ଆଦିବାସୀଙ୍କୁ ମୁଖ୍ୟ ସ୍ରୋତରେ ସାମିଲ କରିବା ପାଇଁ ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ରେ ଲୋକଙ୍କୁ କାମ ଯୋଗାଇ ଦିଆଯାଉଛି। ଅଭିଯୋଗ ଆସିଲେ ଲୋକଙ୍କୁ ସଚେତନ କରାଇ କାମ ଯୋଗାଇଦିଆଯିବ। ଭୂୟାଁ ଓ ଜୁଆଙ୍ଗ ପିଢ଼ ରେଞ୍ଜ ଅଧିକାରୀ ନୟନକାନ୍ତ ସାହୁ କହିଛନ୍ତି, ପୋଡ଼ୁଚାଷକୁ ନେଇ ଲୋକଙ୍କୁ ସଚେତନ କରାଯାଉଛି। ବନ ସୁରକ୍ଷା ସମିତି ବୈଠକରେ ମଧ୍ୟ ଆଲୋଚନା କରାଯାଉଛି। ପୋଡ଼ୁଚାଷ ପାଇଁ ଜଙ୍ଗଲ ସଫା କରୁଥିବା ନେଇ ନିକଟରେ ଜଣେ ବ୍ୟକ୍ତିଙ୍କୁ ଗିରଫ କରାଯାଇଥିଲା।

The post ସବୁଜ ବନାନୀ ନଷ୍ଟ କରୁଛି ପୋଡୁଚାଷ appeared first on Dharitri Odia News.