ସର୍ବବ୍ୟାପୀ ସରକାର
ଏବେ ଉଭୟ କେନ୍ଦ୍ର ଓ ରାଜ୍ୟମାନଙ୍କର ସରକାର ଯେପରି ଅତିଦୃଶ୍ୟମାନ ହେବା ପ୍ରୟାସରେ ବ୍ୟକ୍ତିର ଅନ୍ତର୍ନିହିତ ବିକାଶରେ ବାଧକ ସାଜୁଛନ୍ତି, ଜଣାପଡୁଛି ଆଉ ଅଳ୍ପ କେତେ ବର୍ଷ ଭିତରେ ଅଧିକାଂଶ ଲୋକ ‘ଗଣତନ୍ତ୍ର-ପ୍ରସୂତ ଦିବ୍ୟାଙ୍ଗ’ରେ ପରିଣତ ହେବେ! ଆଗରୁ ରାଜ୍ୟ ବା ରାଷ୍ଟ୍ରରେ ସମ୍ବଳ ନ ଥିଲା। ତେଣୁ ସରକାର ସବୁକଥାରେ ନାଗରିକମାନଙ୍କ ପାଖରେ ଠିଆ ହୋଇ ପାରୁ ନ ଥିଲେ। କିନ୍ତୁ ଏହାର ସକାରାତ୍ମକ ଦିଗଟି ଥିଲା। ମଣିଷ ତା’ର ଅନ୍ତର୍ନିହିତ ସୃଜନଶକ୍ତି ଓ ଆତ୍ମଲବ୍ଧ […] The post ସର୍ବବ୍ୟାପୀ ସରକାର appeared first on Dharitri Odia News.
ଏବେ ଉଭୟ କେନ୍ଦ୍ର ଓ ରାଜ୍ୟମାନଙ୍କର ସରକାର ଯେପରି ଅତିଦୃଶ୍ୟମାନ ହେବା ପ୍ରୟାସରେ ବ୍ୟକ୍ତିର ଅନ୍ତର୍ନିହିତ ବିକାଶରେ ବାଧକ ସାଜୁଛନ୍ତି, ଜଣାପଡୁଛି ଆଉ ଅଳ୍ପ କେତେ ବର୍ଷ ଭିତରେ ଅଧିକାଂଶ ଲୋକ ‘ଗଣତନ୍ତ୍ର-ପ୍ରସୂତ ଦିବ୍ୟାଙ୍ଗ’ରେ ପରିଣତ ହେବେ!
ଆଗରୁ ରାଜ୍ୟ ବା ରାଷ୍ଟ୍ରରେ ସମ୍ବଳ ନ ଥିଲା। ତେଣୁ ସରକାର ସବୁକଥାରେ ନାଗରିକମାନଙ୍କ ପାଖରେ ଠିଆ ହୋଇ ପାରୁ ନ ଥିଲେ। କିନ୍ତୁ ଏହାର ସକାରାତ୍ମକ ଦିଗଟି ଥିଲା। ମଣିଷ ତା’ର ଅନ୍ତର୍ନିହିତ ସୃଜନଶକ୍ତି ଓ ଆତ୍ମଲବ୍ଧ ଦକ୍ଷତା ପ୍ରୟୋଗ କରି ଅନେକ ଛୋଟ ଛୋଟ ସମସ୍ୟାର ସମାଧାନ କରି ଦେଉଥିଲା। ଆଉ ତା’ ସାଙ୍ଗକୁ ଥିଲେ ‘ଛୋଟ ସରକାର’ ମାନେ।
ସ୍ବାଧୀନତା ସଂଗ୍ରାମ କାଳରେ ଯେପରି ଗାଁ ଗହଳରେ ‘ଛୋଟ ଗାନ୍ଧୀ’ମାନଙ୍କ ଆବିର୍ଭାବ ଘଟିଥିଲା, ୮୦ ଦଶକ ପର୍ଯ୍ୟନ୍ତ ଗାଁର ଉନ୍ନତି ପାଇଁ ଉତ୍ସର୍ଗୀକୃତ କିଛି ଗାଁ ମୁଖିଆ ସରକାରଙ୍କ ପରିପୂରକ ଭୂମିକାରେ ଅବତୀର୍ଣ୍ଣ ହୋଇ ଶିକ୍ଷା, ସାମାଜିକ ସଦ୍ଭାବ, ସାଂସ୍କୃତିକ ବିକାଶ, ଛୋଟ ଛୋଟ ସାମୂହିକ କାର୍ଯ୍ୟ ମାଧ୍ୟମରେ ଆତ୍ମ-ଗୁରୁତ୍ୱ ଓ ଗ୍ରାମ୍ୟପ୍ରୀତି ଜାଗ୍ରତ କରେଇ ଗାଁକୁ ଏକ ସୁଂସହତ ଏକକ ହିସାବରେ ଧରି ରଖି ପାରୁଥିଲେ।
ଧୀରେ ଧୀରେ ଭୋଟ୍ ରାଜନୀତି ପଶିଲା। ଦକ୍ଷତା, ସୃଜନଶକ୍ତି, ସାମୂହିକ ଉନ୍ନତି ପ୍ରବଣତାରେ ଭରପୂର ନାଗରିକମାନଙ୍କୁ ଭୋଟଦାତାରେ ରୂପାନ୍ତରିତ କରାଗଲା। ଉଦାରୀକରଣ ପ୍ରଭାବରେ ରାଜକୋଷ ମଧ୍ୟ ସମୃଦ୍ଧ ହେବାକୁ ଲାଗିଲା। ଆସ୍ତେ ଆସ୍ତେ ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ ବିଭିନ୍ନ ପ୍ରସଙ୍ଗରେ ସରକାର ସହାୟତାର ହାତ ବଢ଼େଇଲେ। ତେବେ କାଳକ୍ରମେ ଏହା ସହାୟତା ବଦଳରେ ନଗଦ ରାଶି ପ୍ରଦାନ ମାଧ୍ୟମରେ ଭୋଟଭିକ୍ଷାର ଏକ ସୁନ୍ଦର ମାଧ୍ୟମ ପାଲଟିଲା। ଅର୍ଥାତ୍ ସରକାର ଜନସାଧାରଣଙ୍କୁ ମାଛ ଧରିବାକୁ ଜାଲ ନ ଦେଇ, ଘରେ ମାଛ ପହଞ୍ଚେଇ ଦେବାର ବ୍ୟବସ୍ଥା କଲେ।
ତେଣୁ ଆକ୍ଷରିକ ଅର୍ଥରେ ଏବଂ ଭାବାର୍ଥରେ ଆଜିକାଲି କେହି ଜାଲ ବୁଣୁ ନାହାନ୍ତି, ଜାଲ ଫିଙ୍ଗି ବା ବସେଇ ‘ମାଛ’ ଧରୁନାହାନ୍ତି। ନିର୍ଦ୍ଦିଷ୍ଟ ଭାବରେ କିଛି ନ କରି ଯେବେଠୁ ନଗଦ ଅର୍ଥ ମିଳିବାର ବ୍ୟବସ୍ଥା କରାଗଲା, ସେବେଠୁ ଗାଁ ଓ ସହରର ଅଭାବୀ ଓ ମଧ୍ୟବିତ୍ତ ଲୋକମାନେ ସେମାନଙ୍କ ମଣିଷସୁଲଭ, ଭଗବତଦତ୍ତ ଦକ୍ଷତା, ପ୍ରତିଭା ହରାଇ ଜଣେ ଜଣେ ନିକମା ମାଂସ ପିଣ୍ଡୁଳା ପାଲଟି ଯାଇଛନ୍ତି।
କିଛି କାମ ନ କରି ନଗଦ ଅର୍ଥରାଶି ଲାଭ କରି ଓଡ଼ିଶାର ଲୋକ କିପରି ନିକମା ପାଲଟି ଯାଇଛନ୍ତି ଏବଂ ରାଜ୍ୟ ଓ ରାଜକୋଷ ପାଇଁ ବୋଝ ପାଲଟି ଯାଇଛନ୍ତି, ତାହା ଜଣାପଡ଼େ ଯେତେବେଳେ ପାର୍ଶ୍ୱବର୍ତ୍ତୀ ରାଜ୍ୟ ବା ପଡ଼ୋଶୀ ରାଷ୍ଟ୍ର ବାଂଲାଦେଶର ଚାଷୀ, ମୂଲିଆଙ୍କ କର୍ମକୁଶଳତା ଆମେ ସାମାଜିକ ଗଣ ମାଧ୍ୟମରେ ଦେଖୁ। ବାଂଲାଦେଶ ଭାରତ ପରି ଆର୍ଥିକ ଦୃଷ୍ଟିରୁ ଉନ୍ନତ ହୋଇ ନ ଥିବାରୁ ସେଠିକାର ଚାଷୀମାନେ ସରକାରୀ ଅନୁଦାନର ଅନୁପସ୍ଥିତିରେ କୃଷି, ଉଦ୍ୟାନ କୃଷି, ମତ୍ସ୍ୟ ଚାଷ ଓ ଅନ୍ୟାନ୍ୟ ଶିଳ୍ପକଳାରେ ଏତେ କୁଶଳୀ, ଦକ୍ଷ ଓ ପାରଙ୍ଗମ ଯେ ସେମାନେ ନିଜ ପରିବାରର ଗୁଜୁରାଣ ମେଣ୍ଟାଇବା ସହ ରାଷ୍ଟ୍ର ପାଇଁ ଯଥେଷ୍ଟ ବୈଦେଶିକ ମୁଦ୍ରା ଅର୍ଜନ କରି ପାରୁଛନ୍ତି, ଯାହା ଓଡ଼ିଶା କ୍ଷେତ୍ରରେ ପ୍ରାୟ ଶୂନ୍।
ବିଶିଷ୍ଟ ଚିନ୍ତାନାୟକ ନୋଆମ୍ ଚମ୍ସ୍କି ବିଶ୍ୱର ରାଜନେତାଙ୍କର ନାଗରିକ ମାନଙ୍କୁ ସରକାର-ନିର୍ଭରଶୀଳ ଅବା ନେତା-ନିର୍ଭରଶୀଳ କରେଇବା ନିଜ ପଦ ସୁରକ୍ଷିତ ରଖିବାର ଏକ ଚତୁର ଚାଲ୍ ବୋଲି ଅଭିହିତ କରନ୍ତି। ନେତାମାନେ ସର୍ବଦୃଶ୍ୟମାନ ହେବା କ୍ରମରେ ଧୀର ଧୀରେ ବହୁତ ‘ଡେଙ୍ଗା’ ହେବାକୁ ଲାଗନ୍ତି ଏବଂ ସମ ଅନୁପାତରେ ନାଗରିକମାନେ ‘ଛୋଟ’ ଦେଖାଯାନ୍ତି ବା ‘ଛୋଟ’ ହେବାକୁ ଲାଗନ୍ତି। ଏହି ଧାରାର ଏକ ପର୍ଯ୍ୟାୟରେ ରାଜନେତାମାନେ ସର୍ବଶକ୍ତିମାନ ଧାର୍ମିକ ବା ଆଧ୍ୟାମିତ୍କ ରକ୍ଷାକର୍ତ୍ତା ହିସାବରେ ଉଭା ହୁଅନ୍ତି। ପ୍ରଖ୍ୟାତ ଇଂଲିଶ କବି ଅଲିଭର ଗୋଲ୍ଡ ସ୍ମିଥଙ୍କ ‘ଭିଲେଜ ସ୍କୁଲ ମାଷ୍ଟର’ କବିତାରେ ବର୍ଣ୍ଣିତ ଗ୍ରାମବାସୀମାନଙ୍କ ମାଷ୍ଟରଙ୍କ ‘ଛୋଟ ମୁଣ୍ଡରେ’ ଏତେ ଜ୍ଞାନ କେମିତି ରହୁଛି ଭାବିବା ଭଳି ଆଜିର ‘ଦୁଗ୍ଧପୋଷ୍ୟ’ ମତଦାତାମାନେ ସେମାନଙ୍କ ନେତାଙ୍କୁ ଜଣେ ଜଣେ ଭଗବାନ ବୋଲି ମଣନ୍ତି ଏବଂ ରବର୍ଟ ବ୍ରାଉନ୍ଙ୍କ କବିତା ‘ପିପା ପାସେସ’ ରେ ବ୍ରାଉନ୍ଙ୍କ ଉକ୍ତି-ଭଗବାନ ସ୍ବର୍ଗରେ ଅଛନ୍ତି, ପୃଥିବୀରେ ସବୁ ଠିକ୍ ଠାକ୍ ଚାଲିଛି-ସହ ତାଳ ଦେଇ ରାଜନେତାରୁ ‘ଅନ୍ନଦାତା’ ଓ ‘ଅର୍ଥଦାତା’ ପାଲଟିଥିବା ‘ଡେଙ୍ଗା’ ମଣିଷମାନଙ୍କ ଗୁଣକୀର୍ତ୍ତନ କରି ସେମାନଙ୍କ ସମର୍ଥକମାନେ ଗାଆନ୍ତି- ‘ରାଜଧାନୀରେ ଆମ ନେତା ଅଛନ୍ତି, ସବୁଆଡ଼େ ଠିକ୍ ଠାକ୍ ଚାଲିଛି।’
ଦୁଃଖର କଥା ନେତାମାନଙ୍କୁ ଛୋଟନେତାମାନେ ହିମାଳୟ ଭାବିଲେ ବି, ଭୋଟ ପ୍ରେକ୍ଷାପଟରେ ସେମାନେ ନିଜକୁ ଅସୁରକ୍ଷିତ ମଣନ୍ତି। ତେଣୁ ନାଗରିକମାନଙ୍କୁ ବିଭିନ୍ନ ଭାବରେ ନିର୍ଭରଶୀଳ କରେଇ, ସେମାନଙ୍କ ପ୍ରତିଭା ହରଣ କରି ସେମାନଙ୍କୁ ତଳିତଳାନ୍ତ କରି ନିଜକୁ ଅନତିକ୍ରମଣୀୟ ରୂପରେ ଉପସ୍ଥାପନ କରୁ କରୁ, ସମାନ୍ତରାଳ ଭାବରେ ଏକ କରୁଣ ଅବରୋହଣ ପ୍ରକ୍ରିୟା ଆରମ୍ଭ ହୁଏ, ଯେତେବେଳେ ନେତାମାନେ ନିଯୁକ୍ତି ପତ୍ର ବାଣ୍ଟିବାକୁ ବାହାରି ପଡ଼ନ୍ତି ଯେଉଁଗୁଡ଼ିକ ଏକ ସମୟରେ ରେଜିଷ୍ଟର୍ଡ ଡାକରେ ଡାକଘର କର୍ମଚାରୀମାନେ ବାଣ୍ଟୁଥିଲେ।
ଭାରି ଦୁଃଖଲାଗେ ଭୋଟ କେଉଁ ସ୍ତରକୁ ନେତାମାନଙ୍କୁ ନେଇଯାଏ। ଖାଲି ସେତିକି ନୁହେଁ, ସେମାନଙ୍କ ସହ ତାଳ ଦେଇ ଅତିମାତ୍ରାରେ ରୁଟିନ୍ କାର୍ଯ୍ୟକ୍ରମ- ପରୀକ୍ଷା ଫଳ ପ୍ରକାଶନରେ ମନ୍ତ୍ରୀମାନଙ୍କ ପରୀକ୍ଷା ଫଳ-ପୁସ୍ତିକା ଧରି ଠିଆ ହେବାର ଫଟୋ ମଧ୍ୟ ଦେଖାଯାଏ। କି ବିଚିତ୍ର ଏ ବିପରୀତ ରାଜନୈତିକ ବିବର୍ତ୍ତନ!
ଦୁର୍ନୀତିମୁକ୍ତ ଗୁଣାତ୍ମକତାର ଅନ୍ୟ ନାମ ସରକାର ନୁହନ୍ତି ନା ନେତା ନୁହନ୍ତି, ବରଂ ଦୁର୍ନୀତିଯୁକ୍ତ ମୋଟାମୋଟି କାମ ଚଲେଇ ନେବା ହେଉଛି ସରକାରଙ୍କ ଅନ୍ୟ ନାମ। ସରକାରଙ୍କ ‘ପାଣି-ପବନ’ ରେ ବଢ଼ି ବଢ଼ି ଭୋଟଦାତାମାନେ ଆଉ ନାଗରିକ ପର୍ଯ୍ୟାୟକୁ ଯାଇପାରନ୍ତି ନାହିଁ। ଆବିଷ୍କାରୀ, ଉଦ୍ଭାବନୀ ଏବଂ ସୃଜନଶୀଳ ମନଗୁଡ଼ିକ ଆସ୍ତେ ଆସ୍ତେ ଜୀବାଶ୍ମରେ ପରିଣତ ହୁଏ, ଯାହାର କରୁଣ ପରିଣତି କରୋନା ପରି ଭୟାବହ ମହାମାରୀ ବା ଅନ୍ୟ ପ୍ରାକୃତିକ ବିପର୍ଯ୍ୟୟ ବେଳେ ଦେଖାଯାଏ, ଯେତେବେଳେ ସରକାରଙ୍କ ‘ହାତଟେକା’ରେ ପ୍ରତିପାଳିତ ମଣିଷମାନେ ସଂକଟବେଳେ ଆବଶ୍ୟକ ଶାରୀରିକ ସକ୍ରିୟତା, ଦକ୍ଷତା, ବୁଦ୍ଧିମତ୍ତା ଓ ଜୀବନରକ୍ଷା କୌଶଳ ପ୍ରଦର୍ଶନ କରି ନ ପାରି ଅକାଳରେ ମୃତ୍ୟୁବରଣ କରନ୍ତି।
ଗଣତାନ୍ତ୍ରିକ ଶାସନ ବ୍ୟବସ୍ଥା ଦେଶର ନାଗରିକମାନଙ୍କ ଅନ୍ତର୍ନିହିତ ଗୁଣ, ଦକ୍ଷତା, ପ୍ରତିଭାର ବିକାଶ କରେଇବାର ସର୍ବଶ୍ରେଷ୍ଠ ବ୍ୟବସ୍ଥା। ଆଜି କିନ୍ତୁ ଭୋଟ ସଂଗ୍ରହ ପାଇଁ ନାଗରିକମାନଙ୍କୁ ଭୋଟଦାତାରେ ପରିଣତ କରି ଅମୂଲ୍ୟ ମାନବସମ୍ବଳକୁ ନର୍ଦ୍ଦମାର ପାଣିଭଳି ବୋହି ଦିଆଯାଉଛି।
ଡ. ସୁବାସ ଚନ୍ଦ୍ର ପାତ୍ର
ପୂର୍ବତନ ଅଧ୍ୟକ୍ଷ, ଜେଲ ରୋଡ୍, ବାଲେଶ୍ୱର
ମୋ : ୯୪୩୭୩ ୭୬୨୧୯
The post ସର୍ବବ୍ୟାପୀ ସରକାର appeared first on Dharitri Odia News.