ସାଂସଦ ସୁରେଶ ପୂଜାରୀଙ୍କ ଘର ପରିସରରେ ସନ୍ଦେହଜନକ ଡ୍ରୋନ୍ !

ବରଗଡ଼ ସାଂସଦ ସୁରେଶ ପୂଜାରୀଙ୍କ ଘର ଉପରେ ଉଡ଼ିଲା ସନ୍ଦିଗ୍ଧ ଡ୍ରୋନ୍‌। ପରେ ଡ୍ରୋନ୍‌ଟି ବିଦ୍ୟୁତ ଟାୱାରରେ ପିଟି ହୋଇ ତଳେ ଖସି ପଡ଼ିଥିଲା।

ସାଂସଦ ସୁରେଶ ପୂଜାରୀଙ୍କ ଘର ପରିସରରେ ସନ୍ଦେହଜନକ ଡ୍ରୋନ୍ !

ବରଗଡ଼ ସାଂସଦ ସୁରେଶ ପୂଜାରୀଙ୍କ ଘର ପରିସରରେ ଖସିପଡିଥିବା ଡ୍ରୋନକୁ ଜବତ କରିଛି ପୋଲିସ। ପ୍ରାଥମିକ ତଦନ୍ତ ପରେ ଡ୍ରୋନଟି ବନବିଭାଗର ବୋଲି ଜଣାପଡିଛି। ଡ୍ରୋନ ଉଡାଇବାକୁ ଅନୁମତି ଥିଲା ନା ନାହିଁ ସେ ନେଇ ତଦନ୍ତ ହେବ ବୋଲି କହିଛନ୍ତି ଝାରସୁଗୁଡ଼ା ଏସପି।

ସେପଟେ ଝାରସୁଗୁଡ଼ା ଡିଏଫଓ କହିଛନ୍ତି, ବୃକ୍ଷରୋପଣ ମ୍ୟାପିଂ ପାଇଁ ଡ୍ରୋନକୁ ଉଡାଯାଇଥିଲା। ଏକ ଘରୋଇ ଏଜେନ୍ସିକୁ ଏହାର ଦାୟିତ୍ୱ ଦିଆଯାଇଥିବା ସେ ସ୍ପଷ୍ଟ କରିଛନ୍ତି। ତେବେ ମ୍ୟାପିଂ ପାଇଁ ପିସିସିଏଫଙ୍କ ନିର୍ଦ୍ଦେଶ ଥିବା ସେ ନିଜ ପ୍ରତିକ୍ରିୟାରେ କହିଛନ୍ତି। ସୁରେଶ ପୂଜାରୀଙ୍କ ଝାରସୁଗୁଡ଼ା ଜିଲ୍ଲା ବେଲପାହାଡ଼ ଗାନ୍ଧି ଛକ ଆମ୍ବଝର ନିକଟ ଭଡ଼ା ଘର ପରିସରରେ ଡ୍ରୋନଟି ଖସିପଡିଥିଲା। ଏନେଇ ଏସପିଙ୍କୁ ଜଣାଇବା ପରେ ବେଲପାହାଡ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ବ୍ରଜରାଜନଗର ବିଧାନସଭା ପ୍ରାର୍ଥୀ ହେଉଛନ୍ତି ସୁରେଶ ପୂଜାରୀ। ସେ ବେଲପାହାଡ଼ ଗାନ୍ଧି ଛକ ଆମ୍ବଝର ନିକଟରେ ଏକ ଘର ଭଡ଼ାରେ ନେଇଛନ୍ତି। ଆଉ ସେହି ଘରେ ସେ ରୁହନ୍ତି। ଆଜି ଦିନ ଦି’ପହରରେ ସୁରେଶ ପୂଜାରୀ ଘରେ ନଥିଲେ। ନିର୍ବାଚନ ପ୍ରଚାର ପାଇଁ ଯାଇଥିଲେ। ଠିକ୍‌ ସମୟରେ ଗୋଟିଏ ବଡ଼ ଡ୍ରୋନ୍‌ ଶ୍ରୀ ପୂଜାରୀଙ୍କ ଘର ଉପରେ ଉଡିଥିଲା। ପରେ ଡ୍ରୋନ୍‌ ଘର ପାର୍ଶ୍ୱରେ ଥିବା ବିଦ୍ୟୁତ୍‌ ଟାୱାରରେ ପିଟି ହୋଇ ତଳେ ପଡ଼ି ଯାଇଥିଲେ।

ଘରର କେୟାର ଟେକର ଏନେଇ ଶ୍ରୀ ପୂଜାରୀଙ୍କୁ ସୂଚନା ଦେଇଥିଲେ। ଶ୍ରୀ ପୂଜାରୀ ଏନେଇ ଝାରସୁଗୁଡ଼ା ଏସ୍‌ପିଙ୍କୁ ଜଣାଇଥିଲେ। ଏହା ପରେ ପୁଲିସ୍‌ ଶ୍ରୀ ପୂଜାରୀଙ୍କ ଭଡ଼ା ଘରେ ପହଞ୍ଚି ଭଙ୍ଗା ଡ୍ରୋନ୍‌କୁ ଜବତ କରି ତଦନ୍ତ ଆରମ୍ଭ କରିଛି। ତେବେ କିଏ ଓ କେଉଁ ଉଦ୍ଦେଶ୍ୟରେ ଶ୍ରୀ ପୂଜାରୀଙ୍କ ଘର ଉପରେ ଡ୍ରୋନ୍‌ ଉଡାଉଥିଲେ, ତାହା ଜଣାପଡ଼ି ନାହିଁ। ଘର ପରିସରରେ ଫଟୋ ଉଠାଇବା କାମରେ ଡ୍ରୋନ୍‌ ବ୍ୟବହାର ହୋଇଥିବା ଜଣାପଡ଼ିଛି।

ସେପଟେ ଶ୍ରୀ ପୂଜାରୀ କହିଛନ୍ତି, ଡ୍ରୋନ୍‌ଟି ବିଦ୍ୟୁତ ଟାୱାରରେ ହୋଇ ତଳେ ପଡ଼ି ଯାଇଥିଲେ ସୁଦ୍ଧା ଇଞ୍ଜିନ୍‌ ଚାଲୁଥିଲା ଓ କ୍ୟାମେରା ଅନ୍‌ ଥିଲା। ଏନେଇ ମୁଁ ଏସ୍‌ପିଙ୍କୁ କହିଥିଲି। ପୁଲିସ ଡ୍ରୋନ୍‌ ଜବତ କରି ତଦନ୍ତ ଚଳାଉଛି। କିଏ, କ’ଣ ପାଇଁ ଓ କେଉଁ ଉଦ୍ଦେଶ୍ୟରେ ଏତେ ବଡ଼ ଡ୍ରୋନ୍‌କୁ ଘର ଉପରେ ଉଡାଉଥିଲେ? ତାହା ଜଣାପଡ଼ି ନାହିଁ। ତେବେ ଡ୍ରୋନ୍‌ ଉଡିବାକୁ ନେଇ ମନରେ ସନ୍ଦେହ ସୃଷ୍ଟି ହେଉଛି ବୋଲି ଶ୍ରୀ ପୂଜାରୀ କହିଛନ୍ତି।