ସାଫ ଅଣ୍ଡର ୧୯ ଚାମ୍ପିୟନଶିପ: ଭାରତକୁ ବିଜେତା ଘୋଷଣା କରାଯିବାରୁ ଉଡ଼ିଲା ବୋତଲ, ଆଉ ତା’ ପରେ..

ପେନାଲ୍ଟି ଶୁଟ ଆଉଟରେ ଭାରତ ଓ ବାଂଲାଦେଶର ସ୍ଥିତି ୧୧-୧୧ ରହିଥିଲା। ଏହାପରେ ଟସ୍‌ ଦ୍ୱାରା ଭାରତକୁ ବିଜେତା ଘୋଷଣା କରାଯାଇଥିଲା।

ସାଫ ଅଣ୍ଡର ୧୯ ଚାମ୍ପିୟନଶିପ: ଭାରତକୁ ବିଜେତା ଘୋଷଣା କରାଯିବାରୁ ଉଡ଼ିଲା ବୋତଲ, ଆଉ ତା’ ପରେ..

ସାଫ ୧୯ ମହିଳା ଚାମ୍ପିୟନଶିପ ଫାଇନାଲରେ ହାଇଡ୍ରାମା ଦେଖିବାକୁ ମିଳିଛି। ପେନାଲ୍ଟି ଶୁଟ ଆଉଟରେ ଭାରତ ଓ ବାଂଲାଦେଶର ସ୍ଥିତି ୧୧-୧୧ ରହିଥିଲା। ଏହାପରେ ଟସ୍‌ ଦ୍ୱାରା ଭାରତକୁ ବିଜେତା ଘୋଷଣା କରାଯାଇଥିଲା।

ବାସ୍‌ ଏହାକୁ ନେଇ ଆରମ୍ଭ ହୋଇଯାଇଥିବା ହଙ୍ଗାମା। ଷ୍ଟାଡିୟମରେ ଉପସ୍ଥିତ ଥିବା ବାଂଲାଦେଶର ସମର୍ଥକ ଓ ଖେଳାଳିମାନେ ଏହାକୁ ବିରୋଧ କରିଥିଲେ।

ବାଂଲାଦେଶର ଖେଳାଳିମାନେ ପଡ଼ିଆରେ ଏହାକୁ ବିରୋଧ କରୁଥିବା ବେଳେ ଦଳର ସମର୍ଥକମାନେ ବୋତଲ ମାଡ଼ କରିଥିଲେ। ବେଶ କିଛି ସମୟ ଧରି ଏପରି ହଙ୍ଗାମା ଚାଲିଥିଲା। ଶେଷରେ ମ୍ୟାନେଜମେଣ୍ଟ ଉଭୟ ଦଳକୁ ସାଫ ଅଣ୍ଡର ୧୯ ମହିଳା ଚାମ୍ପିୟନଶିପର ବିଜେତା ଘୋଷଣା କରିଥିଲା।

ନିୟମିତ ସମୟ ପରେ ସ୍ଥିତି ୧-୧ରେ ରହିଥିଲା। ଏହାପରେ ପେନାଲ୍ଟି ଶୁଟ ଆଉଟ ହୋଇଥିଲା। ୧୧ଟି ଲେଖାଏ ଶଟ ପରେ ସ୍ଥିତି ପୁଣି ୧୧-୧୧ ହୋଇ ଯାଇଥିଲା। ତେଣୁ ରେଫରୀ ଟସ୍‌ ଦ୍ୱାରା ମ୍ୟାଚ୍‌ର ନିର୍ଣ୍ଣୟ ନେଇଥିଲେ। ଭାରତ ଟସ୍‌ ଜିତିବାରୁ ଦଳକୁ ବିଜୟୀ ଘୋଷଣା କରାଯାଇଥିଲା।

କିନ୍ତୁ ଏହାକୁ ଦର୍ଶକମାନେ ସହଜରେ ଗ୍ରହଣ କରି ପାରି ନଥିଲେ। ସେମାନେ ପଡ଼ିଆ ଭିତରକୁ ବୋତଲ ଓ ଅନ୍ୟ ଜିନିଷ ସବୁ ଫିଙ୍ଗିବା ଆରମ୍ଭ କରିଥିଲେ। ସ୍ଥିତି ବିଗିଡ଼ିବାରୁ ସୁରକ୍ଷାକର୍ମୀମାନେ ଭାରତୀୟ ଖେଳାଳିଙ୍କୁ ତୁରନ୍ତ ପଡ଼ିଆରୁ ନେଇ ଯାଇଥିଲେ।

ଏହାପରେ ଦୀର୍ଘ ୨ ଘଣ୍ଟା ଧରି ମ୍ୟାଚ୍‌ର ଫଳାଫଳ କ’ଣ ହେବ, ତା’କୁ ନେଇ ବିତର୍କ ଚାଲିଥିଲା। ଶେଷରେ ଉଭୟ ଭାରତ ଓ ବାଂଲାଦେଶକୁ ଯୁଗ୍ମ ଭାବେ ବିଜେତା ଘୋଷଣା କରାଯାଇଥିଲା।

ଏଆଇଏଫଏଫ ଆକ୍ଟିଂ ମହାସଚିବ ଏମ ସତ୍ୟନାରାୟଣ କହିଛନ୍ତି, “କଏନ ଟସ୍‌ ଦ୍ୱାରା ଭାରତ ବିଜେତା ଘୋଷଣା ହୋଇଥିଲେ ମଧ୍ୟ ଦଳ ଅଧିକାରୀମାନଙ୍କ ଅନୁରୋଧକୁ ରକ୍ଷା କରି ବାଂଲାଦେଶ ସହ ଟ୍ରଫି ଶେୟାର କରିଛି। ସ୍ଥିତି ବିଗିଡ଼ିବା ସହ ଘରୋଇ ଫ୍ୟାନ୍ସ ବିଶୃଙ୍ଖଳା ସୃଷ୍ଟି କରିଥିଲେ। ଖେଳାଳି ଓ ଅନ୍ୟ ଅଧିକାରୀଙ୍କ ସୁରକ୍ଷା ସର୍ବୋପରି ହୋଇଥିବାରୁ ଏଆଇଏଫଏଫ ଆୟୋଜକମାନଙ୍କ ଅନୁରୋଧକୁ ରକ୍ଷା କରି ଦୁଇ ଦଳକୁ ବିଜେତା କରାଇଛି।”