ସୁରକ୍ଷାକର୍ମୀଙ୍କ ଗୁଳିରେ ୧୧ କୁକି ଉଗ୍ରବାଦୀ ନିହତ

ମଣିପୁରର ଜିରିବାମ ଜିଲ୍ଲାରେ କୁକି ଉଗ୍ରବାଦୀମାନେ ଗୋଟିଏ ପୁଲିସ ଷ୍ଟେସନ ଉପରେ ଉଭୟ ପାର୍ଶ୍ୱରୁ ହମଲା କରିଥିଲେ।

ସୁରକ୍ଷାକର୍ମୀଙ୍କ ଗୁଳିରେ ୧୧ କୁକି ଉଗ୍ରବାଦୀ ନିହତ

ଆଦିବାସୀ ଓ ଅଣଆଦିବାସୀଙ୍କ ସଂଘର୍ଷ ଯୋଗୁ ଅଶାନ୍ତ ହୋଇପଡ଼ିଥିବା ମଣିପୁରରେ ଆଜି ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା ମିଳିଛି। ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଛନ୍ତି ୧୧ ସନ୍ଦିଗ୍ଧ କୁକି ଉଗ୍ରବାଦୀ। ସେମାନଙ୍କ ନିକଟରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ମିଳିଛି।

ମଣିପୁରର ଜିରିବାମ ଜିଲ୍ଲାରେ କୁକି ଉଗ୍ରବାଦୀମାନେ ଗୋଟିଏ ପୁଲିସ ଷ୍ଟେସନ ଉପରେ ଉଭୟ ପାର୍ଶ୍ୱରୁ ହମଲା କରିଥିଲେ। ସେହିପରି କିଛି କୁକି ଉଗ୍ରବାଦୀମାନେ ପାହାଡ଼ ଉପରେ ରହି ଗୁଳି ମାଡ଼ କରିଥିଲେ। ସୁରକ୍ଷାକର୍ମୀଙ୍କ ପକ୍ଷରୁ ମଧ୍ୟ ଏହାର ଜବାବ ଦିଆଯାଇଥିଲା।

ପୁଲିସ୍‌ ଓ ସିଆରପିଏଫ ଯବାନମାନେ କୁକି ଉଗ୍ରବାଦୀଙ୍କ ହମଲାକୁ ମୁକାବିଲା କରିଥିଲେ। ଫଳରେ ଉଭୟ ପକ୍ଷ ମଧ୍ୟରେ ବେଶ କିଛି ସମୟ ଗୁଳି ବିନିମୟ ହୋଇଥିଲା। ଏଥିରେ ୧୧ ଜଣ କୁକି ଉଗ୍ରବାଦୀଙ୍କ ମୃତଦେହ ମିଳିଛି।

ଏବେ ବି ସେଠାରେ ଆଉ କିଛି ଉଗ୍ରବାଦୀ ଲୁଚି ରହିଥିବାରୁ ସର୍ଚ୍ଚ ଅପରେସନ ଜାରି ରହିଛି। ସେହିପରି ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ କଡ଼ାକଡ଼ି କରାଯାଇଛି। କୁକି ଉଗ୍ରବାଦୀଙ୍କ ହମଲାରେ କିଛି ଯବାନ ଓ ପୁଲିସ୍‌ କର୍ମଚାରୀ ମଧ୍ୟ ଆହତ ହୋଇଛନ୍ତି।

ଗୁରୁବାର ରାତିରେ ହମାର ଆଦିବାସୀ ସଂପ୍ରଦାୟର ଜଣେ ମହିଳାଙ୍କୁ ଜିରିବାମ ଜିଲ୍ଲାରେ ଦୁଷ୍କର୍ମ ପରେ ଗୁଳି କରି କରାଯାଇଥିଲା। ଏହାପରେ ତାଙ୍କୁ ପୋଡ଼ି ଦିଆଯାଇଥିଲା। ଘଟଣା ପଛରେ ମୈତୈ ସଂପ୍ରଦାୟର ଆତଙ୍କବାଦୀଙ୍କ ହାତ ଥିବା ଅଭିଯୋଗ ହୋଇଥିଲା।

ଘଟଣାର ଦିନକ ପରେ ମୈତୈ ସଂପ୍ରଦାୟର ଜଣେ ମହିଳାଙ୍କୁ କୁକି ବିଦ୍ରୋହୀମାନେ ଗୁଳି କରି ହତ୍ୟା କରିଥିଲେ। ମହିଳା ଜଣଙ୍କ ବିଷ୍ଣୁପୁର ଜିଲ୍ଲାରେ ଥିବା ତାଙ୍କ ଜମିରେ କାମ କରୁଥିଲେ।

ଏହି ସମୟରେ ତାଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା। ଏହି ଦୁଇ ଘଟଣାକୁ ନେଇ ମଣିପୁର ପୁଣି ଅଶାନ୍ତ ହୋଇଥିବା ବେଳେ ଏବେ ୧୧ କୁକି ଉଗ୍ରବାଦୀଙ୍କ ନିହତ ଖବର ସାମ୍ନାକୁ ଆସିଛି।